Unknown

 

 

 

 

 

 

 

 

 

 

ନିଶୀଥର ସ୍ଵପ୍ନା

ଅଧ୍ୟାପକ ଜୀବନକୃଷ୍ଣ ମହାପାତ୍ର

 

ଶ୍ରଦ୍ଧେୟ ପାଠକବୃନ୍ଦ !

 

ଏ ଯେଉଁ ଘଟଣା ମୁଁ ଲେଖିବାକୁ ଯାଉଛି, କୁମାର ବହୁ କଷ୍ଟରେ ସେଥିପାଇଁ ଅନୁମତି ଦେଇଥିଲା । କାରଣ ତା’ର ଧାରଣା ଏ ରହସ୍ୟର ସମାଧାନ ପାଇଁ ଯେଉଁ ଅନୁଶୀଳନର ପନ୍ଥା ସେ ଅବଲମ୍ଵନ କରିଥିଲା, ତାହା ଯଦି ସର୍ବସାଧାରଣଙ୍କ ଗୋଚରକୁ ଆସେ, ତେବେ ଭବିଷ୍ୟତରେ ସେହି ଚିନ୍ତାଧାରାକୁ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ କୌଣସି ଅପରାଧୀ ହୁଏତ ବ୍ୟବହାର କରି ପାରେ । ଯଦି ତା’ ହୁଏ, ତେବେ ତାକୁ ଧରିବା ତ କେବଳ କଷ୍ଟ ହେବନି, ଅନେକ କ୍ଷେତ୍ରରେ ଅସମ୍ଭବ ମଧ୍ୟ ହୋଇଉଠିବ । ଏ ଦୃଷ୍ଟିରୁ ମୁଁ କୁମାର ସଙ୍ଗେ ଏକମତ । ତଥାପି ଏ ଘଟଣା ବର୍ଣ୍ଣନା କରୁଛି; କାରଣ ପ୍ରତ୍ୟେକ ମନ୍ତୁଷ୍ୟର ଅନ୍ତର୍ନିହିତ ସୁଗୁଣରେ ମୋର ବିଶ୍ଵାସ ଅଛି । ତେବେ ଭବିଷ୍ୟତରେ ଯଦି କେହି ଦୁଷ୍କର୍ମ ପାଇଁ ଏଥିରେ ଥିବା ଯୁକ୍ତି ଓ ଚିନ୍ତାଧାରାକୁ ବ୍ୟବହାର କରେ, ସେତେବେଳେ ଆପଣମାନେ ଓ ସମାଜର କର୍ଣ୍ଣଧାରମାନେ ମୋତେ କ୍ଷମା ଦେବେ ବୋଲି ଆଶା ।

 

। ଇତି ।

ସାରଦା ପ୍ରସାଦ

(କୁମାରଙ୍କର ଅନ୍ତରଙ୍ଗ ବନ୍ଧୁ)

Image

 

ଦିନ ଆଠଟା ।

 

କୁମାର ଓ ମୁଁ ଆମ ଦାଣ୍ତଘରେ ବସିଥିଲୁ ।

 

ମଝି ଟେବୁଲ ଉପରେ ଥୁଆ ହୋଇଥିଲା ଟୋଷ୍ଟ, ଆମଲେଟ୍ ଓ ଚା । ଟେବୁଲ୍‍ର ଗୋଟିଏ ପାଖରେ ମୁଁ ଓ ଅନ୍ୟ ପାଖରେ କୁମାର । ମଝିରେ ମଝିରେ ଟୋଷ୍ଟରୁ ଖଣ୍ତେ ଖଣ୍ତେ କାମୁଡ଼ୁ କାମୁଡ଼ୁ ଗୋଟାଏ ନିହାତି ଆବଶ୍ୟକୀୟ କଥା ଉପରେ ଆମର ଚର୍ଚ୍ଚା ଚାଲିଥିଲା । ସେଟା ହେଲା evidence ବା ସୂତ୍ରର ଅନୁଶୀଳନ ।

 

କୁମାର କହୁଥିଲା, “ବୁଝିଲୁ ସାରଦା, ଅପରାଧ-ବିଜ୍ଞାନରେ evidence ଗୋଟାଏ ବିଚିତ୍ର ଦିଗ, କେତେବେଳେ ଏହା ନେଇ ମଣିଷକୁ ଗୋଟାଏ ନିହାତି ଅବାନ୍ତର ସିଦ୍ଧାନ୍ତରେ ଉପନୀତ କରାଏ, କେତେବେଳେ ବା ତାର ଠିକ୍ ଅନୁଶୀଳନ ହୋଇପାରିଲେ ମଣିଷ ଏତେ ଶୀଘ୍ର ଓ ଏତେ ସୁବିଧାରେ ସତ୍ୟରେ ଉପନୀତ ହୁଏ ଯେ, ନିଜର ବୁଦ୍ଧି ଏତେ ତୀକ୍ଷ୍ଣ ବୋଲି ତାର ବିଶ୍ଵାସ ହୁଏନି । ସମୟେ ସମୟେ ମୁଖ୍ୟ ଓ ନିହାତି ସ୍ପଷ୍ଟ ସଙ୍କେତ ଗୁଡ଼ିକ କିଛି କାମରେ ଆସେନି; ଅଥଚ ଅତି ସାମାନ୍ୟ ସଙ୍କେତରେ ବହୁତ କଥା ଜଣା ପଡ଼େ । ତୋର ମନେଥିବ, ସେ ଯେଉଁ ଗୋଡ଼ ନଥିବା ସାଇକଲ୍ ଚଢ଼ାଳୀ କେଶଟାକୁ ସମାଧାନ କରିବାରେ ଆମକୁ କେବଳ ଖଣ୍ତେ ପୋଡ଼ା ଦିଆସିଲି କାଠି କେମିତି ସାହାଯ୍ୟ କରିଥିଲା ।

 

“ତୁ ତ କହୁଛୁ, ମୁଁ ଆଉ ଅଧିକ କ’ଣ କହିବି ।” ଆମଲେଟ୍‍ରୁ ଖଣ୍ତେ ପାଟିକି ନେଉ ନେଉ ମୁଁ କହିଲି ।

 

“ନାଁ…ନାଁ, ମୁଁ କହୁଛି ବୋଲି ନୁହେଁ, ହେଇ ତ ସେଦିନ ପୋଲିସ୍ ଇନିସପେକ୍ଟର ଯେଉଁ କେଶଟା ନେଇ କରି ଆସିଥିଲେ, ତାର ସମାଧାନ କଣ ଆଜିଯାଏଁ ହେଲାଣି,” କୁମାର କହିଲା ।

 

“ଓ… ହୋ…ସେଇ ଯେଉଁ ବିଚିତ୍ର କେଶ୍ । ଜଣେ ଲୋକ ଟାଉନ୍ ବସ୍‍ରେ ଉଠିଲା । କିନ୍ତୁ ତା’ ପରେ ତାକୁ ଓହ୍ଲାଇ ଯିବାର କେହି ଦେଖି ନାହାନ୍ତି । ଶେଷରେ ବସ ଯାଇ ଯେତେବେଳେ ଗ୍ୟାରେଜରେ ପହଞ୍ଚିଲା ସେତେବେଳେ ବସ୍‍ରେ କେହି ନ ଥିଲେ, ସେଇ କେଶ୍ ତ ।”

 

“ହଁ, ସେଇ କେଶ୍ । ବୁଝିଲୁ ସାରଦା-ମୁଁ ଏ ଯାଏ ସମାଧାନ କରି ପାରିନି ସେ କେଶ୍, ସେ ଲୋକ ଗଲା କେଉଁଆଡ଼େ ? ରକ୍ତ ମାଂସ ଦେହଧାରୀ ଗୋଟିଏ ଲୋକ ତ ଉଭାନ୍ ହୋଇ ଯିବନି !”

 

“ନାଁ, ସେ କଥା ତ ସମ୍ଭବ ନୁହେଁ । କିନ୍ତୁ ମୋର ଧାରଣା ଏମିତି କେହି ଲୋକ ସେ ଟାଉନ୍ ବସ୍‍ରେ ଉଠି ନାହାନ୍ତି । କଣ୍ତକ୍ଟର୍ ଓ କ୍ଳିନର ତଥା ବସ ଯାତ୍ରୀମାନଙ୍କର କେମିତି ଗୋଟିଏ ଭୁଲ ଧାରଣା ହୋଇ ଯାଇଛି,” ମୁଁ କହିଲି ।

 

“ତା’ ହୋଇ ପାରେ, କିନ୍ତୁ ସେ ଭଦ୍ରଲୋକଙ୍କର ସ୍ତ୍ରୀ କହନ୍ତି ଯେ, ଘର ଦୁଆର ମୁହଁରେ ତାଙ୍କର ସ୍ଵାମୀ ଟାଉନ୍ ବସ୍‍ରେ ଚଢ଼ିବାର ସେ ଦେଖିଛନ୍ତି, ପରନ୍ତୁ ତା ପରେ ତାଙ୍କ ସ୍ଵାମୀ ଆଉ ଘରକୁ ଫେରି ନାହାନ୍ତି, ପ୍ରକୃତରେ କହିବାକୁ ଗଲେ ସେ ଯାଇ ଥାନାରେ ଡାଏରୀ ଦେଲାପରେ ପୁଲିସ୍ ସେ ଟାଉନ୍ ବସ୍‍ରେ କଣ୍ତକ୍ଟର୍ ପାଖରୁ ସମ୍ଵାଦ ସଂଗ୍ରହ କରିଥିଲେ । ନାଁ…ନାଁ ସାରଦା ତୁ ବୁଝିପାରୁନୁ । ଏ ସମ୍ଵାଦ ସମ୍ପୂର୍ଣ୍ଣ ସତ୍ୟ । କିନ୍ତୁ ଏହାର ସମାଧାନ ଏ ଯାଏ ହୋଇ ପାରିନି-କାରଣ ଏଥିରେ ସଂଶ୍ଳିଷ୍ଟ ସଙ୍କେତର ପ୍ରକୃତ ଅନୁଶୀଳନ ହୋଇପାରିନି ।”

 

କୁମାରର ବକ୍ତବ୍ୟ ଶେଷ ପରେ ମୁଁ କିଛି ନ କହି ଚୁପ୍ ରହିଲି ।

 

କିଛି ସମୟ ପରେ କୁମାର କହିଲା, “ଏଇ ଦେଖ, ସଂକେତର ଅନୁଶୀଳନର ପନ୍ଥା ବିଷୟରେ ଗୋଟାଏ ସୁନ୍ଦର ଉଦାହରଣ ହେଉଛି ।”

 

“କ’ଣ ?” ମୁଁ ପଚାରିଲି ।

 

“ଆଚ୍ଛା ସାରଦା, ରାସ୍ତାରେ ଯେଉଁ ଲୋକ ହାତରେ ଗୋଟିଏ ବାସ୍କେଟ ଧରି ଯାଉଛନ୍ତି ତାଙ୍କୁ ଦେଖି ତୋର କ’ଣ ଧାରଣା ହେଉଛି ?”

 

“କେଉଁ ଲୋକ ?”

 

“ତୁ ଉଠିଯାଇ ଦେଖ ।”

 

ମୁଁ ଉଠିଯାଇ ଝରକା ପାଖରେ ଠିଆହେଲି, ଦୁଇମହଲାର ସେ ଝରକା ପାଖରୁ ରାସ୍ତାଟା ବେଶ୍ ପରିଷ୍କାର ଦେଖା ଯାଉଥିଲା । ରାସ୍ତା ଉପରେ ବିଶେଷ ଗହଳି ନ ଥିଲା । ଦେଖିଲି ଆମରି ଘର ପାଖରେ ଜଣେ ମଧ୍ୟବୟସ୍କ ଲୋକ ଯାଉଛନ୍ତି । ବୟସ ୩୫ ପାଖାପାଖି ହେବ । ସାର୍ଟ ଓ ଧୋତି ପିନ୍ଧିଛନ୍ତି । ହାତରେ ଖଣ୍ତେ ପ୍ଳାଷ୍ଟିକ ବାସ୍କେଟ ଧରିଛନ୍ତି । ସେଥିରେ ସଦ୍ୟ କିଣା ହୋଇଥିବା କେତେକ ଜିନିଷ ଅଛି । ଯଥା–ଖଣ୍ତେ ଶାଢ଼ୀ, କେତେଖଣ୍ତ ବହି ଓ ଆଉ କିଛି ସଉଦା । ତାଙ୍କୁ ହିଁ ଉଦ୍ଦେଶ୍ୟ କରି କୁମାର କହୁଛି ଭାବି ମୁଁ ପଚାରିଲି ।

 

“କିରେ ଏଇ ଯେଉଁ ଧୋତି ଶାର୍ଟ ପିନ୍ଧି ଭଦ୍ରଲୋକ ଯାଉଛନ୍ତି, ତୁ ତାଙ୍କରି କଥା କହୁଛୁ ତ ?”

“ହଁ ।”

“କିନ୍ତୁ ତୁ ତ ଝରକା ଆଡ଼କୁ ପିଠିକରି ବସିଛୁ । ତାଙ୍କୁ ଦେଖିଲୁ କେମିତି ?”

“ଆରେ । ସେ କଥା ତ ପରେ ବିଚାର କରାଯିବ, ତୁ ଆଗ ସେ ଭଦ୍ରଲୋକଙ୍କୁ ଟିକେ ଭଲକରି ନିରୀକ୍ଷଣ କରିଥା । ନ ହେଲେ ସେ ଦୂରକୁ ପଳାଇଲେ ଆଉ ଦେଖି ପାରିବୁ ନି ।”

ମୁଁ ବାଧ୍ୟ ହୋଇ ଚୁପ୍ ରହିଲି ଏବଂ ସେ ଭଦ୍ରଲୋକଙ୍କୁ ନିଠେଇ କରି ଅନେଇଲି । ସେ ଲୁଚିଗଲା ପରେ ଝରକା ପାଖରୁ ଆସି ମୋ ଚୌକିରେ ବସିଲି ।

ଚାହା ପିଉ ପିଉ କୁମାର କହିଲା, “ଏବେ କହ ସାରଦା, ଏଇ ଯେଉଁ ଲୋକ ଗଲେ, ତାଙ୍କୁ ତ ଆମେ ଚିହ୍ନିନେ ତାଙ୍କୁ ତ ଝରକା ପାଖରୁ ଡାକିକରି ପରିଚୟ ପଚରା ଯାଇ ପାରିନଥାନ୍ତା, ପରନ୍ତୁ ତଳକୁ ଓହ୍ଲାଇ ଯାଇ ତାଙ୍କୁ ତାଙ୍କର ନାଁ ଇତ୍ୟାଦି ପଚାରିବା ସମୀଚୀନ ହୁଅନ୍ତା ନି, କାରଣ ସେ ପଚାରନ୍ତେ–ଆପଣଙ୍କର କ’ଣ ଦରକାର ? କିନ୍ତୁ ଧର ଏଇ ଅବସ୍ଥାରେ ଆମକୁ କେହି କୁହନ୍ତେ ସେ ଭଦ୍ରଲୋକଙ୍କର ପରିଚୟ କାଢ଼ିବା ପାଇଁ, ଆମେ କ’ଣ କରନ୍ତେ ?”

“କିଛି ନାଇଁ, ଏତେ ବଡ଼ ସହରରୁ ଜଣେ ଲୋକକୁ ତ ଖୋଜି କାଢ଼ିବା ଏକଦମ୍ ଅସମ୍ଭବ । କାରଣ ତାଙ୍କ ମୁହଁକୁ ତ ଥରେ ଦେଖିବା ଛଡ଼ା ତାଙ୍କ ବିଷୟରେ ଆମେ ଆଉ କିଛି ଜାଣୁନା, ତାଙ୍କୁ ଖୋଜିବା କେମିତି ?”

“ତା’ମାନେ କହୁଛୁ ଆମକୁ ଯଦି କେହି ଅନୁରୋଧ କରେ, ଆମେ ତାଙ୍କୁ ବାଧ୍ୟ ହୋଇ ଆମର ଅକ୍ଷମତା ଜଣାଇ ଫେରାଇ ଦିଅନ୍ତେ ।”

 

“ହଁ, ମତେ ତ ସେମିତି ଜଣା ପଡ଼ୁଛି ।”

 

“କିନ୍ତୁ ସାରଦା–ତୁ ତାଙ୍କୁ ଏତେ ସମୟ ନିରୀକ୍ଷଣ କଲୁ । ତାଙ୍କଠାରେ କ’ଣ ଏମିତି କିଛି ସଙ୍କେତ ଦେଖିଲୁ ନି, ଯେଉଁଟାକି ତାଙ୍କର ପରିଚୟ କାଢ଼ିବାରେ ଆମକୁ ସାହାଯ୍ୟ କରିବ ?”

 

“ତାଙ୍କର ମୁହଁ ଛଡ଼ା ଆଉ ସେମିତି କିଛି identifying mark ଦେଖିଲା ପରି ମୋର ମନେ ପଡ଼ୁନି ।”

 

“ଦେଖିଛୁ ସାରଦା, ସବୁ ଦେଖିଛୁ, ସବୁ ମଣିଷ ସବୁ ଦେଖନ୍ତି, କିନ୍ତୁ ଯାହା ଦେଖନ୍ତି ତାର ଅର୍ଥ ବାହାର କରିବା ପାଇଁ ସମସ୍ତେ ସମର୍ଥ ହୁଅନ୍ତି ନି, ଏ କ୍ଷେତ୍ରରେ ଯେମିତି ତୁ ।”

 

“ମାନେ ତୁ କ’ଣ କହୁଛୁ ଝରକା ଆଡ଼କୁ ପିଠିକରି ତୁ ତାଙ୍କଠାରେ ମୋ ଅପେକ୍ଷା ଆଉ ଅଧିକା କିଛି ଦେଖିପାରିଛୁ ।”

 

“ଖାଲି ଦେଖିଛି ନୁହେଁ, ତାର ଅର୍ଥ କାଢ଼ିଛି । ଆଉ ଏମିତି ଏକ ସିଦ୍ଧାନ୍ତରେ ପହଞ୍ଚିଛି, ଯାହା ସାହାଯ୍ୟରେ ମାତ୍ର ୫ମିନିଟ ଭିତରେ ତାଙ୍କର ଟିକି ନିଖି ପରିଚୟ କାଢ଼ି ହେବ ।”

 

“କ’ଣ କହୁଛି ତୁ” ଆଖିରେ ଆଶ୍ଚର୍ଯ୍ୟ ନେଇ ମୁଁ ପ୍ରଶ୍ନ କଲି ।

 

“କହୁଛି ତ, ଆଉ ପଚାରୁଛୁ କ’ଣ ?”

 

“ଥାଉ ଥାଉ ଭାଇ, Bluff ବହୁତ ବେଶୀ ହୋଇଗଲା । ଏବେଟିକେ ଚୁପ୍ ହୁଅ,” ହସି ହସି ମୁଁ କହିଲି ।

 

“ଆରେ ତୁ କ’ଣ ଅବିଶ୍ଵାସ କରୁଛୁ ?” କୁମାର କହିଲା ।

 

“ଅବିଶ୍ଵାସ ତ କରୁଛି, କିନ୍ତୁ ତୁ ଯଦି ବୁଝାଇ ଦେଇ ପାରିବୁ ତେବେ ବିଶ୍ଵାସ କରିବି” ସ୍ଵରରେ ସନ୍ଦେହ ନେଇ ମୁଁ କହିଲି ।

 

“ବେଶ୍ । ତେବେ ଶୁଣ୍, ଲୋକଜଣକ ମଧ୍ୟବୟସ୍କ । ବୟସ ୩୫ ପାଖାପାଖି ହେବ ।”

 

“ହଁ”

 

“ବେଶ୍, ତୁ ଲକ୍ଷ୍ୟ କରିଛୁ । ସେ ବାସ୍କେଟ ଭିତରେ ବହି ନେଉଥିଲେ ।”

 

“ହଁ”

 

“ଅବଶ୍ୟ କି କି ବହି ନେଉଥିଲେ ଏଠୁ ଜାଣିବା କଷ୍ଟ । କିନ୍ତୁ ଏଟା ତ ବେଶ ସ୍ପଷ୍ଟ ଯେ ତା’ ଭିତରେ ୨ ପ୍ରକାର ବହି ଥିଲା । ଗୋଟିଏ ପ୍ରକାର ବହି ହେଲା-ଷ୍ଟାଣ୍ତାର୍ଡ଼ ସାଇଜର, ଆଉ ଅନ୍ୟ ପ୍ରକାର ହେଲା ବଡ଼ ସାଇଜ । ଯଦିଓ ବଡ଼ ବହିଟିର ନାଁ ପଢ଼ିବା କଷ୍ଟ ତେବେ ତାହା ପିଲାଙ୍କର ମୋ ଛବି ବହି” ପରି ଦେଖା ଯାଉଥିଲା, ଅତଏବ ଆମେ ଜାଣି ପାରିଲେ ୩୫ ବର୍ଷର ଜଣେ ଲୋକ ଦୁଇ ପ୍ରକାର ବହି ନେଉଛନ୍ତି । ତେଣୁ ଏହା ନିଶ୍ଚିତ ଯେ, ଭଦ୍ରଲୋକଙ୍କର ଦୁଇଟି ସନ୍ତାନ ଅଛନ୍ତି । ବେଶୀ ହୁଏତ ହୋଇ ପାରନ୍ତି, କିନ୍ତୁ ତାଙ୍କ ଭିତରେ ଜଣେ ପ୍ରାଇମେରୀରେ ପଢ଼େ ଓ ଅନ୍ୟଟି ବୋଧହୁଏ ମାଇନରରେ ପଢ଼େ, କ’ଣ କଥାଟା ଯୁକ୍ତିଯୁକ୍ତ ଶୁଭୁଛି ?”

 

“ତୁ ତ ଯେମିତି କହୁଛୁ ଶୁଣିଲେ ଠିକ୍ ପରି ଜଣା ପଡ଼ୁଛି ।”

 

“ବେଶ୍, ଆଜି କେତେ ତାରିଖ ?” କୁମାର ପଚାରିଲା ।

 

“୨୦ ତାରିଖ, କିନ୍ତୁ କାହିଁକି ?”

 

“ତୁ ତ ତୋ ଜୀବନରେ ଚାକିରୀ କରିଛୁ । ପହିଲାରେ ଦରମା ପାଇଲା ପରେ କ’ଣ ମାସର ୨୦ ତାରିଖ ବେଳକୁ ତୋ ପାଖରେ ଯଥେଷ୍ଟ ପଇସା ଥାଏ ?”

 

“ନାଁ ଭାଇ, ପ୍ରାୟ ମୋଟେ ରହେନି,” ହସି ହସି ମୁଁ କହିଲି !

 

“କିନ୍ତୁ ଇଏ ଜଣେ ଲୋକ ଯାହାଙ୍କ ପାଖରେ ୨୦ ତାରିଖରେ ଏତେ ଟଙ୍କା ଅଛି ଯେ ସେ ଶାଢ଼ୀ, ବହି, ସଉଦା ଇତ୍ୟାଦି ସବୁ କିଣୁଛନ୍ତି । ତେବେ ସେ କି ପ୍ରକାର ଚାକିରୀ କରୁଥିବେ ?”

 

“ଆରେ ସତେ ତ ! ୨୦ ତାରିଖରେ ତାଙ୍କ ପାଖରେ ଏତେ ପଇସା ଆସିଲା କେମିତି-?”

 

“ଅବଶ୍ୟ ସେ ବ୍ୟବସାୟୀ ବା କଣ୍ଟ୍ରାକ୍ଟର ନୁହନ୍ତି । କାରଣ ତାଙ୍କୁ ଦେଖି ତାଙ୍କର ଅବସ୍ଥା ଏତେ ସ୍ଵଚ୍ଛଳ ଜଣା ପଡ଼ୁନି, କିମ୍ଵା ସେ ସେପରି କୌଣସି ପଦସ୍ଥ ଅଫିସର ପରି ଜଣା ପଡ଼ୁ ନାହାନ୍ତି, ତେବେ ?”

 

“ପ୍ରକୃତରେ, ସେ କି ଚାକିରୀ କରୁଥିବେ ।”

 

“ନିହାତି ସହଜ ବନ୍ଧୁ, ନିହାତି ସହଜ, ରେଳବାଇରେ ତୋର କୌଣସି ବନ୍ଧ କାମ କରନ୍ତି ?”

 

“ହଁ, ସରୋଜ କାମ କରେ ।”

 

“ବେଶ୍, ସେ କେବେ ଦରମା ପାଏ ?”

 

“ଏଇ ପ୍ରାୟ ୧୮ ବା ୧୯ ତାରିଖରେ ।” କହିସାରି ହଠାତ୍ ମୁଁ ପୁଣି ଚିତ୍କାର କରିଉଠିଲି, “ଆରେ, ଠିକ୍ ତ ! ସରୋଜ ଏମିତି ପ୍ରାୟ ୨୦ ତାରିଖରେ ସଉଦା ସବୁ କିଣିବାର ମୁଁ ଦେଖିଛି ।”

 

“ଏବେ ବୁଝି ପାରିଲୁ । ଏ ଭଦ୍ରଲୋକ ରେଳ ବାଇରେ କାମ କରନ୍ତି । ସେଥିପାଇଁ କାଲି ଦରମା ପାଇ ଆଜି ସଉଦା କିଣିବାକୁ ଆସିଛନ୍ତି, ଖାଲି ସେତିକି ନୁହେଁ । ସେ ଯଦି ଷ୍ଟେସନ ମାଷ୍ଟର ହୋଇଥାନ୍ତେ, ତେବେ ବ୍ୟାଗ ବୋହିବା ପାଇଁ କୌଣସି ପଏଣ୍ଟସ୍‍ମ୍ୟାନ୍ ସଙ୍ଗରେ ଆସିଥାନ୍ତା, ଅନ୍ୟ ପକ୍ଷରେ ସେ ଯଦି ବୁକିଂ କ୍ଳର୍କ ହୋଇଥାନ୍ତେ ତେବେ ଆଜିର ଏ ସମାଜରେ ତାଙ୍କର ଅବସ୍ଥା ବେଶ୍ ସ୍ଵଚ୍ଛଳ ହୋଇଥାନ୍ତା । କିନ୍ତୁ ତାଙ୍କ ବେଶ ପୋଷାକରୁ ଜଣା ପଡ଼େ, ସେ ସେଇ ସ୍ତରରେ କୌଣସି ଚାକିରୀ କରୁଥିବେ । ତେଣୁ ଏ ଭଦ୍ରଲୋକ ନିଶ୍ଚୟ A. S. M. ଅଟନ୍ତି ଓ ତାଙ୍କର ୨ଟି ସନ୍ତାନ ସ୍କୁଲକୁ ଯାଆନ୍ତି । ଏତକ ଜାଣିଲା ପରେ କ’ଣ ତୁ ଭାବୁଛୁ ଏ ଭଦ୍ରଲୋକଙ୍କର ପରିଚୟ କାଢ଼ିବାକୁ ୫ମିନିଟରୁ ବେଶୀ ସମୟ ଲାଗିବ ।”

 

“ମୋଟେ ନୁହେଁ । କିନ୍ତୁ ତୁ କ’ଣ ସଙ୍ଗେ ସଙ୍ଗେ ଏତେ କଥା ଚିନ୍ତା କଲୁ । ନାଁ, ତୁ ତାଙ୍କୁ ଚିହ୍ନୁ ?”

 

“ମୁଁ ତାଙ୍କୁ ମୋଟେ ଚିହ୍ନେନି ।” କୁମାର କହିଲା ।

 

“ଆଶ୍ଚର୍ଯ୍ୟ ! ପ୍ରକୃତରେ କୁମାର, ତୋର ଚିନ୍ତାଶକ୍ତି ଅସୀମ ଓ ଯୁକ୍ତିଧାରା ବିସ୍ମୟକର ! କିନ୍ତୁ ତୁ ତ ଝରକା ଆଡ଼କୁ ପଛ କରି ବସିଥିଲୁ । ସେ ଲୋକଟିକୁ ଦେଖିଲୁ କେମିତି ? ପଚାରିଲି ମୁଁ-

 

ଉତ୍ତର ଦେବାକୁ ଯାଇ କୁମାର ମତେ ତାର ପଥର ବସା ମୁଦିଟା ଦେଖାଇ ଦେଇ କହିଲା, “ଏଇ ମୁଦିରେ ରାସ୍ତାର ପ୍ରତିଫଳିତ ଛବି ବେଶ୍ ସ୍ପଷ୍ଟ ଦେଖା ଯାଉଥିଲା, ଫଳରେ ତୁ ଝରକା ଭିତରେ ଯାହା ଦେଖୁଥିଲୁ, ମୁଁ ଏଇ ମୁଦି ଭିତରେ ସେ ସବୁ ଦେଖୁଥିଲି ।”

 

କୁମାରର ଏ ଉତ୍ତରରେ ମୁଁ ଆଉ କଥା ହେବା ଅବସ୍ଥାରେ ନ ଥିଲି । କେବଳ ପ୍ରଶଂସମାନ ଦୃଷ୍ଟିରେ ମୁଁ ତାକୁ ଅନାଇଁ ରହିଲି ।

 

ମୁଁ ଭାବୁଥିଲି କୁମାର ମଣିଷ କି ନୁହେଁ ।

 

ମୋ ଚିନ୍ତାରେ ବାଧା ଦେଇ କୁମାର କହିଲା, “ତୁ ଏବେ ବୁଝିପାରିଲୁ ସାରଦା, ରହସ୍ୟ ସମାଧାନରେ ଏଇ evidence ଗୁଡ଼ାକ ପ୍ରତ୍ୟେକ ଗୋଟାଏ ଗୋଟାଏ ରହସ୍ୟମୟ ଦିଗ । ଅପରାଧ କଲାବେଳେ ଅପରାଧୀ ଯେଉଁ ପନ୍ଥା ଏବଂ ଯେଉଁ ଚିନ୍ତାଧାରା ଅନୁସରଣ କରିଥିଲା, ଆମେ ଯଦି ଆମର ଯୁକ୍ତିକୁ ଠିକ୍ ସେଇ ଧାରାରେ ଚାଳିତ କରିପାରିବା, ତେବେ ପ୍ରତ୍ୟେକ evidence ପ୍ରକୃତ ଅର୍ଥ ଆମେ କାଢ଼ି ପାରିବା ଏବଂ ରହସ୍ୟର ସମାଧାନ ଅତି ସରଳ ହୋଇ ଉଠିବ । ଅନ୍ୟ ପକ୍ଷରେ ଯଦି ଏଥିରେ ସମାନ୍ୟତ୍ରୁଟି ହୁଏ, ତେବେ ଆମେ ଆଦୌ ସମାଧାନ କରିପାରିବା ନାହିଁ ।”

 

“ତୁ ଯାହା କହୁଛୁ ସତ । ହେଲେ ପନ୍ଥାଟି ବଡ଼ କଷ୍ଟକର ।”

 

“କିନ୍ତୁ ଯେତିକି କଷ୍ଟକର ସେତିକି ଆନନ୍ଦଦାୟକ ।”

 

“ସେ ଅନୁଭୂତି ତୋର ଥିବ” କହି ଚୁପ ହେଲି ।

 

ଚୁପ୍ ହୋଇ ବସି ରହିଲା ମଧ୍ୟ କୁମାର, ବୋଧହୁଏ କୌଣସି ଅପରାଧର କଥା ଭାବୁଥିଲା ।

 

“ସାରଦା !” ହଠାତ୍ କୁମାର ମତେ ଡାକିଲା ।

 

“କ’ଣ ?” ଚମକିପଡ଼ି କହିଲି ମୁଁ ।

 

ଦେଖିଲି ହଠାତ୍ କୁମାରର କାନ ଦିଟା ଠେକୁଆ କାନ ପରି ଠିଆ ହୋଇଗଲା । କେଉଁଠି କ’ଣ ଘଟୁଛି ଶୁଣିବା ପାଇଁ ମୁଁ ବି କାନ ଡେରିଲି । ପାହାଚରେ କାହାର ପାଦ ଶଦ୍ଦ ଶୁଭୁଥିଲା ।

 

“ଶୁଣି ପାରୁଛୁ ସାରଦା, ପାହାଚରେ ଦୁଇ ଜଣ କିଏ ଉଠୁଛନ୍ତି, ଜଣେ ଜୋତା ପିନ୍ଧିଛନ୍ତି, ଆଉ ଅନ୍ୟ ଜଣକ ଚଟି । ପଛଜଣଙ୍କ ଚଟି ଘୋଷାରି ଘୋଷାରି ଆସୁଛନ୍ତି, ବୋଧହୁଏ ସେ ଜଣେ ସ୍ତ୍ରୀ ଲୋକ । ହୋଇପାରେ କୌଣସି ସ୍ଵାମୀ ସ୍ତ୍ରୀ ଆମ ପାଖକୁ ଆସୁଛନ୍ତି । କିନ୍ତୁ ଦୁହେଁଯାକ ଯେ ବିବ୍ରତ, କାରଣ ଦୁହିଁଙ୍କର ପାଦ ଶଦ୍ଦ ଅସ୍ଥିର, ବୋଧହୁଏ ଘଟଣା ନିଶ୍ଚୟ ଗୁରୁତର ।” କହି ଚୁପ ହେଲା କୁମାର ।

 

କିନ୍ତୁ ଏ ଯାଁକେ ସେ ଯାହା କହିଗଲା, ମୁଁ କିଛି ବୁଝିପାରୁ ନ ଥିଲି । ପାଦ ଶଦ୍ଦରେ ଏମିତି କିଛି ବୈଚିତ୍ର୍ୟ ଥିଲା ପରି ମତେ ଜଣା ପଡ଼ୁ ନ ଥିଲା ।

 

ଦୁଆରେ ଠକ୍ ଠକ୍ ଶଦ୍ଦ ହେଲା ।

 

କୁମାରର ନିର୍ଦ୍ଦେଶ ମତେ ମୁଁ ଉଠିଗଲି କବାଟ ଫିଟାଇବା ପାଇଁ, କବାଟ ଫିଟାଇ ମୋ ନିଜ ଆଖିକୁ ମୁଁ ବିଶ୍ଵାସ କରି ପାରିଲି ନାହିଁ । ବାହାରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଠିଆ ହୋଇଥିଲେ । ବୋଧହୁଏ ସେ ଦୁହେଁ ସ୍ଵାମୀ ସ୍ତ୍ରୀ, ଦିହେଁ ଖୁବ୍ ବିବ୍ରତ ଜଣା ପଡ଼ୁଥିଲେ । ଦୁହିଁଙ୍କର ମୁହଁରେ ଏତେ ସକାଳୁ ବି ବିନ୍ଦୁ ବିନ୍ଦୁ ଝାଳ ଦେଖା ଦେଉଥିଲା । ବହୁତ କିଛି କହିବାକୁ ଇଚ୍ଛା କରି ମଧ୍ୟ କହିପାରୁ ନଥିଲେ ସେମାନେ । ଉତ୍ତେଜନାରେ ଆଖିଗୁଡ଼ାକ ଢିମା ଢିମା ହୋଇ ଯାଇଥିଲା ।

 

ପୁରୁଷ ଜଣକ ବେଶ ସୁଶ୍ରୀ, ଦୀର୍ଘ ନାକ, ଅତି ଉଜ୍ଜ୍ଵଳ ଚକ୍ଷୁ, ବେଶ କଳା କୁଞ୍ଚୁ କୁଞ୍ଚୁ ବାଳ, ସେଥିରୁ କେତେଟା ବିକ୍ଷିପ୍ତ ହୋଇ ଆସି ପଡ଼ିଥିଲା କପାଳ ଉପରେ, ପିନ୍ଧିଥିଲେ ଖଣ୍ତେ ଟେରିଲିନ୍ ପେଣ୍ଟ ଓ ସାର୍ଟ, ତେବେ ସାର୍ଟଟାକୁ ସଜାଇ କରି ପେଣ୍ଟ ଭିତରେ ଭର୍ତ୍ତି କରିବା ପାଇଁ ମାନସିକ ଅବସ୍ଥାରେ ସେ ବୋଧହୁଏ ନ ଥିଲେ । ଜୋତାର ଫିତା ବି ଖୋଲି ଯାଇଥିଲା । ହାତରେ ଧରିଥିଲେ ଖଣ୍ତେ ବ୍ୟାଗ ।

 

ଆଉ ସ୍ତ୍ରୀ ଜଣକ-ସୁନ୍ଦରୀ ନ ହେଲେ ମଧ୍ୟ ଅସୁନ୍ଦରୀ କହି ହେବନି । ସେ ବେଶୀ ବିବ୍ରତ ଜଣା ପଡ଼ୁଥିଲେ । ବାଳ ସବୁ ଫୁରୁ ଫୁରୁ ହୋଇ ଆସି ମୁହଁ ଉପରେ ପଡ଼ିଥିଲା । ଆଖିରେ ସାମାନ୍ୟ ଟିକେ କଳା ଘେନିବା ପାଇଁ ମଧ୍ୟ ସେ ଭୁଲି ଯାଇଥିଲେ ।

 

“ଆଜ୍ଞା ! ଅକ୍ଷୟକୁମାର ବାବୁ ଅଛନ୍ତି ?” ପୁରୁଷ ଜଣକ ପଚାରିଲେ ।

 

“ହଁ ଅଛନ୍ତି ।”

 

“ତାଙ୍କ ସଙ୍ଗେ ଦେଖା ହୋଇ ପାରିବ ?”

 

“ନିଶ୍ଚୟ, ଆଗ ଭିତରକୁ ଆସନ୍ତୁ ।”

 

“ଚାଲନ୍ତୁ ।”

 

ମୁଁ କୋଠରୀ ଭିତରକୁ ପାଦ ପକାଇଲି । ମୋ ପଛେ ପଛେ ସେ ଦିହେଁ ପଶିଲେ ।

 

ହଠାତ୍ କୁମାରର ପାଟି ଶୁଣି ମୁଁ ତା’ ଆଡ଼କୁ ମୁହଁ ବୁଲାଇଲି । “ଆସନ୍ତୁ, ଆସନ୍ତୁ ସାହୁ ବାବୁ, ଏତେ ବ୍ୟସ୍ତ ହୋଇ ସାଙ୍ଗେ ସାଙ୍ଗେ ସ୍ତ୍ରୀଙ୍କୁ ନେଇ ଦୌଡ଼ି ଆସିବାରେ କ’ଣ ଥିଲା । ଗାଧୋଇ ପାଧୋଇ ବେଶ୍ ଆରମରେ ଆସି ପାରିଥାନ୍ତେ । ଆରେ ବସନ୍ତୁ ନା, ଠିଆ ହେଲେ କାହିଁକି ?”

 

କୁମାରର କଥା ଶୁଣି ଭଦ୍ରଲୋକ ଜଣକ ଓ ମହିଳା ଜଣକ ଅବାକ୍ ହୋଇ ଯାଇଥିଲେ । ସେତ ହେବା କଥା, ମୁ ତ ଏତେ ଦିନ ତା’ ସଙ୍ଗରେ ରହିଲା ପରେ ବି ଆଶ୍ଚର୍ଯ୍ୟ ହୋଇଗଲି ।

 

ସେ ଦୁହେଁ ଦୁଇଟି ଚୌକିରେ ବସିଲେ ।

 

ହଠାତ୍ ମତେ ହସମାଡ଼ିଲା । ଭାବିଲି-ଆରେ, କୁମାର ମତେ ବୋକା ବୋଲି ଭାବିଛି । ବୋଧହୁଏ ସେ ଭଦ୍ରଲୋକଙ୍କୁ ଆଗରୁ ଚିହ୍ନେ । ହୁଏତ ତାଙ୍କର ସମସ୍ୟା ବି ଆଗରୁ ଜାଣିଛି । ଆଉ ମୋ ଆଗରେ ଦେଖାଇ ହେଉଛି ସତେ ଯେମିତି କିଛି ଜାଣିନି ।

 

ଭଦ୍ରଲୋକ ଜଣକ ଥା…ଥା…ମା…ମା…ହୋଇ କୁମାର ଆଡ଼କୁ ଅନାଇଁ କହିଲେ, “ଆଜ୍ଞା-! ଆପଣ…”

 

“ହଁ, ମୋ ନାଁ ଅକ୍ଷୟ କୁମାର ।”

 

“କିନ୍ତୁ…ମତେ ତ ଆପଣ ଆଗରୁ କେଉଁଠି ଦେଖି ନାହାନ୍ତି ।” ଭଦ୍ରଲୋକ ଜଣକ ମୁହଁରେ ବିସ୍ମୟ ନେଇ କହିଲେ, ମୁଁ ତ ଏକଦମ୍ କାବା ହୋଇଗଲି ।

 

“ଓଃ… ଆପଣ ଭାବୁଛନ୍ତି ମୁଁ କେମିତି ଜାଣିଲି ଆପଣଙ୍କର ନାଁ ସାହୁ ବାବୁ ବୋଲି, ଏୟା ନା, ଏଇ ପରା ଆପଣଙ୍କର ବ୍ୟାଗରେ ଲେଖା ହୋଇଛି N. K. SAHU ।”

 

ଚମକି ପଡ଼ି ନିଜ ବ୍ୟାଗକୁ ଅନାଇଲେ ସାହୁବାବୁ ।

 

ତା’ପରେ ପାଟି ଖୋଲିଲେ, “ଜଣେ ବନ୍ଧୁଙ୍କ ଠାରୁ ଆପଣଙ୍କ ବିଷୟରେ ଶୁଣି ମୁଁ ଧାଇଁଆସିଲି । ମୋ ନାଁ ଆଜ୍ଞା ପ୍ରକୃତରେ ନବକିଶୋର ସାହୁ । ଲୋକେ ମୋତେ ସାହୁ ବାବୁ ବୋଲି ଡାକନ୍ତି, ଶୁଣିଥିଲି ସିନା, ଏବେ ଦେଖୁଛି ପ୍ରକୃତରେ ଆପଣ ସର୍ବଜ୍ଞ ।”

 

“ପ୍ରଶଂସା ଥାଉ” ପାଇପରେ ଗୋଟେ ଖୁବ୍ ଜୋରରେ ଟାଣି ଦେଇ କୁମାର କହିଲେ, “ସାରଦା ! ଯା’ ଟିକେ ଚାହା ଜଳଖିଆ ବନ୍ଦୋବସ୍ତ କର ।”

 

“ନାଁ…ନାଁ ସେ ସବୁ ଥାଉ ଆଜ୍ଞା, ଆମର ଆଜ୍ଞା ନିହାତି ଗୋଟିଏ ସାଂଘାତିକ ସମସ୍ୟା ଉପୁଜିଛି । ସେଇଟା ଆଗ ଟିକେ ଶୁଣନ୍ତୁ ।” ସାହୁ ବାବୁ ବ୍ୟସ୍ତ ହୋଇ କହିଲେ ।

 

“ଶୁଣିବି…ଶୁଣିବି…ସବୁ ଶୁଣିବି, କିନ୍ତୁ ଆପଣମାନେ ଆଗ ଟିକେ ଖାଇି ନିଅନ୍ତୁ, ତା’ ହେଲେ ଉତ୍ତେଜନାଟା ବହୁତ ପରିମାଣରେ କମିଯିବ । କାରଣ ଉତ୍ତେଜନା ନ କମିଲେ ମଣିଷର କଥା ଓ କାର୍ଯ୍ୟ ଠିକ୍ ରହେନା ।”

 

କୁମାର କଥା ଶୁଣି ମୁଁ ଭିତରକୁ ଉଠିଗଲି । ପ୍ରାୟ ୧୫ ମିନିଟ ପରେ ଆମଲେଟ୍, ପାଉଁରୁଟି ଓ ଚା ନେଇ ଆସି ପହଞ୍ଚିଲି । ମୁଁ ଆସିଲା ବେଳକୁ ସେ ତିନିହେଁ ସେମିତି ବସିଥିଲେ ।

 

ମତେ ଏ ସବୁ ଆଣିବାର ଦେଖି ସାହୁ ବାବୁଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ କହିଲେ, “ଏ କ’ଣ ? ଏ କଣ ? ଆପଣ ଏ ସବୁ ନିଜେ…

 

“ବ୍ୟସ୍ତ ହୁଅନ୍ତୁ ନି,” କୁମାର କହିଲା, “ଆପଣମାନେ ବୋଧହୁଏ ତାକୁ ଚିହ୍ନନ୍ତିନି । ସେ ମୋର ଅତ୍ୟନ୍ତ ଅନ୍ତରଙ୍ଗବନ୍ଧୁ ସାରଦା, ଖାଲି ତ ବନ୍ଧୁ ନୁହେଁ ସବୁ କିଛି, ସେ ମୋ ସାଙ୍ଗରେ ଅଛି ବୋଲି ଆଜି ମୋର ସ୍ଥିତି ଅଛି । ସେ ମୋର ସବୁ ଖବର ବୁଝେ ଠିକ୍ ମୋର ସାନଭାଇ ପରି । ଆଉ ରହସ୍ୟ ସମାଧାନରେ ସେ ଯଦି ସାହାଯ୍ୟ କରୁନଥାନ୍ତା, ତେବେ କୌଣସି ସମସ୍ୟା ସମାଧାନ ହୁଏତ ମୁଁ କରି ପାରନ୍ତି ନାହିଁ । ଫଳରେ ସେ ମୋର ସହକାରୀ, ବନ୍ଧୁ, ଭାଇ, କୁଟୁମ୍ଵ, ସବୁକିଛି, ମୋର ସେ ଚଳନ୍ତି ପ୍ରତିମା,” ଚୁପ୍ ହେଲା କୁମାର । ମୁହଁରେ ତାର ଲାଖି ରହିଥିଲା ମାନବିକତାର ହସ ।

 

କୁମାରଠାରୁ ଏତେକଥା ଶୁଣି ସ୍ଵାମୀ, ସ୍ତ୍ରୀ, ଦୁହେଁଯାକ ଏକାସଙ୍ଗେ ଠିଆ ହୋଇ ନମସ୍କାର କଲେ । ମୁଁ ତ ବଡ଼ ଅଡ଼ୁଆରେ ପଡ଼ିଗଲି । ମୋର ଦୁଇଟି ଯାକ ହାତ ଚାହା ଜଳଖିଆରେ ବନ୍ଦ ଥିଲା । ମୋର ଏ ଦୁରବସ୍ଥା ଦେଖି ସେ ଦୁହେଁଯାକ ହସିଉଠିଲେ ।

 

ଟିକିଏ ପୂର୍ବରୁ ଯେଉଁ ଗମ୍ଭୀର ଆବହାୱା ଥିଲା, ତାହା ହଠାତ୍ ହାଲୁକା ହୋଇଉଠିଲା ଏ ହସରେ ।

 

ଅତି ସଙ୍କୋଚର ସହିତ ସେ ଦୁହେଁ ଜଳଖିଆ ପର୍ବ ଶେଷ କଲେ ।

 

“ଏବେ କୁହନ୍ତୁ କ’ଣ ଆପଣଙ୍କର ସମସ୍ୟା” କୁମାର କହିଲା ।

 

ଟିକିଏ ସମୟ ନେଲେ ସାହୁ ବାବୁ ଆରମ୍ଭ କରିବାରେ । ବୋଧହୁଏ ସେ ଚିନ୍ତା କରୁଥିଲେ, କେଉଁଠାରୁ ଆରମ୍ଭ କରିବେ, ଅଥବା ସେ କହିଲେ ଭଲହେବ କି ତାଙ୍କ ସ୍ତ୍ରୀ କହିଲେ ଭଲ ହେବ ସେ କଥା ଚିନ୍ତା କରୁଥିଲେ ।

 

ସେ ଯାହା ହେଉ, ପରିଶେଷରେ ସେ ଆରମ୍ଭ କଲେ, ଆଜ୍ଞା, ମୁଁ ହେଲି ନବକିଶୋର ସାହୁ । Small Scale Inderstriesର Regional Manager. ଆଉ ଏ ହେଉଛନ୍ତି ମୋର ସ୍ତ୍ରୀ ପୁଷ୍ପା ଦେବୀ । ମୋର ଭାଇ ବନ୍ଧୁ କୁଟୁମ୍ଵ ଇତ୍ୟାଦି କେହି ନାହାନ୍ତି । ବାପା ବୋଉ ମଧ୍ୟ ଅନେକ ଦିନୁ ମରି ସାରିଛନ୍ତି । ମୋ ସ୍ତ୍ରୀ ମଧ୍ୟ ପିତୃମାତୃହୀନ । ତେବେ ତାଙ୍କର ଦାଦାଙ୍କ ଜରିଆରେ ଆମର ବାହାଘର ସମ୍ପନ୍ନ ହୁଏ ମାତ୍ର ୪ମାସ ତଳେ । ସେତେବେଳେ ସ୍ତ୍ରୀଙ୍କର ଜଣେ ସାନ ଭଉଣୀ ଥା’ନ୍ତି । ତାଙ୍କର ନାଁ ସ୍ଵପ୍ନା । ବିବାହ ପରେ ସ୍ଵପ୍ନା ଭଉଣୀ ସଙ୍ଗେ ଚାଲି ଆସି ଏଇଠି ରହୁଥିଲା ଆମରି ପାଖରେ, ବି. ଏ. ପଢ଼ୁଥିଲା । ତେବେ ଗଲା ଫେବୃୟାରୀ ୨୫ ତାରିଖରେ ସ୍ତ୍ରୀଙ୍କଠାରୁ ଟେଲିଫୋନରେ ଖବର ପାଇ ମୁଁ ଆସି ଘରେ ପହଞ୍ଚି ଦେଖେ ଯେ, ସ୍ଵପ୍ନା ଆଉ ନାହିଁ । ଘରେ ପ୍ଳଗ ଭିତରେ ଗୋଟିଏ ତାର ଭର୍ତ୍ତି କରି ତାକୁ ଧରି ସେ ମରି ଯାଇଛି । ସେ ବୀଭତ୍ସ ଦୃଶ୍ୟ ମୁଁ ଜୀବନ ଯାକ ଭୁଲି ପାରିବିନି, ତାର ସେ ହାତଟା ପୋଡ଼ି କଳା ପଡ଼ି ଯାଇଥାଏ । ଆଉ ଦେହ ସାରା ଚମଡ଼ା ଫାଟି ମେଲା ମେଲା ହୋଇ ଯାଇଥାଏ । ଡାକ୍ତର ଅବଶ୍ୟ ଡକା ହୋଇଥିଲେ । କିନ୍ତୁ ସ୍ଵପ୍ନା ଆଉ ସେତେବେଳକୁ ନଥିଲା । ପୋଲିସ ଆସିଲା । ତା ହାତମୁଠା ଭିତରୁ ଖଣ୍ତେ କାଗଜ ମିଳିଲା । ସେଥିରେ ସେ ଲେଖି ଯାଇଥିଲା, ତାର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି । ପୋଷ୍ଟମର୍ଟମ ହେଲା । ରିପୋର୍ଟ ମିଳିଲା electric shock ଦ୍ଵାରା ପ୍ରାୟ ଦିନ ୩ଟା ବେଳେ ମୃତ୍ୟୁ ହୋଇଛି । ତା’ ପରେ ତା’ର ଶବକୁ ନେଇ ଯଥାରୀତି ଦାହ କରା ଯାଇଥିଲା । ମୁଁ ତ ଜନ୍ମରୁ ଏକୁଟିଆ ଥିଲି । ଆଉ ସ୍ଵପ୍ନା ଚାଲିଯାଇ ମୋର ସ୍ତ୍ରୀଙ୍କୁ ମଧ୍ୟ ଏକୁଟିଆ କରି ଦେଇ ଗଲା ।”

 

ଶେଷବେଳକୁ ସାହୁ ବାବୁଙ୍କର କଣ୍ଠ ଶୋକରେ ଅବରୁଦ୍ଧ ହୋଇ ଆସିଲା ପରି ଜଣା ପଡ଼ିଲା । ପକେଟରୁ ରୁମାଲ କାଢ଼ି ସେ ଆଖିରୁ ଲୁହ ପୋଛିଲେ । କିନ୍ତୁ ପୁଷ୍ପା ଦେବୀ-ସେ ଠିକ୍ ଗୋଟିଏ ପଥର ମୂର୍ତ୍ତିପରି ବସିଥିଲେ । କେବଳ ଆଖିରୁ ବୋହି ଯାଉଥିଲା ଧାର ଧାର ଲୁହ ।

 

ତାଙ୍କର ଏ ଦୁଃଖ କୁମାର ହୃଦୟଙ୍ଗମ କରି ନ ପାରିଲେ ମଧ୍ୟ ମୁଁ ବେଶ୍ ଅନୁଭବ କରି ପାରୁଥିଲି । କାରଣ ମୋ ଜୀବନର ଇତିହାସ ବି ପ୍ରାୟ ଏଇଆ, ପିଲାଦିନୁ ବାପା ବୋଉ ଯାଇଥିଲେ । ରହି ଯାଇଥିଲା କେବଳ ଏତିକି ବକଟେ ସାନଭାଇ । ୟା’ ଦୁଆରେ ତା ଦୁଆରେ ପଡ଼ି ମୁଁ ମଣିଷ ହେଲି । ସେ ବି ବି.ଏସ୍‍ସି. ପଢ଼ୁଥିଲା, ଦିନେ ଦି ପହରେ କଲେଜ ପ୍ରିନ୍‍ସ୍‍ପାଲ୍‍ଙ୍କଠାରୁ ଖବର ପାଇ ମୁଁ ଯାଇ ଦେଖେ, ସେ ପୋଟାସିଅମ୍ ସିଆନାଇଡ୍ ଖାଇ ଆତ୍ମହତ୍ୟା କରିଛି । ତାକୁ ସେ ଅବସ୍ଥାରେ ଦେଖି ମୁଁ କାନ୍ଦି ପାରିଲିନି । ଲୁହ ବୋଧହୁଏ ମୋ ଭିତରୁ ଶୁଖି ଯାଇଥିଲା । ତା ପରେ ଏ ବିରାଟ ଦୁନିଆରେ ରହିଗଲି ମୁଁ ଏକା, ପାଦ ଘୋଷାରି ଘୋଷାରି ଆସି ୪୦ବର୍ଷ ଧରିଲା । କେହି ବନ୍ଧୁ ବାନ୍ଧବ ନାହାନ୍ତି ପାଖରେ । ବିବାହ ବି କରିନି, କାରଣ ଭୟ ହେଲା–ଭବିଷ୍ୟତରେ ଯଦି ମୋର ଏମିତି ହଠାତ୍ ମୃତ୍ୟୁ ହୁଏ, ତେବେ ମୋର ସନ୍ତାନମାନେ କ’ଣ କରିବେ ? ସେମାନେ ତ ମୋରି ପରି କଷ୍ଟ ପାଇବେ, ଶିହରି ଉଠିଲା ମୋ ମନ, ବିବାହ ନ କରିବାକୁ ଠିକ୍‍ କଲି, ରହିଗଲି ବି ଶେଷକୁ ଅବିବାହିତ ହୋଇ, ଏ ଜୀବନର କେବଳ ଏକମାତ୍ର ସଖା–ଏଇ ବିଚିତ୍ର କୁମାର । ସେ ଗୋଟାଏ ସୃଷ୍ଟିଛଡ଼ା, ମୁଁ ବି ସେଇଥିରୁ ଗୋଟିଏ, କିନ୍ତୁ ଦେଖା ହେଲା ଦିନୁ ସେ ମୋତେ ଛାଡ଼ି ପାରୁନି କି ମୁଁ ତାକୁ ଛାଡ଼ି ପାରୁନି, ଦୁହେଁ ଏକାଠି ରହି ଆସିଛୁ । ପଛକଥା ମନେ ପକାଇ ମୋ ଆଖିରେ ବି ଲୁହ ଜମିଆସିଲା ।

 

ମୁହଁ ଟେକିଲି ମୁଁ । ନବବାବୁ ପ୍ରକୃତିସ୍ଥ ହୋଇ ପୁଣି କଥା ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ । ଆଉ କୁମାର-ଗୋଟାଏ ଧୂଆଁର କୁହୁଡ଼ି ଭିତରେ ଢାଙ୍କି ହୋଇ ବସିଥିଲା । ଖୁବ୍ ଚିନ୍ତିତ ହେଲାପରି ଜଣା ପଡ଼ୁଥିଲା ସେ ।

 

ନବବାବୁ କହିଲେ, “କୁମାର ବାବୁ, ଏ ତ ଗଲା ୨ମାସ ତଳର କଥା, କିନ୍ତୁ ଆଜି ସକାଳୁ ଆମେ ଉଠି ଦେଖୁ ଖଣ୍ତେ ଲଫାପା ଥୁଆ ହୋଇଛି ବିଛଣା ଉପରେ, କ’ଣ ଏ ଲଫାପା ? କିଏ ଦେଇଗଲା ? କେମିତି ଆସିଲା ? ବୁଝିପାରୁ ନଥିଲୁ ଆମେ । ଯା, ହେଉ ମନରେ ଆଶଙ୍କା ଓ ଉତ୍କଣ୍ଠା ନେଇ ଲଫାପା ଖୋଲିଲୁ । ତା ଭିତରେ ଖଣ୍ତେ ଚିଠିଥିଲା । ଏକଦମ୍ ସ୍ଵପ୍ନାର ହାତ ଲେଖା ଚିଠି, ଠିକ୍ ତାରି ଅକ୍ଷର । ଟିକିଏ ବି ଭୁଲ୍‍ ନାହିଁ, ଚିଠିଟାକୁ ଦେଖି ଆମେ ଦୁହେଁ ପୂରାପୂରି ଚମକି ପଡ଼ିଲୁ । ଆପଣ ନିଜେ ଚିଠିଟାକୁ ଦେଖି ନିଅନ୍ତୁ ।” କହି ଖଣ୍ତେ ଚିଠି ବଢ଼ାଇ ଦେଲେ ନବବାବୁ କୁମାର ଆଡ଼କୁ ।

 

ଚିଠିରେ କଣ ଲେଖା ହୋଇଛି ଦେଖିବା ପାଇଁ ମୁଁ ବି ଝୁଙ୍କି ପଡ଼ିଲି, ଚିଠିରେ ଲେଖା ଥିଲା–

 

ଅପାଲୋ,

 

ତୁ ପରା ମତେ ଏତେ ଭଲ ପାଉ, ମତେପରା ଦଣ୍ତେ ଛାଡ଼ି ତୁ ରହି ପାରୁନା, ଆଉ ୨ମାସ ହେଲା ମୁଁ ଏଠିକି ଆସିଲିଣି, ତୁ ମତେ ଟିକେ ଦେଖିବାକୁ ଆସୁନୁ, ମତେ କ’ଣ ଏକଦମ୍ ଭୁଲିଗଲୁ । ତୁ ଆସିବୁ ଆସିବୁ ବୋଲି ଆଶା ନେଇ ମୁଁ ଏତେଦିନ ଅନେଇ ବସିଲି, ଆଉ ପାରୁନି, ଅପାଲୋ-ଏ ଚିଠିପାଇ ନିଶ୍ଚୟ ଆସିବୁ । ବସିଲାଠାରୁ ଉଠି ଆସିବୁ । ଅପେକ୍ଷାରେ ରହିଲି, ଏ ଯାଏ ଖାଇନି, ତୁ ଆସିଲେ ସାଙ୍ଗ ହୋଇ ଖାଇବା ।

 

। ଇତି ।

ତୋର, ଆଦରର ସ୍ଵପ୍ନା

 

“ବଡ଼ ବିଚିତ୍ର”, ମୋ ପାଟିରୁ ଅଜଣାତରେ ବାହାରି ପଡ଼ିଲା ।

 

“ସେଇ କଥାତ ମୁଁ କହୁଛି ସାରଦାବାବୁ, ୟା’ କେମିତି ସମ୍ଭବ ହେଲା ! ଏଇ ହାତରେ ମୁଁ ତାକୁ ପୋଡ଼ିକରି ଆସିଛି, ଆଉ ଆଜି ଏ ଚିଠି । ଚିଠିଟା ପାଇଲା ବେଳୁ ମୋ ମୁଣ୍ତ ଖରାପ ହୋଇ ଯାଇଛି, ମୋ ମୁଣ୍ତରେ କିଛି ପଶୁନି, ମୁଁ କିଛି ବୁଝି ପାରୁନି, ଆଉ ମୋ ସ୍ତ୍ରୀ-ସେତ ଏକପ୍ରକାର ସ୍ଥାଣୁ ହୋଇ ଯାଇଛନ୍ତି ।” କହି ଚୁପ୍ ହେଲେ ନବବାବୁ ।

 

ପୁଷ୍ପା ଦେବୀଙ୍କ ଆଡ଼କୁ ଅନାଇଁ କୁମାର ବେଶ୍ ଅମାୟିକ ଭାବରେ କହିଲା, “ଆରେ ଡରିବାର କ’ଣ ଅଛି । ଆଉ ଆତ୍ମା ତ ସେ ପୁରରୁ ଚିଠି ଦେବନି, କେହି ଜଣେ ବଦମାସ୍ ଗୋଟାଏ ଗଣ୍ତଗୋଳ ସୃଷ୍ଟି କରିବାପାଇଁ ଏ ସବୁ କରିଛି, ତେଣୁ ବ୍ୟସ୍ତ ହେବାର କିଛି ନାହିଁ ।”

 

“ମୋର ବି ତ ସେଇ ଧାରଣା”, ନବବାବୁ କହିଲେ ।

 

“ହେଲେ ସ୍ଵପ୍ନାର ଅକ୍ଷର ସଙ୍ଗେ ଏ ଚିଠିର ଅକ୍ଷର ଯେ ଏକଦମ ମିଶି ଯାଉଛି” ପୁଷ୍ପା ଦେବୀ କହିଲେ ।

 

ସେଥିରେ ଭାବିବାର କିଛି ନାହିଁ; ଆପଣ ନିଜେ କହୁ ନାହାନ୍ତି, ଚିଠି ଲେଖିବା ପାଇଁ ଜଣେ ରକ୍ତ ମାଂସଧାରୀ ଲୋକ ତ ଦରକାର ।

 

“ହଁ” ପୁଷ୍ପାଦେବୀ କହିଲେ ।

 

“କିନ୍ତୁ ସ୍ଵପ୍ନାର ସେ ଦେହ ଯେ ନଷ୍ଟ ହୋଇ ଯାଇଛି । ତେଣୁ ଏ ଚିଠି ସେ ଦେଇ ନ ପାରେ ।” କୁମାର କହିଲେ,

 

“ତା’ ତ ମୁଁ ବୁଝିଲି । କିନ୍ତୁ……..”

 

“କିନ୍ତୁ ପୁଣି କ’ଣ ?” କୁମାର ପଚାରିଲା ।

 

“କିନ୍ତୁ କୁମାର ବାବୁ ଏ ଚିଠି କିଏ ପଠାଇଛି, କାହିଁକି ପଠାଇଛି ? ସେଟା ଆପଣଙ୍କୁ ବାହାର କରିବାକୁ ହେବ ।” ନବବାବୁ କହିଲେ ।

 

“ସେଇଥିପାଇଁ ମୁଁ ରାଜି, କାଇଁକି ନା ଏ କେଶ୍‍ଟା ବଡ଼ interesting” କୁମାର କହିଲା ।

 

ସେମିତି ଚୁପ୍‍ଚାପ୍ ହୋଇ କିଛି ସମୟ କଟିଗଲା ।

 

ମୁଁ ଖାଲି ୟା’ ମୁହଁକୁ ତା’ ମୁହଁକୁ ଅନାଉଥାଏ, କୁମାର ଦେଖା ଯାଉଥାଏ ଖୁବ୍ ଚିନ୍ତିତ, ମୁହଁରୁ ତାର କେବଳ ଭକ୍ ଭକ୍ ଧୂଆଁ ବାହାରୁଥାଏ । ନବବାବୁ ଏବଂ ତାଙ୍କର ସ୍ତ୍ରୀ ମଧ୍ୟ କ’ଣ କହିବେ କହିବେ ବୋଲି ହୋଇ କିଛି କହିପାରୁ ନ ଥାନ୍ତି ।

 

କିଛି ସମୟ ପରେ କୁମାର କହିଲା, “ସାହୁବାବୁ, ଯେଉଁ ଦୁଇମାସ ଆପଣଙ୍କ ପାଖରେ ଜୀବିତ ଅବସ୍ଥାରେ ସ୍ଵପ୍ନା ଥିଲା ସେ ଦୁଇମାସ ଭିତରେ ସେ କୌଣସି ବନ୍ଧୁ ବାନ୍ଧବଙ୍କ ଘରକୁ ଅନ୍ତତଃ ସପ୍ତାହେ ଖଣ୍ତେ ବୁଲି ଯାଇଥିଲା କି ?”

 

କୁମାରର ଏ ଅବାନ୍ତର ପ୍ରଶ୍ନରେ ମୁଁ ତ ଏକଦମ୍ ଆଶ୍ଚର୍ଯ୍ୟ ହୋଇଗଲି, ସାହୁବାବୁ ଓ ପୁଷ୍ପାଦେବୀ ମଧ୍ୟ ପ୍ରଶ୍ନର ଉଦ୍ଦେଶ୍ୟ ବୁଝି ନପାରି ବୋକାଙ୍କ ପରି ଅନାଇ ରହିଲେ ।

 

“କ’ଣ କହିଲେନି ଯେ, ଅନ୍ତତଃ ପକ୍ଷେ ସପ୍ତାହେ ଖଣ୍ତେ ସେ ଯାଇଥିଲା କି କେବେ ?” କୁମାର ପୁଣି ପଚାରିଲା ।

 

“ନାଁ”

 

“ତେବେ ଏଇ ଧରନ୍ତୁ କେବେ excursion ରେ ସପ୍ତାହେ ଖଣ୍ତେ ଯାଇଥିଲା କି ?”

 

“ହଁ ଯାଇଥିଲା । କିନ୍ତୁ କାହିଁକି ?”

 

“ନାଇଁ ଏମିତି ପଚାରିଲି । ତେବେ ଦେଖନ୍ତୁ ସାହୁବାବୁ, ମୁଁ ତ ଆଉ ସର୍ବଜ୍ଞ ନୁହେଁ । ମାତ୍ର ଖଣ୍ତେ ଚିଠିରୁ କେତେ ବାଟ ଆଗେଇ ହେବ, ଘଟଣାକୁ ଆଉ ଟିକିଏ ଆଗେଇବାକୁ ଦିଅନ୍ତୁ,” କହି କୁମାର ଚୁପ୍ ହେଲା ।

 

“କିନ୍ତୁ କୁମାର ବାବୁ ! ଆମର ଆଉ ଗୋଟିଏ ଅନୁରୋଧ ଅଛି” ନବବାବୁ କହିଲେ ।

 

“କ’ଣ କହୁନାହାନ୍ତି ।”

 

“କ’ଣ କି…ଏ ଚିଠିଟା ପାଇଲା ପରେ ଆମେ ଦୁହେଁ ବଡ଼ ଅସ୍ଵସ୍ତି ଅନୁଭବ କରୁଛୁ । କାହିଁକି କହି ପାରୁନି । ତେବେ କେମିତି ଗୋଟାଏ ଲାଗୁଛି, ତେଣୁ… ଆପଣ ଯାଇ ଆମ ଘରେ ଆମ ସାଙ୍ଗରେ ରହିଲେ ଆମର ଟିକେ ସୁବିଧା ହୁଅନ୍ତା । ଆପଣଙ୍କର କିଛି ଆପତ୍ତି ଅଛିକି ?” ବେଶ୍ ଭଦ୍ରାମି ଜଗି ପ୍ରସଙ୍ଗଟା ପକାଇଲେ ସାହୁବାବୁ ।

 

“ନାଇଁ, ଆପତ୍ତି କିଛି ନାଇଁ ଯେ, କିନ୍ତୁ ଦରକାରଟା ବି କ’ଣ ମୁଁ ବୁଝି ପାରୁନି ।” ବେଶ୍ ଅମାୟିକ ଭାବରେ କୁମାର କହିଲା ।

 

ମୁଁ କେବଳ ନୀରବ ଶ୍ରୋତା ।

 

“ଦରକାରଟା କ’ଣ କି, ଆମେ ଦୁହେଁ ସେଠି ଏକା ରହୁଛୁ । କେବଳ ଚାକରଟିକୁ ଛାଡ଼ିଦେଲେ ଆଉ କେହି ନାହାନ୍ତି । ଫଳରେ ଏ ଚିଠି ପାଇଲା ପରେ କେମିତି ଗୋଟାଏ ଭୟ ଓ ଆଶଙ୍କାର ବିକୃତ ସମ୍ମିଶ୍ରଣରେ ସୃଷ୍ଟି ଏକ ଚେତନା ମନରେ ଜାଗୁଛି । ତେଣୁ ଆପଣମାନେ ପାଖରେ ରହିଲେ ଅନ୍ତତଃ କଥାବାର୍ତ୍ତାରେ ସମୟ କଟିଯାନ୍ତା ।” ସାହୁ ବାବୁ ସ୍ଵରରେ ଅନୁନୟ ନେଇ କହିଲେ ।

 

“ମୁଁ ଯାଇଥାନ୍ତି ସାହୁ ବାବୁ, କିନ୍ତୁ କଥା କ’ଣ କି ପ୍ରଧାନମନ୍ତ୍ରୀଙ୍କର ଖାସ କୋଠରୀ ଭିତରୁ defenseର ଯେଉଁ ଫାଇଲ ସବୁ ଚୋରି ହୋଇଗଲା, ତାର ତଦନ୍ତର ଭାର ମତେ ଦିଆ ହୋଇଛି । ସେଇଟା ନେଇ ମୁଁ ଏଇନେ ବ୍ୟସ୍ତ । ତେଣୁ ଯାଇ ପାରୁନି । ତେବେ ଯେଉଁ ମୁହୂର୍ତ୍ତରେ ଆପଣ କୌଣସି ବିପଦ ବା ଭୟର ଆଶଙ୍କା କରିବେ, ସେତେବେଳେ ମତେ ଖବର ଦେଲେ ମୁଁ ସାରଦାକୁ ନେଇ ସଙ୍ଗେ ସଙ୍ଗେ ଯାଇ ପହଞ୍ଚିବି ।” କହି କୁମାର ଚୁପ୍ ହେଲା ।

 

କିଛି ସମୟ ସେମିତି କଟିଗଲା ।

 

କେତେ ବେଳକେ ସାହୁବାବୁ କହିଲେ, “କୁମାର ବାବୁ ! ଆମେ ତେବେ ଆସୁଛୁ ।”

 

ଦୁହେଁ ଯାକ କେମିତି ଗୋଟାଏ ଅନିଚ୍ଛୁକ ଭାବରେ ଉଠିଲେ । କୁମାର ନ ଯିବାକୁ କହିବାରୁ ସେମାନେ କେମିତି ଟିକିଏ କ୍ଷୁନ୍ନ ହେଲା ପରି ଜଣା ପଡ଼ୁଥିଲେ । ହେବା କଥା ବି । କୁମାର ବି କାହିଁକି ଯିବାକୁ ମନା କଲା, ମୁଁ ବୁଝି ପାରୁ ନଥିଲି । ସେ ଦୁହିଁଙ୍କୁ ଫାଟକ ପାଖରେ ବଳେଇ ଦେଇ ମୁଁ ଫେରି ଆସିଲି ।

 

କୁମାର କିନ୍ତୁ ସେଇଠି ସେମିତି ଆରାମ ଚୌକିରେ ବସି ବେଶ୍ ଧୂଆଁ ଛାଡ଼ୁଥିଲା । ମୁଁ ଯାଇ ଗୋଟିଏ ଚୌକିରେ ବସି ପଡ଼ିଲି, କାହା ମୁହଁରେ କଥା ନାଇଁ । ଏ ବିଚିତ୍ର ସମସ୍ୟା ଶୁଣି ସାରିଲା ପରେ ମୋ ମୁଣ୍ତରେ ଆଉ କିଛି ପଶୁ ନ ଥିଲା ।

 

କେତେବେଳକେ କୁମାର ପଚାରିଲା, “ସାରଦା ! ତୋର ମତାମତ କ’ଣ ?” “କେଉଁ ବିଷୟରେ ?” ମୁଁ ଚମକି ପଡ଼ି ଓଲଟି ପଚାରିଲି ।

 

“ଆରେ ଏଇ ଯେଉଁ ସମସ୍ୟା ନେଇ ସାହୁ ବାବୁ ଆସିଥିଲେ,” କୁମାରର ଏ କଥାରେ ମୁଁ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଲି ।

 

“ପ୍ରଥମତଃ ପୁଷ୍ପା ଦେବୀଙ୍କର ସ୍ଵପ୍ନା ବୋଲି ଜଣେ ସାନ ଭଉଣୀ ଥିଲେ ।”

 

“ତା’ ତ ସତ, ନ ହେଲେ ଏ ସମସ୍ୟା ସୃଷ୍ଟି ହୋଇ ନ ଥାନ୍ତା ବୋଧହୁଏ ।” କୁମାର ହସି ହସି କହିଲା ।

 

“ତା’ ପରେ ସ୍ଵପ୍ନାଦେବୀ ଆତ୍ମହତ୍ୟା କରିଛନ୍ତି ।”

 

“ସେଇଟା ତୁ କେମିତି ଜାଣିଲୁ । ହୁଏତ ସାହୁବାବୁ ମିଛ କହୁଥିବେ,”

 

କୁମାରର ଏ ଯୁକ୍ତି ମତେ ପିଲାଳିଆମି ପରି ଲାଗିଲା, ମୁଁ କହିଲି “ଆରେ ! ସ୍ଵପ୍ନା ଦେବୀଙ୍କର ମୃତ୍ୟୁ ବେଳକୁ ପରା ପୋଲିସ ଡକା ହୋଇଥିଲେ, ପୋଷ୍ଟମର୍ଟମ ହୋଇଥିଲା । ଆଉ ବାକି କଥା ତ ପୋଲିସ ଫାଇଲ ଦେଖିଲେ ଜଣା ପଡ଼ିବ । ତେଣୁ ସାହୁବାବୁ ମିଛ କହିବାକୁ ସାହସ କରିବେନି ।” ଏତକ କହି ମୁହଁରେ ଗୋଟାଏ ସାର୍ଥକତାର ଚିହ୍ନନେଇ ମୁଁ କୁମାର ଆଡ଼େ ଅନାଇ ରହିଲି ।

 

“ଆରେ ! ଠିକ୍ କଥା ତ । ଏ ପୋଲିସ ଫାଇଲ ଦିଗଟା ମୁଁ ଏକଦମ୍ ଚିନ୍ତା କରି ନ ଥିଲି-।” କହି କୁମାର ଚୁପ୍ ହେଲା ।

 

କଥା ଆଗେଇଲି ମୁଁ, “ତା ପରେ ଏଟା ବି ସତ ଯେ, ସ୍ଵପ୍ନାଙ୍କର ପ୍ରେତାତ୍ମା ଏ ଚିଠି ଲେଖିନି ।”

 

“ହୁଁ । ତା ଅବଶ୍ୟ ସତ ।”

 

“ଚିଠିଟାକୁ ନିଶ୍ଚୟ କୌଣସି ସଜୀବ ମାନବ ସେ ଘରେ ଆଣି ପକେଇ ଦେଇ ଯାଇଛି-।” ମୁଁ କହିଲି ।

 

“ତା’ ପରେ ।”

 

“ତା’ ପରେ ଆଉ କ’ଣ । ମୋର ଯେତିକି ଧାରଣା ତ କହିଲି । ଏବେ ତୋର ମତାମତଟା ଶୁଣେ,” ମୁଁ ପଚାରିଲି ।

 

“ଭାଇ, ମୋର ମତାମତ ଏକଦମ୍ କ୍ଷୁଦ୍ର ।” କୁମାର କହିଲା ।

 

“ଆଉ ସେଇଟା କ’ଣ ?”

 

“ସବୁ ଶୁଣିଲା ପରେ ମୁଁ କେବଳ ଗୋଟିଏ କଥା ବିଷୟରେ ଏକଦମ୍ ନିଶ୍ଚିତ ।”

 

“କଣ ସେଇଟା ?” ଅତି ଉତ୍କଣ୍ଠାର ସହିତ ମୁଁ ପଚାରିଲି ।

 

“ସେଟା ହେଲା-ଆମେ କିଛି ଜାଣୁନୁ ।”

 

କୁମାର ଚୁପ୍ ହେଲା ଏତକ କହି ।

 

କୁମାରର ଏ କଥାରେ ମୋର ସବୁ ଉତ୍କଣ୍ଠା ଧୂଳିସାତ୍ ହୋଇଗଲା । ଭାବି ବସିଲି ମୁଁ କେଶ୍‍ଟା ବିଷୟରେ । ଯେତେ ଭାବିଲି ମତେ ସେତେ ଲାଗିଲା ଯେ ଆମେ ପ୍ରକୃତରେ କିଛି ଜାଣିନୁ-। କାରଣ ଆମେ ଏ ଯାଏଁ କୌଣସି କଥାର ସତ୍ୟାସତ୍ୟ ପରୀକ୍ଷା କରିନୁ । କୁମାରର ପନ୍ଥା ଅନୁସରଣ କଲେ ମନରେ ବହୁତ ପ୍ରଶ୍ନ ଉଠୁଛି । କିନ୍ତୁ ଉତ୍ତର ମିଳୁନି ।

 

ଯଥା–

 

ନବବାବୁ କିଏ ?

 

ତାଙ୍କ ସଙ୍ଗରେ ଯିଏ ଆସିଥିଲେ ସେ ତାଙ୍କର ସ୍ତ୍ରୀ କି ?

 

ତାଙ୍କର ସ୍ଵପ୍ନା ନାମରେ ଜଣେ ଶାଳୀ ଥିଲେ କି ?

 

ସେ ଆତ୍ମହତ୍ୟା କରିଛନ୍ତି କି ?

 

ଏ ଚିଠି କିଏ ଲେଖିଛି ?

 

ତାଙ୍କ ପାଖକୁ ଏ ଚିଠି ଆସିଲା କେମିତି ?

 

ଚିଠିର ଉଦ୍ଦେଶ୍ୟ କ’ଣ ?

 

ଗୋଟକ ପରେ ଗୋଟାଏ ପ୍ରଶ୍ନ ଆସି ଆଗରେ ଠିଆ ହେଉଥିଲା । ଚିନ୍ତା କରି ଆଗେଇ ପାରୁ ନ ଥିଲି ମୁଁ ।

 

କୁମାର ଚିନ୍ତାଗ୍ରସ୍ତ ଥିଲା ।

 

ଆବହାୱାକୁ ଟିକେ ହାଲୁକା କରିବା ପାଇଁ ମୁଁ ପ୍ରସଙ୍ଗ ବଦଳାଇ ପଚାରିଲି, “କିରେ ! ଏ defense file case ପୁଣି କ’ଣ ? ସେଟା ତୁ କେବେ ଗ୍ରହଣ କଲୁ ?”

 

“କାଇଁ ନାଁ ତ, ଏମିତି କେଶ ତ ନାଇଁ ମତେ ଚମକାଇ କୁମାର କହିଲା ।”

 

“କିନ୍ତୁ ତୁ ତ ଏଇନେ ସାହୁବାବୁଙ୍କୁ ସେଇ କଥା କହିଲୁ !”

 

“ମିଛ କହିଲି ।”

 

“କାହିଁକି ?” ମୁଁ ପଚାରିଲି ।

 

“କାରଣ ତାଙ୍କ ଘରକୁ ଯିବାକୁ ମୋର ଇଚ୍ଛା ନ ଥିଲା ।”

 

“କାହିଁକି ?”

 

“ସବୁ ‘କାହିଁକି’ର ଉତ୍ତର ଖୋଜିଲେ ଦାର୍ଶନିକ ହୋଇଯିବୁ ।” କହି କୁମାର ନିଜେ ଦାର୍ଶନିକଙ୍କ ପରି ଚୁପ୍‍ ହୋଇ ଆରାମ ଚୌକିରେ ବସି ରହିଲା ।

 

ମୁଁ ବି ଆଉ କିଛି ପଚାରିଲି ନାହିଁ ।

 

ରାତିଯାକ ସାହୁବାବୁଙ୍କର ସମସ୍ୟା ବିଷୟରେ ଚିନ୍ତା କରି କରି ମୁଁ ଗୋଟାଏ ହେଲେ ପ୍ରଶ୍ନର ବି ଉତ୍ତର କାଢ଼ିପାରି ନ ଥିଲି । ଏବେ ସକାଳୁ ଚା ଜଳଖିଆ ଖାଇ ସାରିଲା ପରେ ମଧ୍ୟ ମୋ ମୁଣ୍ତରେ କିଛି ପଶୁ ନ ଥିଲା । କାରଣ ସମସ୍ୟାଟିକୁ କେଉଁ ଦିଗରୁ ଆକ୍ରମଣ କଲେ ସମାଧାନର ବାଟ ଦେଖାଯିବ, ମୁଁ ଜାଣି ପାରୁ ନ ଥିଲି ।

 

ଆଉ କୁମାର…

 

ସେ ହୁଏତ କିଛି ଉପାୟ ବାହାର କରି ପାରିଥିବ । କିନ୍ତୁ କାଲିଠୁ ତ ସେ ମୁକ ହୋଇ ଯାଇଛି । କଥାବାର୍ତ୍ତା ଏକଦମ ବନ୍ଦ । ଦିନରେ ଯାହା ଗଣ୍ତେ ଖାଇଥିଲା । ରାତିରେ ଆଉ କିଛି ଖାଇନି, କେବଳ ମୁହଁରେ ଲାଗି ରହିଥିଲା ପାଇପ୍‍ଟା । ରାତି ୩ ଟାରେ ଜଣେ ଡାକ୍ତର ବନ୍ଧୁ ହିସାବରେ ବାଧ୍ୟ ହୋଇ ମୁଁ ତାକୁ କହିଲି, “ହେ କୁମାର ! ସେ ପାଇପ୍‍ଟା ଥୋଇଦେ, ସେଥିରୁ ଏତେ ପିଇନା । ଦେହଟା ଖରାପ ହୋଇଯିବ ।” କିଛି ଉତ୍ତର ଦେଇନଥିଲା ସେ । କେବଳ ହାତଠାରି ଶୋଇବାକୁ କହିଦେଲା । ତେଣୁ ବାଧ୍ୟ ହୋଇ ଶୋଇଲି । ଏବେ ସକାଳୁ ଦେଖେ, ସେ ସେମିତି ବସିଛି । ମୁହଁରେ ସେମିତି ପାଇପ୍ ଲାଗିଛି । ଜଳଖିଆ ମୁଁ ଖାଇଲି, ସେ ଖାଇଲାନି ।

 

ତେଣୁ ବିରକ୍ତ ହୋଇ କହିଲି, “ରାତିଟା ତ ନ ଶୋଇ ନ ଶୋଇ ଗଲା, ଏବେ କାଲିଠୁଁ ତ କିଛି ଖିଆ ହୋଇନି, କ’ଣ ଏତେ ଚିନ୍ତା କରୁଛୁ ଶୁଣେ ?”

 

“ସାରଦା, ଗୋଟିଏ ପ୍ରଶ୍ନର ଉତ୍ତର ମୁଁ ମୋଟେ ଖୋଜି ପାଉନି । ସେ ପ୍ରଶ୍ନଟା ବିଭିନ୍ନ ଦିଗରୁ ସମାଧାନ କରିବାକୁ ଚେଷ୍ଟା କଲିଣି, କିନ୍ତୁ ଫଳ କିଛି ହେଉନି,” କୁମାର କହିଲା ।

 

“କ’ଣ ସେ ପ୍ରଶ୍ନ ?”

 

“ସେଇ ପୁରୁଣା ପ୍ରଶ୍ନ ସାରଦା, motive ଉଦ୍ଦେଶ୍ୟ, ଏମିତି ଗୋଟାଏ ଚିଠି ପାଇବା ଦ୍ଵାରା କାହାର କ’ଣ ଲାଭ ହେବ ?”

 

“କେଶ୍‍ଟା ଆଗେଇଲେ ସେଇଟା ଆସ୍ତେ ଆସ୍ତେ ପରିଷ୍କାର ହୋଇଯିବ ।”

 

“ଆରେ ସେଥିପାଇଁ ମୁଁ ଚିନ୍ତିତ ନୁହେଁ । ମୋ ସମସ୍ୟାଟା ହେଲା-ଏ ଯେଉଁ ଚିଠି ଆସୁଛି, ତାହା ଯେ ସ୍ଵପ୍ନା ଲେଖିନି, ଏ କଥା ଯେ କୌଣସି ଲୋକ ସହଜରେ କହି ପାରିବ । କାରଣ ମୃତ ଲୋକ ତ ଆସି ଚିଠି ଲେଖି ପାରେନା । ତଥାପି ସ୍ଵପ୍ନା ଯେ ଏ ଚିଠି ଲେଖୁଛି, ଏମିତି ଗୋଟାଏ ଧାରଣା ସୃଷ୍ଟି କରିବାର ଉଦ୍ଦେଶ୍ୟ କ’ଣ ? ଯେଉଁଟା ସତବୋଲି, କେହି ବି ବିଶ୍ଵାସ କରିବେନି, ସେମିତି ଗୋଟାଏ ଘଟଣାକୁ ସତ ବୋଲି ପ୍ରତିପାଦିତ କରିବାରେ ଲାଭ କ’ଣ ? ପରିଶେଷରେ ଏ ଚିଠି ପାଇ ସାହୁବାବୁ ଏବଂ ତାଙ୍କର ସ୍ତ୍ରୀ ଅବଶ୍ୟ ଅତି ବେଶୀ ଭୟଭୀତ ହୋଇ ପାରନ୍ତି । କିନ୍ତୁ ତାଙ୍କୁ ଡରାଇ କ’ଣ ଫାଇଦା ଉଠାଯାଇ ପାରେ ?”

 

“ହୁଁ ତା’ ବି ଗୋଟାଏ କଥା ।” କୁମାରର ପ୍ରଶ୍ନସବୁ ଶୁଣି ମୁଁ ବି ଚିନ୍ତିତ ହୋଇ ପଡ଼ିଲି ।

 

“ସେଇ କଥା ମୁଁ ବି ଚିନ୍ତା କରୁଛି ସାରଦା, ହେଲେ କିଛି ବାଟ ମିଳୁନି ।” କହି ଚୁପ ହେଲା କୁମାର ।

 

ଠିକ୍ ଏତିକି ବେଳେ ପାହାଚରେ ପାଦ ଶଦ୍ଦ ଶୁଭିଲା । କୁମାର ସଙ୍ଗେ ସଙ୍ଗେ ସଜାଗ ହୋଇଉଠିଲା । କହିଲା, “ସାରଦା ! ସାହୁବାବୁ ନୁହନ୍ତି ତ ? ଯା ଦେଖେ, ଯଦି ସେ ଆଉ କିଛି ଖବର ନେଇ ଆସିଥିବେ ତେବେ ଆମର ବଡ଼ ଭାଗ୍ୟ ବୋଲି ଜାଣିବା ।”

 

ମୁଁ ଉଠିଯାଇ କବାଟ ଖୋଲିଲି, ବାହାରେ ଠିଆ ହୋଇଥିଲେ ସାହୁବାବୁ । ସାହୁବାବୁ କହିଲେ ଠିକ୍ ହେବନି, ହୁଏତ ତାଙ୍କର ପ୍ରେତ, ତାଙ୍କର ଦେହରେ ଜୀବନ ଥିଲା ପରି ଲାଗୁ ନଥିଲା-। ବାଳ ସବୁ ଫୁର୍ ଫୁର୍ ହୋଇ ଉଡ଼ୁଥିଲା । ମୁହଁରେ ଝାଳ ଭର୍ତ୍ତି । ଆଉ ଆଖି ଦିଟା ଏକଦମ୍ ନାଲି ହୋଇ ବାହାରକୁ ଡିମା ଡିମା ହୋଇ ବାହାରି ଆସି ଜଣେଇ ଦେଉଥିଲା ଯେ, ସେ ରାତିଯାକ ଶୋଇ ନାହାନ୍ତି ।

 

ମୁଁ ଦୁଆର ଖୋଲିବା କ୍ଷଣି ସେ ମନ୍ତ୍ର ମୁଗ୍ଧ ଭଳି ପାଦେ ପାଦେ କରି ଗୋଡ଼ ବଢ଼ାଇ ଘର ଭିତରକୁ ପଶିଲେ ।

 

“ଆରେ ! ସାହୁବାବୁ ! ଆସନ୍ତୁ ଆସନ୍ତୁ, ମୁଁ ଆପଣଙ୍କୁ ଅପେଷା କରି ବସିଥିଲି ।” ବେଶ୍ ଅମାୟିକ ଭାବରେ କୁମାର କହିଲା ।

 

ସେ କିନ୍ତୁ କିଛି ଉତ୍ତର ନ ଦେଇ ଚୁପ୍ କରି ଯାଇ ଚୌକିରେ ବସିଲେ । ତାଙ୍କର ଏ ଅବସ୍ଥା ଦେଖି କୁମାର ଆଶ୍ଚର୍ଯ୍ୟ ହୋଇଗଲା ।

 

“କ’ଣ ହୋଇଛି ସାହୁବାବୁ ?” କୁମାର ପୁଣି ପଚାରିଲା ।

 

କିଛି ଉତ୍ତର ନ ଦେଇ ସେମିତି ଭୟାର୍ତ୍ତ ଆଖିରେ ଅନାଇ ରହିଲେ ସାହୁବାବୁ । ଅବସ୍ଥାର ଗୁରୁତ୍ଵ ଉପଲବ୍ଧି କରି ମୁଁ ଯାଇ ଗୋଟାଏ ଗିଲାସରେ ଟିକେ ବ୍ରାଣ୍ତି ନେଇ ଆସିଲି । ତା’ ପରେ ସାହୁବାବୁଙ୍କୁ ହଲାଇ ଦେଇ କହିଲି, “ନିଅନ୍ତୁ, ଏତକ ପିଇ ଦିଅନ୍ତୁ । ଟିକିଏ ଭଲ ଲାଗିବ ।”

 

ନିଦରୁ ଉଠିଲା ପରି ଚମକି ଉଠିଲେ ସାହୁବାବୁ । ତା’ ପରେ ମୋ ହାତରୁ ବ୍ରାଣ୍ତି ନେଇ ଢକ୍ ଢକ୍ କରି ପିଇଗଲେ । ପାଞ୍ଚ ମିନିଟ ଗଲା, ଦଶ ମିନିଟ ଗଲା, ତା’ପରେ ଆସ୍ତେ ଆସ୍ତେ ତାଙ୍କର ମାନସିକ ଉତ୍ତେଜନା କମିଗଲା ପରି ଲାଗିଲା ଆମକୁ ।

 

ପୁରା ୧୫ ମିନିଟ୍ ପରେ କୁମାର ପଚାରିଲା, “କ’ଣ ହୋଇଛି ? ସାହୁବାବୁ !”

 

ଟିକିଏ ଦମ୍ ନେଇ ସାହୁବାବୁ କହିଲେ, “କ୍ଷମା କରିବେ କୁମାର ବାବୁ । ଭୀଷଣ ଡରି ଯାଇଥିଲି ମୁଁ, ତେଣୁ ଏଠି କେମିତି ଅବସ୍ଥାରେ ଯେ ଆସି ପହଞ୍ଚିଛି ଜାଣି ପାରିନି । କେବଳ ଗୋଟାଏ ଝୁଙ୍କରେ ଚାଲି ଆସିଲି । ଆପଣଙ୍କ ସାହାଯ୍ୟ ଲାଗି ।”

 

“ବେଶ୍ ଭଲ କଲେ ମୋ ପାଖକୁ ଆସି କରି, ଏବେ ଖାଲି କୁହନ୍ତୁ କ’ଣ ହୋଇଛି ।” କୁମାର କହିଲା ।

 

ପୁଣି ଟିକିଏ ଦମ୍ ନେଲେ ସାହୁବାବୁ ।

 

ତା’ପରେ ଆରମ୍ଭ କଲେ । “କୁମାର ବାବୁ, କାଲି ଏଠୁ ଗଲାପରେ ଯଦିଓ ମାନସିକ ଦୁଶ୍ଚିନ୍ତା ଆମର ଅନେକଟା କମି ଯାଇଥିଲା, ତଥାପି କେମିତି ଗୋଟାଏ ଅସ୍ଵସ୍ତି ଲାଗୁଥିଲା । ତେଣୁ କାଲି ଛୁଟି ନେଇଗଲି । ଆଉ ଅଫିସ ଯାଇନି । ଉପରଓଳି ଯାକ ଆମେ ଦୁହେଁ ଶୋଇବାକୁ ବହୁତ ଚେଷ୍ଟା କରିଛୁ । କିନ୍ତୁ ନିଦ ହେଲାନି । ଖାଲି ସେତିକି ନୁହେଁ ତ, ଯେଝା ଚିନ୍ତା ନେଇ ଯିଏ ବ୍ୟସ୍ତ ରହିଲୁ । ସେ ଗୋଟାଏ ଚୌକିରେ ମୁଁ ଗୋଟାଏ ଚୌକିରେ ସେମିତି ଘଣ୍ଟା ଘଣ୍ଟା ଧରି ବସି ରହିଲୁ-। ଦିନ ଗଲା, ସନ୍ଧ୍ୟା ଆସିଲା, ସେ ଚାକରଟା ବି ଆମର ଏ ଅବସ୍ଥା ଦେଖି ଶୀଘ୍ର ଶୀଘ୍ର ରୋଷାଇ ସାରି ଦେଲା । ଆମେ ବି ପ୍ରାୟ ରାତି ୮ଟା ବେଳକୁ ଖିଆ ପିଆ ସାରି ଦେଇ ଶୋଇବାକୁ ଗଲୁ । ଦିନ ଯାକ କିଛି କାମ ନ କରି ମଧ୍ୟ ବହୁତ କ୍ଳାନ୍ତ ଲାଗୁଥିଲା । ତେଣୁ ପ୍ରାୟ ସଙ୍ଗେ ସଙ୍ଗେ ନିଦ ହୋଇଗଲା ।”

 

ଚୁପ୍‍ହେଲେ ସାହୁବାବୁ । ଟିକିଏ ପାଣି ପିଇଲେ । ପୁଣି ଆରମ୍ଭ କଲେ ।

 

“ରାତି କେତେ ହେବ କହି ପାରିବିନି । ଆପଣ ହୁଏତ ସବୁ କଥା ଶୁଣିଲା ପରେ ସମୟଟା ଅନୁମାନ କରି ପାରିବେ । ମତେ ତ ବେଶ୍ ଜୋରରେ ନିଦ ହୋଇ ଯାଇଥିଲା । କିନ୍ତୁ ହଠାତ୍ ନିଦଟା ଭାଙ୍ଗିଗଲା । କାହିଁକି ନିଦଟା ଭାଙ୍ଗିଲା ଏ କଥା ଭାବିବା ପୂର୍ବରୁ ଶୁଭିଲା ଗୋଟାଏ ବିଚିତ୍ର ଶଦ୍ଦ । ଠକ୍…ଠକ୍…ଠକ୍ । କାଚ ଝରକାକୁ ନଖରେ ଠୁକେଇଲେ ଯେମିତି ଶଦ୍ଦ ହୁଏ ସେମିତି ଶଦ୍ଦ । ମୋ ଦେହଟା ଭୟରେ ଥରିଉଠିଲା । ମୁଁ ଆସ୍ତେ ଆସ୍ତେ ଆଖି ଖୋଲି ଝରକା ଆଡ଼କୁ ଅନେଇଲି । ଓଃ… ସେଠି ବସି ଥିଲା ଗୋଟାଏ ଏଡ଼େ ବଡ଼ ପେଚା, ଏଡ଼େ ଏଡ଼େ ଆଖି କରି ଆମକୁ ଅନାଇଁ ରହିଥିଲା । ଆଉ ମଝିରେ ମଝିରେ କାଚ ଝରକାକୁ ଖୁମ୍ପି ଶଦ୍ଦ ସୃଷ୍ଟି କରୁଥିଲା-ଠକ୍…ଠକ୍…ଠକ୍ । ଉତ୍ତେଜନା ଓ ଭୟରେ ମୋ ଦେହରୁ ଗମ୍ ଗମ୍ ଝାଳ ବୋହିବାକୁ ଲାଗିଲା । ଅବଶ୍ୟ ସାଧାରଣ ଅବସ୍ଥାରେ ଭୟର କୌଣସି କାରଣ ନ ଥିଲା । କିନ୍ତୁ କାଲିର ସେ ଘଟଣା ପରେ ରାତିର ଅନ୍ଧାରରେ ଏଡ଼େ ବଡ଼ ପେଚାଟାକୁ ଦେଖି ମୁଁ ଏକଦମ୍ ଡରି ଯାଇଥିଲି । ମୁଁ ଆସ୍ତେ କଡ଼ ଲେଉଟାଇ ଦେଖିଲି ସ୍ତ୍ରୀ ଉଠି ନାହାନ୍ତି । ଟିକିଏ ଆଶ୍ଵସ୍ତ ହେଲି । ଠିକ୍ ଏତିକିବେଳେ ପୁଣି ଶଦ୍ଦ ହେଲା ଠକ୍…ଠକ୍…ଠକ୍ । ମୁଁ ଆସ୍ତେ ଆସ୍ତେ ଖଟରୁ ଓହ୍ଲାଇଲି । କିନ୍ତୁ ଝରକା ପାଖରେ ପହଞ୍ଚି ପେଚାଟାକୁ ଘଉଡ଼ାଇ ଦେବା ପୂର୍ବରୁ ସେ ଫଡ଼୍ ଫଡ଼୍ କରି ଉଡ଼ିଗଲା । ସେ ଫଡ଼ ଫଡ଼ ଶଦ୍ଦରେ ଦେହ ମୋର ଝିମ୍ ଝିମ୍ ହୋଇଗଲା । ଦେହରୁ ଝାଳ ବୋହୁଥିଲା । ଭାବିଲି ଯାଏ ଝରକାଟା ଖୋଲିଦିଏ ଯେ ଥଣ୍ତା ପବନ ଆସିବ । ଠିକ୍‍ ଝରକା ପାଖରେ ପହଞ୍ଚି ଝରକାଟା ଖୋଲିବାକୁ ଯାଉଛି, ଯାହା ଦେଖିଲି ଦେହରେ ମୋର ଚାଉଁକିନା ଗୋଟାଏ ସକ୍ ଚାଲିଲା ପରି ଲାଗିଲା । ମତେ ତ ଲାଗିଲା ମୁଁ ବୋଧହୁଏ ବେହୋସ ହୋଇଯିବି ।”

 

ଏତକ କହିଲା ବେଳକୁ ବି ଭୟରେ ଆଖି ଗୁଡ଼ାକ ତାଙ୍କର ଢିମା ଢିମା ହୋଇ ଉଠିଥିଲା-। ଆଉ ଉତ୍ତେଜନାରେ କପାଳର ଶିରା ଗୁଡ଼ାକ ଟାଙ୍କି ହୋଇ ବାହାରି ପଡ଼ିଥିଲା ।

 

“କ’ଣ ଦେଖିଲେ ?” କୁମାର ବେଶ୍ ନିର୍ବିକାର ଭାବରେ ପଚାରିଲା ?

 

“କ’ଣ ଆଉ ଦେଖିବି କୁମାର ବାବୁ । ଦେଖିଲି ଝରକା ସେ ପାଖରେ ଖଣ୍ତେ ଧଳା ଶାଢ଼ୀ ପିନ୍ଧି ସ୍ଵପ୍ନା ଠିଆ ହୋଇଛି ଆଉ ହସୁଛି ।”

 

ଆରାମ ଚୌକିରୁ ଝୁଙ୍କି ପଡ଼ି କୁମାର ପାଟି କରି ଉଠିଲା, “କ’ଣ କହିଲେ ?-ସ୍ୱପ୍ନା । ଠିଆ ହୋଇଥିଲା ?”

 

“ହଁ କୁମାର ବାବୁ ।”

 

“ଆପଣ ତା’ ମୁହଁକୁ ଭଲ ଭାବରେ ଦେଖିଛନ୍ତି ।

 

“ମୁଁ ସ୍ପଷ୍ଟ ଦେଖିଛି କୁମାର ବାବୁ, ସେଠି ସ୍ଵପ୍ନା ଠିଆ ହୋଇଥିଲା ।”

 

“ହୁଁ” କହି କୁମାର ବେଶ୍ ଚିନ୍ତିତ ଭାବରେ ଆରାମ ଚୌକିରେ ଆଉଜି ବସିଲା । “କହନ୍ତୁ, ତା’ ପରେ କ’ଣ ହେଲା ।”

 

“କିଛି ସମୟ ସେମିତି ଠିଆ ହେବା ପରେ ସେ ମତେ ହାତ ଠାରି ଡାକିଲା ଏବଂ ଆସ୍ତେ ଆସ୍ତେ ଦୂରେଇ ଯିବାକୁ ଚାହିଁଲା । ମୁଁ କ’ଣ କରିବି ଠିକ୍ କରି ପାରୁ ନ ଥିଲି । ଦାଣ୍ତବାଟେ ବୁଲି ତା’ ପାଖକୁ ଏକୁଟିଆ ଯିବି । କି ସ୍ତ୍ରୀଙ୍କୁ ଉଠାଇ ଏସବୁ ଦେଖାଇବି ! ୟା’ଡ଼େ ଡେରି ହେଲେ ହୁଏତ ସ୍ଵପ୍ନା ପଳେଇ ଯାଇପାରେ । ସ୍ତ୍ରୀଙ୍କ ଆଡ଼କୁ ଅନାଇଲି । ସେ ସେମିତି ଶୋଇ ରହିଥିଲେ । ଶେଷରେ ଠିକ୍ କଲି ତାଙ୍କୁ ଉଠାଇବି ନାହିଁ । ନିଜେ ଏକୁଟିଆ ଯିବି । ପୁଣି ସ୍ଵପ୍ନା ଆଡ଼କୁ ମୁହଁ ବୁଲାଇଲି । ସେ ଦୂରେଇ ଯାଇ ଗୋଟେ ଚମ୍ପା ଗଛକୁ ଆଉଜି ଠିଆ ହୋଇଥିଲା ଏବଂ ମତେ ହାତ ଠାରି ଡାକୁଥିଲା । ମୁଁ ଶୋଇଲା ଘର କବାଟ ଖୋଲି ବାହାରକୁ ଆସିଲି, ମନରେ ଭୀଷଣ ଭୟ ଆସୁଥିଲେ ମଧ୍ୟ ମୁଁ ଠିକ୍ କଲି ଆଜି ଯେମିତି ହେଲେ କାଢ଼ିବି ସେ କାହିଁକି ଆସୁଛି ? ଭିତର ଦରଜା ଦେଇ ମୁଁ ଯେତେବେଳେ ଆସି ଦାଣ୍ତଦୁଆର ଖୋଲେ, ସେତେବେଳକୁ ସେ ଆଉ ଚମ୍ପାଗଛ ମୂଳରେ ନ ଥିଲା । ସବୁଆଡ଼କୁ ଆଖି ପକାଇଲି, କେଉଁଠି ବି ତାର ପତ୍ତା ନ ଥିଲା । ସମୁଦାୟ ବଗିଚା ନିଶୂନ, ନିସ୍ତବ୍ଧ ।

 

“ମୁଁ ଯେତେ ସାହସ ସଞ୍ଚୟ କରି ଆସି ଦାଣ୍ତଦୁଆର ଖୋଲିଥିଲି, ସେସବୁ ସାହାସ କୁଆଡ଼େ ଚାଲିଗଲା । ଭୟ ପୁଣି ପୂରାମାତ୍ରାରେ ମତେ ମାଡ଼ିବସିଲା । ମୋ ଦେହରେ ଆଉ ଚାଲିବା ଶକ୍ତି ନ ଥିଲା । ମୁଁ ବେହୋସ ପ୍ରାୟ ହୋଇ ସେଇ ଦୁଆରମୁହଁ ପାଖରେ ଠିଆହୋଇ ରହିଲି, ପାଟିକରି ଡାକିବାକୁ ବହୁତ ଚେଷ୍ଟାକଲି, କିନ୍ତୁ ପାଟି ବି ଖନି ମାରିଗଲା । କେତେ ସମୟ ଯେ ମୁଁ ସେଠି ସେମିତି ନିଃସହାୟ ଭାବରେ ଠିଆ ହୋଇଥିଲି ଜାଣେନା, ମୋ ସ୍ତ୍ରୀଙ୍କ ଡାକରେ ମୁଁ ସ୍ଵାଭାବିକ ଅବସ୍ଥାକୁ ଆସିଲି ।

 

ସେ ପଚାରିଲେ, “ଏତେ ରାତିରେ ଏଠି ଆସି କାହିଁକି ଠିଆ ହୋଇଛ ?”

 

ତାଙ୍କଠାରୁ ସବୁକଥା ଲୁଚାଇବାକୁ ଚେଷ୍ଟା କରି କହିଲି, “ଭୀଷଣ ଗରମ ହେଲା ଯେ, ଉଠିଆସି ଏଇଠି ଠିଆ ହୋଇଥିଲି ।”

 

ତା’ ପରେ ଆମେ ଦୁହେଁ ପୁଣି ଶୋଇବା ଘରକୁ ଫେରି ଆସିଲୁ । ହେଲେ ମତେ ଆଉ ନିଦ ହେଲାନି । ମୁଁ ବୁଝି ପାରୁ ନ ଥିଲି । ସ୍ଵପ୍ନାର ପ୍ରେତାତ୍ମା କାହିଁକି ଆସିଥିଲା ? ସେ କାହିଁକି ମତେ ଡାକୁଥିଲା ? ପୁଣି କିଛି ନ କହି କାହିଁକି ପଳାଇଲା ? ଦେହଟା ମୋର ଖାଲି ଉତ୍ତେଜନାରେ ଛଟପଟ ହେଲା । ଉଠି ଯାଇ ଦେଖିଲି ରାତି ୩ଟା, ପୁଣି ଆସିଲି ଖଟ ଉପରକୁ । ଆଉ ନିଦ ହେଲାନି । ତେଣୁ ସକାଳ ହେଉ ହେଉ ଆପଣଙ୍କ ପାଖକୁ ପଳାଇ ଆସିଲି-କହି ସାହୁବାବୁ ଚୁପ୍ ହେଲେ ।

 

“ଆସି ଖୁବ୍ ଭଲ କରିଛନ୍ତି ।” କୁମାର କହିଲା ।

 

ସେ ଯେ ଆସି ଭଲ କରିଛନ୍ତି, ଏଟା ତ ଠିକ୍ କଥା । କିନ୍ତୁ କେଶ୍‍ଟା ଉପରେ ବିଶେଷ ଯେ କ’ଣ ଆଲୋକପାତ ହେଲା ମୁଁ ଜାଣି ପାରି ନ ଥିଲି । ବରଂ ମତେ ଲାଗିଲା ସମସ୍ୟାଟା ଝାପ୍‍ସା ଝାପ୍‍ସା ଅନ୍ଧକାର ଭିତରୁ ଆହୁରି ଗାଢ଼ ଅନ୍ଧକାର ଭିତରକୁ ଠେଲି ହୋଇଗଲା ।

 

କେତେବେଳେ ସାହୁବାବୁ ପଚାରିଲେ, “ଏବେ କ’ଣ କରିବି କୁହନ୍ତୁ, କୁମାର ବାବୁ !”

 

“ମୋର ମତ ଆଜି ଆଉ ଅଫିସରୁ ଛୁଟି ନିଅନ୍ତୁ ନି । ଘରକୁ ଯାଇ, ଗାଧୋଇ ପାଧୋଇ, ଗଣ୍ତେ ଖାଇ ଅଫିସକୁ ପଳାନ୍ତୁ । ସବୁ ଠିକ୍ ହୋଇଯିବ ।” କୁମାର କହିଲା ।

 

“କିନ୍ତୁ ଏ ଘଟଣା ପରେ ଯେ ସେ ଘରେ ରହିବା ଅସମ୍ଭବ ହୋଇ ଉଠିବ ।”

 

“ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୋର ଯେତେଦୂର ଧାରଣା ଆପଣଙ୍କର କିଛି କ୍ଷତି ହେବନି । ତା’ ପରେ ଯଦି ସମ୍ଭବ ହୁଏ, ଆଜି ରାତିରେ ମୁଁ କିମ୍ଵା ସାରଦା କେହି ଜଣେ ହେଲେ ସେଠି ଯାଇ ରହିବୁ । ତେଣୁ ଆପଣ ବର୍ତ୍ତମାନ ଯାଆନ୍ତୁ । ବେଶ୍ ଆରାମରେ ଖାଇ ପିଇ ରହନ୍ତୁ ।”

 

କୁମାରର ଏ କଥାରେ ସାମାନ୍ୟ ଆଶ୍ଵସ୍ତି ଲାଭ କଲାପରି ଜଣା ପଡ଼ିଲେ ସାହୁବାବୁ । ସେ ଚୌକିରୁ ଉଠି ଯିବାକୁ ବାହାରିଲେ । ଯିବା ପୂର୍ବରୁ ପୁଣି ସେ ପୁଣି ଥରେ ଅନୁରୋଧ କଲେ, “କୁମାର ବାବୁ ! ଯେମିତି ହେଲେ ଆପଣଙ୍କ ଭିତରୁ କେହି ଜଣେ ରାତିକୁ ଯିବେ । ମୁଁ ଅପେକ୍ଷା କରିଥିବି ।”

 

ତା’ ପରେ ସେ ଆସ୍ତେ ଆସ୍ତେ ଚାଲିଗଲେ । କୁମାର କିନ୍ତୁ ସେଇ ଆରାମ ଚୌକିରେ ବସି ରହିଥିଲା । ମୁଁ ଦୁଆରଟା ବନ୍ଦକରି ପୁଣି ମୋ ଚୌକିକୁ ଫେରି ଆସିଲି । ସାହୁବାବୁ ଯାହା କହି ଯାଇଥିଲେ, ସେ ସବୁକୁ ଯେତେ ଚିନ୍ତା କଲି ସେତେ ମୋର ମାନସିକ ଦ୍ଵନ୍ଦ ବଢ଼ିବାରେ ଲଗିଲା । ମୁଁ ବୁଝି ପାରୁ ନଥିଲି, ସ୍ଵପ୍ନାର ପ୍ରେମାତ୍ମା ଆସିଲା କେମିତି ? ଯଦି ବା ଆସିଲା ଏବଂ ସାହୁବାବୁଙ୍କୁ ଡାକିଲା, ତେବେ କିଛି ନ କହି ଚାଲିଗଲା କାହିଁକି ?

 

କୁମାର କିନ୍ତୁ ବେଶ୍ ନିର୍ବିକାର ଭାବରେ ଆରାମ ଚୌକିରେ ବସିଥିଲା । ସତେ ଯେମିତି କିଛି ହୋଇନି ।

 

ମୁଁ ବାଧ୍ୟ ହୋଇ କହିଲି, “କିରେ ! ସେମିତି ବସିଛୁ କ’ଣ ?”

 

“ଆଉ କ’ଣ କରିବି ? ଚୋର ଡକାୟତଙ୍କ ସଙ୍ଗେ ସିନା ଲଢ଼ିବି, କିନ୍ତୁ ଏ ଭୂତ ପ୍ରେତଙ୍କ ସଙ୍ଗେ ଯୁଦ୍ଧ କରିବା ମୋର ସୀମା ବାହାରେ । ଭାବିଛି ସାହୁ ବାବୁଙ୍କୁ କହିବି ସେ କୌଣସି ଗୁଣିଆଙ୍କ ସଙ୍ଗେ କଥାବାର୍ତ୍ତା କରନ୍ତୁ ।”

 

“ସେମିତି ଗୋଟେ କଣ କହୁଛୁ ? ତୁ ପରା ଏଇନେ କହିଲୁ ଯେ, ଆମ ଭିତରୁ ଜଣେ ହେଲେ କେହି ତାଙ୍କ ଘରକୁ ଆଜି ଯିବା ।”

 

“ହଁ । ଅନ୍ତତଃ ଭୂତ ଦେଖିବାର ସୌଭାଗ୍ୟ ମିଳିବ ।” କହି କୁମାର ହସିଲା ।

 

ମୁଁ ଦେଖିଲି କୁମାର କିଛି ଯୁକ୍ତିଯୁକ୍ତ କଥା କହିବା ଅବସ୍ଥାରେ ନାହିଁ । ତେଣୁ ମୁଁ ଆଉ କଥା ନ ବଢ଼ାଇ ଚୁପ୍ ରହିଲି । କୁମାର ତାର ଆରାମ ଚୌକିରେ ଆଖି ବୁଜି ବସିଲା । ବୋଧହୁଏ ଶୋଇବାକୁ ଚେଷ୍ଟା କରୁଥିଲା । ମୁଁ ମଧ୍ୟ ମୋ ଚୌକିରେ ଟିକେ ଘୁମେଇ ପଡ଼ିବାକୁ ଚେଷ୍ଟାକଲି ।

 

ହଠାତ୍ କୁମାର ଡାକରେ ମୋ ନିଦ ଭାଙ୍ଗିଗଲା । ଘଣ୍ଟାକୁ ଅନାଇଲି । ଦିନ ୧୧ଟା ଦୁଆର ମୁହଁରେ କେହି ଜଣେ ଡାକିବାର ଶଦ୍ଦ ହେଉଥିଲା । ପୁଣି କିଏ ଆସିଲା ଭାବି ବିରକ୍ତିରେ ଯାଇ କବାଟ ଖୋଲିଲି, କିନ୍ତୁ କବାଟ ସେ ପାଖରେ ପୁଷ୍ପା ଦେବୀ ଠିଆ ହୋଇଥିବାର ଦେଖି ମୁଁ ଥା…ଥା…ମା…ମା… ହୋଇଗଲି । କାରଣ ସେ ଭୟରେ ଏକଦମ୍ ଶେତା ଦେଖା ଯାଉଥିଲେ । ମୁଁ ଦୁଆର ମୁହଁରୁ ଘୁଞ୍ଚିଗଲି । ସେ ଘର ଭିତରକୁ ପଶିଲେ ।

 

କୁମାର ତାଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ କହିଲା, “ଆପଣ ଏକୁଟିଆ ଚାଲି ଆସିଲେ ଯେ, ସାହୁବାବୁ ଆସି ନାହାଁନ୍ତି?”

 

“ମୁଁ ଏଠିକି ଆସିବାର ସେ ଜାଣି ନାହାଁନ୍ତି । ପ୍ରକୃତରେ କହିବାକୁ ଗଲେ ସେ ଅଫିସ ଗଲା ପରେ ମୁଁ ଲୁଚିକରି ଚାଲି ଆସିଛି ।” ଅତି ଧୀର ସ୍ଵରରେ ପୁଷ୍ପା ଦେବୀ କହିଲେ ।

 

“କିନ୍ତୁ କାହିଁକି ?” କୁମାର ପଚାରିଲା ।

 

“କାରଣ ଯାହା ଘଟିଛି, ସେ କଥା ମୁଁ ତାଙ୍କୁ ଜଣାଇବାକୁ ଚାହିଁଲିନି । ତା ଦ୍ଵାରା ତାଙ୍କର ମାନସିକ ଦ୍ଵନ୍ଦ୍ଵ ବଢ଼ିଯିବ ବୋଲି ।”

 

“ପୁଣି କଣ ଘଟିଲା ?” କୁମାର ସ୍ଵରରେ ଉତ୍କଣ୍ଠା ।

 

ଉତ୍ତର ଦେବାକୁ ଯାଇ ପୁଷ୍ପା ଦେବୀ କୁମାର ହାତକୁ ଖଣ୍ତେ କାଗଜ ବଢ଼ାଇ ଦେଲେ । କଣ ସେଇଟା ବୋଲି ମୁଁ ମୋ ଚୌକିରୁ ଝୁଙ୍କି ପଡ଼ିଲି । ସେଇଟା ଖାଲି କାଗଜ ତ ନୁହେଁ -ଖଣ୍ତେ ଚିଠି । ସେଇ ଅକ୍ଷର, ବିଲକୁଲ ସେଇ ଅକ୍ଷର, ପୁଣି ସ୍ଵପ୍ନା ଚିଠି ଦେଇଛି ।

 

ଚିଠିଟି ପଢ଼ିବା ପୂର୍ବରୁ କୁମାର ପଚାରିଲା, “ଏ ଚିଠିଟା କେଉଁଠି ଏବଂ କେତେବେଳେ ପାଇଲେ ।”

 

“କହୁଛି କୁମାର ବାବୁ କହୁଛି ।” ଛେପ ଢୋକିଲେ ପୁଷ୍ପାଦେବୀ, କୁମାରଠାରୁ ଇଙ୍ଗିତ ପାଇ ମୁଁ ପାଣି ଗିଲାସେ ଆଣି ଦେଲି, ପୁଷ୍ପା ଦେବୀ ତାକୁ ଢକ୍ ଢକ୍ କରି ପିଇଗଲେ, ତା’ପରେ ଆରମ୍ଭ କଲେ–

 

“କାଲି ରାତି ୨ଟାରେ ଯେତେବେଳେ ମୋ ନିଦ ଭାଙ୍ଗେ, ସେତେବେଳେ ମୁଁ ଦେଖେ ପାଖରେ ସେ ନାହାନ୍ତି । ମୁଁ ହଠାତ୍ ପ୍ରଥମେ ଡରିଗଲି । ତା’ପରେ ଭାବିଲି ବୋଧହୁଏ ଗାଧୁଆ ଘରକୁ ଯାଇଥିବେ, ସେଇଠି ଶୋଇରହି ଗାଧୁଆ ଘର ଆଡ଼କୁ ଅନାଇଲି । ଦେଖିଲି ସେଟା ଅନ୍ଧାର ହୋଇଛି । ମୋ ମନରେ ତୁହାକୁ ତୁହା ପ୍ରଶ୍ନ ଉଠିଲା, ସେ ଗଲେ କୁଆଡ଼େ ? ମୁଁ ଖଟରୁ ଓହ୍ଲାଇ ବାରଣ୍ତାକୁ ଆସିଲି । ସେଠି ବି ସେ ନଥିଲେ । ଯେତେବେଳେ ଦାଣ୍ତଘରକୁ ଆସେ, ଦେଖିଲି ସେ ଦାଣ୍ତ ଦୁଆର ଖୋଲି ପଥରଟିଏ ପରି ଠିଆ ହୋଇଛନ୍ତି । କ’ଣ ହୋଇଛି ବୁଝି ପାରିଲିନି ମୁଁ । ତାଙ୍କୁ ଡାକିବାରେ ସେ ନିଦରୁ ଉଠିଲା ପରି ଚମକି ପଡ଼ିଲେ । ଆଉ କହିଲେ ଗରମ ଲାଗିବାରୁ ସେଠି ଆସି ଠିଆ ହୋଇଛନ୍ତି । ତା’ ପରେ ଦିହେଁଯାକ ଆସି ପୁଣି ଶୋଇଲୁ । ସକାଳୁ ଉଠି ସେ କୁଆଡ଼େ ବୁଲିଗଲେ । ଚାକର ତ ଉଠି କାମ କରୁଥିଲା । ମତେ କିଛି ଭଲ ଲାଗିଲାନି । ତେଣୁ ଆସି ବଗିଚାରେ ବୁଲିଲି । ଏତିକିବେଳେ ଦେଖିଲି ଚମ୍ପା ଗଛ ମୂଳରେ କ’ଣଟେ ପଡ଼ିଛି । ପାଖକୁ ଯାଇ ଦେଖେ ଏ ଚିଠି । ତାଙ୍କୁ ଏ କଥା କହିଲିନି । ତେଣୁ ସେ ଅଫିସ ଗଲାପରେ ଏଠିକୁ ଚାଲି ଆସିଲି । କୁମାର ବାବୁ ! ଆପଣ କିଛି ଗୋଟାଏ କରନ୍ତୁ ନ ହେଲେ ମୁଁ ପାଗଳ ହୋଇଯିବି ।” ଶେଷକୁ ପୁଷ୍ପା ଦେବୀ ବହୁତ ଅନୁନୟ ବିନୟ ହୋଇ ଅନୁରୋଧ କରିବାକୁ ଲାଗିଲେ ।

 

“ସବୁ କରିବି, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ । ମୁଁ ଚିଠିଟା ପଢ଼ିନିଏ ।” କୁମାର କହିଲା,

 

କୁମାର ଚିଠି ଖୋଲିଲା, ମୁଁ ବି ପଢ଼ିବାକୁ ଲାଗିଲି । ଲେଖାଥିଲା–

ଅପାଲୋ,

ମୋର କାଲିକାର ଚିଠି ପାଇଥିବୁ, ଏତେକରି ଲେଖିଥିଲି । ତଥାପି ଆସିଲୁନି, କାଲି ଦିନଯାକ ତତେ ଅପେକ୍ଷା କରି କରି ମୁଁ ଉପାସ । ଏବେ ଯାହା ଦେଖିଲିଣି ମତେ ତୋ ପାଖକୁ ଯିବାକୁ ପଡ଼ିବ, ଏ ଦେହଟା ତ ନାହିଁ । ନ ହେଲେ ଦିନରେ ଯାଇଥାନ୍ତି । ତେଣୁ ଆଜି ରାତିରେ ନିଶ୍ଚୟ ତୋ ପାଖକୁ ଯିବି । ଶୋଇ ପଡ଼ିବୁନି, ଅପେକ୍ଷା କରିଥିବୁ । ରାତି ଗୋଟାଏରେ ଯିବି । କେତେ କଥା ଅଛି ଲୋ, ଗଲେ ସବୁ କହିବି, ଥା । ଇତି ।

ତୋର ସ୍ଵପ୍ନା,

ଏ ଚିଠି ପଢ଼ି ତ ମୁଁ ଏକଦମ୍ ଆଶ୍ଚର୍ଯ୍ୟ ହୋଇଗଲି । ପୁଷ୍ପା ଦେବୀଙ୍କ କଥା ଶୁଣିଲା ପରେ ମୁଁ ଏକଦମ ନିଶ୍ଚିତ ହୋଇଗଲି ଯେ, ସ୍ଵପ୍ନାର ପ୍ରେତାତ୍ମା ନିଶ୍ଚୟ ଆସିଥିଲା । କାରଣ ସାହୁବାବୁଙ୍କ କଥା ସଙ୍ଗେ ସ୍ଵପ୍ନା ଦେବୀଙ୍କ କଥା ଏକଦମ୍ ମିଶି ଯାଉଥିଲା । ସାହୁବାବୁ ଦେଖିଥିଲେ ଯେ, ସ୍ଵପ୍ନାର ପ୍ରେତାତ୍ମା ଚମ୍ପାଗଛ ମୂଳରେ ଠିଆ ହୋଇଥିଲା ଏବଂ ସେଇଠାରୁ ଉଭାନ ହୋଇଗଲା-। ସକାଳୁ ପୁଷ୍ପା ଦେବୀ ସେଇ ଗଛ ମୂଳରୁ ଚିଠି ପାଇଲେ । ଏଥିରେ ଦୁହିଁଙ୍କର ଅନୁଭୂତିର ସତ୍ୟତା ବିଷୟରେ ଆଉ ପ୍ରଶ୍ନ କରିବାକୁ କିଛି ନଥିଲା । କିନ୍ତୁ ସ୍ଵପ୍ନାର ଦ୍ଵିତୀୟ ଚିଠି ଅନୁସାରେ ସମସ୍ୟା ଯେ ଆହୁରି ଗୁରୁତର ହୋଇଗଲା ! କାରଣ ସ୍ଵପ୍ନା ଏଥର ନିଜେ ପୁଷ୍ପା ଦେବୀଙ୍କ ପାଖକୁ ଆସିବ । ଆଜି ରାତି ଗୋଟାଏ ବେଳେ । ସେତେବେଳେ କ’ଣ ହେବ କେଜାଣି-? ସ୍ଵପ୍ନା କ’ଣ କହିବ ସେଇ ଜାଣେ । ସେ କାହିଁକି ଆସୁଛି ସେଇ କେବଳ ଜାଣେ, ମୋ ମୁଣ୍ତରେ କିଛି ପଶୁ ନଥିଲା । ବରଂ ଧକ୍ ଧକ୍ ହୋଇ ବିନ୍ଧିବା ଆରମ୍ଭ ହୋଇ ଯାଇଥିଲା । ମୁଁ ଉଠିଯାଇ ଗୋଟାଏ “ଆନାଟେନ୍‍ସଲ” ବଟିକା ସଙ୍ଗେ ସଙ୍ଗେ ଗିଳି ପକାଇ ପାଣି ମୁନ୍ଦେ ପିଇ ପକାଇଲି ।

ମୋର ଏ ଅବସ୍ଥା ଦେଖି କୁମାର ପଚାରିଲା, “କିରେ କ’ଣ ହେଲା କି ?”

“ଭାଇ ! ଏ ଚିଠିଟା ପଢ଼ିସାରିଲା ପରେ ମୋ ମୁଣ୍ତଟା ବିନ୍ଧିବା ଆରମ୍ଭ କରିଦେଲା ।” ମୁଁ କହିଲି ।

“ଏଇଥିରୁ ବୁଝଥା ପୁଷ୍ପା ଦେବୀଙ୍କର ମାନସିକ ଅବସ୍ଥା ଏଇନେ କ’ଣ ହୋଇଥିବ; କିନ୍ତୁ ପୁଷ୍ପା ଦେବୀ, ମୁଁ ଏବେ ବି କହିବି ଆପଣଙ୍କର ଡରିବାର କିଛି ନାଇଁ । କାରଣ ଆଗ ଚିଠି ଯିଏ ଲେଖି ଦେଇଥିଲା, ଏ ଚିଠି ମଧ୍ୟ ସିଏ ଦେଇଛି । ଏଥିରେ ଆପଣଙ୍କର ତ କ୍ଷତି ହୋଇ ଯାଉନି । ବରଂ ବର୍ତ୍ତମାନ ଆପଣ ଖୁସି ହେବା କଥା ଯେ, ଯିଏ ଚିଠି ଦେଇଛି ସେ ଯଦି ତା କଥା ରଖେ, ତେବେ ଆଜି ରାତିରେ ସେ ନିଶ୍ଚୟ ଆସିବ । ତେଣୁ ଆମେ ଅନ୍ତତଃ ଦେଖି ପାରିବା ସେ କିଏ ?” କୁମାର କହିଲା ।

 

“କିନ୍ତୁ କୁମାର ବାବୁ ! ଏମିତି ଯଦି ବେଶୀ ଦିନ ଚାଲେ, ତେବେ ମୁଁ ନିଶ୍ଚୟ ପାଗଳ ହୋଇଯିବି ।” ପୁଷ୍ପା ଦେବୀ କହିଲେ ।

 

“ଏଇ ତ, ଆପଣ ପୁଣି ବ୍ୟସ୍ତ ହେଲେ । ସେ ତ କହିଛି ଆଜି ଆସିବ ବୋଲି । ତେଣୁ ବ୍ୟସ୍ତ ନ ହୋଇ ଚାଲନ୍ତୁ ପ୍ଳାନ୍ କରିବା ଯେମିତି ଆଜି ରାତିରେ ତା ସାଙ୍ଗରେ କଥାବାର୍ତ୍ତା କରି ପାରିବା ।”

 

“ଦେଖନ୍ତୁ କୁମାର ବାବୁ-ସେ ଯିଏ ହେଉନା କାହିଁକି ତା’ ସାଙ୍ଗରେ କଥା ହେବା ପରି ମାନସିକ ଅବସ୍ଥାରେ ମୁଁ ମୋଟେ ନାହିଁ ।”

 

“ସେଟା ପରେ ଦେଖିବା, ଆଗ ଯୋଜନା କରାଯାଉ ।” କୁମାର କହିଲା ।

 

“ଆପଣ ଯେ କୌଣସି ଯୋଜନା କରିବେ, ସେଥିରେ ମୁଁ ରାଜି ।”

 

“ବେଶ୍ ତେବେ ଶୁଣନ୍ତୁ, ମୁଁ ଚିଠିଟା ପଢ଼ିଲା ପରେ ୟା’ ଠିକ୍ କରିଛି, ପ୍ରଥମତଃ ଦେଖନ୍ତୁ ଦୁଇଟିଯାକ ଚିଠି ସେ ଆପଣଙ୍କ ପାଖକୁ ଲେଖିଛି । କୌଣସି ଚିଠିରେ ସେ ସାହୁବାବୁଙ୍କ ପାଖକୁ ପଦୁଟିଏ ବି ଲେଖିନି । ଆଜି ରାତିରେ ବି ସେ କେବଳ ଆପଣଙ୍କ ସାଙ୍ଗେ ଦେଖା କରିବ ବୋଲି କହିଛି, ତେଣୁ ମୋର ମତାମତ ଆମର ଏ ଯୋଜନାରୁ ସାହୁବାବୁଙ୍କୁ ବାଦ୍ ଦେବାକୁ ପଡ଼ିବ । କ’ଣ ଆପଣ ରାଜି ?” କୁମାର ପୁଷ୍ପା ଦେବୀଙ୍କୁ ପଚାରିଲା ।

 

ପୁଷ୍ପା ଦେବୀ ହଁ କହିଲେ, କିନ୍ତୁ ସେ ପ୍ରସ୍ତାବଟିକୁ ପୂର୍ଣ୍ଣ ଭାବରେ ଅନୁମୋଦନ କଲାପରି ଜଣାପଡ଼ୁ ନ ଥିଲେ ।

 

କୁମାର କିନ୍ତୁ କହି ଚାଲିଥିଲା, “ଆଜି ରାତିରେ ସାରଦା ଯାଇ ଆପଣଙ୍କ ଘରେ ପହଞ୍ଚିବ, ଆପଣଙ୍କ ଦାଣ୍ତଘରେ ବସି ଆପଣମାନେ କଥାବାର୍ତ୍ତା ହେବେ, କିନ୍ତୁ ରାତି ଆରୋଇଲା କ୍ଷଣି କୌଣସି ଯୁକ୍ତି ଦେଖାଇ ସାହୁବାବୁଙ୍କୁ ଶୋଇବାକୁ ପଠାଇ ଦେବେ । ଆପଣ କିନ୍ତୁ ସାରଦା ସାଙ୍ଗରେ ସେଇ ଦାଣ୍ତଘରେ ବସି ରହିବେ । ଅନ୍ତତଃ ରାତି ଗୋଟାଏ ପର୍ଯ୍ୟନ୍ତ ।”

 

“ହଉ; କିନ୍ତୁ ସାରଦାବାବୁ ତ ଯିବେ, ଆପଣ ବି ଚାଲୁ ନାହାନ୍ତି ।” ପୁଷ୍ପା ଦେବୀ କହିଲେ-

 

“ମୁଁ ଯଦି ଯିବା ଅବସ୍ଥାରେ ଥାନ୍ତି, ତେବେ ଏ ସୁଯୋଗ କ’ଣ ମୁଁ କେବେ ଛାଡ଼ନ୍ତି ।” କୁମାର କହିଲା ।

 

“ତେବେ ମୁଁ ଆସୁଛି କୁମାର ବାବୁ, କାରଣ ସେଆଡ଼େ ମତେ ଚାକରଟା ଖୋଜିବଣି, ନ ପାଇ ହୁଏତ ବ୍ୟସ୍ତ ହେଉଥିବ,” କହି ପୁଷ୍ପା ଦେବୀ ଉଠିଲେ ।

 

“ଯାନ୍ତୁ ଯେ, ଯେମିତି ମୋର ଯୋଜନା ଭୁଲି ନ ଯାନ୍ତି । ରାତି ୧୦ଟାରେ ସାରଦା ପହଞ୍ଚିବ ।”

 

ପୁଷ୍ପା ଦେବୀଙ୍କୁ ବଳେଇ ଦେବାକୁ ଯାଇ ମୁଁ ଉଠିଲି । ଦୁଆର ପାଖରେ ପହଞ୍ଚି କହିଲି, “ଆପଣ ମୋଟେ ଡରିବେନି, ମୁଁ ଠିକ୍ ଦଶଟାରେ ଯାଇ ପହଞ୍ଚିବି । ମୁଁ ଯେ ଯିବି, ଏକଥା ଯେମିତି ଆଗରୁ ସାହୁବାବୁଙ୍କୁ ନ କୁହନ୍ତି । କାରଣ ସେ ପଚାରି ବସିବେ ମୁଁ କାହିଁକି ଆସୁଛି, ମନେ ରହିଲା-।”

 

ପୁଷ୍ପା ଦେବୀ ମୁଣ୍ତ ଟୁଙ୍ଗାରି ହଁ କଲେ ଏବଂ ପାଦେ ପାଦେ କରି ଚାଲିଗଲେ । ଅସହାୟା ନାରୀଟି ପ୍ରତି ଦୟାରେ ମୋ ମନ ପୂରି ଉଠିଲା । ନିର୍ଦ୍ଦୋଶରେ ବିଚରା ଏତେ ଦୁଶ୍ଚିନ୍ତାରେ ସମୟ କାଟୁଛି । ଦୁଆର ବନ୍ଦକରି ମୁଁ ଘର ଭିତରକୁ ଆସିଲି ।

 

କୁମାର କିନ୍ତୁ କିଛି ନ କହି ସେମିତି ଚୁପ୍ ଚାପ୍ ବସି ରହିଲା ।

 

ଠିକ୍ ରାତି ଦଶଟାରେ ମୁଁ ଯାଇ ସାହୁବାବୁଙ୍କର ଦାଣ୍ତଦୁଆରେ ଠକ୍…ଠକ୍ କଲି, କେବଳ ଗୋଟାଏ ଘର ଛାଡ଼ି ଦେଲେ ବାକି ସବୁ ଘରୁ ଆଲୁଅ ଲିଭି ଯାଇଥିଲା । ମୋର ଠକ୍‍…ଠକ୍ ଶଦ୍ଦର ପ୍ରତି ଉତ୍ତରରେ ଭିତରୁ ସାହୁବାବୁଙ୍କ ପାଟି ଶୁଭିଲା, “କିଏ ?”

 

“ସାହୁବାବୁ ! ମୁ ସାରଦା, ଦୁଆର ଖୋଲନ୍ତୁ ।” ମୁ କହିଲି ।

 

ଭିତର ବାରଣ୍ତାରେ ତର ତର ପାଦଶଦ୍ଦ ଶୁଭିଲା । ତା’ ପରେ ଦୁଆର ଖୋଲିଲା । ମତେ ଦେଖି ସ୍ଵାମୀ ଓ ସ୍ତ୍ରୀ ଦୁହେଯାକ ଆଶ୍ଚର୍ଯ୍ୟ ହୋଇ ଏକା ସଙ୍ଗେ କହି ଉଠିଲେ, “ଆରେ ! ଆପଣ ! ସତରେ ଆସି ଗଲେ ନା ! ଆସନ୍ତୁ, ଆସନ୍ତୁ, ଭିତରକୁ ଆସନ୍ତୁ ।”

 

ସବୁ ଜାଣି ମଧ୍ୟ ପୁଷ୍ପା ଦେବୀ ନ ଜାଣିଲା ପରି ଏତେ ନିଖୁଣ ଅଭିନୟ କରୁଥିଲେ ଯେ, ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲିନି । ଦାଣ୍ତଘରେ ଗୋଟାଏ ଚୌକି ଅଧିକାର କରି ମୁ ବସିଲି, ସେ ଦୁହେଁ ମଧ୍ୟ ଦୁଇଟି ଚୌକିରେ ବସିଲେ ।

 

ସାହୁବାବୁ ଏଥର ପଚାରିଲେ, “ଆପଣ ଏତେ ରାତିରେ ଆଉ କାହିଁକି ଆସିଲେ ? କାଲି ଆସିଥିଲେ ଚଳିଥାନ୍ତା ।”

 

“କ’ଣ କରିବି ଆଉ, କୁମାର ପଠାଇଲା । କହିଲା, “ଯା, ସେଠି ରହିକରି ଆ । ରାତିରେ କିଏ ଚିଠି ପକାଉଛି ଦେଖିବାକୁ ଚେଷ୍ଟା କର, ତେଣୁ ବାଧ୍ୟ ହୋଇ ଆସିଲି ।”

 

“ଆସି ବହୁତ ଉପକାର କଲେ ଆମର ।” ବଡ଼ କୃତକୃତ୍ୟ ହୋଇ ସାହୁବାବୁ କହିଲେ, “ଆସନ୍ତୁ ଆମ ଘର ଦେଖି ଆସିବେ ।

 

ସମସ୍ତେ ଉଠିଲୁ । ଦେଖିଲି ଧାଡ଼ି ହୋଇ ୪ଟି ବଖରା । ଦାଣ୍ତଘର, ତା’ ପାଖ ଘରଟିକୁ ଗେଷ୍ଟ ରୁମ୍ ହିସାବରେ ବ୍ୟବହାର କରୁଛନ୍ତି, ତା ପାଖଟି ତାଙ୍କର ଶୋଇବା ଘର, ଶୋଇବା ଘରକୁ ଲାଗି ଗୋଟିଏ ଛୋଟିଆ ଘର ଯେଉଁଟାରେ କି ସତିଆ, ତାଙ୍କର ଚାକର ରହେ । ତା ପାଖକୁ ରୋଷାଇ ଘର ଏବଂ ରୋଷାଇ ଘର ସେ ପାଖକୁ ଛାତ ଉପରକୁ ଯିବା ପାଇଁ ପାହାଚ, ଘର ଦେଖି ପୁଣି ଦାଣ୍ତଘରକୁ ଫେରି ଆସିଲୁ ଆମେ, ପୁଷ୍ପା ଦେବୀ ଚାହା କରିବାକୁ ଉଠି ଯାଉଥିଲେ । ମୁଁ ମନା କରି ତାଙ୍କୁ ପୁଣି ବସାଇଦେଲି ।

 

କିଛି ସମୟ କଥାବାର୍ତ୍ତା କଲା ପରେ ମୁଁ କହିଲି, “ଆପଣମାନେ ଯାଇ ଶୁଅନ୍ତୁ, ମୁଁ ତ ଏଇଠି ରାତିଯାକ ବସିବି ।”

 

ମୋ କଥାର ଖିଅଧରି ପୁଷ୍ପା ଦେବୀ ସାହୁବାବୁଙ୍କୁ ଉଦ୍ଦେଶ୍ୟ କରି କହିଲେ, “ତମେ ତ ଖଟି ଖଟି ଅଫିସରୁ ଆଜି ଡେରିରେ ଫେରିଛ, ତମେ ଯାଅ ଶୋଇ ପଡ଼ିବ । ମୁଁ ତ ଦିପହର ଯାକ ଶୋଇଛି, ମତେ ନିଦ ମାଡୁନି, ମୁଁ ଟିକେ ବସି ଏଇଠି ଗପ କରୁଛି, ନିଦ ମାଡ଼ିଲେ ଯିବି ।”

 

ସାହୁବାବୁ ପ୍ରକୃତରେ ବହୁତ କ୍ଳାନ୍ତ ଜଣା ପଡ଼ୁଥିଲେ, କାଲି ରାତି ଅନିଦ୍ରା, ତା’ସାଙ୍ଗକୁ ଦିନଯାକ ଖଟଣି ଓ ମାନସିକ ଉତ୍ତେଜନା, ସେ ଶୋଇବାକୁ ଉଠିଲେ, “ହଉ ସାରଦାବାବୁ ! ମୁଁ ଆସୁଛି ।” କହି ସେ ଶୋଇବାକୁ ଚାଲିଗଲେ ।

 

ଏତେ ସୁବିଧା ଉପାୟରେ ସାହୁ ବାବୁଙ୍କୁ ଶୋଇବାକୁ ପଠାଇ ଦେବାର ଦେଖି ମୁଁ ପୁଷ୍ପା ଦେବୀଙ୍କର ବୁଦ୍ଧିକୁ ତାରିଫ ନ କରି ରହି ପାରିଲିନି ।

 

ସାହୁ ବାବୁ ଯେ ଶୋଇଲେଣି, ଏ ବିଷୟରେ ନିଶ୍ଚିତ ହୋଇଗଲା ପରେ ମୁଁ କହିଲି, “ବର୍ତ୍ତମାନ କହନ୍ତୁ ପୁଷ୍ପା ଦେବୀ, ଆପଣଙ୍କର ଧାରଣା କ’ଣ ପ୍ରକୃତରେ କେହି ଜଣେ ଆଜି ରାତି ଗୋଟାଏ ବେଳେ ଆସିବ ?”

 

“ଆସିବ ବୋଲି କହିପାରୁନି, କି ନ ଆସିବ ବୋଲି ନିଜ ମନକୁ ସାନ୍ତ୍ଵନା ଦେଇ ପାରୁନି-।”

 

“ଦେଖନ୍ତୁ, ଜୀବନ ଯାକ ମଡ଼ା କାଟି କାଟି ଭୂତ ପ୍ରେତ ବିଷୟରେ ମୋଟେ ବିଶ୍ଵାସ ନାହିଁ, ତେଣୁ ମୋର ଧାରଣା କେହି ଆସିବେନି ।” ଏତକ ସିନା କହିଦେଲି ପୁଷ୍ପା ଦେବୀଙ୍କୁ ସାହସ ଦେବାପାଇଁ; କିନ୍ତୁ ସାହୁବାବୁଙ୍କ ବର୍ଣ୍ଣନା ମନେ ପଡ଼ି ମୋର ଲୋମ ମୂଳ ଟାଙ୍କୁରୀ ଉଠୁଥିଲା ।

 

“ଭଗବାନ କରନ୍ତେ, ଆପଣଙ୍କ କଥା ସତ ହୁଅନ୍ତା ।” ଦୀର୍ଘ ନିଃଶ୍ଵାସ ପକାଇ ପୁଷ୍ପାଦେବୀ କହିଲେ ।

 

ମୁଁ ଘଣ୍ଟାକୁ ଅନାଇଲି, ସାଢ଼େ ୧୧ଟା । ଏବେ ବି ଦେଢ଼ ଘଣ୍ଟା ବାକି । ତେଣୁ ପୁଷ୍ପା ଦେବୀଙ୍କୁ କହିଲି, “ଆପଣ ସେଇ ଚୌକିରେ ଟିକେ ଘୁମେଇ ପଡ଼ନ୍ତୁ । ଏବେ ବି ବହୁତ ସମୟ ବାକି ଅଛି, ମୁଁ ଚାହିଁଛି, ସମୟ ଆସିଲେ ଉଠାଇ ଦେବି ।”

 

ପୁଷ୍ପା ଦେବୀଙ୍କୁ ନିଦ ମାଡ଼ୁଥିଲା ବୋଧହୁଏ, କାରଣ ସେ ମୋ କଥାର ବିରୋଧ ନ କରି ଚୌକିରେ ଘୁମାଇବାକୁ ଲାଗିଲେ । ମୁଁ ଆଲୁଅ ଲିଭାଇ ଦେଇ ଆସି ମୋ ଚୌକିରେ ବସିଲି ।

 

କିଛି ସମୟ ସେମିତି ଚୁପ୍ ହୋଇ ବସିଲା ପରେ ମୋର ଆଖି ବୋଧହୁଏ ବୁଜି ହୋଇ ଯାଇଥିଲା, ହଠାତ୍ ଠକ୍ ଠକ୍ ଶଦ୍ଦରେ ମୋ ନିଦ ଭାଙ୍ଗିଗଲା । ଦେଖିଲି ପୁଷ୍ପା ଦେବୀ ମଧ୍ୟ ଉଠି ପଡ଼ିଛନ୍ତି ଏବଂ ଦାଣ୍ତ ଦୁଆରର ବିପରୀତ ଦିଗରେ ଥିବା ଝରକା ଆଡ଼କୁ ଏଡ଼େ ଏଡ଼େ ଆଖି କରି ଅନାଇଛନ୍ତି, ମୁଁ ବି ସେଇ ଆଡ଼କୁ ଅନାଇଲି, ଯାହା ଦେଖିଲି-ମୁଁ ଭାବିଲି ମୋ ଦେହରୁ ଜୀବନ ବାହାରିଯିବ, ମୁଁ ଅବଶ୍ୟ ସ୍ଵପ୍ନାକୁ ଦେଖିନି, କିନ୍ତୁ ଠିକ୍ ଝରକା ସେ ପଟେ ଅଳ୍ପ ବୟସର ଝିଅଟିଏ ଠିଆ ହୋଇଥିଲା, ପିନ୍ଧିଥିଲା ଖଣ୍ତେ ଧଳା ଶାଢ଼ୀ, ମୁଣ୍ତବାଳ ଫୁରୁ ଫୁରୁ ହୋଇ ଉଡ଼ି ଆସି ମୁହଁ ଉପରେ ପଡ଼ିଥିଲା, ସରୁ ସରୁ ହାତରେ ଦି ଦିପଟ କାଚ ପିନ୍ଧିଥିଲା । ଆଉ ରହି ରହି ନଖରେ ଝରକାକୁ ଠକ୍…ଠକ୍ କରୁଥିଲା, ମୁଁ ପୁଷ୍ପା ଦେବୀଙ୍କ ପାଖକୁ ଉଠିଗଲି, ସେ ସେମିତି ମୂକ ହୋଇ ସେଆଡ଼କୁ ଅନାଇଁ ରହିଥିଲେ । ମୁଁ ତାଙ୍କ ପାଖରେ ପହଞ୍ଚି ଆସ୍ତେ ଆସ୍ତେ ପଚାରିଲି ।

 

“ପୁଷ୍ପା ଦେବୀ ! ଭଲକରି ଦେଖନ୍ତୁ ଆଉ କୁହନ୍ତୁ ସେ ସ୍ଵପ୍ନାକି ନାଇଁ ।”

 

“ତା ମୁହଁରେ ତ ଛାଇ ପଡ଼ିଛି ଝାପ୍ସା ଜହ୍ନର । ତେଣୁ ସ୍ଵପ୍ନା କି ନାଇଁ ଠିକ୍ କରି କହି ପାରୁନି, କିନ୍ତୁ ଠିକ୍ ତାରି ପରି ଦେଖା ଯାଉଛି ।” ପୁଷ୍ପା ଦେବୀ କହିଲେ ।

 

ଯା’ ହେଉ ପୁଷ୍ପା ଦେବୀ ବେଶୀ ଡରି ନ ଥିବାର ଦେଖି ମୁଁ ଆଶ୍ଵସ୍ତ ହେଲି, ପୁଣି ତାଙ୍କୁ ଆସ୍ତେ ଆସ୍ତେ କହିଲି, “ତେବେ ଉଠି ଝରକା ପାଖକୁ ଯାଆନ୍ତୁ ଏବଂ ଦେଖନ୍ତୁ ସେ ସ୍ଵପା କି ନାଇଁ । ଡରନ୍ତୁ ନାଇଁ । ମୁଁ ଆପଣଙ୍କର ଏକଦମ୍ ପାଖେ ପାଖେ ଅଛି।”

 

ପୁଷ୍ପା ଦେବୀ ଚୌକିରୁ ଉଠିଲେ, କିନ୍ତୁ କି ଆଶ୍ଚର୍ଯ୍ୟ ପୁଷ୍ପା ଦେବୀ ଚୌକିରୁ ଉଠିବା କ୍ଷଣି ସେଇ ଝିଅ (ଯାହାକୁ ମୁଁ ଏଣିକି ସ୍ଵପ୍ନା ବୋଲି ଡାକିବି) ଝରକା ପାଖରୁ ଆସ୍ତେ ଆସ୍ତେ ଦୂରେଇ ଯିବାକୁ ଲାଗିଲା, ଏ ଅବସ୍ଥାରେ କ’ଣ କରିବି ମୁଁ ଠିକ୍‍ କରି ପାରୁ ନଥିଲି କିନ୍ତୁ ସ୍ଵପ୍ନାକୁ ଚିହ୍ନିବାର ଏ ସୁବର୍ଣ୍ଣ ସୁଯୋଗ ମୁଁ ନଷ୍ଟ କରିବାକୁ ଇଚ୍ଛା କରୁ ନ ଥିଲି । ତେଣୁ ପୁଷ୍ପା ଦେବୀଙ୍କୁ ବାଧ୍ୟ ହୋଇ କହିଲି ।

 

“ପୁଷ୍ପା ଦେବୀ ! ଦେଖନ୍ତୁ, ସ୍ଵପ୍ନା ଆସ୍ତେ ଆସ୍ତେ ଦୂରକୁ ଦୂରକୁ ଚାଲି ଯାଉଛି । କିନ୍ତୁ ଆମକୁ ଯେମିତି ହେଲେ ତାକୁ ଚିହ୍ନିବାକୁ ପଡ଼ିବ, ତେଣୁ ଆପଣ ଗୋଟେ କାମ କରନ୍ତୁ । ଦାଣ୍ତ ଦୁଆର ବାଟେ ବୁଲିଯାଇ ସେଇ ଝରକା ପାଖକୁ ଯାଆନ୍ତୁ ଯେଉଁଠି ସ୍ଵପ୍ନା ଠିଆ ହୋଇଥିଲା । ଦେଖନ୍ତୁ, ଯେମିତି ବେଶୀ ଦୂରକୁ ନ ଯାଆନ୍ତି, ବାକି ସେଇ ଝରକା ପାଖରେ ଠିଆ ହୋଇ ତାକୁ ହାତଠାରି ଡାକନ୍ତୁ । ଦେଖିବା ସେ ଆସୁଛି କି ନାଇଁ । ମୁଁ ଝରକା ପାଖରେ ଠିଆ ହୋଇଥିବି ।”

 

କିନ୍ତୁ ପୁଷ୍ପା ଦେବୀ ଘୁଞ୍ଚିବାକୁ ମଧ୍ୟ ନ ରାଜି ହେଲେ । ଏଣେ ସ୍ଵପ୍ନା ଆସ୍ତେ ଆସ୍ତେ ଦୂରକୁ ଚାଲି ଯାଉଛି ବାଧ୍ୟ ହୋଇ ପୁଣି ତାଙ୍କୁ ବୁଝାଇବାକୁ ଲାଗିଲି, “ଦେଖନ୍ତୁ, ଭୟ କରିବାର କିଛି ନାଇଁ, ମୁଁ ଏଇଠି ପିସ୍ତଲ ନେଇ ଆପଣଙ୍କୁ ଜଗିଛି,” ମୁଁ ହାତରେ ପିସ୍ତଲ କାଢ଼ି ଧରିଲି, ପିସ୍ତଲ ଦେଖି ବୋଧହୁଏ ତାଙ୍କର ସାମାନ୍ୟ ସାହସ ଫେରି ଆସିଲା । ସେ ପାଦେ ପାଦେ କରି ଦୁଆର ମୁହଁ ଆଡ଼କୁ ଆଗେଇବାକୁ ଲାଗିଲେ । ଘର ଭିତରେ ଅନ୍ଧାର ବାହାରେ ମଧ୍ୟ, ମୁଁ କେବଳ ପିସ୍ତଲଟିକୁ ହାତରେ ବାଗେଇ ଧରିଥାଏ ।

 

ଠିକ୍ ଦୁଆର ମୁହଁ ଡେଇଁ ସାରିଛନ୍ତି ହଠାତ୍ ଗୋଟିଏ ବିକଟାଳ, ଭୟପ୍ରଦ, ଚିତ୍କାର ପୁଷ୍ପାଦେବୀ କଲେ । ତାଙ୍କର ସେ ପାଟି ଶୁଣି ମୁଁ ଏକା ଖେପାକେ ଡେଇଁ ଯାଇ ଦୁଆର ପାଖରେ ପହଞ୍ଚିଲି । ପୁଷ୍ପାଦେବୀଙ୍କୁ ଧରିବା ପୂର୍ବରୁ ସେ ଗଛ କାଟିଲାପରି ତଳେ ପଡ଼ିଗଲେ । ମୁହଁ ବୁଲାଇ ଝରକା ଆଡ଼କୁ ଅନାଇଁ ଦେଖିଲି ସ୍ଵପ୍ନା ଆଉ ନାହିଁ । ରାତିର ଅନ୍ଧକାର ଭିତରେ ସେ କେଉଁଠି ହଜିଗଲାଣି ।

 

ପୁଷ୍ପାଦେବୀଙ୍କର ସେ ଚିତ୍କାରରେ ଚମକି ଉଠି ସାହୁବାବୁ ଓ ସତିଆ ଅସ୍ତବ୍ୟସ୍ତ ହୋଇ ଆସି ପହଞ୍ଚିଲେ । ସାହୁବାବୁଙ୍କ ପାଟି ଶୁଭିଲା, “ସାରଦା ବାବୁ ! ଲାଇଟ ଜଳାନ୍ତୁ । କିଛି ଯେ ଦିଶୁନି-!” ମୁଁ ଦୌଡ଼ିଯାଇ ଲାଇଟ୍‍ଟା ଅନ୍ କରିଦେଲି । ଘରେ ବିଜୁଳି ଆଲୁଅ ଖେଳିଗଲା । ସେଥିରେ ଆମେ ଦେଖିଲୁଁ ଠିକ୍ ଦୁଆର ବନ୍ଧ ସେ ପାଖରେ ପୁଷ୍ପାଦେବୀ ବେହୋସ ହୋଇ ପଡ଼ିଛନ୍ତି ।

 

ସାହୁବାବୁ ଚିନ୍ତିତ ଓ ବ୍ୟସ୍ତ ହୋଇ ପୁଷ୍ପାଦେବୀଙ୍କ ଆଡ଼କୁ ଅନାଇଁଲେ, ତା’ପରେ ମତେ ପଚାରିଲେ, “କ’ଣ ହେଲା ?”

 

“ପରେ କହିବି, ଆଗେ ତାଙ୍କୁ ଧରି ଏ ଆରାମ ଚୌକି ଉପରକୁ ଆଣନ୍ତୁ ।” ମୁଁ କହିଲି ।

 

ପୁଷ୍ପାଦେବୀଙ୍କୁ ଧରାଧରି କରି ଆରାମ ଚୌକି ଉପରକୁ ଆଣିଲୁ । ତାଙ୍କ ମୁହଁରେ ପାଣି ଛାଟିବା ସଙ୍ଗେ ସଙ୍ଗେ ତାଙ୍କର ପାଟି ମେଲାଇ କିଛି ବ୍ରାଣ୍ତି ମଧ୍ୟ ତଣ୍ଟି ଭିତରକୁ ଗଳାଇ ଦେଲୁ । ତା’ପରେ ପଙ୍ଖାଟାକୁ ଖୁବ ଜୋରରେ ବୁଲାଇଦେଇ ଆମେ ଅପେକ୍ଷା କଲୁ । ପ୍ରାୟ ପନ୍ଦର ମିନିଟ ପରେ ସେ ଆଖି ଖୋଲିଲେ । ତା’ପରେ ଏଡ଼େ ଏଡ଼େ ଢିମା ଢିମା ଆଖିକରି ଚାରି ଆଡ଼କୁ ଚାହିଁଲେ, ତାଙ୍କ ମନରେ ସେ ଯାଏଁ ବି ଭୟ ଖେଳୁଥିଲା । କିନ୍ତୁ ଚାରିପଟେ ଆମମାନଙ୍କୁ ଦେଖି ସେ ସାମାନ୍ୟ ଆଶ୍ଵସ୍ତ ହେଲାପରି ଜଣା ପଡ଼ିଲେ । ତାଙ୍କୁ ପ୍ରକୃତିସ୍ଥ ହେବାପାଇଁ ଟିକିଏ ସମୟ ଦେଇ ସାହୁବାବୁ ପଚାରିଲେ ।

 

“କିହୋ ! କ’ଣ ହେଲା ?” କଣ୍ଠରେ ଉତ୍କଣ୍ଠା ଲାଗି ରହିଥିଲା ।

 

ପୁଷ୍ପାଦେବୀ ଆସ୍ତେ ଆସ୍ତେ କହିଲେ, “ମୁଁ ଓ ସାରଦା ବାବୁ ଏଇଠି ବସି କଥାବାର୍ତ୍ତା ହେଉଥିଲୁଁ । ଲାଇଟ୍‍ଟା ଲିଭାଇ ଦେଇଥିଲୁଁ । ଗରମ ହେବାରୁ ମୁଁ ବାରଣ୍ତାକୁ ଉଠି ଚାଲିଗଲି । କିନ୍ତୁ ଠିକ୍, ଦୁଆର ମୁହଁରେ ପହଞ୍ଚି ଦେଖିଲି କଳା ହୋଇ କିଏ ଗୋଟାଏ ଠିଆ ହୋଇଛି । ତାକୁ ଦେଖି ଭୟରେ ମୁଁ ଗୋଟାଏ ଚିତ୍କାର କଲି । ଆଉ ମୋର କିଛି ମନେ ନାହିଁ ।”

 

ମୁଁ ଚମକି ପଡ଼ି କହିଲି, “କ’ଣ କହିଲେ ? କଳା ହୋଇ କାହାକୁ ଗୋଟାଏ ଦେଖିଲେ-!”

 

“ହଁ”

 

“ଆପଣଙ୍କର ସେଟା ମନର ଧାରଣା ନୁହେଁ ତ ?”

 

“ମୋଟେ ନୁହେଁ, କାରଣ ମତେ ଦେଖି ସେ ପାହାଚ ଦେଇ ବାରନ୍ଦା ତଳକୁ ଓହ୍ଲାଇଗଲା-।”

 

“ବଡ଼ ଆଶ୍ଚର୍ଯ୍ୟ କଥା” ସାହୁବାବୁ କହିଲେ ।

 

“ସେ ଜଣକ ପୁରୁଷ ନା ସ୍ତ୍ରୀ କହି ପାରିବ ?” ମୁଁ ପଚାରିଲି ।”

 

“ପୋଷାକ ପରିଚ୍ଛଦରୁ ପୁରୁଷ ପରି ଜଣା ପଡ଼ୁଥିଲା । କିନ୍ତୁ ତାକୁ ଭଲ ଭାବରେ ଦେଖିବା ପୂର୍ବରୁ ମୁଁ ଚିତ୍କାର କରିଥିଲି ଏବଂ ସେ ବି ତରବରରେ ଅନ୍ଧାରରେ ମିଳାଇ ଯାଇଥିଲା ।”

 

“ଏ ପୁଣି ଏକ ନୂତନ ସମସ୍ୟା” ମୁଁ କହିଲି ।

 

ସାହୁବାବୁ ତ ଏକଦମ୍ ବିବ୍ରତ ହୋଇ ଚୌକିରେ ବସି ପଡ଼ିଲେ । କିଛି ସମୟ ଏମିତି ନୀରବରେ କଟିଗଲା । ମୁଁ ଘଣ୍ଟାକୁ ଅନାଇଲି । ରାତି ୨ଟା ।

 

ପୁଷ୍ପାଦେବୀଙ୍କୁ ଉଦ୍ଦେଶ୍ୟ କରି କହିଲି, “ଆପଣଙ୍କୁ ଏଇନେ କେମିତି ଲାଗୁଛି ?”

 

“ସାମାନ୍ୟ ଭଲ ଲାଗୁଛି ।”

 

“ତେବେ ଯାଇ ଶୋଇ ପଡ଼ନ୍ତୁ । ରାତି ୨ଟା ହେଲାଣି, ମୁଁ ବି ଯାଉଛି, ଏଇଟା ତ କୁମାରକୁ ରିପୋର୍ଟ କରିବାକୁ ହେବ।” ମୁଁ କହିଲି ।

 

ମୁଁ ଚାଲିଯିବା କଥା ଶୁଣି ସାହୁବାବୁ ହତାଶ ହୋଇ କହିଲେ, “ଆପଣ ଚାଲିଯିବେ ?”

 

“ବ୍ୟସ୍ତ ହୁଅନ୍ତୁନି, ଯେଉଁମାନେ ଆସିଥିଲେ ସେମାନେ ଚାଲିଗଲେଣି, ଆଉ କେହି ଆସିବେନି, ଆପଣମାନେ ଯାଇ ଶାନ୍ତିରେ ଶୁଅନ୍ତୁ ।” କହି ମୁଁ ଉଠିଲି ।

 

ପୁଷ୍ପାଦେବୀ ମୋ ଆଡ଼କୁ ବଡ଼ କରୁଣ ଭାବରେ ଅନାଇଁ ରହିଥିଲେ ।

 

ସାହୁବାବୁ କିନ୍ତୁ କହିଲେ, “ସାରଦାବାବୁ ! ଆଜି ରାତିଟା ରହିଯାଆନ୍ତୁ ନା, ଆଉ କେଇଟା ଘଣ୍ଟାର ତ କଥା, ଏଇନେ ଏତେ ରାତିଟାରେ ଯାଇ କ’ଣ କରିବେ ?”

 

“ଆପଣ ସିନା ଏତେ ରାତି କହୁଛନ୍ତି, କୁମାର ଏବେ ବି ଶୋଇ ନ ଥିବ । ହୁଏତ ଆପଣଙ୍କ ଏଇ କେଶ୍ ବିଷୟରେ ଚିନ୍ତା କରୁଥିବ, ନଚେତ୍ କୌଣସି ବହି ପଢ଼ୁଥିବ । ଆଜି ରାତିର ଏଇ ଘଟଣା ବିଷୟରେ ଯାଇ କହିଲେ ସେ ହୁଏତ ୟାର କୌଣସି ଅର୍ଥ କାଢ଼ିପାରେ । କାରଣ ସ୍ଵପ୍ନାର ସମସ୍ୟା ସାଙ୍ଗକୁ ଏ ପୁଣି ନୂଆ ସମସ୍ୟା ଦେଖାଦେଲାଣି । ଆଚ୍ଛା ସାହୁବାବୁ ! ଆପଣଙ୍କର ଧାରଣା କ’ଣ ? ଏ କଳା ପୋଷାକଧାରୀ ଲୋକ କିଏ ହୋଇପାରେ ?” ମୁଁ ପଚାରିଲି ।

 

“ମୁଁ କେମିତି ଜାଣିବି କୁହନ୍ତୁ ସାରଦା ବାବୁ ।” ସାହୁବାବୁ ନିଜର ଅସହାୟତା ପ୍ରକାଶ କଲେ ।

 

“ସେଇଥିପାଇଁ ତ ମୁଁ କହୁଛି । ମୁଁ ଯାଇ କୁମାର ସଙ୍ଗେ ପରାମର୍ଶ କରେ । ସେ ଯଦି ୟାର କିଛି ଅର୍ଥ କାଢ଼ିପାରେ ।”

 

“କିନ୍ତୁ କୁମାର ବାବୁ ତ ସେଠି । ସେ ତ କିଛି ଦେଖି ନାହାନ୍ତି ସେ କେମିତି କ’ଣ ମତାମତ ଦେବେ ?”

 

“ସେ ସବୁ କରିପାରେ ସାହୁବାବୁ । ଆପଣ ତାକୁ ଜାଣି ନାହାନ୍ତି । ସେଇ ଆରାମ ଚୌକିରେ ବସି ସେ ସବୁ ସମାଧାନ କରି ପାରେ, ଛାଡ଼ନ୍ତୁ ସେ କଥା, ମୁଁ ତେବେ ଆସୁଛି ।” କହି ପୁଷ୍ପା ଦେବୀଙ୍କ ଆଡ଼କୁ ଅନାଇଲି ଏବଂ ତାଙ୍କୁ ଉଦ୍ଦେଶ୍ୟ କରି କହିଲି, “ପୁଷ୍ପା ଦେବୀ ! ଆପଣ ଯାଇ ଟିକେ ଶୋଇ ପଡ଼ନ୍ତୁ । ଉତ୍ତେଜନା ଅନେକଟା କମିଯିବ । ଆଉ ରାତି ଅନିଦ୍ରା ହୁଅନ୍ତୁନି ।”

 

ସେ ଦୁହିଙ୍କୁ ନମସ୍କାର ଜଣାଇ ମୁଁ ବାହାରକୁ ପାଦ ବଢ଼ାଇଲି । ପୋର୍ଟିକୋ ଡେଇଁ ଯେତେବେଳେ ବଗିଚାରେ ପାଦ ଦିଏ, ସେତେବେଳେ ପ୍ରଥମ କରି ମୁଁ ରାତ୍ରିର ବିଭୀଷିକାକୁ ଅନୁଭବ କଲି ।

 

ବାହାରେ ଅନ୍ଧକାର । ଜହ୍ନର ଝାପସା ଝାପ୍ସା ଆଲୁଅ ପଡ଼ିଛି ମେଘ ଭିତରୁ । ଏତେ କମ୍ କାହିଁକି ଆଲୁଅ ହେଉଛି ବୋଲି ଆକାଶକୁ ଅନାଇଲି । ଖଣ୍ତିଆ ଜହ୍ନକୁ ଦେଖି ବୁଝିଲି ତିଥି ବୋଧହୁଏ ଷଷ୍ଠୀ କି ସପ୍ତମୀ ହେବ । ଡାକ୍ତରୀ ଛାତ୍ର ଥିଲାବେଳେ ଜୀବନରେ ଏମିତି ବହୁବାର ମୁଁ ଯାଇଛି ମୁର୍ଦ୍ଦାର ରହୁଥିବା ଘରକୁ । କିନ୍ତୁ ଆଜି…ଠିକ୍ ପୋର୍ଟିକୋ ତଳୁ ବଗିଚାକୁ ପାଦ ଦେଲାକ୍ଷଣି ଛାତି ମୋର ଦପ୍ ଦପ୍ ହୋଇ ଉଠିବା ପଡ଼ିବାକୁ ଲାଗିଲା । ଛାତିର ସେ ଦପ୍ ଦପ୍ ଶଦ୍ଦ ମୁଁ ବେଶ୍ ଶୁଣି ପାରୁଥିଲି । ଖାଲି ଏକ ମେସିନ୍ ପରି ପାଦ ପକାଇ ମୁଁ ଆଗେଇବାକୁ ଲାଗିଲି । ଦିପାଦ ଯାଇ ଟିକେ ଠିଆ ହେଲି । କାନ ପାରି ଶୁଣିବାକୁ ଲାଗିଲି । କେହି ଆସୁନାହିଁ ତ ? ନାଁ କେହି ନାହିଁ-କିନ୍ତୁ ଯଦି ସ୍ଵପ୍ନାର ପ୍ରେତାତ୍ମା ମୋ ପଛେ ପଛେ ଆସୁଥାଏ ?

 

ଖସ୍…ଖସ୍…ଖସ୍…

 

ଚମକି ପଡ଼ି ବୁଲିପଡ଼ିଲି ମୁଁ । କାହିଁ କେହି ନାହିଁ । ଖସ୍… ଖସ୍… ପୁଣି ସେଇ ଶଦ୍ଦ, ଦେହରୁ ମୋର ଜୀବନ ଛାଡ଼ି ଗଲାପରି ଲାଗୁଥିଲା । ଭାବିଲି ଚିତ୍କାର କରିବି ବୋଲି । କିନ୍ତୁ ପାଟି ଖୋଲିଲା ନାହିଁ । ସେମିତି ସ୍ଥାଣୁ ହୋଇ ଛିଡ଼ାହୋଇ ରହିଲି। ମତେ ଜଣା ପଡ଼ୁଥିଲା ଯେମିତି ସ୍ଵପ୍ନାର ପ୍ରେତ ଚାରି ଆଡ଼ୁ ମତେ ଆକ୍ରମଣ କରିବ ବୋଲି ଯୋଜନା କରୁଛି ।

 

ଖସ୍…ଖସ୍…ଖସ୍…

 

ଏଥର ଶଦ୍ଦଟା ମୋ ବାପଖରେ ଥିବା ସୁଗନ୍ଧରାଜ ଗଛରୁ ଆସିଲା, ମୁଁ ନିଠେଇ କରି ସେଇ ଗଛ ଆଡ଼କୁ ଅନାଇଲି । କାହିଁ କେହି ନାହିଁ-କିନ୍ତୁ ପୁଣି ସେଇ ଶଦ୍ଦ । ସେଇ ଗଛ ଭିତରୁ ଆସ୍ତେ ଆସ୍ତେ ମୋ ଦେହରେ ଜୀବନ ପଶିଲା ପରି ଲାଗୁଥିଲା ମତେ, କାରଣ ମୁଁ ନିଶ୍ଚିତ ହେଲି ବୋଧହୁଏ ଝିଟିପିଟି କି ସେମିତି ଗୋଟାଏ କ’ଣ ଗଛଟା ଦେହରେ ଚଢ଼ିଛି, ଦେହରୁ ମୋର ଗମ୍ ଗମ୍ ହୋଇ ଝାଳ ବୋହି ଯାଉଥିଲା ।

 

ଆସ୍ତେ ଆସ୍ତେ ମୁଁ ସାହସ ଫେରି ପାଉଥିଲି । ପୁଣି ବୁଲି ବୁଲି ଚାରି ଆଡ଼କୁ ଅନାଇଁଲି । ସେ ଚମ୍ପାଗଛ ମୂଳରେ କିନ୍ତୁ ନଥିଲା । କେହି ନ ଥିଲେ । କିନ୍ତୁ ଏ କ’ଣ ? ବଗିଚାର ସେ କୋଣରେ କିଏ ଗୋଟାଏ ଧଳା ହୋଇ ଠିଆ ହୋଇଛି । ସ୍ଵପ୍ନା ନୁହେଁ ତ ? ସେ ବି ତ ଧଳା ଶାଢ଼ୀ ପିନ୍ଧିଥିଲା ! ଭୟଟା ଆସ୍ତେ ଆସ୍ତେ ପୁଣି ମତେ ମାଡ଼ି ବସୁଥିଲା । ପୁଣି ମୋ ଛାତି ଖୁବ୍ ଜୋରରେ ଦପ୍ ଦପ୍ ହୋଇ ଉଠିବା ପଡ଼ିବାକୁ ଆରମ୍ଭ କଲା । ଆଉ ସେ ଆଡ଼କୁ ନ ଅନାଇଁ ମୁଁ ବିକଳରେ ଫାଟକ ଆଡ଼କୁ ପାଦ ବଢ଼େଇବାକୁ ଲାଗିଲି । ମତେ ଲାଗୁଥିଲା ଯେମିତି ଏ ବଗିଚା ଓ ଏ ଘର କେବଳ ଭୂତଙ୍କର ବାସସ୍ଥଳ । ଏ ଯାଗାରୁ ନ ଗଲେ ରକ୍ଷାନାହିଁ ।

 

କିନ୍ତୁ ମୁଁ ଠିକ୍ ଫାଟକ ପାଖରେ ପହଞ୍ଚିଛି, ଖୁବ୍ ଜୋରରେ ଗୋଟାଏ ଶଦ୍ଦ ହେଲା……..ଛାତି ମୋର ଦପ୍ କରି ରହିଗଲା । ଭୟରେ ଗୋଟାଏ ବିରାଟ ଚିତ୍କାର କରିବି ବୋଲି ପାଟି ଖୋଲିଲି । କିଛି ଶଦ୍ଦ ବାହାରିଲା ନାହିଁ । ଅତ୍ୟନ୍ତ ଦୟନୀୟ ଭାବରେ ମୁଁ ଉପରକୁ ଅନାଇଲି-। ଠିକ୍ ମୋ ମୁଣ୍ତ ଉପରେ ଗୋଟାଏ ଗଛ ଡାଳରେ ବସିଥିଲା ଗୋଟାଏ ଏଡ଼େ ବଡ଼ ପେଚା । ବିକଟାଳ ମୁହଁ ଓ ଆଖିରେ ସେ ଅନାଇଁ ରହିଥିଲା । ମନେ ପଡ଼ିଗଲା ମୋର ସାହୁବାବୁଙ୍କ କଥା । ଏମିତି ଗଲା ରାତିରେ ପ୍ରଥମେ ପେଚା ଆସି ଠକ୍ ଠକ୍ କରିଥିଲା, ତାପରେ ଆସିଥିଲା ସ୍ଵପ୍ନା । ନାଁ-ଏଇ ପେଚା ନିଶ୍ଚୟ ସ୍ଵପ୍ନାର ଚର । ତା’ମାନେ ସ୍ଵପ୍ନା ଏଇଠି କେଉଁଠି ଅଛି । ମତେ ଲକ୍ଷ୍ୟ କରୁଛି । ହେଇ ଏଇନେ ବୋଧହୁଏ ମତେ ଆକ୍ରମଣ କରିବ । ମୋ ମୁଣ୍ତ ଆଉ କାମ କଲା ନାହିଁ । ଗୋଟାଏ ଧକ୍କାରେ ଫାଟକ ଖୋଲି ମୁଁ ଅଣନିଶ୍ଵାସୀ ହୋଇ ଦୌଡ଼ିବାକୁ ଲାଗିଲି । ମତେ ଲାଗୁଥାଏ ଯେମିତି ସ୍ଵପ୍ନା ମୋ ପଛେ ପଛେ ଗୋଡ଼ାଇଛି । ମୁଁ ମୋ ପ୍ରାଣ ବିକଳରେ ଯେତେ ଜୋରରେ ପାରେ ଦୌଡ଼ିବାକୁ ଲାଗିଲି । ଏତେ ଜୋରରେ ଦୌଡ଼ି ବି କୁମାରର ଘର ପଡ଼ୁ ନ ଥିଲା-। ମତେ ଲାଗିଲା ଆଜି ଯେମିତି କୁମାରର ଆଉ ଘର ପଡ଼ିବନି । ମତେ ନିଶ୍ଚେ ସ୍ଵପ୍ନାର କବଳରେ ପଡ଼ିବାକୁ ହେବ । ମନେ ପଡ଼ୁଥିଲା ମୋର “House of wax” କଥା । ସେ ଦିନର ସେ କାଳ ରାତିରେ ଏମିତି ସେ ଝିଅ ଦୌଡୁଥିଲା ଜୀବନ ବିକଳରେ । ଆଉ ତା’ ପଛରେ ଗୋଡ଼ାଇ ଥିଲା କାଳ ଫାଶ ।

 

ତେବେ ହଠାତ୍ ଦେଖିଲି, ମୁଁ ଆମ ବାରି ଫାଟକ ପାଖରେ ଠିଆ ହୋଇଛି । ସାହସ ଫେରି ଆସୁଥିଲା ମୋର । କିନ୍ତୁ ଏକଦମ୍ ଧଇଁ ସଇଁ ହୋଇ ଯାଇଥିଲି । ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉଥିଲା । ଦେହରେ ଜୀବନ ନ ଥିଲା ପରି ଲାଗୁଥିଲା । ମୋର କ୍ଳାନ୍ତ ପାଦକୁ ବଗିଚା ଭିତରକୁ ପକାଇଲି ।

 

ଠିକ୍ ପୋର୍ଟିକୋ ତଲେ ଦେଖିଲି ଆଲୁଅ ଜଳାଇ କୁମାର ଠିଆ ହୋଇଛି । ସାହସ ମୋର ପୁରା ଫେରି ଆସିଲା । କିନ୍ତୁ–କୁମାର ଏତେ ରାତିରେ ପୋର୍ଟିକୋ ତଳେ କ’ଣ କ’ଣ କରୁଛି-!

 

ମତେ ଦେଖି କୁମାର ପଚାରିଲା–କିରେ । ଏମିତି ଝାଳ, ନାଳ ହୋଇ ଏତେ ରାତିରେ ଦୌଡ଼ିଛୁ । କଥା କ’ଣ ?

 

ମୋର ଦୌଡ଼ିବାର କାରଣ କେମିତି ତାକୁ କହିବି । ଲାଜ ଲାଗୁଥିଲା ମତେ । କେବଳ କହିଲି, “ବହୁତ କଥା ଘଟିଛି ।”

 

“କ’ଣ ପୁଣି ଘଟିଲା ?” କୁମାର ପଚାରିଲା ।

 

“ଉପରକୁ ଚାଲ କହିବି ।” କହି ପାହାଚ ଆଡ଼କୁ ପାଦ ବଢ଼ାଇଲି । ସେ ବି ମୋ ପଛେ ପଛେ ଆସିଲା ।

 

ଉପରେ ଆମର ବସିବା ଘରକୁ ଯାଇ ପ୍ରଥମେ ଗିଲାସେ ପାଣି ଢକ୍ ଢକ୍ କରି ପିଇଗଲି । ତଣ୍ଟିଟା ଶୁଖି ଗଲାପରି ଲାଗୁଥିଲା । ତା’ପରେ ଫ୍ୟାନ୍‍ଟା ଜୋରରେ ଖୋଲି ଦେଇ ଗୋଟାଏ ଆରାମ ଚୌକିରେ ଯାଇ ବସିଲି । କୁମାର ବି ମୋ ଅବସ୍ଥା ଦେଖି କିଛି ପଚାରିଲା ନାହିଁ-। କିଛି ସମୟ ପରେ, ମୁଁ ପ୍ରକୃତିସ୍ଥ ହୋଇଗଲା ପରେ ସେ ପଚାରିଲା ।

 

“କିରେ ପୁଣି କ’ଣ ହେଲା ?”

 

ରାତିରେ ଯାହା ଯାହା ଘଟିଲା, ମୁଁ ଟିକି ନିଖି କରି ସବୁ ତା’ ଆଗରେ ବର୍ଣ୍ଣନା କଲି । ସେ କେବଳ ମଝିରେ ମଝିରେ ହୁଁ…ହୁଁ କରୁଥାଏ । ମୋ କଥା ସରିଲା ପରେ ସେ କିଛି ସମୟ ଚୁପ୍ ହୋଇ ରହିଲା । ତା ପରେ କହିଲା ।

 

“ଆଛା ସାରଦା–ତମେ ଯେଉଁ ଘରେ ବସିଥିଲ ସେଇଟା ଦାଣ୍ତ ଘର ତ ?”

 

“ହଁ”

 

“ତା’ ପାଖକୁ ଗେଷ୍ଟ ରୁମ୍ ଓ ତା’ ସେ ପାଖକୁ ସାହୁବାବୁଙ୍କର ଶୋଇବା ଘର ।”

 

“ହଁ ।”

 

“ସ୍ୱପ୍ନା । ଆସିଲା ବେଳକୁ ତୁ ଓ ପୁଷ୍ପାଦେବୀ ଦାଣ୍ତ ଘରେ ଥିଲ ଓ ସାହୁବାବୁ ଶୋଇବା ଘରେ ଥିଲେ ।”

 

“ହଁ ।”

 

“ଆଚ୍ଛା ସାରଦା, ତୁ କ’ଣ ଏକଦମ୍ ନିଶ୍ଚିତ ସେ ସ୍ଵପ୍ନା ଆସି ପୁଷ୍ପା ଦେବୀଙ୍କୁ ଡାକୁଥିଲା-।”

 

“ହଁ ।”

 

“କେମିତି ଜାଣିଲୁ । ସେ ହୁଏ ତ ସାହୁବାବୁଙ୍କୁ ଡାକୁଥିବ ।”

 

“ଆରେ ନା ! ସେ ପରା ଆମରି ବଖରାର ଝରକା ପାଖକୁ ଆସି ଡାକିଲା ।”

 

“ତମ ଘରେ ଆଲୁଅ ଜଳୁଥିଲା ।”

 

“ନାଁ । କିନ୍ତୁ କାହିଁକି ?” ମୁଁ ଓଲଟି ପଚାରିଲି ।

 

“କିଛି ନାଇଁ । ଏମିତି ପଚାରିଲି ।” କୁମାର କହିଲା ।

 

ବର୍ତ୍ତମାନ ମୁଁ ପଚାରିଲି କୁମାରକୁ, “ଆଚ୍ଛା କୁମାର ! ତୁ ଏତେ ରାତିରେ ଆମର ପୋର୍ଟିକୋ ତଳେ କ’ଣ କରୁଥିଲୁ ?

 

“ତୋ ଅପେକ୍ଷାରେ ଠିଆ ହୋଇଥିଲି ।” ବେଶ୍ ଆମାୟିକ ଭାବରେ କହିଗଲା ସେ ।

 

ତାର ଏ ଉତ୍ତରରେ ଚମକିପଡ଼ିଲି ମୁଁ । “କ’ଣ କହିଲୁ ? ମୋ ଅପେକ୍ଷାରେ ? ତୁ କେମିତି ଜାଣିଲୁ ମୁଁ ଆସିବି ବୋଲି ?”

 

“ସମସ୍ୟାର ସମାଧାନ କରିବାକୁ ହେଲେ ବହୁତ କଥା ଜାଣିବାକୁ ହୁଏ ।” କହି କୁମାର ଚୁପ୍ ହେଲା ଓ ଆଖି ବୁଜି ଚୌକିରେ ବସିରହିଲା ।

 

ମୁଁ ବୁଝି ପାରିଲି କୁମାର ଆଉ କିଛି କହିବନି । ମୁଁ ବି କିଛି ପଚାରିଲି ନାହିଁ । ମତେ କ୍ଳାନ୍ତ ଲାଗୁଥିଲା । ସେଇ ଆରାମ୍ ଚୌକିରେ ଶୋଇପଡ଼ିଲି ମୁଁ ।

 

ତହିଁ ଆର ଦିନ ।

 

୧୦ଟା ବାଜି ଯାଇଥିଲା ।

 

କୁମାର କହିଲା, “ସାରଦା ! ଚାଲ ଯିବା ସାହୁବାବୁଙ୍କ ଘରକୁ । ଦେଖି ଆସିବା ପୁଷ୍ପାଦେବୀଙ୍କର ଦେହ କେମିତି ଅଛି ?”

 

ମୋର ବି ପ୍ରାୟ ସେଇଆ ଇଚ୍ଛା ଥିଲା । କାରଣ କାଲି ରାତିର ସେ ଘଟଣା ଓ ତା’ ପରେ ପୁଷ୍ପା ଦେବୀଙ୍କର ପୋର୍ଟିକୋ ତଳେ ସେ କଳା ଛାଇ ଦେଖିବା କଥା ମୁଁ ଯେତେ ଯେତେ ଚିନ୍ତା କରୁଥିଲି ମୋ ମନ ଭୟରେ ସେତେ ସେତେ ଦବି ଯାଉଥିଲା ।

 

ସାହୁବାବୁଙ୍କ ଘରେ ପହଞ୍ଚିଲା ବେଳକୁ ପ୍ରାୟ ୧୦ଟା ବାଜି ଯାଇଥିଲା । ଆମକୁ ଦେଖି ସାହୁବାବୁ ଏକଦମ୍ କୃତକୃତ୍ୟ ହେଲା ପରି ଜଣା ପଡ଼ିଲେ । ତାଙ୍କରି ଠାରୁ ଜାଣିଲୁ ପୁଷ୍ପାଦେବୀ ବହୁତ ଦୁର୍ବଳ ହୋଇ ଯାଇଛନ୍ତି ଏବଂ ବିଶ୍ରାମ କରୁଛନ୍ତି । ସାହୁବାବୁ ଆମକୁ ନେଇ ଶୋଇବା ଘରକୁ ଗଲେ । ଆମକୁ ଦେଖି ପୁଷ୍ପା ଦେବୀ ଉଠିବାକୁ ଚେଷ୍ଟା କରୁଥିଲେ ।

 

କିନ୍ତୁ କୁମାର କହିଲା, “ଶୋଇ ରହନ୍ତୁ ପୁଷ୍ପା ଦେବୀ । ଆପଣଙ୍କର ଏ ଅବସ୍ଥାରେ ଉଠିବା ମୋଟେ ଉଚିତ ନୁହେଁ । ସାରଦା ଠାରୁ ମୁଁ କାଲି ରାତିର ଘଟଣା ବିଷୟରେ ସବୁ ଶୁଣିଛି । ତେଣୁ ଟିକେ ଦେଖିବାକୁ ଚାଲି ଆସିଲି ।”

 

କୁମାରର ଏ କଥାରେ ପୁଷ୍ପା ଦେବୀ ଶୋଇରହିଲେ । ତାଙ୍କରି ଖଟ ପାଖରେ ତିନୋଟି ଚୌକିରେ ଆମେ ତିନି ଜଣ ବସିଲୁ । ସାହୁବାବୁ ସତିଆକୁ ଡାକି ଚାହା ଆଣିବାକୁ କହିଲେ । ରାତିରେ ସତିଆକୁ ଦେଖିବାର ସୁଯୋଗ ପାଇ ନ ଥିଲି । ଏବେଦେଖିଲି, ବୟସ ଚାଳିଶି ପାଖାପାଖି ହେବ । ବେଶ ଡେଙ୍ଗା, କିନ୍ତୁ ଦେଖିବାକୁ ଏକଦମ୍ କଳା, କେବଳ ଆଖି ଯୋଡ଼ିକ ବେଶ୍ ଉଜ୍ଜ୍ଵଳ ଦେଖା ଯାଉଥିଲା ।

 

ଆମେମାନେ ବସି ସାରିବା ପରେ କୁମାର ଆବହାଓ୍ୟାଟାକୁ ଟିକେ ହାଲୁକା କରିବାପାଇଁ କହିଲା, “ସାହୁବାବୁ, ଆପଣ ଆଜି ଅଫିସ ଯାଇ ନାହାନ୍ତି ?”

 

“କ’ଣ କରିବି, ଘରେ ତ ଅବସ୍ଥା ଅସମ୍ଭାଳ । ତେଣୁ ଛୁଟି ନେଇ ରହି ଗଲି,” ସାହୁବାବୁ ବସି ବସି ଏତକ କହିଲେ । ସେ ବି ବହୁତ କ୍ଳାନ୍ତ ଜଣା ପଡ଼ୁଥିଲେ ।

 

“ବେଶ୍ ଭଲ କଲେ,” କୁମାର କହିଲା, “ଆଛା ପୁଷ୍ପା ଦେବୀ ଗୋଟାଏ କଥା ମୁଁ ମୋଟେ ବୁଝି ପାରୁନି । ସେଟା ହେଲା ସ୍ଵପ୍ନା ଚିଠିରେ କେବଳ ଆପଣଙ୍କ କଥା ଲେଖୁଛି, ଅଥଚ ସାହୁ ବାବୁଙ୍କ ବିଷୟରେ କିଛି ଲେଖୁନି, ତେଣୁ ମୋର ଧାରଣା ଆପଣହିଁ ବୋଧହୁଏ ଏ ସମସ୍ୟାର ସମାଧାନରେ ସାହାଯ୍ୟ କରି ପାରିବେ ।”

 

“ଦେଖୁଛନ୍ତି ତ ମୋର ଅବସ୍ଥା, ଏପରି ଯଦି ଆଉକିଛି ଦିନ ଚାଲେ, ମୁଁ ଯେ ନିଶ୍ଚୟ ପାଗଳ ହୋଇଯିବି, ଏଥିରେ ସନ୍ଦେହ ନାହିଁ । ତେଣୁ ମୋ ଦ୍ଵାରା ଯାହା ସମ୍ଭବ ହେବ ମୁଁ ନିଶ୍ଚୟ ସାହାଯ୍ୟ କରିବି ।

 

“ବେଶ୍ ସେଇ ଯଥେଷ୍ଟ, ଆଚ୍ଛା ଯେଉଁ ଦିନ ସ୍ଵପ୍ନା ଆତ୍ମହତ୍ୟା କଲା, ସେ ଦିନ ସକାଳେ କିମ୍ଵା ତା ପୂର୍ବଦିନ ସ୍ଵପ୍ନାର ମାନସିକ ଅବସ୍ଥା କେମିତି ଥିଲା ?”

 

“ବେଶ୍ ସ୍ଵାଭାବିକ ଥିଲା” ଟିକିଏ ଚିନ୍ତିତ ପରି ଜଣାପଡ଼ୁଥିଲେ ପୁଷ୍ପାଦେବୀ ।

 

“ସେ ଦିନ ସେ କଲେଜ କାହିଁକି ଯାଇ ନ ଥିଲା ?

 

“ସେ କହୁଥିଲା, ତା କ୍ଳାସ ସେ ଦିନ ୨ଟାରେ ଥିଲାବୋଲି ।”

 

“ହୁଁ, ଆପଣ କ’ଣ ନିଜେ ପ୍ରଥମେ ସ୍ଵପ୍ନାକୁ ମୃତ ଆବସ୍ଥାରେ ଦେଖିଲେ ନା ସତିଆ ପ୍ରଥମେ ଦେଖି ଆପଣଙ୍କୁ ଡାକିଆଣିଲା ।”

 

“ମୁଁ ନିଜେ ଦେଖିଲି କୁମାର ବାବୁ । ସତିଆ ସେତେବେଳେ ଘରେ ନ ଥିଲା । କେଜାଣି ମୁଁ ନିଜେ ନ ଦେଖିଥିଲେ ହୁଏତ ଆଜି ମୋର ଅବସ୍ଥା ଏମିତି ହୋଇ ନ ଥାନ୍ତା । ସେ ଯେଉଁ ଦୃଶ୍ୟ କୁମାର ବାବୁ–ମୁଁ କେବଳ ମଲେ ଯାଇ ସେ କଥା ଭୁଲିବି,–” ଶେଷ ଆଡ଼କୁ ମୁହଁକୁ ହାତରେ ଢାଙ୍କି କାନ୍ଦିବାକୁ ଆରମ୍ଭ କରିଥିଲେ ।

 

କୁମାର ଏ ଅବସ୍ଥା ଦେଖି ବ୍ୟସ୍ତ ହୋଇପଡ଼ିଲା । କହିଲା, “ଆରେ-ଆପଣ କାନ୍ଦୁଛନ୍ତି କାହିଁକି, ଦେଖନ୍ତୁ ଜୀବନରେ ଏମିତି ଘଟଣା ଅନେକ ଘଟେ । ଏଇ ସାରଦା ତ ଠିକ୍ ଏଇମିତି ତାର ସାନ ଭାଇକୁ ପୋଡ଼ିକରି ଆସିଛି । ମୋର ତ ପୁଣି ପିଲାଦିନୁ କେହି ନାହାନ୍ତି, ତେଣୁ କାନ୍ଦି ଲାଭ ନାହିଁ, କେବଳ କ୍ଷତି ହେବ । ମାନସିକ ଓ ଶାରିରୀକ ଦୁର୍ବଳତା ବଢ଼ିବ, ଆପଣଙ୍କୁ ଯଦି କଷ୍ଟ ହେଉଛି, ତେବେ ଥାଉ, ଆଉ କେବେ ସେ ବିଷୟରେ କଥା ହେବା ।”

 

କୁମାରର ଏଇ ଶେଷ ପଦକରେ ପୁଷ୍ପାଦେବୀ କାନ୍ଦ ବନ୍ଦକରି କହିଲେ, “ନାଇଁ କୁମାର ବାବୁ, ଆପଣ ପଚାରନ୍ତୁ । ମୁଁ ସବୁ ଉତ୍ତର ଦେବି, କାରଣ ଆପଣ ହିଁ କେବଳ ଏ ସମସ୍ୟାର ସମାଧାନ କରିପାରିବେ ।”

 

କୁମାର କିଛି ସମୟ ଚୁପ୍ ହୋଇ ବସିରହିଲା । କିଛି ଗୋଟାଏ ସେ ଖୁବ୍ ନିବିଷ୍ଟ ଭାବରେ ଚିନ୍ତା କରୁଥିଲା ।

 

କେତେବେଳକେ କୁମାର କହିଲା, “ଆଚ୍ଛା, ପୁଷ୍ପାଦେବୀ ! ସେଦିନ ସ୍ଵପ୍ନା କଲେଜ ଯାଇ ନ ଥିଲା । ସତିଆ ଘରେ ନ ଥିଲା । ତେଣୁ ଆପଣ ଏକୁଟିଆ କେବଳ ସ୍ଵପ୍ନା ସଙ୍ଗେ ଥିଲେ, କାରଣ ସାହୁବାବୁ ନିଶ୍ଚୟ ଅଫିସ ଯାଇଥିବେ । ତେବେ ସ୍ଵପ୍ନା ଆତ୍ମହତ୍ୟା କରିବା ଅବସ୍ଥାରେ ଆପଣ କ’ଣ କରୁଥିଲେ ?”

 

କୁମାରର ଏ ପ୍ରଶ୍ନରେ ସ୍ଵପ୍ନାଦେବୀଙ୍କର ମୁହଁ ଶୁଖିଗଲା ପରି ଦେଖାଗଲା ମତେ ହେବା କଥା ବି, କାରଣ ଏ ପ୍ରଶ୍ନ ଶୁଣି କୁମାରର ଯେ ସାଧାରଣ ସୌଜନ୍ୟ ନାହିଁ ସେ ବିଷୟରେ ମୁଁ ନିଶ୍ଚିତ ହୋଇ ଯାଇଥିଲି । କାରଣ ଏ ପ୍ରଶ୍ନର ଅର୍ଥ ହେଲା, କୁମାର ସନ୍ଦେହ କରୁଛି ଯେ ସ୍ଵପ୍ନାଦେବୀ ଆତ୍ମହତ୍ୟା କଲାବେଳେ ପୁଷ୍ପାଦେବୀ ବୋଧହୁଏ ଜାଣିଥିଲେ ଏମିତି ହେଉଛି । କି କଦର୍ଯ୍ୟ ଅଭ୍ୟାସ ଏ କୁମାରର, ସବୁବେଳେ ସମସ୍ତଙ୍କୁ ସନ୍ଦେହ କରିବ । କିରେ ନିଜ ଭଉଣୀ ଆତ୍ମହତ୍ୟା କଲାବେଳେ ଯଦି ପୁଷ୍ପାଦେବୀ ପାଖରେ ଥାଆନ୍ତେ, ତେବେ ସେ କ’ଣ ତାକୁ ରକ୍ଷା କରିବାକୁ ଚେଷ୍ଟା କରି ନ ଥାନ୍ତେ ! ଏମିତି ଅବାନ୍ତର ପ୍ରଶ୍ନର ମାନେ କ’ଣ ହୋଇପାରେ ! ସାହୁବାବୁ ବି. ଏ ପ୍ରଶ୍ନ ଶୁଣି କ’ଣ ଭାବୁ ନ ଥିବେ ! ମୁଁ ସାହୁବାବୁଙ୍କ ଆଡ଼କୁ ଅନାଁଇଲି । ସେ କେମିତି ଗୋଟାଏ ଅସ୍ଵାଭାବିକ ଭାବରେ ଗମ୍ଭୀର ହୋଇ ବସିଥିଲେ ।

 

ଯା’ହେଉ ପୁଷ୍ପାଦେବୀ ଉତ୍ତର ଦେବା ପୂର୍ବରୁ ସତିଆ ଚାହା ନେଇ ଆସି ପହଞ୍ଚିଲା । କୁମାର ଚାହା କପ୍‍ଟାକୁ ନେଲା ବେଳକୁ ସତିଆକୁ ବେଶ୍ ନିଠେଇ କରି ଅନେଇ ରହିଲା, ସତିଆ କେମିତି ଗୋଟାଏ ଅସ୍ଵସ୍ତି ଅନୁଭବ କରି ପଛେଇ ପଛେଇ ଚାଲିଗଲା ।

 

ଚାହା ଖାଉ ଖାଉ ପୁଷ୍ପାଦେବୀ କହିଲେ, “ସ୍ଵପ୍ନା ଘରେ ଥିଲା ବୋଲି ମୁଁ ଏଇ ପଡ଼ିଶା ଯଦୁବାବୁଙ୍କ ଘରକୁ ଟିକେ ବୁଲି ଯାଇଥିଲି, ତାଙ୍କ ଝିଅକୁ ଟିକେ ସିଲେଇ ଶିଖାଇ ଦେବାପାଇଁ ।”

 

“ତାଙ୍କ ଝିଅ ? ତାକୁ କେତେ ବର୍ଷ ? କ’ଣ ତା ନାଁ ?”

 

“ତା ନାଁ ହେଉଛି ରୀତା । ସ୍ଵପ୍ନା ତାରି ସାଙ୍ଗରେ ପଢ଼ୁଥିଲା ।

 

“ହୁଁ । ଆଚ୍ଛା ଏ ସତିଆ ଲୋକଟି କ’ଣ ଆପଣଙ୍କ ଘରେ ନୂଆ ହୋଇ ରହିଛି ?”

 

ସାହୁବାବୁ ଏ ପ୍ରଶ୍ନର ଉତ୍ତର ଦେଇ କହିଲେ, “ନାଇଁତ, ସେ ଆମ ଘରେ ବହୁତଦିନୁ ରହିଲାଣି । ପ୍ରକୃତରେ କହିବାକୁ ଗଲେ ତା ବାପା ମଧ୍ୟ ଆମ ଘରେ କାମ କରୁଥିଲା ।”

 

“ତେବେ ସେ ଦିନ ସତିଆ କେଉଁଆଡ଼େ ଯାଇଥିଲା ?”

 

“ସେ ଗାଁକୁ ଛୁଟିନେଇ ସପ୍ତାହେ ପାଇଁ ଯାଇଥିଲା ।” ପୁଷ୍ପାଦେବୀ କହିଲେ ।

 

“ଓହୋ, ଆଚ୍ଛା ଏଇଟା ତ ହେଲା ଆପଣଙ୍କର ଶୋଇବା ଘର । ଆସିଲା ବେଳେ ଡ୍ରଇଁରୁମ୍‍ଟା ତ ଦେଖିଲି, ବାକି ସ୍ଵପ୍ନା ଯେଉଁ ବଖରାରେ ରହୁଥିଲା ସେଟା କେଉଁଠି ?”

 

ସାହୁବାବୁ କହିଲେ, “ଆସନ୍ତୁ ସେ ବଖରାଟା ଦେଖାଇ ଦେଇ ଆଣେ ।” ତା’ପରେ ତାଙ୍କର ସ୍ତ୍ରୀଙ୍କ ଆଡ଼େ ଚାହିଁ କହିଲେ, “ତମେ ଶୋଇଥାଅ । ଆମେ ଆସୁଛୁ ।”

 

ଆମେ ତିନିହେଁ ଉଠି ସ୍ଵପ୍ନାର ଶୋଇବା ଘରକୁ ଆସିଲୁ । ସେ ବଖରାରେ ଖଣ୍ତେ ଖଟ, ଖଣ୍ତେ ଟେବୁଲ ଓ ଚୌକୀ, ଗୋଟିଏ ବହିଥାକରେ ବହିଗୁଡ଼ାଏ ଏବଂ ଗୋଟାଏ ଆଲମିରା ଥିଲା । କୁମାର ଠିକ୍ ଗୋଟାଏ ଶିକାରୀ କୁକୁରପରି ସବୁ ଆସବାବ ପତ୍ର ଟିକିନିଖି କରି ଦେଖିବାକୁ ଲାଗିଲା । ସତେ ଯେମିତି ସେମାନେ ସ୍ଵପ୍ନାର ପ୍ରେତ ବିଷୟରେ ଖବର ଦେଇ ପାରିବେ । ଆମେ ଦୁହେଁ କେବଳ ଚୁପ୍ ଚାପ ହୋଇ ଦେଖୁଥାଉ ତାର ଅନୁସନ୍ଧାନର ପଦ୍ଧତି ।

 

ସବୁ ଦେଖି ସାରିଲା ପରେ କୁମାର ପଚାରିଲା, “ଆଚ୍ଛା, ସାହୁବାବୁ ! ଏଇ ଟେବୁଲଟା କ’ଣ ସ୍ଵପ୍ନାର ପଢ଼ାପଢ଼ି କରିବା ଟେବୁଲ ।”

 

Unknown

କୁମାରର ଏ ପ୍ରଶ୍ନରେ ମୋ ମୁହଁରୁ ଫେଁ କରି ହସ ବାହାରି ଆସୁଥିଲା, କାରଣ ସବୁ ଦେଖି ସାରି କୁମାର ଯେ ଏପରି ସମ୍ପର୍କ ବିହୀନ ପ୍ରଶ୍ନ ପଚାରି ନିଜର ବୋକାମୀର ପରିଚୟ ଦେବ, ମୋର ଏ ଧାରଣା ନଥିଲା । ମତେ ଲାଗିଲା ବୟସ ବଢ଼ିବା ସଙ୍ଗେ ସଙ୍ଗେ କୁମାରର ବୁଦ୍ଧିରେ ବୋଧହୁଏ କଳଙ୍କି ଲାଗିଆସିଲାଣି ।

 

କୁମାରର ଏ ପ୍ରଶ୍ନରେ ପ୍ରଥମେ ସାହୁବାବୁ ଆଶ୍ଚର୍ଯ୍ୟ ହୋଇ ଅନାଇଲେ, ତା’ପରେ କହିଲେ, “ହଁ । ସେ ତ ସେଥିରେ ପଢ଼ାପଢ଼ି କରୁଥିଲା ।”

 

“ବେଶ୍ ଭଲ ପଢ଼ୁଥିଲା ବୋଧହୁଏ ।”

 

“ହଁ, କ୍ଳାସରେ ପୋଜିସନ୍ ରଖୁଥିଲା, କିନ୍ତୁ କାହିଁକି ?”

 

“ନାଁ ମୁଁ କ’ଣ ଭାବୁଥିଲି କି ଏତେ ବହି ଯିଏ ରଖିଛି, ସେ ନିଶ୍ଚୟ ବେଶ୍ ପଢ଼ାପଢ଼ି କରୁଥିବ ।”

 

ହଠାତ୍ ବେଶ୍ ହାଲୁକା ସ୍ଵରରେ ସାହୁବାବୁ କହିଲେ, “ହଁ ହଁ, ସେତ ପ୍ରାୟ ସବୁବେଳେ ବସି କ’ଣ ଗୋଟାଏ ପଢ଼ୁଥିବ ।”

 

“ଆଚ୍ଛା ସାହୁବାବୁ, ଆମେ ତେବେ ଆସୁଛୁ, ପୁଷ୍ପାଦେବୀଙ୍କର ଟିକିଏ ଯତ୍ନ ନେଉଥିବେ । କାରଣ ତାଙ୍କର ମନ ଉପରେ ଖୁବ୍ ଜୋରରେ ଆଘାତ । ଯେତେ ସମ୍ଭବ ସେତେ ସେ ବିଶ୍ରାମ ନିଅନ୍ତୁ ।” କହି କୁମାର ଯିବାକୁ ବାହାରିଲା ।

 

ସାହୁବାବୁ ବାଧାଦେଇ କହିଲେ, “ଦେଖନ୍ତୁ, ଆଉ ଯିବେ କାହିଁକି ? ସତିଆକୁ ମୁଁ ଆପଣମାନଙ୍କପାଇଁ ରୋଷାଇ କରିବାକୁ କହିଦେଇଛି । ଯେତେବେଳେ ଆସିଛନ୍ତି, ଗଣ୍ତେ ଖାଇ ଦେଇ ଯିବେ ।”

 

“କାହିଁକି ପୁଣି ସେ ବ୍ୟବସ୍ଥା କଲେ ! ସହଜେ ତ ଆପଣମାନେ ବ୍ୟସ୍ତ ଓ ବିବ୍ରତ, ପୁଣି ଆମପାଇଁ ହଇରାଣ ହେବେ ।”

 

“ନାଇଁ ହଇରାଣ ହେବାରେ କ’ଣ ଅଛି । ସତିଆ ସବୁ ବୁଝୁଛି ।” ସାହୁବାବୁ ବେଶ୍ ନମ୍ରହୋଇ କହିଲେ ।

 

କୁମାର ବେଶ୍ ଅମାୟିକ ଭାବରେ ହସି ହସି କହିଲା, “ହଉ ହଉ, ଆପଣ ଯେତେବେଳେ ବ୍ୟବସ୍ଥା କରିସାରିଲେଣି ଖାଇଦେଇ ଯିବା, ତା’ପରେ ସାରଦାର ବି ଓଳିଏ ଛୁଟି ହୋଇଯିବ । କ’ଣ କହୁଛୁ ସାରଦା ।”

 

ମୁଁ କିଛି ନ କହି ଖାଲି ହସିଦେଲି ।

 

“ଆମେ ଦୁହେଁ ଯାଇ ଡ୍ରଇଂ ରୁମରେ ବସି କଥା ହେଉଛୁ । ଆପଣ ଯାଆନ୍ତୁ ପୁଷ୍ପା ଦେବୀଙ୍କର ଯତ୍ନ ନିଅନ୍ତୁ ।” କହି ଡ୍ରଇଂ ରୁମ୍ ଆଡ଼େ ଆଗେଇଲା । ମୁଁ ମଧ୍ୟ ତା ପଛେ ପଛେ ଗଲି । ସାହୁବାବୁ ତାଙ୍କ ଶୋଇବା ଘର ଆଡ଼େ ଗଲେ ।

 

ଡ୍ରଇଂ ରୁମରେ ଦୁଇଟା ଚୌକୀରେ ଆସ୍ଥାନ ଜମାଇ ସାରିଲା ପରେ ମୁଁ କୁମାରକୁ ପଚାରିଲି, “କିରେ ତୋ ମୁଣ୍ତ ଖରାପ ହୋଇ ଗଲାଣି କି ?”

 

“ହଠାତ୍ ମୋତେ ରାଞ୍ଚି ପଠାଇବାକୁ ଏ ବ୍ୟବସ୍ଥା କାହିଁକି ?” ହସି ହସି କୁମାର ପଚାରିଲା ।

 

“ତୋ ମୁଣ୍ତ ଯଦି ଖରାପ ହୋଇ ନ ଥାନ୍ତା, ତା’ହେଲେ ତୁ କ’ଣ ସାହୁବାବୁଙ୍କୁ ପ୍ରଶ୍ନ କରିଥାନ୍ତୁ । ଏ ଟେବୁଲରେ କ’ଣ ସ୍ଵପ୍ନା ପଢ଼ୁଥିଲା ?”

 

“ନାଇଁ ସେ ଘରେ ମୋଟେ ଗୋଟାଏ ଟେବୁଲ ଅଛି ଦେଖି ସେ ପ୍ରଶ୍ନ ପଚାରିଲି ।”

 

“କାହିଁକି ସେ ଘରେ କ’ଣ ତୁ ବେଶୀ ଟେବୁଲ ଥିବାର ଆଶା କରୁଥିଲୁ ?”

 

“ହଁ, ମୋତେ ଜଣାପଡ଼ିଲା, ବେଶୀ ଟେବୁଲ ସେ ଘରେ ରହିବା ଉଚିତ । କାରଣ ଏଡ଼େବଡ଼ ବଖରାରେ ଗୋଟାଏ ଟେବୁଲ ଥାଇ ଘରଟା ବେଶ୍ ଫାଙ୍କା ଫାଙ୍କା ଲାଗୁଥିଲା ।”

 

“ବଡ଼ ବିଚିତ୍ର ଲୋକ ତୁ । ଗୋଟାଏ ଟେବୁଲରୁ ଅଧିକା ସେ ବଖରାରେ ରହିବାର ଦରକାରଟା କ’ଣ ଶୁଣେ ?”

 

“ସବୁ କଥାର ଅର୍ଥ ଖୋଜିବସିଲେ ତୁ ନିଜେ ପାଗଳ ହୋଇଯିବୁ” କହି କୁମାର ତା ପାଇପ୍‍ରେ ନିଆଁ ଲଗାଇବାକୁ ଆରମ୍ଭ କଲା ।

 

କୁମାରର ଏ ନିଆଁ ଲଗାଇବା ଦେଖି ମୁଁ ବେଶ୍ ଜାଣିଗଲି ଯେ, ସେ ମୋତେ ଆଉ କିଛି କହିବାକୁ ଚାହେଁନା । ତାର ସେଇଟା ଗୋଟାଏ ନିହାତି ବଦଭ୍ୟାସ । ଠିକ୍ ଯେତିକିବେଳେ ମଣିଷ ଭାବିବ ଯେ, ଏଇନେ ବୋଧହୁଏ କିଛି ଗୋଟାଏ ବିଶେଷ କଥା କୁମାର ପାଟିରୁ ବାହାରିବ, ଠିକ୍ ସେତିକି ବେଳେ ସେ ଚୁପ୍ ଚୁପ୍ ହୋଇ ବସିଯିବ । କୁମାର ପାଇପ୍‍ରେ ଗୋଟାଏ ଲେଖାଏଁ ଟାଣ ଦେଇ ଧୂଆଁ ଛାଡ଼ିବାକୁ ଲାଗିଲା ।

 

ମୁଁ ଗୋଟାଏ ଚୌକୀରେ ଜାକିଜୁକି ହୋଇ ବସି ଚିନ୍ତା କରିବାକୁ ଲାଗିଲି । ପ୍ରଥମେ ଯେଉଁ ଦିନ ସାହୁବାବୁ ଆସିଥିଲେ, ସେ ଦିନ କୁମାର ଯେଉଁ ପ୍ରଶ୍ନ ଉଠାଇଥିଲା, ସେଟା ମୋର ତୁହାକୁ ତୁହା ମନେ ପଡ଼ୁଥିଲା । କୁମାର ମତେ କହିଥିଲା, “ଆଚ୍ଛା ସାରଦା ଏମିତି ଗୋଟାଏ ଚିଠି ପଠାଇବା ଦ୍ଵାରା କାହାର କ’ଣ ଲାଭ ହେବ ?” ପ୍ରଥମେ ଦିନ ସିନା ଚିଠି ଆସିଥିଲା । ଏବେ ସ୍ଵପ୍ନା ତ ନିଜେ ରାତିରେ ଆସିଲାଣି, ତା ଛଡ଼ା ଆଉ କିଏ ଜଣେ, କଳା ଛାଇପରି ମଧ୍ୟ ଘର ଚାରି ପାଖରେ ବୁଲିବା ଆରମ୍ଭ କଲାଣି, ଏପରି ଘଟଣା ଦ୍ଵାରା ପୁଷ୍ପା ଦେବୀଙ୍କର ଯାହା ଅବସ୍ଥା ହେଲାଣି, ସେ ହୁଏତ ପାଗଳ ହୋଇଯିବେ ବା ଏମିତି ଶଯ୍ୟାଶାୟୀ ହୋଇ ପଡ଼ିବେ । ଠିକ୍ ମୋରି ଚିନ୍ତା ସଙ୍ଗେ ତାଳ ଦେଇ କୁମାର ହଠାତ୍ କହିଉଠିଲା,

 

“ସାରଦା ! ଏମିତି ଘଟଣା ଆଉ ବେଶୀ ଦିନ ଚାଲିଲେ ପୁଷ୍ପାଦେବୀ ହୁଏତଃ ପାଗଳ ହୋଇଯିବେ ଅଥବା ବେଶୀ ହେଲେ ଅତ୍ୟନ୍ତ ମାନସିକ ଚାପାରେ ଆତ୍ମହତ୍ୟା କରିବେ । ନୁହେଁ ?”

 

“ମୁଁ ତ ଏଇନେ ଠିକ୍ ସେଇକଥା ଚିନ୍ତା କରୁଥିଲି ।”

 

“ମୋର କହିବା କଥା ହେଲା, ଏ ଅବସ୍ଥାରେ ସମସ୍ୟାକୁ ସମାଧାନ କରିବାକୁ ହେଲେ ସ୍ଵପ୍ନା ପଛରେ ଲାଗି ଲାଭନାହିଁ। ଆମକୁ କାଢ଼ିବାକୁ ହେବ ପୁଷ୍ପାଦେବୀ ପାଗଳ ହୋଇଗଲେ କାହାର ସବୁଠୁ ବେଶୀ ଲାଭହେବ ଓ ସେଇଟା କି ପ୍ରକାର ଲାଭ ।”

 

“ସବୁଠୁ ବେଶୀ ଲାଭ କାହାର ହେବ ପ୍ରଶ୍ନର ତ ଅତି ସହଜ ଉତ୍ତର ଅଛି । ସାହୁବାବୁଙ୍କର ହିଁ ସବୁଠୁ ବେଶୀ ଲାଭ ହେବ । କାରଣ ଯେହେତୁ ତାଙ୍କର ସନ୍ତାନ ସନ୍ତତି କିଛି ହୋଇ ନାହାନ୍ତି, ତେଣୁ ପୁଷ୍ପାଦେବୀଙ୍କ ନାଁରେ ଥିବା ସବୁ ସମ୍ପତ୍ତି ଏବଂ ସେ ବାପଘରୁ ଯାହା ପାଇଥିବେ, ସେ ସବୁ ସାହୁବାବୁ ଉପଭୋଗ କରିବେ ।”

 

“ଏ ଉତ୍ତରଟା ତ ବେଶ୍ ସହଜ ! ତୁ କ’ଣ ଭାବୁଛୁ ଏ ସମସ୍ୟାର ସମାଧାନଟା ଏଡ଼େ ସହଜ ? ସାହୁବାବୁ ତ ଉପଭୋଗ କରିବା ସ୍ଵାଭାବିକ । ଏଥିରେ ବିଶେଷତ୍ଵ କ’ଣ ଅଛି । ତେଣୁ ଆମକୁ ଖୋଜିବାକୁ ହେବ ସାହୁବାବୁଙ୍କ ବ୍ୟତୀତ ଆଉ କିଏ ଲାଭବାନ୍ ହେବ ?” କୁମାର ବେଶ୍ ଚିନ୍ତିତ ହୋଇ ଏ କଥା କହିଲା ।

 

ମୁଁ କ’ଣ ଉତ୍ତର ଦେବି ଚିନ୍ତା କରିବା ପୂର୍ବରୁ ସାହୁବାବୁ ଦୁଆର ମୁହଁରେ ପହଞ୍ଚି ଖାଇବାକୁ ଡାକିଲେ । ସତିଆ ଟେବୁଲ ଉପରେ କେବଳ ଆମ ତିନିଜଣଙ୍କ ପାଇଁ ଖାଇବା ବନ୍ଦୋବସ୍ତ କରିଥାଏ । ପୁଷ୍ପାଦେବୀ ଶୋଇଲା ଘରେ ଖାଉଥାନ୍ତି । ଖାଇବା ପର୍ବଟା ବେଶ୍ ଶାନ୍ତ ଭାବରେ ସରିଲା । କାହାରି କାହା ସଙ୍ଗେ କଥାବାର୍ତ୍ତା ନାହିଁ । ସମସ୍ତେ ଯେଝା ଚିନ୍ତା ନେଇ ଚିନ୍ତିତ । ଖାଇ ସାରିବା ପରେ ଆମେ ଦୁହେଁ ଉଠିଲୁ ।

 

ସାହୁବାବୁ କହିଲେ, “ଆପଣମାନେ ଡ୍ରଇଂ ରୁମକୁ ଚାଲନ୍ତୁ । ମୁଁ ଖାଲି ଟିକେ ଦେଖି ଦେଇ ଆସୁଛି ସେ ଖାଇଲେ କି ନାହିଁ ।”

 

ମୁଁ ମନେ ମନେ ଭାବୁଥାଏ-ଯାହା ହେଉ ସାହୁବାବୁଙ୍କ ପରି ଯାହାର ସ୍ଵାମୀ ଥିବେ, ତାଙ୍କର ଆଉ କିଛି ଚିନ୍ତା ନାହିଁ । ନିଜ ସ୍ତ୍ରୀର ସେ ଏତେ ଯତ୍ନ ନେଉଛନ୍ତି ଦେଖି ମୁଁ ତାଙ୍କୁ ମନେ ମନେ ପ୍ରଶଂସା ନ କରି ରହିପାରିଲି ନି ।

 

ଠିକ୍ ଡ୍ରଇଂ ରୁମ୍‍ରେ ପହଞ୍ଚିଛି, କୁମାର କହିଲା, “ସାରଦା ! ମୁଁ ଏଇଠି ବସି ସାହୁବାବୁଙ୍କ ସାଙ୍ଗେ ଗପୁଛି, ତୁ ଯା ଟିକେ ଯଦୁବାବୁଙ୍କ ଘରୁ ବୁଲିଆ, ଯଦି ସ୍ଵପ୍ନା ବିଷୟରେ କିଛି ଖବର ମିଳିଯାଏ ତ ଭଲ ।”

 

କୁମାରର ଏ ଆଦେଶ ପଛରେ କ’ଣ ଯେ ଉଦ୍ଦେଶ୍ୟ ଅଛି, ମୁଁ ବେଶ୍ ବୁଝି ପାରିଲି । ସେ ବୋଧହୁଏ ଏମିତି କିଛି କଥା ସାହୁବାବୁଙ୍କ ସାଙ୍ଗରେ ହେବାକୁ ଚାହେଁ, ଯେଉଁଟା ମୁଁ ଶୁଣିବା ଉଚିତ ନୁହେଁ । କିନ୍ତୁ ପରକ୍ଷଣରେ ଭାବିଲି କେଜାଣି ପ୍ରକୃତରେ ହୁଏତ ଯଦୁବାବୁଙ୍କ ଘରୁ କିଛି ଖବର ମିଳିପାରେ । ସେଇଆ ଆଶାକରି ସେ ମତେ ଯିବାକୁ କହୁଛି । କିନ୍ତୁ ଯାହା ତାର ଉଦ୍ଦେଶ୍ୟ ଥାଉ ନା କାହିଁକି ମତେ ତ ଯିବାକୁ ହେବ । କାରଣ ସେଇଟା ତା’ର ଆଦେଶ, ତେଣୁ ମୁଁ ଉଠିଲି ।

 

ମୁଁ ଉଠିଗଲା ବେଳକୁ ସାହୁବାବୁ ଆସି ପହଞ୍ଚିଲେ, ମତେ ଦେଖି ପଚାରିଲେ “କୁଆଡ଼େ ବାହାରିଲେ ସାରଦା ବାବୁ !”

 

ମୁଁ କ’ଣ ଉତ୍ତର ଦେବି ଭାବି ପାରିଲି ନାହିଁ । ସତକଥା କହିବା ଉଚିତ୍ ହେବ କି ନାହିଁ । କୁମାର ଜାଣେ, ଯା’ହେଉ ମୋ ପାଇଁ କୁମାର ଉତ୍ତର ଦେଇଦେଲା, “ସେ ଏଇଠିକି ଯାଉଛି, ଆସିବ ଏଇଲେ ।”

 

ସାହୁବାବୁ ଆଉ କିଛି ପ୍ରଶ୍ନ ପଚାରିବା ପୂର୍ବରୁ ମୁଁ ଚାଲି ଆସିଲି । ବର୍ତ୍ତମାନ କରେ କ’ଣ-! ଯଦୁବାବୁଙ୍କ ଘରକୁ ତ ଯିବି, କିନ୍ତୁ ତାଙ୍କ ଘରେ ଯାଇ କ’ଣ କଥା ହେବି, କ’ଣ ପଚାରିବି ଏବଂ କ’ଣ ଲକ୍ଷ୍ୟ କରିବି, ମୁଁ ଜାଣିପାରୁ ନଥିଲି । ଯା’ହେଉ ଯିବାକୁ ତ ହେବ । ତେଣୁ ମୁଁ ପାଦ ବଢ଼ାଇଲି-

 

ଯଦୁବାବୁଙ୍କ ଦୁଆର ମୁହଁରେ ପହଞ୍ଚି ମୁଁ ‘ଆଜ୍ଞା ! ଆଜ୍ଞା’ ଡାକିବାକୁ ଆରମ୍ଭ କଲି । କେତେ ବେଳେକେ ଯାଇ ଦୁଆର ଖୋଲିଲା । କିନ୍ତୁ ଦୁଆର ଯିଏ ଖୋଲିଲେ ମୁଁ ତାଙ୍କୁ ସେପରି ଅବସ୍ଥାରେ ଦେଖିବି ବୋଲି ଆଶାକରି ନଥିଲି । ଅବଶ୍ୟ ଯେହେତୁ ଯଦୁବାବୁଙ୍କର ସ୍ଵପ୍ନା ବୟସର ଗୋଟିଏ ଝିଅ ଅଛି, ତେଣୁ ତାଙ୍କର ବୟସ ବେଶ୍ ଆଗେଇ ଯାଇଥିବ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଯଥେଷ୍ଟ ବୟସ ହୋଇଯିବଣି; କିନ୍ତୁ ମୋ ଆଗରେ ଯିଏ ଠିଆ ହୋଇଥିଲେ ସେ ଜଣେ ସ୍ତ୍ରୀ ପରି ମଧ୍ୟ ଜଣାପଡ଼ୁ ନଥିଲେ। ନିହାତି ଦୁର୍ବଳ । ଦେହରେ ହାଡ଼ ଦୁଇଖଣ୍ତି ଛଡ଼ା ଆଉ କିଛି ଥିଲାପରି ଜଣା ପଡ଼ୁ ନଥିଲା । ବାଳ ସବୁ ଫୁରୁ ଫୁରୁ ହୋଇ ଉଡ଼ୁଛି । କେତେଟା ବାଳ ପାଚିବାକୁ ଆରମ୍ଭ କଲାଣି । ହାତରେ ଦିପଟ ପାଣିକାଚ । ବେକରେ ଚେନ ଖଣ୍ତେ, ଦେହରେ ଟୋପାଏ ବୋଲି ରକ୍ତ ନାହିଁ । ଆଖି ଦିଟା ଯାଇ କାହିଁ କପାଳ ଭିତରେ ପଶିଛି । କିନ୍ତୁ ଅନୁମାନ କଲି ସେଇ ବୋଧହୁଏ ଯଦୁବାବୁଙ୍କ ସ୍ତ୍ରୀ ।

 

ସେଇ ମତେ ପଚାରିଲେ, “କାହାକୁ ଖୋଜୁଛନ୍ତି ।”

 

ମୋ ପାଟିରୁ ସ୍ଵତଃ ବାହାରି ପଡ଼ିଲା, “ଯଦୁବାବୁଙ୍କୁ” ଯଦିଓ ମୁଁ ମନେ ମନେ ଭାବୁଥିଲି-ଏହାଙ୍କ ସଙ୍ଗେ କଥାବାର୍ତ୍ତା ହେଲେ ବି ଚଳିବ ।

 

ମୁଁ ଯଦୁବାବୁଙ୍କୁ ଖୋଜୁଛି ବୋଲି ଶୁଣି ସେ ହଠାତ୍ କେମିତି ଭୟ ପାଇଗଲା ପରି ଜଣାପଡ଼ିଲେ । ଆଖିରେ ଖେଳିଗଲା ଗୋଟାଏ କେମିତି ଦୁଃଖ, ଅନୁଶୋଚନା, ଆଉ ଭୟର ଛାଇ-

 

ମୋତେ ଆଶ୍ଚର୍ଯ୍ୟ କରି ଦେଇ ସେ ପଚାରିଲେ, “କାଇଁ ଆଜ୍ଞା, କାଲି କ’ଣ ଗଣ୍ତଗୋଳ ହେଲା କି ?” ଏତକ ପଚାରିଦେଇ ମୋ ଉତ୍ତରକୁ ସେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଲେ ।

 

କି ଗଣ୍ତଗୋଳ କଥା ସେ କହୁଛନ୍ତି ମୁଁ ବୁଝିପାରୁ ନଥିଲି । ତା’ପରେ ସେ ଏତେ ଭୟଭୀତ କାହିଁକି ସେ କଥା ମଧ୍ୟ ମୁଁ ଚିନ୍ତା କରିପାରୁ ନଥିଲି ।

 

ମୋର ଉତ୍ତର ଦେବାରେ ଡେରି ହେବା ଦେଖି ସେ ପୁଣି ବ୍ୟସ୍ତ ହୋଇ ପଚାରିଲେ, “ଆଜ୍ଞା ମତେ କାହିଁକି ଲୁଚାଉଛନ୍ତି, କହୁ ନାହାନ୍ତି କ’ଣ ଗଣ୍ତଗୋଳ ହେଲା ?”

 

ମନେ ମନେ ଭାବିଲି ଏଠାକୁ ଆସି ମହା ହଇରାଣରେ ପଡ଼ିଲି । ମୁଁ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲି ଯେ ଯଦୁ ବାବୁଙ୍କ ସ୍ତ୍ରୀ ବୋଧହୁଏ ପାଗଳ, ଯା’ହେଉ ତାଙ୍କର କବଳରୁ ରକ୍ଷା ପାଇବା ପାଇଁ ମୁଁ ଉତ୍ତର ଦେଲି ।

 

“ହଁ, କାଲି ଭାରି ଗଣ୍ତଗୋଳ ହୋଇଛି ।”

 

“କ’ଣ କରିବି ମୁଁ କହନ୍ତୁ, ସେ ତ ଏଇ ଭୋର ଚାରିଟାରେ ଫେରିଲେ । ଆପଣ ଆସି ବସନ୍ତୁ, ମୁଁ ତାଙ୍କୁ ଡାକି ପଚାରି ଦେଉଛି ।” କହି ସେ ଭିତରକୁ ଗଲେ ।

 

ମହା ଅସୁବିଧା, ସମସ୍ୟା ପରେ ସମସ୍ୟା, ସେ ସମସ୍ୟାର ସମାଧାନ ପାଇଁ ଏଠି ଆସି ପହଞ୍ଚିଲା ବେଳକୁ ଏଠି ପୁଣି ଆହୁରି ଏକ ସମସ୍ୟା ! ଯଦୁବାବୁ ରାତିରେ କେଉଁଠିକି ଯାଇଥିଲେ ? ଫେରୁ ଫେରୁ ଭୋର ୪ଟା ହେଲା କାହିଁକି ? ସେଠି କି ଗଣ୍ତଗୋଳ ହେଲା ? ତାଙ୍କ ସ୍ତ୍ରୀ ଏତେ ଭୟଭୀତ କାହିଁକି ହୋଇ ଯାଉଛନ୍ତି ? ସେ କ’ଣ ପାଗଳ ? ଚିନ୍ତାରେ ମୁଣ୍ତ ମୋର ଧକ୍ ଧକ୍ ହେବାକୁ ଲାଗିଲା । ଦାଣ୍ତଘରେ ଗୋଟାଏ ଚୌକିରେ ମୁଁ ବସିପଡ଼ିଲି ।

 

ଚାରିଆଡେ ଟିକେ ନଜର ପକାଇ ନେବାକୁ ଭାବିଛି, ଠିକ୍ ଏତିକି ବେଳେ ଭିତରୁ ପୁରୁଷ କଣ୍ଠ ଶୁଭିଲା, “କାଇଁ, କାଲି ତ କିଛି ଗଣ୍ତଗୋଳ ହୋଇନି ! କିଏ ସେ ଭଦ୍ରଲୋକ ଏତେ ମିଛକଥା ଆସି ତମରି ଆଗରେ ଗପୁଛନ୍ତି, ତା’ପରେ ସେଠି ଯାହା ହେଲା ନ ହେଲା ସେ କଥା ଘରେ ଆସି କହିବାକୁ ସେ କିଏ ?”

 

ତା’ପରେ ଆସ୍ତେ ଆସ୍ତେ ଶୁଭିଲା ସ୍ତ୍ରୀ କଣ୍ଠ, “ଓହୋ, ତମେ ଟିକେ ଚୁପ୍ ହେଲ ଭଲା, ସେ ଦାଣ୍ତଘରେ ବସିଛନ୍ତି, କ’ଣ ଭାବୁଥିବେ କହିଲ ?”

 

“ସେ ଭାବିଲେ ମୋର କ’ଣ ଗଲା, ସେ କ’ଣ ମତେ ପୋଷୁଛନ୍ତି ! ମୁଁ ନିଜେ ଖଟୁଛି ଖାଉଛି । ଏଇନେ ମୁଁ ତାଙ୍କୁ ଦେଖାଇ ଦେଉଛି, ସେ କେମିତି ଭଦ୍ରଲୋକ”-ବେଶ୍ ଜୋରରେ ଏତକ ଶୁଭିଲା, ତା’ପରେ ଗୋଟାଏ ଚୌକି ପଡ଼ିଯିବାର ଶଦ୍ଦ-

 

ମୁଁ ଏ ପାରିବାରିକ ଗଣ୍ତଗୋଳର ସୃଷ୍ଟିକର୍ତ୍ତା ଭାବି କ’ଣ କରିବି ଚିନ୍ତା କରି ପାରୁ ନଥିଲି-। ଲୁଚି କରି ପଳାଇଯିବି ନା ବସି କରି ଦେଖିବି ଆଉ କ’ଣ ହେଉଛି ! ଠିକ୍ କରି ପାରୁ ନଥିଲି ।

 

ଠିକ୍ ଏତିକିବେଳେ ହାତ ହଲାଇ ଏବଂ ଖୁବ୍ ପାଟି କରୁ କରୁ ଆସି ଦୁଆର ବନ୍ଧ ପାଖରେ ଆବିର୍ଭୂତ ହେଲେ ଯଦୁବାବୁ । ମତେ ଦେଖି ତାଙ୍କର ସବୁ ପାଟି ଧଡ୍‍ କରି ବନ୍ଦ ହୋଇଗଲା, ସେ ଥା… ଥା… ମା… ମା… ହୋଇଗଲେ–

 

ମୁଁ ଆଉ କିଛି ନ ପାଇ ଉଠିପଡ଼ି ତାଙ୍କୁ ନମସ୍କାର କଲି । ସେ ମେସିନ୍ ପରି ହାତ ଦୁଇଟା ଉଠାଇ ଦେଲେ । ସେ ଯେ କିଛି ବୁଝି ପାରୁନାହାନ୍ତି, ଏ କଥା ବେଶ୍ ସ୍ପଷ୍ଟ ଭାବରେ ଜଣା ପଡୁଥିଲା । ସେ ସେଇଠି ଠିଆ ହୋଇ ମତେ ପଚାରିଲେ,–“ଆ…ଆପଣ…ଆପଣଙ୍କୁ ତ ମୁଁ ଚିହ୍ନି ପାରୁନି ।”

 

ମୁଁ ଅତି ନମ୍ର ଭାବରେ ତାଙ୍କୁ କହିଲି, “ନାଇଁ ଆଜ୍ଞା ! ଆପଣ ମତେ ଚିହ୍ନି ନାହାନ୍ତି, ମୋ ନାଁ ସାରଦା ।”

 

“ଆପଣ…ଆପଣ କ’ଣ କରନ୍ତି ?” ଯଦୁବାବୁ ପୁଣି ପଚାରିଲେ ! ଏ ଯାଏ…ମଧ୍ୟ ସେ ଯେଉଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ ଅବସ୍ଥା ପୂରାପୁରି ଭାବରେ ଯାଇ ନଥିଲା ।

 

“ମୁଁ ଆଜ୍ଞା କିଛି କରେନା ?”

 

ସେ ଅବିଶ୍ଵାସ ଆଖିରେ ମତେ ଅନାଇଁଲେ, ତା’ପରେ ଘର ଭିତରକୁ ପାଦେ ପାଦେ କରି ପାଦ ବଢ଼ାଇ ମତେ କହିଲେ “ବସନ୍ତୁ ।” ଦୁଆରମୁହଁ ପାଖରେ ତାଙ୍କ ସ୍ତ୍ରୀ ସେମିତି ଠିଆ ହୋଇଥିଲେ ।

 

ଆଖିରେ ଆଖିଏ ଅବିଶ୍ଵାସ ଓ ମନରେ ସନ୍ଦେହ ନେଇ ଯଦୁବାବୁ ଗୋଟିଏ ଚୌକିରେ ବସିଲେ । କିଛି ସମୟ ପର୍ଯ୍ୟନ୍ତ ମତେ ଏକ ଲୟରେ ଅନେଇ ରହିଲା ପରେ ସେ ମତେ ପଚାରିଲେ, “ଆପଣ ମତେ ଖୋଜୁଥିଲେ ?”

 

“ହ ଆଜ୍ଞା” ମୁଁ କହିଲି ।

 

“ମୋ ପାଖରେ ଯେ ଆପଣଙ୍କର କ’ଣ କାମ ମୁଁ ବୁଝି ପାରୁନି, ତେବେ ବି କହନ୍ତୁ ମୁଁ ଆପଣଙ୍କୁ କେମିତି ସାହାଯ୍ୟ କରିପାରିବି ?” ତା’ପରେ ତାଙ୍କ ସ୍ତ୍ରୀଙ୍କ ଆଡ଼େ ଅନାଇ କହିଲେ, “ଅଞ୍ଜୁ ! ଦି କପ୍ ଚାହା ପଠାଇଲ ।’

 

ତାଙ୍କର ସ୍ତ୍ରୀ ନାଁ ବୋଧହୁଏ ଅଞ୍ଜଳି–ଏହା ଅନୁମାନ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କଲି । “ଆଜ୍ଞା ଆପଣଙ୍କର ଏଇ ପଡ଼ିଶା ସାହୁବାବୁ…”

 

ମୁଁ ଏତିକି କହିଛି ସେ ହଠାତ୍ ବଡ଼ ବ୍ୟଗ୍ର ହୋଇ କହିଲେ, “ହଁ ! କ’ଣ ହେଲା ତାଙ୍କର-?”

 

“ନାଇଁ ତାଙ୍କର କିଛି ହୋଇନି,” ମୁଁ ବେଶ୍ ଧୀରସ୍ଥିର ଭାବରେ କହିଲି । “ଆପଣ ତ ଜାଣିଥିବେ ଦୁଇ ମାସ ତଳେ ତାଙ୍କର ଶାଳୀ ସ୍ଵପ୍ନା ହଠାତ୍ ଆତ୍ମହତ୍ୟା କଲେ ।”

 

“ଆଜ୍ଞା ସେ କଥା ଆଉ କହନ୍ତୁନି, ସାହୁବାବୁ ଆଉ ତାଙ୍କ ସ୍ତ୍ରୀଙ୍କୁ ଯେମିତି ଭାବରେ ଆମେ ସମ୍ଭାଳିଛୁ, ସେକଥା ଆମେ କେବଳ ଜାଣୁ, ଆମକୁ ତ ଲାଗୁଥିଲା ପୁଷ୍ପାଦେବୀ ବି ଆତ୍ମହତ୍ୟା କରିଦେବେ । ଯା’ ହେଉ ଭଗବାନଙ୍କ କୃପାରୁ ଆଉ କିଛି ହେଲାନି ।”

 

“ନାଇଁ ଆଜ୍ଞା, କିଛି ହୋଇନି ବୋଲି କହିଲେ ଭୁଲ ହେବ, ଆଉ ପ୍ରକୃତରେ କିଛି ହୋଇଛି କହିଲେ ବି ବିଶେଷ ଠିକ୍ ହେବନି ।” କହିଲି ମୁଁ ।

 

ଆଶ୍ଚର୍ଯ୍ୟରେ ଆଖି ଢିମା କରି ସେ କହିଲେ, “ତା’ ମାନେ ଆପଣ କହୁଛନ୍ତି ପୁଣି କିଛି ଗୋଟାଏ ଘଟିଛି !”

 

“ହଁ…….”

 

ମୋ ମୁହଁରୁ “ହଁ” ଶୁଣି ସେ ବ୍ୟସ୍ତ ହୋଇ ଗଲାପରି ଜଣା ପଡ଼ିଲେ, ତା’ପରେ ପାଟି କରି ଡାକିଲେ, “ଅଞ୍ଜୁ ! ଅଞ୍ଜୁ ! ରୀତାକୁ କହ ଚାହା କରୁ । ତମେ ୟାଡ଼େ ଟିକିଏ ଶୁଣିଗଲ । ସାହୁବାବୁଙ୍କ ଘରେ ପୁଣି କ’ଣ ହେଲାଣି, ଏଇ ସାରଦାବାବୁ କହୁଛନ୍ତି ।”

 

ତାଙ୍କ ଡାକ ଶୁଣି ଅଞ୍ଜଳୀ ଦେବୀ ବ୍ୟସ୍ତ ହୋଇ ଦୌଡ଼ି ଆସିଲେ, ଅତି ବ୍ୟଗ୍ର ହୋଇ ପଚାରିଲେ, “କ’ଣ ହେଲା ? ସାହୁବାବୁଙ୍କ ଘରେ ପୁଣି କ’ଣ ହେଲା ?”

 

“ନାଇଁ, ନାଇଁ, ଏମିତି ବ୍ୟସ୍ତ ହେବାରେ କିଛି ନାହିଁ । କାରଣ ସେମିତି ସାଙ୍ଘାତିକ କିଛି ଗୋଟାଏ ଘଟିନି । ତେବେ କଥା କଣ କି, ଆପଣ ତ ଜାଣିଥିବେ ପ୍ରାୟ ଦୁଇ ମାସ ତଳେ ସାହୁବାବୁଙ୍କ ଶାଳୀ ସ୍ଵପ୍ନା ଆତ୍ମହତ୍ୟା କଲେ । ଫଳରେ ଆଜିଯାଏ ସ୍ଵାମୀ ସ୍ତ୍ରୀ ଦୁହେଁ ଯାକ ବେଶ୍ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ । ଏବେ ତିନିଦିନ ତଳେ ଗୋଟାଏ ବିଚିତ୍ର ଘଟଣା ଘଟିଲା ।”

 

“କ’ଣ ?” ବୋଲି ସ୍ଵାମୀ ଏବଂ ସ୍ତ୍ରୀ ଦୁହେଁଯାକ ଏକ ସଙ୍ଗେ କହି ଉଠିଲେ ।

 

“ହଁ ଦୁଇଦିନ ତଳେ ସାହୁବାବୁ ସ୍ଵପ୍ନା ପାଖରୁ ଖଣ୍ତେ ଚିଠି ପାଇଲେ ।” କହି ମୁଁ ଟିକିଏ ଚୁପ୍ ହେଲି ଓ ସେ ଦୁହିଁଙ୍କୁ ଏ କଥାର ଅର୍ଥଟା ଭଲ ଭାବରେ ହୃଦୟଙ୍ଗମ କରିବା ପାଇଁ ଟିକେ ସମୟ ଦେଲି ।

 

ସେ ଦୁହେଁ ସମ୍ପୂର୍ଣ୍ଣ ଭାବରେ ଅବାକ୍ ହୋଇ ମତେ ଅନାଇଁ ରହିଲେ । ମୁଁ ସତ କହୁଛି କି ମିଛ କହୁଛି, ସେମାନେ ବୁଝି ପାରୁ ନ ଥିଲେ ।

 

ସେମାନଙ୍କୁ କଥାଟାର ସତ୍ୟତା ବିଷୟରେ ନିଶ୍ଚିତ କରାଇଦେବା ପାଇଁ ମୁଁ ପୁଣି କହିଲି, “ତିନି ଦିନ ତଳେ ସାହୁବାବୁ ସ୍ଵପ୍ନାଠାରୁ ଖଣ୍ତେ ଚିଠି ପାଇଲେ । ସେଥିରେ ସେ ଓ ପୁଷ୍ପା ଦେବୀ ବିବ୍ରତ ହୋଇ ଯାଇ ଆମ ପାଖରେ ପହଞ୍ଚିଲେ, ଘଟଣାର ସମାଧାନ କରିବା ପାଇଁ । ଆମେମାନେ ମୁଁ ଏବଂ କୁମାର ଦୁହେଁ ରହସ୍ୟର ସମାଧାନ କରିବା ନିଜର ଜୀବନର କର୍ତ୍ତବ୍ୟ ବୋଲି ଧରି ନେଇଛୁ । ତେଣୁ ଆମେ ଯତ୍‍ପରୋନାସ୍ତି ଚେଷ୍ଟା କରିବୁ ବୋଲି କହି ସେମାନଙ୍କୁ ଫେରାଇ ଦେଲୁ-। ଏବେ କାଲି ରାତିରେ ସ୍ଵପ୍ନାର ପ୍ରେତାତ୍ମା ଆସି ପୁଷ୍ପା ଦେବୀଙ୍କୁ ଡାକୁଥିଲା ।” କହି ମୁଁ ଚୁପ୍ ହେଲି-

 

“କି ଆଶ୍ଚର୍ଯ୍ୟ ! ପ୍ରଥମେ ଚିଠି, ପୁଣି ଏବେ ପ୍ରେତାତ୍ମା । ଏତ ବଡ଼ ବିଚିତ୍ର ବ୍ୟାପାର ! ସେମାନେ ଗୋଟାଏ ଗୁଣିଆ ସଙ୍ଗେ କଥା ବାର୍ତ୍ତା କରୁ ନାହାନ୍ତି କାହିଁକି ?” ଯଦୁବାବୁ କହିଲେ ।

 

“ବୋଧହୁଏ ୟାରି ଭିତରେ କରିବେ ।” ମୁଁ କହିଲି ।

 

“ନଁ…ନାଁ ଏସବୁ ବିଷୟରେ ଡେରି କରିବାର ନୁହେଁ ।”

 

“କ’ଣ ହେଲା କି ବାପା” କହି କହି ହାତରେ ଦୁଇକପ୍ ଚା ଧରି ରୀତା, ଯଦୁବାବୁଙ୍କ ଝିଅ ଘରକୁ ପଶିଲା । ଦୁଇ ହାତରେ ଚା କପ୍ ଧରି ଥିବାରୁ ଇଚ୍ଛା ଥାଇ ମଧ୍ୟ ମତେ ନମସ୍କାର କରି ପାରିଲାନି ସେ, କେବଳ ମୁଣ୍ତ ନୁଆଇଁ “ନମସ୍କାର” ବୋଲି କହିଲା । ଯଦୁବାବୁ ମତେ ତାସଙ୍ଗେ ପରିଚୟ କରାଇଦେଲେ । ମୁଁ ଦେଖିଲି ରୀତା ଦେଖିବାକୁ ବେଶ୍ ସୁନ୍ଦରୀ । ତାର ବ୍ୟବହାରରେ ନିଜକୁ ସମସ୍ତଙ୍କ ସାଙ୍ଗେ ମିଶାଇ ଦେବାର ବେଶ୍ ଗୋଟାଏ ଆଧୁନିକ ଢଙ୍ଗ ଅଛି । ଦେହରେ ବିଶେଷ କିଛି ପ୍ରସାଧନ ନଥିଲେ ମଧ୍ୟ ସେହି ସରଳତା ହିଁ ତାକୁ ବେଶ୍ ଆକର୍ଷଣୀୟ କରି ତୋଳିଥିଲା । ଯଦୁବାବୁଙ୍କଠାରୁ ସ୍ଵପ୍ନାର ପ୍ରେତାତ୍ମା ବିଷୟରେ ସବୁ ଶୁଣିସାରି ସେ କହିଲା-

 

“ସାରଦାବାବୁ ! ଏସବୁ କଥା କଣ ସତ ?”

 

ମୁଁ ହସି ହସି କହିଲି, “ସତ ନ ହୋଇଥିଲେ ମୁଁ ଏଠିକି କାହିଁକି ଆସିଥାନ୍ତି ।”

 

“ମୁଁ କେମିତି ଟିକେ ରାତିରେ ତାକୁ ଦେଖନ୍ତି” ବେଶ୍ ଅଗ୍ରହ ନେଇ ରୀତା କହିଲା ।

 

ମୁଁ କିଛି କହିବା ପୂର୍ବରୁ ଯଦୁବାବୁ କହିଲେ । “ନାଇଁ ମା, ତୁ ସେଠିକି କାହିଁକି ଯିବୁ ! ଭୂତ ପ୍ରେତ କଥା । କେତେବେଳେ କ’ଣ ହେବ ।”

 

“ନାଇଁ ବାପା, ମୋର କିଛି ହେବନି । କାରଣ ସ୍ଵପ୍ନା ମତେ ଭାରି ଭଲ ପାଉଥିଲା । ତେଣୁ ସେ ମୋର କିଛି କ୍ଷତି କରିବ ନାହିଁ ।”

 

ମୁଁ କହିଲି, “ଦେଖ ରୀତା, ତମେ ଦେଖିଯିବ, ଏଥିରେ କାହାର କିଛି ଆପତ୍ତି କରିବାର ନାହିଁ, କିନ୍ତୁ ଆଉ କିଛି ଦିନ ଯାଉ । ସ୍ଵପ୍ନା ଯେତେବେଳେ ଥରେ ଆସିଲାଣି, ସେ ନିଶ୍ଚୟ ଆଉ କେତେ ଥର ଆସିବ । ତେଣୁ ବ୍ୟସ୍ତ କାହିଁକି ହେଉଛ ”

 

ହଉ, ଆଜି ନ ହେଲା । କିନ୍ତୁ ମତେ ନିଶ୍ଚୟ ଦିନେ ରାତିରେ ନେଇ ତାକୁ ଦେଖାଇଦେବେ ।” ରୀତା ଅଳି କଲା ପରି କହିଲା ।

 

ମୁଁ ତା କଥାରେ ହଁ ଭରି ଚାହା ଖାଇବାରେ ମନ ଦେଲି । ତା ସଙ୍ଗେ ସଙ୍ଗେ ମଧ୍ୟ ଚିନ୍ତା କରୁଥିଲି ମୁଁ ୟାଙ୍କୁ ଆଉ କ’ଣ ପଚାରିବି ? କୁମାର ମୋ’ଠାରୁ କ’ଣ ଆଶା କରେ ? ସଠିକ୍ କିଛି ଚିନ୍ତାକରି ପାରୁ ନଥିଲି । ଚା ଖିଆ ସରିଲା । ତା’ପରେ ରୀତା ଉଦ୍ଦେଶ୍ୟରେ କହିଲି ।

“ଆଚ୍ଛା ରୀତା, ଯେଉଁଦିନ ସ୍ଵପ୍ନା ଆତ୍ମହତ୍ୟା କଲା, ସେଦିନ ପୁଷ୍ପାଦେବୀ ତମକୁ ସିଲାଇ ଶିଖାଇବାକୁ ଆସିଥିଲେ ନା ?”

“ହଁ” କହିଲା ରୀତା । କିନ୍ତୁ ସ୍ଵରରେ ଆଶ୍ଚର୍ଯ୍ୟର ଚିହ୍ନ ପୂରି ରହିଥିଲା ।

“କ’ଣ ଏଇ ଛୁଞ୍ଚି ସୂତା ସିଲେଇ କାମ ନା ସିଲେଇ ମେସିନରେ ପେଣ୍ଟ, ଜାମା ସିଲେଇ କାମ ଶିଖାଉଥିଲେ ?” ମୁଁ ପୁଣି ପଚାରିଲି ।

“ଏଇ ପେଣ୍ଟ ଜାମା ସିଲେଇ ଶିଖାଉ ଥିଲେ ।” ରୀତା କହିଲା ।

“ଆଚ୍ଛା ରୀତା ! ତମେ କହି ପାରିବ ସ୍ଵପ୍ନା କାହିଁକି ଆତ୍ମହତ୍ୟା କଲା ?”

“ସତ କହିବାକୁ ଗଲେ ସାରଦା ବାବୁ ! ମୋ ଜାଣିବାରେ ସ୍ଵପ୍ନାର ଆତ୍ମହତ୍ୟା କରିବାର କିଛି କାରଣ ନ ଥିଲା । କାରଣ ତା’ପରି ସବୁବେଳେ ଖୁସି ଥିବା ଝିଅ ଦେଖିବାକୁ ଖୁବ୍ କ୍ଵଚିତ୍ ମିଳେ । ତା’ପରେ ପଢ଼ା ପଢ଼ିରେ ସେ ତ ଖୁବ୍ ଭଲ କରୁଥିଲା । ପୁଣି ଏଇ ଅତ୍ୟାଧୁନିକା ଝିଅମାନଙ୍କ ପରି କାହାକୁ ପ୍ରେମ କରି ବ୍ୟର୍ଥ ହେଲା ପରେ ଆତ୍ମହତ୍ୟା କରିବା ଝିଅ ସେ ନ ଥିଲା । କାରଣ ଆମ ଝିଅ ମହଲରେ ଆମେ ବେଶ୍ ଜାଣୁ ଯେ, ସେ କାହାକୁ ପ୍ରେମ କରୁ ନ ଥିଲା । ତେଣୁ ଏ ସବୁ ଅବସ୍ଥାରେ ସେ ଯେ କାହିଁକି ଆତ୍ମହତ୍ୟା କଲା, କହିବା ବଡ଼ କଷ୍ଟକର ।”

ରୀତା ଏତକ ବେଶ୍ ଅମାୟିକ ଭାବରେ କହିଗଲା । ମୁଁ ଏସବୁ ଶୁଣି ସାରିଲା ପରେ ପୁଣି କ’ଣ ପଚାରିବି ଚିନ୍ତାକରି ପାରୁ ନ ଥିଲି । କିନ୍ତୁ ଯେତେବେଳେ ଆସିଛି, କିଛି ତ ଗୋଟାଏ ସଠିକ୍ ବୁଝିଯିବା ଦରକାର । କିନ୍ତୁ କ’ଣ ବୁଝିବି । ତଥାପି କିଛି ସମୟ ପରେ ଯଦୁବାବୁଙ୍କ ସ୍ତ୍ରୀଙ୍କୁ ପଚାରିଲି, “ଆପଣ କହି ପାରିବେ କି, ପୁଷ୍ପା ଦେବୀଙ୍କର ନିଜର ଦାଦାଙ୍କୁ ଛାଡ଼ି ଦେଲେ ଆଉ କେହି ବନ୍ଧୁ ବାନ୍ଧବ ଅଛନ୍ତି ?”

“ମୋ ଜାଣିବାରେ କେହି ନାହାନ୍ତି । କାରଣ ନିଜର ଦାଦା ଛଡ଼ା ସେ ତ ଆଉ କାହାରି କଥା କେବେ କହି ନାହାନ୍ତି !”

ମୁଁ ଦେଖିଲି ପୁଣି ସେଇ ଅବସ୍ଥା । ମୋର ସବୁ ପ୍ରଶ୍ନର ସମସ୍ତେ ଏମିତି ଉତ୍ତର ଦେଉଛନ୍ତି ଯେ, ଆଉ ପ୍ରଶ୍ନ ପଚାରିବା ସମ୍ଭବ ହେଉନି । ଯାହାକୁ ଚେସ୍‍ରେ କହନ୍ତି ଷ୍ଟେଲମେଟ୍, ସେଇ ଅବସ୍ଥା ସୃଷ୍ଟି ହୋଇଛି । ଦେଖିଲି ଆଉ ଏଠି ବୃଥା ସମୟ ନଷ୍ଟ କରି ଲାଭ ନାହିଁ । ତେଣୁ ବାଧ୍ୟ ହୋଇ କହିଲି,

“ଆଚ୍ଛା ଯଦୁବାବୁ । ମୁଁ ଆସୁଛି । କୁମାରର ଓ ମୋର ଆସିଥିଲୁ ସାହୁବାବୁଙ୍କ ଘର ଆଡ଼େ । ମୁଁ ଭାବିଲି ଆପଣ ଯେହେତୁ ପଡ଼ିଶା ଆପଣଙ୍କୁ ଟିକେ ଖବରଟା ଦେଇଦେବା ଉଚିତ୍ ।” କହି ମୁଁ ଉଠିଲି ।

“ଆସିଲେ ଭଲ କଲେ ।” କହି ଯଦୁବାବୁ ଉଠିଲେ ।

ରୀତା ନମସ୍କାର କଲା, ମୁଁ ତାକୁ ପ୍ରତି ନମସ୍କାର ଜଣାଇ ବାହାରିଲି । ଯେତେବେଳେ ଫାଟକ ଡେଇଁ ରାସ୍ତାକୁ ଆସିଲି, କେବଳ ଗୋଟାଏ ଚିନ୍ତା ମୋ ମୁଣ୍ତରେ ପଶିଥିଲା,-କାଲି ରାତିରେ ଯଦୁବାବୁ କୁଆଡ଼େ ଯାଇଥିଲେ ? ପୁଣି ଭୋର ଚାରିଟା ଯାଏଁ କ’ଣ କରୁଥିଲେ ? ମୁଁ ଯଦୁବାବୁଙ୍କୁ ଖୋଜୁଛି ଶୁଣି ତାଙ୍କ ସ୍ତ୍ରୀ କାହିଁକି ଏତେ ଭୟଭୀତ ହୋଇଗଲେ ? ପରନ୍ତୁ ଯଦୁବାବୁ ଯେ କହିଲେ, “ସେଠି ଯାହା ହେଲା ନ ହେଲା ସେ କଥା ଘରେ ଆସି କହିବାକୁ ସେ କିଏ ?” ଏ କଥାର ଅର୍ଥ କ’ଣ ? –ଏ ସବୁର ଉତ୍ତର ମୁଁ ଖୋଜି ପାଉ ନ ଥିଲି । ମତେ ଲାଗୁଥିଲା ଯଦୁବାବୁଙ୍କ ଘରେ ମଧ୍ୟ ବହୁତ ରହସ୍ୟ ଲୁଚି ରହିଛି । କିନ୍ତୁ ଏ ରହସ୍ୟ ସଙ୍ଗେ କ’ଣ ସ୍ଵପ୍ନା ରହସ୍ୟର ସମ୍ପର୍କ ଥାଇପାରେ ? କେଜାଣି, ସେଇ କୁମାର ଜାଣିଥିବ ।

ଫାଟକ ଖୋଲି ମୁଁ ସାହୁବାବୁଙ୍କ ବଗିଚା ଭିତରକୁ ପଶିଲି ।

ଡ୍ରଇଂ ରୁମ୍‍ରେ ସାହୁବାବୁ, ପୁଷ୍ପାଦେବୀ ଓ କୁମାର ବସିଥିଲେ । ପୁଷ୍ପାଦେବୀ ବିହ୍ଵଳ ହୋଇ ଅନେଇ ରହିଥିଲେ କୁମାର ଆଡ଼େ । ଆଉ କୁମାର ଭୀଷଣ ଚିନ୍ତାରେ ମଜ୍ଜିରହିଥିଲା । ନିଶ୍ଚୟ ଯେ କ’ଣ ଗୋଟାଏ ଘଟିଛି, ଏଥିରେ ମୁଁ ନିଃସନ୍ଦେହ ଥିଲି । କିନ୍ତୁ ଦିନ ଦି’ ପହରଟାରେ ପୁଣି କ’ଣ ଘଟିଲା ? ଆଶ୍ଚର୍ଯ୍ୟ ହେଉଥିଲି ମୁଁ ।

ମୁଁ କୁମାରକୁ ପଚାରିଲି, “କିରେ ପୁଣି କ’ଣ ହେଲା ?”

କୁମାର କିଛି ନ କହି ମୋ ହାତକୁ ଖଣ୍ତେ ଲଫାପା ବଢ଼ାଇ ଦେଲା । ଲଫାପା ନେଇ ମୁଁ ଦେଖିଲି ଲଫାପାଟା ପୁଷ୍ପା ଦେବୀଙ୍କ ପାଖକୁ ସାହୁବାବୁଙ୍କ ଜରିଆରେ ଆସିଛି । ଉପରେ ଶେଖ୍ ବଜାର ପୋଷ୍ଟ ଅଫିସର ମୋହର ବସିଛି । ମାନେ ଶେଖ୍ ବଜାର ପୋଷ୍ଟ ଅଫିସରେ ଚିଠି ପଡ଼ିଛି । ଏହା ଦେଖି ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । କାରଣ ଶେଖ୍ ବଜାର ମାତ୍ର ମାଇଲିଏ ଦୂରରେ । ସେଠାରୁ ଜଣେ ଲୋକ ନିଜେ ନ ଆସି ଡାକରେ ଚିଠି ପଠାଇବାର ମାନେଟା କବାର ମାନେଟା କ’ଣ ହୋଇ ପାରେ! ମୁଁ ଭାବି ପାରୁ ନ ଥିଲି । ଉତ୍କଣ୍ଠାର ସହିତ ଲଫାପା ଭିତରୁ ଚିଠିଟା କାଢ଼ିଲି ।

ସେଇ ହାତର ଅକ୍ଷର ।

ଚିଠିଟା ଯେ ସ୍ଵପ୍ନା ଲେଖିଛି, ଏଥିରେ ସନ୍ଦେହ କରିବାର କିଛି ନଥିଲା । ଆଗର ଦୁଇଟି ଯାକ ଚିଠି ସାଙ୍ଗରେ ଏ ଚିଠିର ଅକ୍ଷର ଯେ ନିଶ୍ଚୟ ମିଶିଯିବ, ଏଥିରେ ମୋର ବିଶ୍ଵାସ ଥିଲା । ଚିଠିଟାକୁ ପଢ଼ିବାକୁ ଆରମ୍ଭ କଲି ମୁଁ । ଲେଖାଥିଲା ।

 

ଅପା ଲୋ,

 

ତତେ ଏତେ କହିଲି । ଏତେ ଲେଖିଲି । ଟିକିଏ ଆସିଲୁନି । ରାତିରେ ଲୁଚି ଲୁଚି ତୋ ପାଖକୁ ଗଲି । ତେବେ ବି ଦେଖା ଦେଲୁନି । ଦିନରେ ମୁଁ ସିନା ଯିବା ଅବସ୍ଥାରେ ନାହିଁ, କିନ୍ତୁ ତୁ ତ ଆସି ପାରନ୍ତୁ । ମତେ ଏଠିକୁ ପଠାଇଦେଇ ତୁ କ’ଣ ମତେ ଏକଦମ୍ ଭୁଲି ଗଲୁ, ହଉ ଛାଡ଼୍, ସେଟା ମୋ ଭାଗ୍ୟ । ତେବେ ତତେ ଦେଖିବାକୁ ବହୁତ ଇଚ୍ଛା ହେଉଛି, ଯଦି ଆଜି ସନ୍ଧ୍ୟା ୭ଟା ବେଳକୁ ଜୋବ୍ରା କୂଳକୁ ଆସନ୍ତୁ, ତେବେ ନିଶ୍ଚୟ ଦେଖା ହୁଅନ୍ତା । ଆସିବୁନା ? ଅପେକ୍ଷା କରିଥିବି । ଆଉ ଭାଇ ! ସେ କିମିତି ଅଛନ୍ତି ? ସମୟ ଥିଲେ ତାଙ୍କୁ ବି ସାଙ୍ଗରେ ଆଣିବୁ । ଥା ରହୁଛି ।

 

। ଇତି ।

ତୋର ସ୍ଵପ୍ନା

 

ଚିଠିଟା ପଢ଼ି ସାରି ଆସ୍ତେ ଆସ୍ତେ ଆଖି ଉଠାଇ ଅନାଇଲି, ପ୍ରଥମେ ଆଖି ପଡ଼ିଲା ସାହୁବାବୁଙ୍କ ଉପରେ । ସେ ଆଗ ଚିଠି ଅପେକ୍ଷା ଏ ଚିଠି ପାଇ ବେଶୀ ବିବ୍ରତ ଜଣା ପଡୁଥିଲେ । ଆଖିରେ ଭୟ ଓ ଆଶଙ୍କା ଲାଖି ରହିଥିଲା । ହେବା କଥା ବି, ଏଇ ହେଲା ପ୍ରଥମ ଚିଠି, ଯେଉଁଥିରେ କି ତାଙ୍କ ବିଷୟରେ ଲେଖା ହୋଇଛି । ଏପରି ଚିଠି, ଯେଉଁଥିରେ କି ତାଙ୍କ ବିଷୟରେ ଲେଖା ହୋଇଛି । ଏପରି କି ତାଙ୍କୁ ମଧ୍ୟ ଯିବାକୁ ଅନୁରୋଧ କରାହୋଇଛି ।

 

ତା’ ପରେ–

 

ପୁଷ୍ପାଦେବୀ, ତାଙ୍କ କଥା ନ କହିଲେ ଚଳେ । କାରଣ କାଲି ରାତିର ସେ ମାନସିକ ଧକ୍କା ପରେ ଆଜିର ଏ ଚିଠି ! ମୁଁ ତ ଭାବୁଥିଲି ଏମିତି ଯଦି ଆଉ ବେଶୀ ଦିନ ଚାଲେ, ତେବେ ସେ ନିଶ୍ଚୟ ପାଗଳ ହୋଇଯିବେ ।

 

ବାକି ରହିଲା କୁମାର । ମୋର ତା’ ଉପରେ ଆଖି ପଡ଼ିବା କ୍ଷଣି ମୁଁ ଦେଖିଲି, ସେ ବେଶ୍ ଖୁସିରେ ହସୁଛି । ଆଶ୍ଚର୍ଯ୍ୟ ହେଲି ମୁଁ । ଏ ଅବସ୍ଥାରେ ଅନ୍ତତଃ ଭଦ୍ରାମୀ ଦୃଷ୍ଟିରୁ ଯେ କେହି ହସିବା ଉଚିତ ନୁହେଁ ବୋଲି ମୁଁ ନିଶ୍ଚିତ ଥିଲି । ମୁଁ ସେମିତି ଦୁଇ ମିନିଟ କାଳ ତା ମୁହଁକୁ ଅନାଇଁ ରହିଲି । ଭାବିଲି, ମୁଁ ଏମିତି ଅନାଇଁ ରହିଲେ ସେ ହସ ବନ୍ଦ କରିବ । ସେ କିନ୍ତୁ ସେମିତି ନିର୍ଲଜ୍ଜ ଭାବରେ ହସୁଥିଲା । ବାଧ୍ୟ ହୋଇ ବିରକ୍ତିରେ ମୁଁ ପଚାରିଲି ।

 

“କିରେ ! ଏମିତି ହସୁଛୁ କାହିଁକି ?”

 

“ଖୁସି ଅଛି” ବେଶ୍ ନିର୍ବିକାର ଭାବରେ ସେ କହିଲା ।

 

ତାର ଏ ଉତ୍ତରରେ ପୁଷ୍ପାଦେବୀ ଆଉ ସାହୁବାବୁ ତା ଆଡ଼କୁ ବୁଲି କରି ଅନାଇଲେ ।

 

“କିରେ ! ଖୁସି କ’ଣ ଅଛୁ ?” ପୁଣି ପଚାରିଲି ମୁଁ ।

 

“ଖୁସି ହେବିନି, ସମସ୍ୟାର ଏତେ ସୁବିଧାରେ ଯଦି ସମାଧାନ ହୋଇଗଲା, ଖୁସି ହେବିନି ଆଉ କ’ଣ କାନ୍ଦିବି ?”

 

ଆଗ୍ରହ ଓ ଉତ୍କଣ୍ଠା ନେଇ ସାହୁବାବୁ ଓ ପୁଷ୍ପାଦେବୀ ଏକା ସଙ୍ଗେ ପଚାରିଲେ, “କ’ଣ, ଆପଣ ସମାଧାନ କରି ଦେଇଛନ୍ତି ?”

 

“ନାଁ, ନାଁ ସମାଧାନ ମୁଁ କରିନି, ତା ମନକୁ ସମାଧାନ ହୋଇ ଯାଇଛି ।”

 

“ମାନେ !” ଆଶ୍ଚର୍ଯ୍ୟ ହୋଇ ପଚାରିଲି ମୁଁ ।

 

“କିରେ ! ଆଜି ସନ୍ଧ୍ୟା ବେଳେ ସାଙ୍ଗ ହୋଇ ସମସ୍ତେ ଜୋବ୍ରା କୁଳକୁ ଯିବା ଓ ଦେଖିବା ସ୍ଵପ୍ନା କିଏ । ବେଶ୍ ସମାଧାନ ହୋଇଯିବ ।” ଏତକ କହି ସେ ହଠାତ୍ ଚୁପ୍ ହୋଇଗଲା ।

 

ତା’ପରେ ମୁଁ ଦେଖେ, ତାର ହସ ସେମିତି ହଠାତ୍ ବନ୍ଦ ହୋଇଗଲା । କପାଳ କୁଞ୍ଚି ହେବା ଆରମ୍ଭ ହୋଇଗଲା । ପୁଣି ଯେ ସେ କାହିଁକି ଚିନ୍ତାମଗ୍ନ ହେଲା, ମୁଁ ବୁଝି ପାରୁ ନଥିଲି । କିଛି ସମୟ ପରେ ସେ କହିଲା ।

 

“ଦେଲୁ, ଦେଲୁ ସାରଦା, ଚିଠିଟା ଦେଲୁ, ମୁଁ ଆଉ ଟିକିଏ ଦେଖେ ।”

 

ଚିଠିଟାକୁ ମୁଁ ବଢ଼ାଇଦେଲି । ଚିଠିଟାକୁ ସେ ପୁଣି ନିବିଷ୍ଟ ଚିତ୍ତରେ ଦେଖିବାକୁ ଲାଗିଲା । ଏଇ ସାଧାରଣ ଚିଠିଟାରୁ ଆଉ ଯେ ବିଶେଷ କ’ଣ ଅର୍ଥ ବାହାରି ପାରିବ, ମୁଁ ଭାବିପାରୁ ନଥିଲି । କିଛି ସମୟ ପରେ କୁମାର ଚିଠିରୁ ଆଖି ଉଠାଇ ସାହୁବାବୁଙ୍କୁ ଉଦ୍ଦେଶ୍ୟ କରି କହିଲା,

 

“ସାହୁବାବୁ ! ସତିଆ ନାହିଁ କି ?”

 

“ହଁ ଅଛି, କାହିଁକି ?” ସାହୁବାବୁ କହିଲେ ।

 

“ଟିକିଏ ଡାକନ୍ତୁ, କାମ ଅଛି ।” କୁମାର କହିଲା ।

 

ସାହୁବାବୁ ସେଇଠି ବସିରହି ସତିଆ, ସତିଆ ଡାକ ପକାଇଲେ । ସତିଆ ଆସି ସଙ୍ଗେ ସଙ୍ଗେ ପହଞ୍ଚିଲା । ସେ ପହଞ୍ଚିବା ପରେ କୁମାର ସାହୁବାବୁଙ୍କୁ ପଚାରିଲା ।

 

“ଆପଣଙ୍କର ଶୋଇବା ଘରେ ଟେଲିଫୋନ୍‍ଟା ଅଛିପରା ।”

 

“ହଁ” କହି ବିସ୍ମୟରେ ସାହୁବାବୁ କୁମାରକୁ ଅନାଁଇଲେ ।

 

କୁମାର କିନ୍ତୁ ସତିଆକୁ ଲକ୍ଷ୍ୟ କରି କହିଲା, “ସତିଆ ? ଟିକେ ଯାଅ, ଡବଲ ଟୁକୁ ଫୋନ କରି କହିଦିଅ ଆଜି ଆମେ ଦିହେଁ ଘରକୁ ଫେରୁ ଫେରୁ ରାତି ହୋଇଯିବ ।”

 

କୁମାରର ଏ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଅବଶ୍ୟ ଡବଲ୍ ଟୁ ଆମର ଘରର ଫୋନ୍ ନମ୍ଵର । କିନ୍ତୁ ସେଠି ତ କେହି ନାହିଁ । ଫୋନ କରି କାହାକୁ କହିବ ସତିଆ । ପରନ୍ତୁ ଯଦି ବା କେହି ଥାନ୍ତା, ତେବେ ବି ଆମର ତ ଅନେକ ଦିନ ଏମିତି ରାତିରେ ଫେରୁ ଫେରୁ ଡେରି ହୁଏ । ତେଣୁ ଫୋନ କରିବା କ’ଣ ଦରକାର । କୁମାର ଯେ ଏ ପାଗଳାମୀ କାହିଁକି ଆରମ୍ଭ କରିଛି, ମୁଁ ଭାବିପାରୁ ନଥିଲି । ମୋ ଚିନ୍ତାଧାରାରେ ବାଧା ଦେଇ ସତିଆ କହିଲା ।

 

“ଆଜ୍ଞା ! ମତେ ଫୋନ୍‍ କରି ଆସେନା ।”

 

ସତିଆ ପାଟିରୁ କଥା ସରିବା ପୂର୍ବରୁ “ମୁଁ କରି ଦେଉଛି” କହି ସାହୁବାବୁ ଉଠିବା ଆରମ୍ଭ କଲେ । କୁମାର କିନ୍ତୁ ତାଙ୍କୁ ହାତ ଧରି ବସାଇଦେଲା, କହିଲା–

 

“ଦେଖନ୍ତୁ ଆପଣମାନେ ବିବ୍ରତ । ତେଣୁ ବିଶ୍ରାମ ନେବା ଦରକାର । କେଜାଣି ପୁଣି ଜୋବ୍ରା କୂଳରେ କ’ଣ ହେବ କିଏ ଜାଣେ, ତେଣୁ ଯେତେ ସମ୍ଭବ ବିଶ୍ରାମ ନିଅନ୍ତୁ ।” ତା’ ପରେ ମତେ ଉଦ୍ଦେଶ୍ୟ କରି କହିଲା, “ସାରଦା ! ଗଲୁ ଫୋନ କରି ବସାକୁ ଖବର ପଠାଇ ଦେ ।”

 

ଅଗତ୍ୟା ମୁଁ ଉଠିଲି ।

 

କିନ୍ତୁ କାହା ପାଖକୁ ମୁଁ ଫୋନ କରିବି ଜାଣି ପାରୁ ନ ଥିଲି । କୁମାରର ଏ ଅବାନ୍ତର ଅନୁରୋଧର ଯେ ଅର୍ଥ କ’ଣ ଥାଇପାରେ ବୁଝିବା ବଡ଼ କଷ୍ଟକର ହେଉଥିଲା । ତଥାପି ବାଧ୍ୟ ହୋଇ ମିଛରେ ଯାଇ ଫୋନ କଲି ।

 

ସନ୍ଧ୍ୟା ସାଢେ ଛଅଟାରେ ଦୁଇଟି ରିକ୍ସା ଭଡ଼ା କରି ମୁଁ, କୁମାର, ସାହୁବାବୁ ଓ ପୁଷ୍ପାଦେବୀ ଜୋବ୍ରା କୂଳକୁ ବାହାରିଲୁ। ସେଠି ପହଞ୍ଚିଲା ବେଳକୁ ଅନ୍ଧାର ହୋଇ ଯାଇଥିଲା । ତେବେ ରିକ୍ସାରୁ ଓହ୍ଲାଇ ପଡ଼ି ପୁଷ୍ପାଦେବୀ ଓ ସାହୁବାବୁ ଏ ଆଡ଼କୁ ସେ ଆଡ଼କୁ ବ୍ୟସ୍ତ ହୋଇ ଅନାଇବାକୁ ଲାଗିଲେ । ମୁଁ ଓ କୁମାର ମଧ୍ୟ ଚାରି ଆଡ଼କୁ ଅନାଇଲୁ । କେଉଁଠି ହେଲେ ଗୋଟାଏ ଅଳ୍ପ ବୟସ୍କ ଝିଅକୁ ଦେଖିବାକୁ ମିଳିଲାନି । ରିକ୍ସାକୁ ଛାଡ଼ି ଦେଇ ଆଉ ଟିକେ ଅପେକ୍ଷା କରିବୁ କି ନାଇଁ ଠିକ୍ କରିବା ପୂର୍ବରୁ ଦେଖିଲୁ ଜଣେ ସୁଶ୍ରୀ ଭଦ୍ରଲୋକ ଆମ ଆଡ଼କୁ ଆଗେଇ ଆସୁଛନ୍ତି ।

 

ସେ ସିଧା ପୁଷ୍ପା ଦେବୀଙ୍କ ପାଖକୁ ଯାଇ ପଚାରିଲେ “ଆପଣ କ’ଣ ପୁଷ୍ପାଦେବୀ” ।

 

“ହଁ…ହଁ…” କହି ପୁଷ୍ପା ଦେବୀ ବ୍ୟସ୍ତ ହୋଇ ଉଠିଲେ ।

 

କୁମାର ସେମାନଙ୍କ ପାଖକୁ ଆଗେଇ ଗଲା, କୁମାର ସେଠି ପହଞ୍ଚିଲା ବେଳକୁ ସେ ଭଦ୍ରଲୋକ ପୁଷ୍ପା ଦେବୀଙ୍କୁ ପଚାରୁଥିଲେ,–“ଆପଣ କ’ଣ ସ୍ଵପ୍ନାକୁ ଅପେକ୍ଷା କରିଛନ୍ତି ?”

 

ପୁଷ୍ପାଦେବୀ କିଛି ବୁଝି ନ ପାରି ମୁଣ୍ତ ଟୁଙ୍ଗାରିଲେ-ସାହୁବାବୁ କ’ଣ କହିବେ କହିବେ ହୋଇ ରହିଗଲେ । ମୁଁ ବି ଆଗେଇ ଯାଇଥିଲି । କିନ୍ତୁ କ’ଣ ପଚାରିବି ଜାଣିପାରୁ ନ ଥିଲି । କାରଣ ପ୍ରଥମତଃ ସ୍ଵପ୍ନାର ସ୍ଥିତି ଗୋଟାଏ ପ୍ରହେଳିକା । ସେ ଚିଠି ଦେବା ଗୋଟାଏ ବିକୃତ ସମସ୍ୟା । ତା’ପରେ ପୁଣି ସେ ଆଜି ଏଠିକୁ ଆସିବ ବୋଲି ଲେଖିସାରିବା ପରେ ଏ ଭଦ୍ରଲୋକଙ୍କର ଆବିର୍ଭାବ କାହିଁକି ? ଇଏ କିଏ ? ୟାଙ୍କର ସ୍ଵପ୍ନା ସଙ୍ଗେ ପୁଣି କ’ଣ ସମ୍ପର୍କ ?

 

କାହାକୁ କିଛି କହିବାକୁ ନ ଦେଇ କୁମାର ପଚାରିଲା, “ଆପଣ କ’ଣ ସ୍ଵପ୍ନା ପାଖରୁ ଆସିଛନ୍ତି ?”

 

“ଆଜ୍ଞା ହଁ” ସେ ଭଦ୍ରଲୋକ ଜଣକ କହିଲେ ।

 

“ସ୍ଵପ୍ନା ସଙ୍ଗେ ଆପଣଙ୍କର ସମ୍ପର୍କ କ’ଣ ?” କୁମାର ବେଶ୍ ଅମାୟିକ ଭାବରେ ପଚାରିଲା, ଯଦିଓ ମୁଁ ଭାବୁଥିଲି ଏପରି ପ୍ରଶ୍ନ ପଚାରିବା ଏକଦମ୍ ଅଭଦ୍ରତା ହେବ ।

 

ପ୍ରଥମେ ସେ ଭଦ୍ରଲୋକ ଏକଦମ୍ ଆଶ୍ଚର୍ଯ୍ୟ ହୋଇ କୁମାର ଆଡ଼େ ଅନାଇଁ ରହିଲେ । ତା’ପରେ କହିଲେ–

 

“ସ୍ଵପ୍ନା ପରା ମୋର ସ୍ତ୍ରୀ !”

 

ତାଙ୍କର ଏ ଉତ୍ତର ଶୁଣି ମୁଁ, ସାହୁବାବୁ ଓ ପୁଷ୍ପା ଦେବୀ ଏକଦମ୍ ଚମକିପଡ଼ିଲୁ; କିନ୍ତୁ କୁମାରର କିଛି ହେଲାନି । ସେ ବରଂ ବେଶ୍ ସ୍ଵାଭାବିକ ସ୍ଵରରେ କହିଲା–

 

“I am sorry; କିନ୍ତୁ ସ୍ଵପ୍ନା ତ ନିଜେ ଆସିବ ବୋଲି ଚିଠି ଲେଖିଥିଲା, ନିଜେ ନ ଆସି……ଆପଣଙ୍କୁ…….” କହି କୁମାର ଚୁପ୍ ହେଲା ।

 

“ତାଙ୍କ ଦେହ ଭଲ ନାହିଁ । ସେଥିପାଇଁ ମତେ ନିଜେ ଆସିବାକୁ ହେଲା, ସେ କହିଛନ୍ତି ଆପଣମାନଙ୍କୁ ନେଇକରି ଯିବାକୁ ।”

 

ତାଙ୍କର ଏ କଥାରେ ମୁଁ ବିସ୍ମିତ ହେଲି । କାରଣ ଆମେ ଯେ ଏଠିକି ଆସିବୁ, ଏ କଥା ସ୍ଵପ୍ନା ଜାଣିଲା କେମିତି । ମୋ ଚିନ୍ତାଧାରା ସଙ୍ଗେ ତାଳ ରଖି କୁମାର କହିଲା, “ସ୍ଵପ୍ନା କ’ଣ କହିଛି ଆମେ ଦୁହେଁ ଯିବାକୁ ?”

 

ତାକୁ ଉତ୍ତର ଦେବାକୁ ଯାଇ ଭଦ୍ରଲୋକ ଜଣକ କହିଲେ, “ଆପଣ ବୋଧହୁଏ କୁମାର ବାବୁ ଓ ସେ ଆପଣଙ୍କର ସାଙ୍ଗ ସାରଦା ବାବୁ । ସ୍ଵପ୍ନା କହିଥିଲେ, ଯଦି କୁମାର ବାବୁ ଓ ସାରଦା ବାବୁ ଆସିଥିବେ, ତାଙ୍କୁ ମଧ୍ୟ ସାଙ୍ଗରେ ଡାକିଆଣିବ । ତା’ପରେ ସେ ମତେ ଆପଣଙ୍କ ବର୍ଣ୍ଣନା ଯେପରି ଭାବରେ ଦେଲେ, ସେଥିରେ ଏଠି ଆପଣଙ୍କୁ ଚିହ୍ନିବାରେ ଭୁଲ କହିବାର ସମ୍ଭାବନା ନ ଥିଲା ।”

 

ତାଙ୍କର ଏ ଉତ୍ତରରେ କୁମାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ମୋ ସଙ୍ଗେ ଓ କୁମାର ସଙ୍ଗେ ତଥାକଥିତ ସ୍ଵପ୍ନାର ତ କେବେ ଦେଖାହୋଇ ନାହିଁ ! ତେବେ ସେ ଏତେ ସଠିକ୍ ବର୍ଣ୍ଣନା ଦେଲା କେମିତି ?

 

କୁମାରର ଏ ବାକ୍ୟାଳାପ ବେଳେ ସାହୁବାବୁ ଓ ପୁଷ୍ପା ଦେବୀ କେବଳ ସ୍ତମ୍ଭୀଭୂତ ହେଲାପରି ଠିଆ ହୋଇଥିଲେ । କାରଣ, ଯାହାର ମୃତ୍ୟୁ ହେବାର ଦୁଇମାସ ହୋଇଗଲାଣି, ତାର ପୁଣି ବିବାହ ହୋଇଛି । ତା’ ଦେହ ଭଲ ନାହିଁ । ସେ ପୁଣି ତା’ ସ୍ଵାମୀକୁ ପଠାଇଛି । କି ଅବାନ୍ତର କଥା ! ମତେ ଲାଗୁଥିଲା, ଆମେ ସମସ୍ତେ ଯେମିତି ପାଗଳ ହୋଇଗଲୁଣି । ତା ନୋହିଥିଲେ, ଏମିତି ଅବାସ୍ତବ କଥାରେ ବିଶ୍ଵାସ କରି ଆମେ ଅନୁସନ୍ଧାନ ପୁଣି କରନ୍ତୁ କେମିତି ?

କୁମାର କିନ୍ତୁ ବେଶ୍ ଚିନ୍ତାଗ୍ରସ୍ତ ଜଣାପଡ଼ୁଥିଲା । କପାଳରେଖା ତା’ର କୁଞ୍ଚିତ ହୋଇଉଠିଥିଲା । ପକେଟ ଦି’ଟାରେ ହାତ ଭର୍ତ୍ତି କରି ଆଗକୁ ଝୁଙ୍କିପଡ଼ି ସେ କ’ଣ ସବୁ ଚିନ୍ତା କରୁଥିଲା ।

କିଛି ସମୟ ପରେ ସେ ହିଁ କହିଲ, “ଚାଲନ୍ତୁ ତେବେ ଯିବା, ଡେରି କରି ଲାଭ କିଛି ନାହିଁ-। କିନ୍ତୁ ଆପଣଙ୍କର ନାଁଟା ଯେ ଜାଣି ପାରିଲୁ ନି ଆମେ !”

“ମୋ ନାଁ ତ୍ରିଲୋଚନ ଚୌଧୁରୀ” କହି ଭଦ୍ରଲୋକ ଚୁପ୍ ହେଲେ ।

ଆମେ ଆସି ଯେଝା ରିକ୍ସାରେ ଯିଏ ବସିଲୁ । ତ୍ରିଲୋଚନ ବାବୁ ମଧ୍ୟ ଗୋଟାଏ ରିକ୍ସା କରି ଆଗରେ ଚାଲିଲେ । ଆମ ରିକ୍ସା ତାଙ୍କ ରିକ୍ସା ପଛେ ପଛେ ଚାଲିଲା ।

କିଛି ସମୟପରେ ।

ଘଣ୍ଟାକୁ ଅନାଇଲି, ୮ଟା ବାଜିଛି ।

ରିକ୍ସା ଶେଖ୍‍ ବଜାର ଭିତରକୁ ପଶିଲା ।

ଅହେତୁକୀ ଭାବରେ ଦେହଟା ମୋର ଶୀତେଇ ଉଠିଲା । କାରଣ ସକାଳ ଚିଠି ଏଇ ଶେଖ୍ ବଜାରରୁ ଆସିଥିଲା । ଏବେ ପୁଣି ଆମେ ସେଇ ବଜାର ଭିତରକୁ ପଶୁଛୁଁ । କ’ଣ ଯେ ଶେଷକୁ ଫଳାଫଳ ହେବ, ମୁଁ ଜାଣିପାରୁ ନ ଥିଲି । ଆଗରେ ତ୍ରିଲୋଚନ ବାବୁଙ୍କ ରିକ୍ସା, ତା’ ପଛରେ ଆମର, ସବାପଛରେ ସାହୁ ବାବୁ ଓ ପୁଷ୍ପା ଦେବୀ । ଏଇ ଯେ ତ୍ରିଲୋଚନ ବାବୁ, ସେ କିଏ-! ସେ ଯେତେବେଳେ ଆମ ସଙ୍ଗରେ ଅଛନ୍ତି, ସେ ତ ନିଶ୍ଚୟ ଆମକୁ କେଉଁଠାକୁ ହେଲେ ନେଇକରି ଯିବେ । କାରଣ ନ ହେଲେ କୁମାର ତାଙ୍କୁ ଛାଡ଼ିବନି । ତେବେ ସେ ଯେଉଁଠିକି ଆମକୁ ନେଇକରି ଯିବେ, ସେଠି ଆମେ କାହାକୁ ଦେଖିବୁ ? ସତେ କ’ଣ ସ୍ଵପ୍ନାକୁ ଦେଖିବୁ ? କିନ୍ତୁ ସେ ତ ମରିସାରିଛି–ଆଉ ଆଗକୁ ମୋ ଚିନ୍ତା ଆଗେଇ ପାରୁନ ଥିଲା; ବରଂ ଦେହ ମୋର ଭୟରେ ଶୀତେଇ ଉଠୁଥିଲା ।

 

ମୋ ଚିନ୍ତାରେ ବାଧାଦେଇ ତ୍ରିଲୋଚନ ବାବୁଙ୍କ ରିକ୍ସା ଅଟକିଲା ଗୋଟାଏ ଫାଟକ ପାଖରେ । ଆମ ରିକ୍ସା ଅଟକିଲା ବେଳକୁ ତ୍ରିଲୋଚନ ବାବୁ ରିକ୍ସାରୁ ଓହ୍ଲାଇ ରିକ୍ସାବାଲାକୁ ପଇସା ଦେଇସାରିଥିଲେ ।

 

ତା’ପରେ ଆମକୁ ଉଦ୍ଦେଶ୍ୟ କରି କହିଲେ “ଆସନ୍ତୁ ।”

 

ଆମେ ପଛକୁ ଅନାଇଲୁ । ସାହୁ ବାବୁଙ୍କ ରିକ୍ସା ଟିକେ ପଛରେ ପଡ଼ିଯାଇଥିଲା । ଆମେ ତ୍ରିଲୋଚନ ବାବୁଙ୍କୁ କହିଲୁ, “ଆପଣ ଚାଲନ୍ତୁ, ଆମେ ଆସୁଛୁ ।”

 

ତ୍ରିଲୋଚନ ବାବୁ ଫାଟକ ଖୋଲି ଭିତରକୁ ପଶିଲେ । ଠିକ୍ ପରେ ପରେ ସାହୁ ବାବୁଙ୍କ ରିକ୍ସା ଆସି ପହଞ୍ଚିଲା । ପୁଷ୍ପା ଦେବୀ କେମିତି ଗୋଟାଏ ବିହ୍ଵଳ ଭାବରେ ଓହ୍ଲାଇବାର ଆମେ ଦେଖିଲୁ । ସାହୁ ବାବୁ ତାଙ୍କୁ କହୁଥାନ୍ତି, “ଦେଖ, ତମେ ଏମିତି nervous ହେଲେ କେମିତି ହେବ-? ଟିକିଏ ଧୈର୍ଯ୍ୟଧର । ଆମ ସାଙ୍ଗେ ପରା କୁମାର ବାବୁ ଅଛନ୍ତି !”

 

ଯା’ ହେଉ ପୁଷ୍ପା ଦେବୀଙ୍କୁ ସାଙ୍ଗରେ ଧରି ଆମେ ଫାଟକ ଖୋଲି ଭିତରକୁ ପଶିଲୁ ।

 

ବିଶୁଦ୍ଧ ଅନ୍ଧକାର ଭିତରେ ଠିଆ ହୋଇଥିଲା ଗୋଟାଏ ଦୁଇ ମହାଲା କୋଠା । କେବଳ ଦାଣ୍ତଘରେ ଆଲୁଅ ଜଳୁଥିଲା ଓ ଉପର ମହଲାର ଗୋଟାଏ ଘରେ ଆଲୁଅ ଜଳୁଥିଲା । ବାକି ସବୁଘର ଅନ୍ଧକାର ଭିତରେ ଡୁବି ରହିଥିଲା । କେଉଁଠୁ କିଛି ହେଲେ ଶଦ୍ଦ ଆସୁ ନ ଥିଲା । ସବୁଆଡ଼େ ବିରାଜିଥିଲା ମୃତ୍ୟୁ ନୀରବତା ।

 

କୁମାର ମେସିନ ପରି ପାଦେ ପାଦେ ଆଗଉଥିଲା । ଚାରି ଆଡ଼େ ବେଶ୍‍ ସୁତୀକ୍ଷଣ ନଜର ମଧ୍ୟ ପକାଉଥିଲା । କାରଣ ମୋର ଧାରଣା ସେ ଅନୁଭବ କରୁଥିଲା ଯେ, ସ୍ଵପ୍ନାକୁ ଦେଖି ଆସିବା ଯେଡ଼େ ସହଜ ବୋଲି ଆମେ ଭାବୁଥିଲୁ, ଘଟଣାଟା ସେଡ଼େ ସହଜ ନୁହେଁ । ଏଠି ବି ହୁଏ ତ ବହୁତ ଭୟାନକ ରହସ୍ୟ ଲୁଚି ରହିଛି ।

 

କୁମାର ପଛେ ପଛେ ଚାଲିଥିଲେ ପୁଷ୍ପଦେବୀ ଓ ସାହୁ ବାବୁ । ଶେଷରେ ମୁଁ । ଡରରେ ମୁଁ ପ୍ରାୟ ଥରିବା ଆରମ୍ଭ କରିଥିଲି । କାରଣ ସେ ଅନ୍ଧକାର, ସେ ନୀରବତା, ସ୍ଵପ୍ନାର ପ୍ରେତାତ୍ମା ଓ ପରି ଶେଷରେ ଏ ନିକାଞ୍ଚନ କୋଠୀ । ସବୁ ଯେମିତି ଭୀଷଣତାର ଉପହାର ନେଇ ଆମକୁ ଅପେକ୍ଷା କରିଥିଲେ ।

 

କୁମାର ପ୍ରଥମେ ଘର ଭିତରକୁ ପଶି ଖୁବ୍ ଯୋରରେ ଛିଙ୍କି ଉଠିଲା । ପର ମୁହୂର୍ତ୍ତରେ ଚମକିପଡ଼ି ବାହାରକୁ ଚାଲିଆସିଲା ଏବଂ ଚିତ୍କାର କଲା, “ସମସ୍ତେ ସେଇଠି ଠିଆ ହୁଅନ୍ତୁ, କେହି ଭିତରକୁ ପଶନ୍ତୁ ନାହିଁ ।” ତା’ର ଏ ଉଚ୍ଚାରଣରେ ମୁଁ ଚମକି ଡେଇଁପଡ଼ିଲି ଓ ଏକା ଖେପାକେ ଯାଇ କୁମାର ପାଖରେ ପହଞ୍ଚିଗଲି । ପୁଷ୍ପାଦେବୀ ବେହୋସ୍ ହେଉ ହେଉ ରହିଗଲେ । ସେ ହୁଏ ତ ପଡ଼ିଯାଇଥାନ୍ତେ, ତାଙ୍କୁ ସାହୁ ବାବୁ ଧରି ପକାଇଲେ ।

 

ସାହୁ ବାବୁ ଚମକିପଡ଼ି କହିଲେ, “କ’ଣ ହେଲା ? କ’ଣ ହେଲା କୁମାର ବାବୁ ?”

 

ମୁଁ ଘର ଭିତରକୁ ଉହୁଙ୍କି ଦେଖିବାକୁ ଲାଗିଲି; କିନ୍ତୁ ଯାହା ଦେଖିଲି, ମୁଁ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲିନି । ଦାଣ୍ତଘରେ ଆଲୁଅ ଜଳୁଥିଲା । ଗୋଟାଏ ସୋଫା ସେଟ୍ ପଡ଼ିଥିଲା । କାନ୍ଥର ଗୋଟାଏ କଡ଼କୁ ଥିଲା ଗୋଟାଏ କାନ୍ଥ ଆଲମିରା, କିନ୍ତୁ…କିନ୍ତୁ ସବୁ ଆସବାବ ଉପରେ ଜମିରହିଥିଲା ବହଳିଆ ଧୂଳି । ଚଟାଣରେ ମଧ୍ୟ ଜମିରହିଥିଲା ଧୂଳି । ଯେ କେହି ଦେଖିଲେ ସହଜରେ କହିବ, ଘରଟା ବହୁ ଦିନ ହେଲା ବ୍ୟବହାର ହେଉ ନାହିଁ । କିନ୍ତୁ…କିନ୍ତୁ ଆମେ ତ ଏଇ ଅଳ୍ପ ସମୟ ପୂର୍ବରୁ ଦେଖିଲୁ, ତ୍ରିଲୋଚନ ବାବୁ ଏ ଘର ଭିତରକୁ ପଶିଲେ । ଚଟାଣରେ ଏତେ ଧୂଳି, ଅଥଚ ସେଥିରେ ତାଙ୍କର ପାଦଚିହ୍ନ ପଡ଼ିନି । ପରନ୍ତୁ ଏ ଘରୁ ଯେଉଁ ଗୋଟାଏ ଦୁଆର ଭିତରପଟକୁ ଅଛି, ସେଟା ଏଇପଟୁ ବନ୍ଦ ହୋଇଛି । ତା’ହେଲେ ତ୍ରିଲୋଚନ ବାବୁ ଗଲେ କେମିତି-? କେଉଁ ଆଡ଼େ ?

 

ଅଜାଣତରେ ମୋ ପାଟିରୁ ବାହାରିପଡ଼ିଲା, “ବଡ଼ ଆଶ୍ଚର୍ଯ୍ୟ ।”

 

ମୋ ପାଟିରୁ ଏ କଥା ଶୁଣି ପୁଷ୍ପା ଦେବୀ ଓ ସାହୁ ବାବୁ ଘର ଭିତରକୁ ଅନାଇଲେ । ସେମାନେ ବି ଦେଖିସାରି ସମସ୍ୟା ବେଶ୍ ହୃଦୟଙ୍ଗମ କରିପାରିଲେ । ପୁଷ୍ପା ଦେବୀ ତ ଭୟ ଓ ବିସ୍ମୟରେ ଏଡ଼େ ଏଡ଼େ ଆଖିକରି ଅନାଇ ରହିଲେ ।

 

ସାହୁ ବାବୁ ଥା…ଥା…ମା…ମା ହୋଇ କହିଲେ, “କିନ୍ତୁ…କିନ୍ତୁ…କୁମାର ବାବୁ । ତ୍ରିଲୋଚନ ବାବୁ ତ ଏଇନେ ଏଇବାଟେ ପଶିଥିବେ ।”

 

“ହୁଁ” କହି କୁମାର ଚୁପ୍ ହେଲା । ଆଖି ତା’ର ଚିନ୍ତାରେ ନେଳୀରଙ୍ଗ ହୋଇଉଠିଥିଲା । କାନପାଖ ଶିରା ଦି’ଟା ଦପ୍ ଦପ୍ କରି ପଡ଼ୁଥିଲା ଓ ଉଠୁଥିଲା ।

ୟା’ପରେ ଯେ କ’ଣ କରାଯିବ, ମୋ ମୁଣ୍ତରେ ପଶୁ ନ ଥିଲା ।

ସେମିତି କିଛି ସମୟ ଠିଆହୋବାପରେ କୁମାର କହିଲା, “ସାହୁ ବାବୁ ! ଆଉ ଏଠି ଠିଆହୋଇ ଲାଭ ନାହିଁ । ଆପଣ ପୁଷ୍ପା ଦେବୀଙ୍କୁ ସାଙ୍ଗରେ ନେଇ ଘରକୁ ଯା’ନ୍ତୁ । ଟିକିଏ ବିଶ୍ରାମ ନିଅନ୍ତୁ, ଆମେ ଯାଇ ପହଞ୍ଚୁଛୁ ।”

ସାହୁ ବାବୁ ପୁଷ୍ପାଦେବୀଙ୍କୁ ଧରି ଫାଟକ ପାଖକୁ ଆଗେଇଲେ । ଆମେ ତାଙ୍କ ପଛେ ପଛେ ଚାଲିଲୁ । ଠିକ୍ ଫାଟକ ପାଖରେ ପହଞ୍ଚି ମୁଁ ପୁଣି ସେ ଘର ଆଡ଼କୁ ବୁଲି ଅନାଇଲି ।

ଘରଟା ସେମିତି ଅନ୍ଧକାରରେ ଡୁବି ରହିଥିଲା ।

ଉପର ସେ କୋଠରୀଟା ୟା ଭିତରେ ଅନ୍ଧାର ହୋଇ ଯାଇଥିଲା ।

କେବଳ ଦାଣ୍ତଘରେ ଆଲୁଅଟା ସେମିତି ଜଳୁଥିଲା ।

ବୋଧହୁଏ, ଆମକୁ ଅଟ୍ଟହାସ୍ୟ କରୁଥିଲା ।

ବଡ଼ ବିସ୍ମିତ ହେଉଥିଲି ମୁଁ । ସ୍ଵପ୍ନାର ମୃତ୍ୟୁ ପରେ ତା’ର ପ୍ରେତାତ୍ମାର ଅବିର୍ଭାବ । ପୁଣି ତାକୁ ଦେଖିବାକୁ ଆସି ଆମେ ଏଠି ପହଞ୍ଚିଛେ । ପରିଶେଷରେ ଯେଉଁଲୋକ ଆମକୁ ଦେଖାଇବାକୁ ଆଣିଲେ ସେ ମଧ୍ୟ ଉଭାନ୍ ହୋଇଗଲେ, ବିଚିତ୍ର ସମସ୍ୟା !

କିନ୍ତୁ ତୁହାକୁ ତୁହା ମୋ ମନରେ ଗୋଟାଏ ପ୍ରଶ୍ନ ଉଠୁଥିଲା, ଏ ସବୁ ଘଟୁଛି କାହିଁକି ?

 

ସାହୁ ବାବୁ ଓ ପୁଷ୍ପା ଦେବୀ ରିକ୍ସାରେ ଚାଲିଯାଇଥିଲେ । କୁମାର ମଧ୍ୟ ଆମ ରିକ୍ସାକୁ ବିଦାକରିଦେଇ ପାଦେ ପାଦେ ଆଗଉଥିଲା । ମୁଁ ତା ପଛେ ପଛେ ଚାଲିଲି ।

 

କିଛିବାଟ ଏମିତି ଗଲାପରେ ମୁଁ ସାହସ କରି ପଚାରିଲି, “ଆଚ୍ଛା କୁମାର ! ତ୍ରିଲୋଚନ ବାବୁ ଯେଉଁ ଘରକୁ ଗଲେ, ସେ ଘରର ପଡ଼ିଶାଙ୍କୁ ପଚାରିଥିଲେ ତ ଜଣାପଡ଼ିଥାନ୍ତା, ସେ ଘରେ କିଏ ରହୁଛନ୍ତି କି ନାହିଁ ?”

 

“କିଛି ଲାଭ ହୋଇ ନ ଥାନ୍ତା, କାରଣ ପଡ଼ିଶା ନିଶ୍ଚୟ କହିଥାନ୍ତେ ଯେ, ଆଜ୍ଞା ଗଲା କେତେମାସ କିମ୍ଵା କେତେବର୍ଷ ହବ ସେଠି କେହି ରହୁନାହାନ୍ତି ।”

 

“ତୁ କେମିତି ଜାଣିଲୁ ଯେ, ସେ ଏକଥା କହିଥାନ୍ତେ ।”

 

“ଉତ୍ତରଟା ଖୁବ୍ ସହଜ ଓ ସରଳ । ପ୍ରଥମତଃ ସେ ଘରେ ଯେତେ ଧୂଳି ଜମିଛି ତାକୁ ଦେଖିଲେ ଯେ କେହି କହିଦେବ ଯେ, ସେ ଘରେ କେହି ରହୁନାହାନ୍ତି । ଦ୍ଵିତୀୟରେ ଯଦି କେହି ସେ ଘରେ ରହୁଥାନ୍ତେ, ତେବେ କେହି ଯେ ସେଠି ରହୁନାହାନ୍ତି, ଏ ପ୍ରକାର ଗୋଟାଏ ବିଶ୍ଵାସ ସୃଷ୍ଟି କରିବାପାଇଁ ଏତେ ଚେଷ୍ଟା କରାହୁଅନ୍ତା, କାହିଁକି ? ନାଁ ସାରଦା, ନାଁ, ସେ ଘରେ ଯେ କେହି ରହୁନାହାନ୍ତି, ଏଥିରେ ସନ୍ଦେହ କରିବାର କିଛି ନାହିଁ ।”

 

“ତେବେ ! ତ୍ରିଲୋଚନ ବାବୁ ଗଲେ କେଉଁଆଡ଼େ ?”

 

“ସେଇଟା ସମସ୍ୟା ନୁହେଁ ସାରଦା । ସମସ୍ୟା ହେଲା, ତ୍ରିଲୋଚନ ବାବୁ କିଏ ? ତାଙ୍କର ଏ ରହସ୍ୟ ସାଙ୍ଗେ ସମ୍ଵନ୍ଧ କ’ଣ ?”

 

“ହଁ, ସେ ବି ଗୋଟାଏ କଥା ।” କହି ମୁଁ ଚିନ୍ତାମଗ୍ନ ହେଲି ।

 

ବାଟରେ ଆମେ ଆଉ କିଛି କଥା ହୋଇନୁ, ସେମିତି ଚୁପ୍ ଚାପ୍ ଚାଲି ଚାଲି ଆସି ସାହୁ ବାବୁଙ୍କ ଘରେ ପହଞ୍ଚିଲୁ । ଦାଣ୍ତଘରେ ସାହୁ ବାବୁ ବସିଥିଲେ । ନିଜେ ବସିସାରିବା ପରେ କୁମାର ପଚାରିଲା, “ପୁଷ୍ପା ଦେବୀ କୁଆଡ଼େ ଗଲେ ?”

 

“ତାଙ୍କର ମୁଣ୍ତ କ’ଣ ହେଲା, ସେ ଶୋଇଛନ୍ତି ।”

 

“ଶୋଇପଡ଼ନ୍ତୁ । ଭଲ, ବିଶ୍ରାମ ତାଙ୍କର ନିହାତି ଦରକାର ।”

 

“ନାଇଁ ତାଙ୍କୁ କ’ଣ ସେମିତି ନିଦ ହେଉଛି କି ? ଡାକ୍ତରଙ୍କୁ ଦେଖାଇଲାପରେ ଡାକ୍ତର କହିଛନ୍ତି ଯେ, ଏମିତି ମୁଣ୍ତ ବିନ୍ଧିଲେ ଗୋଟିଏ ନିଦ ବଟିକା ଖୁଆଇ ତାଙ୍କୁ ଶୁଆଇ ପାକାଇବେ । ତା’ ପରେ ତାଙ୍କରି ନିର୍ଦ୍ଦେଶ ଅନୁସାରେ, ସେ ଯେଉଁ ବଟିକା ଲେଖିଦେଲେ, ତାକୁହିଁ ଖୁଆଇ ଶୁଆଇଦେବାକୁ ପଡ଼ୁଛି । କିନ୍ତୁ କୁମାର ବାବୁ ! ଏମିତି କେତେଦିନ ଚାଲିବ ! ଯଦି ଏ ସମସ୍ୟାର ଶୀଘ୍ର ସମାଧାନ ନ ହୁଏ, ତେବେ ସେ ହୁଏତ ପାଗଳ ହୋଇଯାଇ ପାରନ୍ତି । ସେତେବେଳେ ମୁଁ କ’ଣ କରିବି, ନାଇଁ–କୁମାର ବାବୁ ! ଆପଣ ଶୀଘ୍ର ଗୋଟାଏ କିଛି କରନ୍ତୁ । ଆପଣ ଯେତେ ଫିସ୍ ନେବାକୁ କହିବେ, ମୁଁ ଦେବାକୁ ରାଜି ଅଛି । କିନ୍ତୁ ବୁଝୁନାହାନ୍ତି, ସେ ପାଗଳ ହୋଇଗଲେ ମୋର ଆଉ ଏ ଦୁନିଆଁରେ ରହିବ କିଏ ? ମୁଁ ବା ବଞ୍ଚିବି କାହିଁକି ?” କଥାର ଶେଷ ଆଡ଼କୁ ସାହୁ ବାବୁ ଉତ୍ତେଜନା; ଦୁଃଖ ଓ ବ୍ୟସ୍ତତାରେ ମ୍ରିୟମାଣ ହୋଇ ପ୍ରାୟ କାନ୍ଦିବାକୁ ଆରମ୍ଭ କରିଦେଇଥିଲେ ।

 

ତାଙ୍କର ଏ କଥା ଶୁଣି ମୁଁ କ’ଣ କୁମାର ମଧ୍ୟ ବ୍ୟସ୍ତ ହୋଇପଡ଼ିଲା । ସେ କହିଲା, “ଦେଖନ୍ତୁ ସାହୁ ବାବୁ, ମୁଁ ମୋର ସବୁ ଚେଷ୍ଟା କରୁଛି, କିନ୍ତୁ ଯେଉଁଯାଏଁ ସମସ୍ୟାଟା ସେଇ ଭୂତ ଓ ପ୍ରେତାତ୍ମା ସ୍ତରରେ ଅଛି, ସେ ଯାଏଁ ମୁଁ କ’ଣ କରିପାରିବି ? ଏଇ ତ ଆପଣ ଦେଖିଲେ । ଆମେ ଏତେ ଆଶା ନେଇ ଗଲେ, ଅଥଚ ଶେଷରେ ସ୍ଵପ୍ନା ତ ସ୍ଵପ୍ନା, ତ୍ରିଲୋଚନ ବାବୁ ମଧ୍ୟ ଉଭାନ ହୋଇଗଲେ । ତେବେ ଶୁଣନ୍ତୁ, ମୁଁ ଗୋଟାଏ ଯୋଜନା କରୁଛି । ଯଦି ଆଜି ରାତିରେ ସେଇଟା କାର୍ଯ୍ୟକାରୀ ହୁଏ, ତେବେ ଅନ୍ତତଃ କାଲି ସକାଳୁ ସମସ୍ୟାର ସମାଧାନ ହୋଇଯିବ ।”

 

ୟା’ ଭିତରେ କୁମାର ଯେ ପୁଣି ନୂଆ ଯୋଜନା କଲା କେତେବେଳେ, ବୁଝିପାରୁ ନ ଥିଲି ମୁଁ । ସାହୁବାବୁ କିନ୍ତୁ ବେଶ୍ ଆଗ୍ରହ ଓ ଆଶା ନେଇ କହିଲେ-

 

“କୁହନ୍ତୁ, କୁହନ୍ତୁ କୁମାର ବାବୁ । ଯେତେ ଶୀଘ୍ର ୟାର ସମାଧାନ ହୋଇଯିବ, ସେତେ ଶୀଘ୍ର ମଣିଷ ରକ୍ଷା ପାଇବ ।”

 

“ଶୁଣନ୍ତୁ ମୋ ଯୋଜନା,” କୁମାର ବେଶ୍ ଗମ୍ଭୀର ହୋଇ ଆରମ୍ଭ କଲା, “ଏ ଯୋଜନାରୁ ପୁଷ୍ପା ଦେବୀଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦେଇ ଦେବାକୁ ହେବ ।”

 

ସଙ୍ଗେ ସଙ୍ଗେ ସାହୁ ବାବୁ କହିଉଠିଲେ, “ସେଟା ତ ସମ୍ଭବ, କାରଣ ତାଙ୍କୁ ଯେଉଁ ନିଦ ଔଷଧ ଦିଆ ହେଉଛି, ସେଥିରେ ତାଙ୍କର ସକାଳ ପୂର୍ବରୁ ନିଦ ଭାଙ୍ଗୁନି ।”

 

“ବେଶ୍ ଭଲ କଥା, ତାଙ୍କୁ ବାଦ୍ ଦେବାର ପ୍ରଧାନ କାରଣ ହେଲା ତାଙ୍କର ମାନସିକ ଅବସ୍ଥା । ଗଲାରାତିର ଘଟଣା ପରେ ଆଜି ପୁଣି ତାଙ୍କୁ ୟା ଭିତରକୁ ଟାଣିବାକୁ ମୁଁ ସମୀଚୀନ ଓ ନିରାପଦ ମନେକରୁନି । ମୁଁ ବର୍ତ୍ତମାନ ଆମ ଘରକୁ ଫେରିଯାଉଛି । ସାରଦା ଏଇଠି ରହୁ । ମୁଁ ଜଣକ ହାତରେ ମୋର ଫ୍ଲାସ୍ କାମେରା ଓ ଗୋଟାଏ ନୂଆ ରିଲ ଲୋଡ୍‍ କରି ପଠାଇଦେବି । ଆପଣ ସାହୁ ବାବୁ, ସାରଦାକୁ ନେଇ ରାତିରେ ଏଇଘରେ ଜଗି ରହିବେ ଏବଂ ସ୍ଵପ୍ନାର ପ୍ରେତାତ୍ମା ଆସିଲେ ସାରଦା ତୁ ଫଟ କେତେଟା ତାର ଉଠାଇ ନେବୁ । ଦୁଇ ତିନିଟା ଫଟ ନେଲେ ଚଳିବ । କାଲି ସକାଳେ କାମେରାକୁ ଧରି ମୋ ପାଖକୁ ଗଲେ ସେଇଠି ଡେଭଲପ୍ କରି ଦେଖିନେବା, ସେ ସ୍ଵପ୍ନାର ପ୍ରେତାତ୍ମାନା ଆଉ କିଏ ? କ’ଣ କହୁଛନ୍ତି ସାହୁ ବାବୁ ?” କହି କୁମାର ଚୁପ୍ ହେଲା ।

 

କୁମାରର ଏ ଯୋଜନା ଶୁଣି ସାହୁ ବାବୁ ବେଶ୍ ଖୁସି ହେଲାପରି ଜଣାପଡ଼ିଲେ ଏବଂ କହିଲେ, “କୁମାର ବାବୁ ! ଆପଣ ନିଜେ ଆଜି ରହନ୍ତୁନା ।”

 

ଦେଖନ୍ତୁ ସାହୁବାବୁ, ସେଇ ଯେଉଁ defense file କେଶ୍ କଥା କହୁଥିଲି, ସେଇଟା ନେଇ ମୁଁ ଭୀଷଣ ବ୍ୟସ୍ତ । ଏଯାଏ ସେଇଟାର ସମାଧାନ ହେଲା ନାହିଁ । ସେଥିପାଇଁ ମତେ ରାତି ସାରା କାମ କରିବାକୁ ପଡ଼ୁଛି । ତା’ ପରେ ଏ ଯେଉଁ ଅବସ୍ଥା ଏଠି ଉପୁଜିଛି, ମୋର ଧାରଣା ମୋ ଅପେକ୍ଷା ସାରଦା ଏଠି ବେଶ୍ କାମ କରିପାରିବ, ଯେତେବେଳେ ମୁଁ ଅନୁଭବ କରିବି ଯେ ମୋ ରହିବା ଦରକାର, ସେତେବେଳେ ମୁଁ ନିଶ୍ଚୟ ରହିବି ।” କହି କୁମାର ଉଠିବାକୁ ଆରମ୍ଭ କଲା ।

 

ତା’ପରେ ସାହୁ ବାବୁଙ୍କୁ ନମସ୍କାର କରି ସେ ବାହାରକୁ ଚାଲିଗଲା । ମୋର ଭାରୀ ଆଶା ଥିଲା, ଯିବାପୂର୍ବରୁ ମତେ ସେ କିଛି ବିଶେଷ ସଙ୍କେତ ଦେଇଯିବ । ଅଥବା ଇସାରାରେ ଡାକି ବାହାରେ ନେଇ କିଛି କହିବ; କିନ୍ତୁ କିଛି ନାହିଁ । ବେଶ୍ ଅମାୟିକ ଭାବରେ ଚାଲିଗଲା । କିନ୍ତୁ ମୁଁ ବୁଝିପାରିଲିନି, ଫଟ ଉଠାଇବା ଛଡ଼ା ମତେ ଆଉ କ’ଣ କରିବାକୁ ହେବ । ଅବଶ୍ୟ ମୁଁ ନିଶ୍ଚିତ ଥିଲି ଯେ, ଆଉ କିଛି କରିବା ହିଁ ହେଉଛି ତା’ର ଉଦ୍ଦେଶ୍ୟ । କିନ୍ତୁ କ’ଣ ସେଇଟା । ତା’ପରେ ପୁଣି ସେଇ defense file କେଶ୍, ସେ ଦିନ ନିଜେ ସେ କହିଲା ଯେ ଏମିତି କେଶ୍ କିଛି ନାହିଁ । ଅଥଚ ଆଜି ପୁଣି ସେଇ କେଶ୍‍ର ବାହନା ଦେଖାଇ ଚାଲିଗଲା । ମୋ ମନରେ ତୁହାକୁ ତୁହା ପ୍ରଶ୍ନ ଉଠୁଥିଲା, ସେ କାହିଁକି ଏଠି ରାତିରେ ରହିବାକୁ ଇଚ୍ଛା କରୁନି ? ମୁଁ ନିଶ୍ଚିତ ଥିଲି ଯେ, ସେ ମାତ୍ର ଗୋଟାଏ ରାତି ଏଠି ରହିଲେ କେଶଟାକୁ ନିଶ୍ଚୟ ସମାଧାନ କରିଦିଅନ୍ତା । କିନ୍ତୁ ସେ ତ ରହୁନି । କାହିଁକି ? ସେ କ’ଣ ସ୍ଵପ୍ନାର ପ୍ରେତାତ୍ମାକୁ ଡରୁଛି ? ନାଁ କାଲି ରାତିରେ କଳା ଓଭର କୋଟ୍ ପିନ୍ଧି ଯିଏ ଆସିଥିଲା, ତାକୁ ଡରୁଛି । କିନ୍ତୁ ସେ ପୁଣି କିଏ ? କାଲି ରାତିରେ ସେ କିଏ ଆସିଥିଲା, କ’ଣ ସେ ତ୍ରିଲୋଚନ ବାବୁ ? ଯଦି ବା ସେ ହୋଇଥିବେ, ତେବେ ତ୍ରିଲୋଚନ ବାବୁ ପୁଣି କିଏ ? ସେ କେଉଁଆଡ଼େ ଉଭାନ୍ ହୋଇଗଲେ ? ସମସ୍ୟା ଉପରେ ସମସ୍ୟା, ମୋ ମୁଣ୍ତ ଆଉ କିଛି କାମ କରୁ ନ ଥିଲା ।

 

ସାହୁ ବାବୁଙ୍କ ଆଡ଼କୁ ମୁହଁ ବୁଲାଇଲି ମୁଁ । ବେଶ୍ ନିଃସହାୟ ଭାବରେ ବସିଥିଲେ ସେ ।

 

ପ୍ରାୟ ଅଧଘଣ୍ଟାକ ପରେ ଜଣେ ଲୋକ ଆଣି କାମେରାଟା ଦେଇଗଲା । ରାତି ତ ପୁଣି ଅନିଦ୍ରାରେ କଟାଇବାକୁ ହେବ । ତେଣୁ ସତିଆକୁ କହି ଦି ଚାରିଖଣ୍ତ ରୁଟି ଓ କିଛି ତରକାରି ଆମେ ଖାଇନେଲୁ । ତା’ପରେ ଦାଣ୍ତ ଘର ଆଲୁଅ ଲିଭାଇଦେଇ ଆରମ୍ଭ ହେଲା ଆମର ଅପେକ୍ଷା । ଝରକାଟାକୁ ଖୋଲିଦେଇ ମୁଁ ବଗିଚା ଭିତରକୁ ଅନାଇଲି । ଭାସିଯାଉଥିବା ମେଘ ଭିତରଦେଇ ଝାପ୍ସା ଝାପ୍ସା ଚନ୍ଦ୍ର କିରଣରେ ବଗିଚାଟା ବେଶ୍ ସୁନ୍ଦର ଦେଖା ଯାଉଥିଲା । ସାହୁ ବାବୁ ବର୍ଣ୍ଣନା କରିଥିବା ଚମ୍ପା ଗଛଟି ପ୍ରାୟ ୩୦ ଫୁଟ ଦୁରରେ ବେଶ୍ ପରିଷ୍କାର ଭାବରେ ଦେଖାଯାଉଥିଲା । କାମେରାଟାକୁ ଟେବୁଲ ଉପରେ ଥୋଇଦେଇ ମୁଁ ଆସି ଗୋଟାଏ ଚୌକିରେ ବସିଲି । ଜଣେ ଜଣେ ପାଳି କରି ଜଗିବା ଅପେକ୍ଷା ଦିହେଁଯାକ ସାଙ୍ଗହୋଇ ଜଗିବା ବୋଲି ମୁଁ ସାହୁବାବୁଙ୍କୁ କହିଲି-। ସେ କହିଲେ, “ଆପଣ ବସିଥାନ୍ତୁ । ମୁଁ ଖାଲି ଟିକେ ତାଙ୍କୁ ଦେଖିଆସେ । ତା’ପରେ ବସିବା ।”

 

ମୁଁ କହିଲି, “ଯାନ୍ତୁ । ଦେଖିଆସନ୍ତୁ ।”

 

ପ୍ରାୟ ପାଞ୍ଚ ମିନିଟ୍ ପରେ ସାହୁ ବାବୁ ଫେରିଆସିଲେ । ମୁଁ ପଚାରିବାରୁ କହିଲେ ଯେ, ପୁଷ୍ପା ଦେବୀଙ୍କୁ ବେଶ୍ ଜୋରରେ ନିଦ ହୋଇଯାଇଛି । ତାଙ୍କଠାରୁ ଏ କଥା ଶୁଣି ମୁଁ ଟିକିଏ ଆଶ୍ଵସ୍ତ ହେଲି । କାହିଁକିନା କାଲି ରାତିରେ ସେ ଘଟଣା ମନେପକାଇଲେ ମୋର ଏବେ ବି ଲୋମମୂଳ ସବୁ ଟାଙ୍କୁରି ଉଠୁଥିଲା । ଆଜି ଯେ କ’ଣ ପୁଣି ଭାଗ୍ୟରେ ଅଛି କେଜାଣି । ମନେ ମନେ କୁମାର ଉପରେ ବିରକ୍ତ ହେଲି । ଆଚ୍ଛା ଲୋକ ! ଠିକ୍ ଅସୁବିଧାବେଳେ ମତେ ଏକୁଟିଆ ଛାଡ଼ିଦେଇ ଚାଲି ଯାଉଛି ।

 

ଏକାଦି କ୍ରମେ ଅପେକ୍ଷା କରି କରି ବୋଧହୁଏ ଆମ ଦୁହିଁଙ୍କୁ ସାମାନ୍ୟ ନିଦ ଲାଗିଆସିଥିଲା, ଖୋଲା ଝରକାଟା ଆସି ବାଡ଼େଇ ହୋଇଯିବା ଶଦ୍ଦରେ ଦୁହେଁଯାକ ଚମକି କରି ଉଠିଲୁ । ମୁଁ ସଙ୍ଗେ ସଙ୍ଗେ ଦେଖିଲି, ଖୋଲା ଝରକାରୁ ଫାଳେ ବନ୍ଦ ହୋଇଯାଇଛି । କେମିତି ବନ୍ଦ ହେଲା ଭାବି ବଗିଚା ଆଡ଼କୁ ଅନାଇବାରେ ମୁଁ ନିଜକୁ ବିଶ୍ଵାସ କରିପାରିଲିନି । ଦେଖିଲି…ସ୍ଵପ୍ନା ପାଦେ ପାଦେ କରି ଝରକା ପାଖରୁ ଦୂରେଇ ଯାଉଛି । ସାହୁ ବାବୁ ବି ବୋଧହୁଏ ମୋରି ସଙ୍ଗେ ସ୍ଵପ୍ନାକୁ ଦେଖିଲେ । କାରଣ ଠିକ୍ ପରମୁହୂର୍ତ୍ତରେ ଫୁସ୍ ଫୁସ୍ ହୋଇ କହିଲେ,

 

“ସାରଦା ବାବୁ ! ଶୀଘ୍ର ଫଟ ଉଠାନ୍ତୁ । ସ୍ଵପ୍ନା ଯେ ଫେରି ଯାଉଛି ।” କଣ୍ଠରେ ତାଙ୍କର ବ୍ୟଗ୍ରତା ଲଖି ରହିଥିଲା ।

 

ମୁଁ କାମେରାଟାକୁ ଝରକା ପାଖକୁ ନେଇ ଉଠିଗଲି, ଚନ୍ଦ୍ର କିରଣରେ ସ୍ଵପ୍ନା ବେଶ୍ ପରିଷ୍କାର ଦେଖା ଯାଉଥିଲା । ତେଣୁ ଫୋକସିଂରେ ବିଶେଷ କଷ୍ଟ ହେଲାନି । ସ୍ଵପ୍ନା ଫେରି ଫେରି ଯାଇ ସେଇ ଚମ୍ପା ଗଛକୁ ଆଉଜି ଠିଆ ହେଲା । କ୍ୟାମେରା ଭିତରେ ଜଣା ପଡ଼ୁଥିଲା ଯେ ସେ ଘରଆଡ଼କୁ ଅନାଇ ଠିଆ ହୋଇଛି । ମୁଁ ଫୋକସିଂ ଟାକୁ ଆଉ ଥରେ ଦେଖି ନେଇ ଫ୍ଳାସଟାକୁ ଜଳାଇ ପ୍ରଥମ ଫଟ ନେଲି । ଫ୍ଳାସ ଆଲୁଅ ତ ସ୍ଵପ୍ନା ନିଶ୍ଚୟ ଦେଖିଥିବ କିନ୍ତୁ କାଇଁ ଟିକେ ବି ତ ବିଚଳିତ ହେଲାନି କି ସେଠାରୁ ଚାଲିଯିବା ପାଇଁ ଚେଷ୍ଟା କଲାନି । ମୁଁ ଲାଗ୍ ଲାଗ୍ ଆଉ ଦୁଇଟି ଫଟ ନେଲି । ତା’ପରେ । ତା’ପରେ ଯେ କ’ଣ କରିବି କୁମାର ତ କହିଯାଇନି ।

 

ସାହୁବାବୁ ଆଡ଼କୁ ଅନାଇଁ କହିଲି, ବର୍ତ୍ତମାନ କ’ଣ କରିବା, ତିନିଟା ଫଟ ଉଠାଇଲେ, ୟାପରେ…”

 

“ତା’ପରେ କ’ଣ କରିବାକୁ ହେବ ତ କୁମାର ବାବୁ କହି ନାହାନ୍ତି । ତେବେ ମୋର ମତ, ଚାଲନ୍ତୁ ଦୁହେଁଯାକ ବଗିଚାକୁ ଯାଇ ସ୍ଵପ୍ନାକୁ ପାଖରୁ ଦେଖିବାକୁ ଚେଷ୍ଟା କରିବା ।”

 

“ଆବଶ୍ୟ ସେଇଟା କଲେ ଗୋଟାଏ ବଡ଼ କାମ ହୋଇଯାନ୍ତା । କାରଣ ଆମେ ନିଶ୍ଚିନ୍ତ ଭାବରେ ଜାଣିପାରନ୍ତୁ ସେ କିଏ ? କିନ୍ତୁ କୁମାର……” ଆଉ କିଛି କହି ପାରିଲିନି ମୁଁ । ମୋ କଥା ମୋରି ପାଟିରେ ରହିଗଲା; କାରଣ ମୁଁ ଝରକାଦେଇ ବଗିଚାକୁ ଅନାଇଁ ଦେଖିଲି ସ୍ଵପ୍ନା ନାଇଁ । ଚମ୍ପାଗଛ ମୂଳ ଫାଙ୍କା ବ୍ୟସ୍ତତାରେ ଉଠି ଯାଇ ମୁଁ ଝରକା ପାଖରେ ଠିଆ ହୋଇ ଚାରିଆଡ଼କୁ ଆଖି ପକାଇଲି, ନାଁ......ସ୍ଵପ୍ନାର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା ।

 

ଗୋଟାଏ ଦୀର୍ଘ ନିଃଶ୍ଵାସ ପକାଇ ମୋ ଚୌକିକୁ ମୁଁ ଫେରିଆସି କହିଲି, “ନାଁ ସାହୁ ବାବୁ, ଆମ ଭାଗ୍ୟରେ ନାହିଁ । ସ୍ଵପ୍ନାକୁ ପାଖରୁ ଦେଖିବା କେବଳ ସ୍ୱପ୍ନା ହୋଇ ହିଁ ରହିଯିବ । ଦେଖି ଟିକେ ଆଲୁଅଟା ଜଳାଇଲେ ।

 

ସାହୁ ବାବୁ ଉଠିଯାଇ ଆଲୁଅ ଜଳାଇଲେ । ସେ ବେଶ୍ ବ୍ୟସ୍ତ ଓ ବିବ୍ରତ ଜଣାପଡ଼ୁଥିଲେ-। ମୁହଁ ତାଙ୍କର ଭୟରେ ଶେତା ଦେଖା ଯାଉଥିଲା । ତାଙ୍କୁ ଆଉ କିଛି ନ କହି ମୁଁ କାମେରାଟାକୁ ଖୋଳରେ ଭର୍ତ୍ତିକରି ରଖିଲି । ଘଣ୍ଟାରେ ଦେଖିଲି ରାତି ଗୋଟାଏ ବାଜିଛି ।

 

ସାହୁ ବାବୁ ଡାକ ପକାଇଲେ, “ସତିଆ…ସତିଆ…”

 

ଘର ଭିତରୁ ନିଦ ମଳ ମଳ ସ୍ଵରରେ ସତିଆ ଆଜ୍ଞା କହିଲା । କିଛି ସମୟ ପରେ ସତିଆ ଆସି ଦୁଆର ମୁହଁରେ ଠିଆହେଲା ।

 

ସାହୁବାବୁ ତାକୁ କହିଲେ, “ସତିଆ, ଦି’ କପ୍ ଚାହା କରି ଆଣ, ଟିକେ ଅଦା ପକାଇ ଭଲକରି କରିବୁ ।”

 

ସତିଆ ଚାଲିଗଲା । ମତେ ଲକ୍ଷ୍ୟ କରି ସାହୁ ବାବୁ କହିଲେ, ମୁଣ୍ତଟା ବିନ୍ଧିବାକୁ ଆରମ୍ଭ କରିଛି । ଟିକେ ଚାହା ନ ଖାଇଲେ ହେବନି ।”

 

କିଛି ସମୟ ପରେ ସତିଆ ଚାହା ଆଣିଲା । ଚାହା ଖାଇସାରିଲା ପରେ ମୁଁ କହିଲି, “ସାହୁ ବାବୁ, ରାତି ତ ଆଉ ଦୁଇ ତିନି ଘଣ୍ଟା ରହିଲା । ଚାଲନ୍ତୁ ଏଇଠି ଟିକିଏ ବିଶ୍ରାମ ନେଇଯିବା । କାରଣ ସକାଳୁ ଉଠି କୁମାର ପାଖକୁ ଯିବାକୁ ପଡ଼ିବ ।” ସାହୁ ବାବୁ ମୋ ପ୍ରସ୍ତାବରେ ରାଜି ହେଲେ-। ତା’ ପରେ ମୋର ନିର୍ଦ୍ଦେଶ ଅନୁସାରେ ଦୁଇଟିଯାକ ଦୁଆର ଭିତରୁ ଦେଇଦେଲେ ସେ । ଆଉ ବିଶେଷ କିଛି କଥାବାର୍ତ୍ତା ନ ହୋଇ ସେଇ ସୋଫା ସେଟ୍ ଉପରେ ଆମେ ଶୋଇବାକୁ ଚେଷ୍ଟା କଲୁଁ-

 

ସକାଳ ଛ’ ଟାରେ ସାହୁ ବାବୁଙ୍କ ଡାକରେ ମୋର ନିଦ ଭାଙ୍ଗିଲା । କାମେରାଟା ସେଇଠି ଟେବୁଲ ଉପରେ ଥୁଆ ହୋଇଥିଲା । ମୁହଁ ନ ଧୋଇ ସେମିତି କୁମାର ପାଖକୁ ଯିବାକୁ ମୁଁ ପ୍ରସ୍ତାବ ଦେଲି । ସେତେବେଳକୁ ପୁଷ୍ପା ଦେବୀ ଉଠି ସାରିଥିଲେ । ତାଙ୍କୁ ଡାକି ସାହୁ ବାବୁ କହିଲେ, “ଦେଖ, ଆମେ ଟିକେ କୁମାର ବାବୁଙ୍କ ପାଖକୁ ଯାଉଛୁ । ତମେ ବ୍ୟସ୍ତ ହେବନି । ଖାଇ ପିଇ ଟିକେ ବିଶ୍ରାମ ନେବ ।”

 

ପୁଷ୍ପା ଦେବୀ ହଁ କି ନାଁ କିଛି କହିଲେ ନାହିଁ । ମତେ ଲାଗିଲା, ଭୟରେ ସେ ଆସ୍ତେ ଆସ୍ତେ ମୂକ ହୋଇଯାଉଛନ୍ତି । କେବଳ ହାତ ଟେକି ସେ ମତେ ନମସ୍କାର କଲେ । ମୁଁ ପ୍ରତିନମସ୍କାର ଜଣାଇ ବାହାରକୁ ପାଦ ପକାଇଲି । ଆମ ବସାରେ ପହଞ୍ଚିଲାବେଳକୁ ଦିନ ୭ଟା ହୋଇଥିଲା ।

 

କୁମାର ଆମକୁ ଅପେକ୍ଷା କରି ପୋର୍ଟିକୋ ତଳେ ଠିଆ ହୋଇଥିଲା । ଆମକୁ ଦେଖିଲକ୍ଷଣି ଅତି ଆଗ୍ରହରେ ପଚାରିଲା, “କିରେ ସାରଦା ! ଫଟ ଉଠାଇଲୁ ।”

 

“ଫଟ ତ ଭାଇ ଉଠାଇଛି । କିନ୍ତୁ କ’ଣ ଉଠିଛି, ନ ଉଠିଛି କହିପାରିବିନି” କହି କାମେରାଟା ତା ହାତକୁ ବଢ଼ାଇଦେଲି ।

 

ସେ ଏକା କ୍ଷେପାକେ ମୋ ହାତରୁ କାମେରାଟା ଝମ୍ପି ନେଇ ଉପରକୁ ଯିବାକୁ ଲାଗିଲା-। ଆମେ ତା ପଛେ ପଛେ ଚାଲିଲୁ । ଉପର ବୈଠକଖାନା ଘରେ ପହଞ୍ଚିଲା ପରେ ସେ ଫଟ ଧୋଇବା ଘର ଭିତରକୁ ପଶିଯାଇ ଭିତରୁ କବାଟ ବନ୍ଦ କଲା, ଆମେ ଦୁହେଁ ସେଠି ବସିରହିଲୁ । ପ୍ରତିମିନିଟ୍ ଯିବା ସଙ୍ଗେ ସଙ୍ଗେ ମୋର ଉତ୍ତେଜନା ବଢ଼ିବାକୁ ଲାଗୁଥିଲା । ସେଥିରେ କେଉଁ ଝିଅର ଫଟ ଉଠିଥିଲା, ଦେଖିବାକୁ ମୋର ମନ ଖାଲି ଛକ ପକ ହେଉଥିଲା ।

 

ପ୍ରାୟ ୧୫ ମିନିଟ୍ ପରେ କୁମାର ଘର ଖୋଲିଲା । ମୁହଁରେ ତା’ର ଲାଖି ରହିଥିଲା ପରିତୃପ୍ତିର ହସ । ମୁଁ ନିଶ୍ଚିତ ହେଇଗଲି ଯେ, ସେ ଝିଅର ଫଟ ଉଠିଛି । ସାହୁ ବାବୁ ମଧ୍ୟ ଅତି ବ୍ୟଗ୍ରତା ଓ ଆନନ୍ଦର ସହିତ ପଚାରିଲେ, “କୁମାର ବାବୁ, କାହାର ଫଟ ଉଠିଛି ?”

 

“ଯାହାର ଉଠିବା କଥା” ହସି ହସି କୁମାର କହିଲା ।

 

କିଛି ବୁଝି ପାରିଲୁନି ଆମେ ।

 

“ମାନେ !” ଆଶ୍ଚର୍ଯ୍ୟରେ ପଚାରିଲି ମୁଁ ।

 

ଉତ୍ତର ଦେବାକୁ ଯାଇ କୁମାର ଫଟ ରିଲ୍‍ଟା ବଢ଼ାଇଦେଲା ମତେ । ସାହୁ ବାବୁ ମଧ୍ୟ ତାଙ୍କ ଚୌକିରୁ ଉଠି ଆସିଲେ । ଫଟ ରିଲ୍‍ଟାକୁ ଝରକାଆଡ଼କୁ ରଖି ଆମେ ଦେଖିବାକୁ ଲାଗିଲୁ । ସମୁଦାୟ ବଗିଚା, ବିଶେଷତଃ ଚମ୍ପାଗଛ ମୂଳଟା ବେଶ୍ ପରିଷ୍କାର ଉଠିଥିଲା ତିନୋଟିଯାକ ଫଟରେ-। କିନ୍ତୁ ଏ କ’ଣ ! ଚମ୍ପାଗଛ ମୂଳରେ ଯେ କୌଣସି ଝିଅ ଠିଆହେବାର ଦେଖାଯାଉନି । ଅସମ୍ଭବ…ଭୟ ଓ ଆଶ୍ଚର୍ଯ୍ୟରେ ଆଖି ମୋର ଢିମା ଢିମା ହୋଇ ଉଠିଲା । ମୁଁ ପୁଣି ଥରେ ତନଖି କରି ଦେଖିଲି । –ନା–କେହି ନାହିଁ । ସ୍ଵପ୍ନା ତ ସ୍ଵପ୍ନା, ତା’ର ଛାଇ ମଧ୍ୟ ସେଠି ନାହିଁ । ଖାଲି ଚମ୍ପା ଗଛଟା ଠିଆ ହୋଇଛି ।

 

ମୋ ହାତରୁ ଫଟ ରିଲ୍‍ଟା ଅଜାଣତରେ ଖସିପଡ଼ିଲା । ସାହୁ ବାବୁ ଆକାଶରୁ ଖସିପଡ଼ିଲା ପରି ଚୌକି ଉପରେ ଦୁଲ୍ କରି ବସି ପଡ଼ିଲେ । ଏକା କୁମାର ହସି ହସି ତଳୁ ଫଟ ରିଲ୍‍ଟା ଗୋଟାଇ ନେଲା ଏବଂ କହିଲା, “କିରେ ଏତେ ନର୍ଭସ୍ କାହିଁକି ?”

 

ମୁଁ ଦୁଇ ମିନିଟ୍ ତା ମୁହଁକୁ ଅନାଇ ରହିଲି । ତା’ ପରେ ପଚାରିଲି, “ତୁ ପରା ଏଇନେ କହିଲୁ ଯାହାର ଫଟ ଉଠିବା କଥା ତା’ ଫଟ ଉଠିଛି !”

 

“ହଁ ତ” ଚୌକିରେ ବସୁ ବସୁ କୁମାର କହିଲା ।

 

“କିନ୍ତୁ କୁମାର ବାବୁ ସ୍ଵପ୍ନା, … ସ୍ଵପ୍ନାର ଫଟ କାହିଁ ?” ସାହୁବାବୁ ବ୍ୟସ୍ତ ହୋଇ ପଚାରିଲେ ।

 

କୁମାର ପୁଣି ବେଶ୍ ଅମାୟିକ ସ୍ଵରରେ କହିଲା, “ଦେଖନ୍ତୁ ସାହୁବାବୁ, ସ୍ଵପ୍ନାର ଫଟ ଉଠିବ କେମିତି । ସେ ପରା ପ୍ରେତାତ୍ମା ହୋଇଗଲାଣି । କାମେରା ସିନା କେବଳ ଜଡ଼ ବସ୍ତୁର ଫଟ ଉଠାଇପାରିବ । ସେଥିପାଇଁ ସେ ଫଟରେ ସ୍ଵପ୍ନା ନାହିଁ ।

 

କୁମାରର ଏ କଥାରେ ମୋର ଆଶ୍ଚର୍ଯ୍ୟ ସୀମା ଟପିଗଲା । ମୁଁ ପଚାରିଲି, “ତା’ମାନେ ତୁ କ’ଣ କହୁଛୁ ଏ କେତେ ଦିନ ହେଲା ପ୍ରକୃତରେ ସ୍ଵପ୍ନାର ପ୍ରେତାତ୍ମା ହିଁ ଆସୁଛି ?”

 

“କାମେରାର ଫଟ ତ ସେଇଆ ହିଁ ପ୍ରମାଣ କରୁଛି ।” କୁମାର କହିଲା । କୁମାର ଏଡ଼େ ନିର୍ଲିପ୍ତ ଭାବରେ କଥାଗୁଡ଼ାକ କହି ଯାଉଥାଏ ଯେ, ମତେ ବଡ଼ ବିରକ୍ତ ଲାଗୁଥାଏ । କୁମାରର କଥାବାର୍ତ୍ତାରୁ ମୁଁ ବେଶ୍ ଜାଣିପାରୁଥାଏ ଯେ ସେ ଆମକୁ ଯେତିକି କହୁଛି, ତା’ଠାରୁ ବେଶୀ ଜାଣିପାରୁଛି । କିନ୍ତୁ ସେ ଅଧିକା ଜାଣିଲା କେମିତି ? ସେ ତ ଏ ଘରୁ ବାହାରିନି । ତା’ ପରେ ସେଠି ତ ରାତିରେ ଯାହା ଦେଖିବା କଥା ମୁଁ ଦେଖିଛି । ଆଜି ଫଟ ମଧ୍ୟ ମୁଁ ଦେଖୁଛି । ସେ ଆଉ ଅଧିକା କେଉଁଠି କ’ଣ ଦେଖିଲା ?

 

ମୋ ଚିନ୍ତାରେ ବାଧା ଦେଇ ସାହୁବାବୁ ପଚାରିଲେ, “ତେବେ କ’ଣ କୁମାର ବାବୁ ଆମକୁ ନିରୁପାୟ ହୋଇ ଏ ଅତ୍ୟାଚାର ସହି ନେବାକୁ ହେବ ।”

 

“କ’ଣ ଆଉ କରିବି କୁହନ୍ତୁ ସାହୁବାବୁ ! ତେବେ ମୁଁ ଭାବିଛି ଆଜି ରାତିରେ ମୁଁ ଗୋଟାଏ ଶେଷ ଚେଷ୍ଟା କରିବି ।” କୁମାର କହିଲା ।

 

କୁମାରର ଏ କଥାରେ ସାହୁବାବୁଙ୍କ ଆଖିରେ ଆଶାର ଆଲୁଅ ଦେଖାଗଲା । ମୁଁ ମଧ୍ୟ ବେଶ୍ ଆଶାନ୍ଵିତ ହେଲି । କାରଣ ମୋର ଧାରଣା ଥିଲା, କୁମାର ସେଠିକୁ ଥରେ ମାତ୍ର ରାତିରେ ଗଲେ ସମସ୍ୟାର ସମାଧାନ ନିଶ୍ଚୟ ହୋଇଯିବ । କାରଣ କୁମାରର ଶକ୍ତି ଯେ ଅମାପ, ଏଥିରେ ମୋର ବହୁଦିନୁ ବିଶ୍ଵାସ ।

 

“ଆପଣ ନିଜେ ଯିବେ କୁମାର ବାବୁ !” ସାହୁବାବୁ କଣ୍ଠରେ ଅବିଶ୍ଵାସ ଓ ଆନନ୍ଦ ନେଇ କହିଲେ ।

 

“ହଁ” କୁମାର ସଂକ୍ଷିପ୍ତ ଉତ୍ତର ଦେଲା ।

 

“ସେଠି ଆଜି ତୁ କ’ଣ କରିବୁ ବୋଲି ଠିକ୍ କରୁଛୁ ।” ମୁଁ ପଚାରିଲି ।

 

“ଦେଖନ୍ତୁ ସାହୁବାବୁ, ମୁଁ ଭାବିଛି ଯେ ସନ୍ଧ୍ୟାବେଳକୁ ସାରଦାକୁ ଆପଣଙ୍କ ଘରକୁ ପଠାଇଦେବି । କାରଣ ସନ୍ଧ୍ୟାବେଳେ ଆପଣମାନଙ୍କ ପାଖରେ ଜଣେ କିଏ ନ ରହିଲେ ପୁଷ୍ପା ଦେବୀ ବିବ୍ରତ ହେବେ । ମୁଁ ଯାଇ ଠିକ୍ ରାତି ସାଢ଼େ ନଅଟାରେ ପହଞ୍ଚିବି । ସଙ୍ଗରେ ମୁଁ ମୋର ରିଭଲଭର ନେଇଥିବି । ଆମେ ସମସ୍ତେ ଜଗି ବସିବା, ପୁଷ୍ପା ଦେବୀ ମଧ୍ୟ । ଯେତେବେଳେ ସ୍ଵପ୍ନାର ପ୍ରେତାତ୍ମା ଆସିବ, ମୁଁ ତାକୁ ଗୁଳି କରିବି । ଅବଶ୍ୟ ଯଦି ସ୍ଵପ୍ନାର ପ୍ରତାତ୍ମା ଆସୁଥାଏ, ତେବେ ଗୁଳି କଲେ ମଧ୍ୟ କାହାରି କିଛି କ୍ଷତି ହେବନି । ଅନ୍ୟ ପକ୍ଷରେ ଯଦି ଆଉ କେହି ଆସୁଥାଏ, ତେବେ ସେ ନିଶ୍ଚୟ ଜଖମ୍ ହେବ ଏବଂ ପଳେଇଯାଇ ପାରିବନି । ଫଳରେ ଆମେ ଜାଣିପାରିବା ସେ କିଏ ଏବଂ ଏଠିକି କାହିଁକି ଆସୁଛି ? କ’ଣ ଆପଣଙ୍କର ମତାମତ କୁହନ୍ତୁ । କୁମାର ସାହୁବାବୁଙ୍କୁ ଲକ୍ଷ୍ୟ କରି ପଚାରିଲା ।

 

ସାହୁବାବୁ କହିଲେ, “ମତେ ଆଜ୍ଞା କ’ଣ ପଚାରୁଛନ୍ତି ? ଏ ବିଷୟରେ ଆପଣ ଯାହା ଠିକ୍ ବୋଲି ଭାବୁଛନ୍ତି କରିବେ । ମତେ ଲାଗୁଛି ଆପଣଙ୍କର ଏ ବ୍ୟବସ୍ଥାରେ ସମାଧାନ ନିଶ୍ଚୟ ହୋଇପାରିବ ।

 

“ଆଚ୍ଛା ସାରଦା, ତତେ ତ ଗୁଳି ଫୁଟାଇ ଆସେନା, ଆପଣ ସାହୁବାବୁ-ଆପଣଙ୍କୁ କ’ଣ ରିଭଲଭର୍ ବା ବନ୍ଧୁକ ଚଳାଇ ଆସେ ।”

 

“ହଁ ମତେ ଗୁଳି ଲକ୍ଷ୍ୟ କରି ଫୁଟାଇ ଆସେ ।” ସାହୁବାବୁ କହିଲେ ।

 

“ତେବେ ତ ଖୁବ୍ ଭଲ କଥା । ମୁଁ ଆଉ କାହିଁକି ଯିବି, ଆପଣ ଓ ସାରଦା ଜଗିବେ ଓ ଆପଣ ଗୁଳି ଫୁଟାଇବେ ।”

 

“ନାଁ…ନାଁ କୁମାର ବାବୁ । ଆପଣ ନିଜେ ଚାଲନ୍ତୁ । ଏଇ ଦେଖନ୍ତୁ ନା କାଲି ରାତିରେ ଆମେ ଦିହେଁ ତ ଥିଲୁ । କିନ୍ତୁ କ’ଣ କିଛି ପାରିଲୁ । ଆମଦ୍ଵାରା କିଛି ହୋଇପାରିବନି । ଆପଣ ଆଜି ରାତିକ ଦୟାକରି ଚାଲନ୍ତୁନା । ଆପଣ ନିଜେ ନ ଗଲେ କିଛି ସମାଧାନ ହୋଇପାରିବନି ।” ବଡ଼ ଅନୁନୟ କରି, ହାତ ଯୋଡ଼ି ସାହୁବାବୁ କହିଲେ ।
 

“ଓହୋ……..ହାତ ଗୋଟାଏ ଯୋଡ଼ୁଛନ୍ତି କ’ଣ ।” କୁମାର ଲଜ୍ଜିତ ହୋଇ କହିଲା, “ମୁଁ କ’ଣ କହୁଥିଲି କି ଆପଣମାନେ ଯଦି କାମ ଚଳେଇଦେଇ ପାରିବେ, ତେବେ ମୁଁ ଟିକେ ସେ defense file case ଟା ବିଶ୍ଳେଷଣ କରନ୍ତି । ଥରେ ତାକୁ ଛାଡ଼ିଲେ ପୁଣି ତା’ର link ଗୁଡ଼ାକ ଏକାଠି କରି କାମ କରିବାକୁ କଷ୍ଟ ହେବ ।”

 

କୁମାରର ଏ କଥାରେ ବଡ଼ ବିରକ୍ତ ଲାଗିଲା ମତେ । କିଛି କେସ୍ ନାହିଁ ଖାଲି ମିଛଟାରେ ଗୋଟାଏ ଲୋକ ବିଚରା ସାହୁବାବୁଙ୍କୁ ଧପୋଉଛି ଓ ହଇରାଣ କରୁଛି । ମୁଁ ବାଧ୍ୟ ହୋଇ ପାଟି ଖୋଲିଲି, “ଦେଖ କୁମାର ! ସେ କେଶ୍‍ଟା ଦିନୁଟେ ବନ୍ଦ କରିଦେଲେ ବିଶେଷ କିଛି କ୍ଷତି ହେବନି । ଏପଟେ ବିଚରା ସାହୁବାବୁ ଓ ପୁଷ୍ପା ଦେବୀ ଏତେ ହଇରାଣ ହେଉଛନ୍ତି । ତୁ ରାତିକ ପାଇଁ ତାଙ୍କ ଘରକୁ ଚାଲ ।”

 

“ଆଚ୍ଛା, ଆଚ୍ଛା ଯିବା,” କହି କୁମାର ଚୁପ୍ ହେଲା ।

 

ମୋ ଆଡ଼କୁ ସାହୁବାବୁ କୃତକୃତ୍ୟ ହୋଇ ଅନାଇ ଧନ୍ୟବାଦଟା ଜଣାଇଲେ ।

 

ତା’ପରେ କହିଲେ, “ତେବେ କୁମାର ବାବୁ ମୁଁ ଆସୁଛି । ସେ ପଟେ ସେ ବ୍ୟସ୍ତ ହୋଇ ଅପେକ୍ଷା କରିଥିବେ ।”

 

“ନାଇଁ……..ଆପଣ ଶୀଘ୍ର ଯାନ୍ତୁ,” କୁମାର କହିଲା ।

 

ମୁଁ ସାହୁବାବୁଙ୍କୁ ବଳାଇଦେଇ ଆସିବାପାଇଁ ଉଠିଲି । ସାହୁବାବୁ କବାଟ ଦେଇ ଯାଉ ଯାଉ କୁମାରକୁ ପୁଣି କହିଲେ, “ସାରଦା ବାବୁ ତ ସଂଧ୍ୟାବେଳକୁ ଯିବେ । କିନ୍ତୁ ଆମେ ଆପଣଙ୍କୁ ସାଢ଼େ ନଟା ବେଳକୁ ଅପେକ୍ଷା କରିଥିବୁ ।”

 

କୁମାର କେବଳ ଗୋଟାଏ ଅମାୟିକ ହସ ହସିଲା । ସାହୁବାବୁଙ୍କୁ ତଳେ ଛାଡ଼ିଦେଇ ମୁଁ ଫେରି ଆସିଲି ।

 

ଘର ଭିତରେ ପଶି ପ୍ରଥମେ କୁମାରକୁ ପଚାରିଲି, କିରେ ! ତୁ ଗୋଟେ ସବୁବେଳେ defense file case କ’ଣ କହୁଛୁ । ସାହୁବାବୁ ଘରକୁ ତୁ ଯେ କାହିଁକି ଯିବାକୁ ମୋଟେ ରାଜିନୁହଁ, ମୁଁ ବୁଝି ପାରୁନି ।”

 

କିନ୍ତୁ ମୋ କଥାର ଉତ୍ତର ନ ଦେଇ କୁମାର ମତେ ଓଲଟି ପଚାରିଲା, “ଆଚ୍ଛା ସାରଦା, ତମେ ଦିହେଁ ଯେତେବେଳେ କାଲି ରାତିରେ ଦାଣ୍ତଘରେ ଜଗିଥିଲ, ସେତେବେଳେ ସେ ଘରକୁ କେହି ଆସିଥିଲେ କି ?”

 

“ନାଁ ତ । କାହିଁକି ?” ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

“ଆଚ୍ଛା, ଫଟ ଉଠାଇ ସାରିଲା ପରେ ତମେ ଦିହେଁ କ’ଣ କଲ ?”

 

“ଚାହା କପେ ଲେଖାଏଁ ଖାଇସାରି ଦୁଆର ଭିତରୁ ଦେଇ ସେଇ ଘରେ ଶୋଇ ରହିଲୁ-।”

 

“କ’ଣ ତୁ ଏକୁଟିଆ ଶୋଇଲୁ ନା ଦିହେଁଯାକ ଶୋଇଲ ?”

 

“ବଡ଼ ଅଜବ ଲୋକ ! କିରେ ତୁ ପରା ଆମ ଦୁହିଁଙ୍କୁ ଏକାଠି ରହିବାକୁ କହିଥିଲୁ ?”

 

“ତା’ମାନେ ତମେ ଦିହେଁ ସେ ଘର ଭିତରୁ କବାଟ ଦେଇ ଶୋଇଲ ।”

 

“ହଁ ତ । କିନ୍ତୁ…କାହିଁକି ?” ମୁଁ ପଚାରିଲି ।

 

“ନାଇଁ ଏମିତି,” କହି ଚୁପ୍ ହେଲା କୁମାର । ତା’ପରେ ମୁହଁରେ ପାଇପ୍‍ଟା ଦେଇ ଜାକି ଜୁକି ହୋଇ ବସି ରହିଲା ଆରାମ ଚୌକିରେ । ଖୁବ୍ ଗୋଟାଏ ଚିନ୍ତାରେ ଡୁବି ରହିଲାପରି ଜଣା ପଡ଼ୁଥିଲା । ଏତେ ଦିନ ତା’ ପାଖେ ଚଳିଲା ପରେ ମଧ୍ୟ କୁମାର ମୋ ପାଖରେ ବେଶୀ ବେଶୀ ରହସ୍ୟମୟ ହୋଇ ଉଠୁଥିଲା ।

 

ଠିକ୍ ରାତି ସାଢ଼େ ସାତଟାରେ ମୁଁ ଯାଇ ସାହୁବାବୁଙ୍କ ଘରେ ପହଞ୍ଚିଲି । ଦାଣ୍ତଘରେ ସ୍ଵାମୀ ଓ ସ୍ତ୍ରୀ ଦୁହେଁଯାକ ବସିଥିଲେ । ସାହୁବାବୁ ରାତିର ଯୋଜନା ବିଷୟରେ ସବୁ କିଛି ସ୍ତ୍ରୀଙ୍କୁ କହିଦେଇ ଥିଲେ । ଅବଶ୍ୟ ସବୁ କଥା କହିଦେବା କେତେଦୂର ଠିକ୍ ବା ଭୁଲ ହେଲା ମୁଁ ଜାଣିପାରୁ ନ ଥିଲି । ତଥାପି ପୁଷ୍ପା ଦେବୀଙ୍କୁ ଯଦି ନ କହିବା କଥା, ତେବେ କୁମାର ତ ସେ କଥା ମତେ କହିଥାନ୍ତା; କିନ୍ତୁ ସେ ତ ଆସିଲାବେଳେ କିଛି କହିଲାନି । କୁମାର କଥା ଚିନ୍ତା କଲା ବେଳକୁ ବଡ଼ ବିରକ୍ତ ଲାଗୁଥିଲା ମତେ । ବଡ଼ ବିଚିତ୍ର ଲୋକ କାହାକୁ କିଛି କହିବନି । ନିଜେ କେବଳ ବସି ଚିନ୍ତା କରୁଥିବ । ସେଇ ସକାଳୁ ପାଇପ୍‍ଟା ମୁହଁରେ ଲଗାଇ ବସିଛି ଯେ, ମୁଁ ଆସିଲାଯାଏ ବି ବସିଥିଲା । ଦିନଯାକ ଖିଆପିଆ ବି ନାହିଁ । ଛାଡ଼, ସେକଥା ଚିନ୍ତା ନ କରି ଗୋଟାଏ ଚୌକି ଅଧିକାର କରି ମୁଁ ବସିଲି ।

 

ବିଶେଷ କିଛି କଥାବାର୍ତ୍ତା ହେବା ପାଇଁ ଇଚ୍ଛା ନ ଥିଲା କି ସୁଯୋଗ ନ ଥିଲା ମଧ୍ୟ, ସାହୁବାବୁଙ୍କ ମୁହଁକୁ ଅନାଇଲି ମୁଁ । ସେ ଆଜି ବେଶ୍ ନିଶ୍ଚିନ୍ତ ଜଣାପଡ଼ୁଥିଲେ । ହେବା କଥା । କୁମାର ଯେ ଆଜି ଆସୁଛି । ଆଉ ପୁଷ୍ପାଦେବୀ, ସେ ବି ଅନେକଟା ସ୍ଵାଭାବିକ ଅବସ୍ଥାକୁ ଫେରିଆସିଲାପରି ଜଣା ପଡ଼ୁଥିଲେ । ଝରକା ଦେଇ ବାହାରକୁ ଆଖି ପକାଇଲି ମୁଁ । ବାହାରେ ଚନ୍ଦ୍ରକିରଣ ପରିଷ୍କାର ଭାବରେ ପଡ଼ିଥିଲା । ଦୂରରେ ସେ ଚମ୍ପାଗଛ ସେମିତି ଠିଆ ହୋଇଥିଲା । ସବୁ ଘଟଣାର ମୂଳସାଖା ସେ । ତା’ଠାରୁ ଅଳ୍ପ ଦୂରରେ ଗୋଲାପ ଫୁଲଗୁଡ଼ିକ ଏତେଦୂରରୁ ଦେଖାଯାଉଥିଲା । ବାକି ରଜନୀଗନ୍ଧା । ଦେଖା ନ ଗଲେ ବି ତାର ସୁବାସରେ ନିଜର ସ୍ଥିତି ପ୍ରତିଷ୍ଠା କରୁଥିଲା । ବେଶ୍ ଗୋଟାଏ ମନୋହର ପରିବେଶ, ଏ ପରିବେଶରେ ଆମେ ବସିଛୁ ଅଜଣା ଭବିଷ୍ୟତ ଆଶା ନେଇ ସମସ୍ୟା ସମାଧାନ କରିବୁ । ହସ ମାଡ଼ିଲା ମୋତେ, କେଡ଼େ ଗଦ୍ୟାତ୍ମକ ଆମ ଜୀବନ ହୋଇଗଲାଣି ।

 

ଠିକ୍ ନଟାରେ ଆମ ଖିଆପିଆ ସରିଗଲା । ତା’ ପରେ ପୁଣି ଆମେ ମେସିନ୍ ପରି ଫେରିଆସିଲୁ ଦାଣ୍ତଘରକୁ ।

 

ପୁଷ୍ପା ଦେବୀ ପଚାରିଲେ, “କୁମାର ବାବୁ ଆଜି କ’ଣ ସତରେ ଆସିବେ ?”

 

“ଆସିବ ତ କହିଛି, କ’ଣ କରୁଛି କେଜାଣି” ମୁଁ କହିଲି ।

 

“ବଡ଼ ବିଚିତ୍ର ଲୋକ ଆପଣଙ୍କର କୁମାରବାବୁ” ସାହୁବାବୁ କହିଲେ ।

 

“ସେ କଥା କୁହନ୍ତୁ ନି । ଆପଣ ତ ତାକୁ ଏଇ ସପ୍ତାହେ ହେଲା ଦେଖିଲେ । ମୁଁ ପରା ଗଲା ୨୦ ବର୍ଷ ହେବ ତା’ ପାଖେ ରହି ମଧ୍ୟ ତାକୁ ଚିହ୍ନି ପାରିଲିନି,” ମୁଁ କହିଲି ।

 

କଥା ମଝିରେ କାନ୍ଥ ଘଣ୍ଟାରେ ଢଂ କରି ଶଦ୍ଦ ହେଲା । ମୁଁ ନିଜ ଘଣ୍ଟାକୁ ଅନଇଲି । ସାଢ଼େ ନଟା, କିନ୍ତୁ କୁମାର କାହିଁ । ସେ ତ କେବେ ଏମିତି କରେନି । ଯଦି ନ ଆସିବା କଥା ତ ସେ ନିଜେ କହିବ ‘ଆସିବନି’, ଆଉ ଯଦି ଆସିବାକୁ କହିଥିବ ତେବେ ନିଶ୍ଚୟ ଠିକ୍ ସମୟରେ ‘ଆସିବ’-। କିନ୍ତୁ ଆଜି କାହିଁକି ଏ ବ୍ୟତିକ୍ରମ । ମୋ ମନରେ ଆଶଙ୍କା ଆସ୍ତେ ଆସ୍ତେ ଜମି ଉଠୁଥିଲା-। କାରଣ ଯେତେ ପ୍ରକାର ଅପରାଧୀ ଅଛନ୍ତି, ସମସ୍ତେ ଇଚ୍ଛା କରନ୍ତି କୁମାରର ଆଶୁ ମୃତ୍ୟୁ-। କୌଣସି ଅପରାଧୀ ଆଉ ତାକୁ ଆକ୍ରମଣ କଲା ନାହିଁ ତ ?

 

ସାହୁବାବୁଙ୍କ ମୁହଁକୁ ଅନାଇଲି, ତାଙ୍କ ମୁହଁରେ ଲାଖି ରହିଥିଲା ସନ୍ଦେହର ଚିହ୍ନ । ଆଉ ପୁଷ୍ପା ଦେବୀ, ତାଙ୍କ ଆଖିରେ ଅବିଶ୍ଵାସ ଓ ଆଶଙ୍କା ।

 

ସେ ଆଉ ସହି ନ ପାରି ପଚାରିଲେ, “କୁମାର ବାବୁ କ’ଣ ଆସିବେନି ।”

 

“କେମିତି କହିବି ପୁଷ୍ପା ଦେବୀ,” କହି ମୁଁ ଚୁପ୍ ହେଲି । କ’ଣ ବା ଆଉ କହିବି । ମୁଁ ଚିନ୍ତାରେ ପଡ଼ିଯାଇଥିଲି, ଯଦି କୁମାରର ଆସିବାରେ ଡେରି ହୁଏ ଏବଂ ସେଇ ସମୟ ଭିତରେ ଯଦି ସ୍ଵପ୍ନା ଆସି ଫେରିଯାଏ, ତେବେ କୁମାରର ଯୋଜନା କ’ଣ ହେବ ? ମୋର ଦୁଶ୍ଚିନ୍ତା ବଢ଼ି ଚାଲିଥିଲା । ଏଆଡ଼େ ସମୟ ମଧ୍ୟ ଆଗେଇ ଚାଲିଥିଲା ।

 

ସେମିତି ନୀରବତା ଭିତରେ ଆମେ ବସି ରହିଲୁ ।

 

ଢଂ ଢଂ କରି ୧୦ଟା ବାଜିଲା ।

 

ଆଶଙ୍କାରେ ଛାତିଟା ବି ମୋର ଦମ୍ ଦମ୍ ହୋଇ ପଡ଼ିବାକୁ ଆରମ୍ଭ ହେଲା । ଭାବିଲି ଯାଇ କୁମାରକୁ ଦେଖାକରି ଆସିବି । କିନ୍ତୁ ସେ ତ କହିଥିଲା ମୁଁ ଏଠି ଥିବି ଓ ସେ ଆସିବ । ତେଣୁ କ’ଣ କରିବି ଠିକ୍ କରିପାରୁ ନ ଥିଲି ।

 

ସମୟ ଆଗେଇ ଚାଲିଥିଲା ।

 

ସାହୁବାବୁ ଓ ପୁଷ୍ପା ଦେବୀ ଆସ୍ତେ ଆସ୍ତେ ଅଥୟ ହୋଇ ଉଠୁଥିଲେ । କ’ଣ ବା ତାଙ୍କୁ କହିବି, ମୁଁ ଜାଣିପାରୁ ନ ଥିଲି । ଘନ ଘନ ଝରକାଆଡ଼କୁ ଅନାଉଥିଲି, କାଳେ ସ୍ଵପ୍ନା ଆସିଯିବ କି ।

 

ଢଂ କରି ସାଢ଼େ ଦଶ୍ ବାଜିଲା ।

 

ନାଁ ଆଉ ବସିହେବନି, ମତେ ଯାଇ କୁମାରକୁ ଦେଖିବାକୁ ହେବ । ୟାଙ୍କର ସମସ୍ୟା ସମାଧାନ ହେଉ କି ନ ହେଉ କୁମାରର ନିରାପତ୍ତା ହିଁ ମତେ ପ୍ରଥମେ ଦେଖିବାକୁ ହେବ ।

 

ଠିକ୍ ଏତିକିବେଳେ ବାହାରେ କୁମାରର ପାଦଶଦ୍ଦ ଶୁଭିଲା । ଗଲା ୨୦ ବର୍ଷ ହେଲା ସେ ପାଦଶଦ୍ଦ ସଙ୍ଗେ ମୁଁ ଏକଦମ୍ ପରିଚିତ ।

 

ତେଣୁ ଚୌକିରୁ ମୁଁ ଉଠି ସଙ୍ଗେ ସଙ୍ଗେ ଦୁଆରମୁହଁ ପାଖକୁ ଉଠିଗଲି । ମୋ ପଛେ ପଛେ ସାହୁବାବୁ ଓ ପୁଷ୍ପା ଦେବୀ ମଧ୍ୟ ଆଗେଇ ଆସିଲେ ।

 

କିନ୍ତୁ ଏ କ’ଣ…

 

ମୋ ନିଜ ଆଖିକୁ ମଧ୍ୟ ମୁଁ ବିଶ୍ଵାସ କରି ପାରିଲିନି ।

 

ଏ କୁମାର ନା ତା’ର ପ୍ରେତାତ୍ମା ।

 

ଟଳି ଟଳି ସେ ବାରଣ୍ତା ଉପରକୁ ଉଠିଲା । ମୁଣ୍ତରେ ଓ ଡାହାଣ ହାତରେ ବ୍ୟାଣ୍ତେଜ୍ ବନ୍ଧା ହୋଇଛି । ଭିତରୁ କୌଣସି କ୍ଷତରୁ ଖୁବ୍ ରକ୍ତ ବୋହି କ୍ୟାଣ୍ତେଜଗୁଡ଼ାକ ଏକଦମ୍ ରକ୍ତାକ୍ତ ଦେଖାଯାଉଥିଲା । ଡାହାଣ ଆଖିଟା ଫୁଲିକରି ଏଡ଼େ ବଡ ହୋଇ ଯାଇଥିଲା । ସାର୍ଟ ପ୍ୟାଣ୍ଟ ଛିଣ୍ତି ଯାଇଥିଲା । କେମିତି…କାହିଁକି…ଯେ ଏମିତି ହେଲା, ମୁଁ ଚିନ୍ତା କରି ପାରୁନଥିଲି, ସାହୁବାବୁ ଓ ପୁଷ୍ପାଦେବୀ ତା ଡରରେ ଏକଦମ୍ ଥରିବାକୁ ଆରମ୍ଭ କରିଥିଲେ ।

 

କୁମାର ଆମ୍ଭମାନକୁ ଅତି ଦୟନୀୟ ଅବସ୍ଥାରେ ଅନେଇ ରହିଲା । ମୁଁ ତା’ର ବାଁ ହାତକୁ ଧରି ଆସ୍ତେ ଆସ୍ତେ ଆଣି ଗୋଟାଏ ଚୌକିରେ ବସାଇଲି । ଏବେ ଆଲୁଅରେ ଦେଖିଲି, ମୁହଁସାରା ଆଞ୍ଚୁଡ଼ା ଦାଗ ।

 

ମନ ମୋର ଦୁଃଖ ଓ ଉତ୍ତେଜନାରେ କ’ଣ ହୋଇ ଯାଉଥିଲା । ଆଉ କିଛି ପଚାରିବା ପୂର୍ବରୁ ମୁଁ ପଚାରିଲି, “କୁମାର! ଏଇନେ କେମିତି ଅଛୁ ।”

 

ଅତି କ୍ଷୀଣସ୍ଵରରେ ସେ କହିଲା, ସେ କହିଲା, “ବୋଧହୁଏ ମୁଣ୍ତରୁ ଓ ମୋର ଏ ହାତରୁ ରକ୍ତ ବୋହିବା ବନ୍ଦ ହୋଇଯାଇଛି ।” ଅତି ଦୁର୍ବଳ ସେ ସ୍ଵର ।

 

ପୁଷ୍ପା ଦେବୀ ୟା ଭିତରେ କଫି କପେ କରି ଆଣିସାରିଥିଲେ କୁମାର ପାଇଁ । କିନ୍ତୁ କୁମାରର ତ ଗୋଟାଏ ହାତ ବନ୍ଦ। ତେଣୁ ମୁଁ ତାକୁ ହାତରେ ଧରି କଫି ପିଆଇ ଦେଲି । ଦଶ ପନ୍ଦର ମିନିଟ୍ ପରେ କୁମାର ଟିକେ ଦମ୍ ପାଇଲାପରି ଜଣାପଡ଼ିଲା ।

 

ଏବେ ସାହସ କରି ପଚାରିଲି, “ଏମିତି କେମିତି ହେଲା ?”

 

କାମ ସାରି ବାହାରୁ ବାହାରୁ ନଅଟା ପନ୍ଦର ହୋଇଯାଇଥିଲା । ଆସ୍ତେ ଆସ୍ତେ ଆରମ୍ଭ କଲା କୁମାର । ଉତ୍କଣ୍ଠାର ସହିତ ଆମେ ତିନିହେଁ ଶୁଣିବାକୁ ଲାଗିଲୁ । “ଗୋଟାଏ ରିକ୍‍ସା ଧରି ତରବରରେ ଆସୁଥିଲି । ଠିକ୍ ମେଡିକାଲ ପାଖରେ ଆମ୍ଵୁଲାନସ୍‍ ଗାଡ଼ି ସଙ୍ଗେ ଧକ୍‍କା ହେଲା । ଛିଟିକି ପଡ଼ିଲି ମୁଁ ।” ଟିକିଏ ଦମ୍‍ ନେଲା କୁମାର, “ତା’ ପରେ ମୋର କିଛି ମନେ ନାହିଁ । ଯେତେବେଳେ ଚେତା ଆସେ, ଦେଖିଲି ମୋର ଡ୍ରେସିଂ ହେଉଛି । ଭାରି ଦୁର୍ବଳ ଲାଗୁଥାଏ । ଡାକ୍ତର ବିଜୟ ପଟ୍ଟନାଏକ ପାଖରେ ମୋର ଠିଆ ହୋଇଥାନ୍ତି । ପଚାରିବାରୁ କହିଲେ, “ବହୁତ ଗୁଡ଼ାଏ ରକ୍ତ ବୋହିଯାଇଛି ।” ପୁଣି ଟିକିଏ ଦମ୍ ନେଲା କୁମାର । “ଠିକ୍ ଏତିକିବେଳେ ମନେପଡ଼ିଲା ସାହୁବାବୁଙ୍କ କଥା । ପଚାରିଲି କେତେଟା ବାଜିଛି, ସେମାନେ କହିଲେ, ଦଶଟା ଦଶ-। ଫଳରେ ସେଇ ଡ୍ରେସିଂ ଟେବୁଲ୍ ଉପରୁ ସିଧା ଆସିଛି । ସେମାନେ ଅବଶ୍ୟ ମନା କରୁଥିଲେ । କିନ୍ତୁ କ’ଣ କରାଯାଏ, କହି କୁମାର ଚୁପ୍ ହେଲା ।”

 

ସାହୁ ବାବୁ ନିଜକୁ ଦୋଷୀ ବୋଲି ଭାବି କହିଲେ, “ନାଇଁ କୁମାର ବାବୁ ! ଏମିତି ଆସିବାପାଇଁ ତ କିଛି ବାଧ୍ୟ ବାଧକତା ନ ଥିଲା । ଆପଣଙ୍କର ଅବସ୍ଥା ଯାହା, ସେଥିରେ ଆସିବା ଉଚିତ ହୋଇନି ।”

 

କୁମାର ମୋ କାନ୍ଧରେ ହାତ ରଖିଲା । ମୁଁ ତା’ ହାତକୁ ଆଉଁସିବାକୁ ଲାଗିଲି । ତାର ଏ ଅବସ୍ଥା ଦେଖି ଆଖିରେ ମୋର ଲୁହ ଜକେଇ ଆସୁଥିଲା । କାରଣ କୁମାର ହିଁ ମୋର ସବୁ । ଆଜି ଯଦି ତା’ର କ’ଣ ହୋଇଯାଏ, ମୋର ବଞ୍ଚିବା ନିରର୍ଥକ ହୋଇଯିବ ।

 

ସେମିତି ମୋ କାନ୍ଧରେ ହାତରଖି କୁମାର କହିଲା, “ମୁଁ ଆପଣଙ୍କ ଯୋଗୁଁ ଏଠିକି ଯାହା ନ ଆସିଛି, ତା’ଠୁ ବେଶୀ ଆସିଛି ଏ ସାରଦା ଯୋଗୁଁ । ଆପଣ ଜାଣି ନାହାନ୍ତି, ସାରଦା ମତେ କେତେ ଭଲ ପାଏ ଏବଂ ଗଲା ୨୦ ବର୍ଷ ହେଲା ସେ ମୋର କ’ଣ ନ କରିଛି । ସେ ଜାଣିଛି ମୋ ପାଇଁ ସାଢ଼େ ନଟା, ମାନେ ସାଢ଼େ ନଟା ଏମିତିକି ମିନିଟିଏ ଏପାଖ ସେପାଖ ହୋଇଗଲେ ସେ ଅଥୟ ହୋଇ ପଡ଼ିବ ।” କହି ଦମ୍ ନେଲା କୁମାର, ଏକାସଙ୍ଗେ ଏତେ ଗୁଡ଼ାଏ କହିପାକାଇବା ଦ୍ଵାରା ସେ ଧଇଁ ସଇଁ ହୋଇଗଲା । ମୁଁ ତା’ ଛାତିକି ଆଉଁସିବାକୁ ଲାଗିଲି ।

 

ଆଉ କହିଲି, “ଥାଉ ଥାଉ, ଏତେ କଥା କହିବା ଦରକାର ନାହିଁ ।”

 

କୁମାର ମୋ ଆଡ଼କୁ ଚାହିଁ ହସିଲା, ଆଉ କହିଲା, “ସାରଦା ସବୁଦିନେ ଏଇଆ । ମୋର ଟିକେ କ’ଣ ହେଲେ ସେ ସହି ପାରିବନି ।”

 

ପଙ୍ଖାଟାକୁ ଜୋରରେ ଖୋଲି ଦେଇ ସମସ୍ତେ ଚୁପ୍ ଚାପ୍ ହୋଇ ବସିଲୁ । କୁମାର ଚୌକିରେ ଆଉଜି ଆସ୍ତେ ଆସ୍ତେ ଶକ୍ତି ସଂଗ୍ରହ କରିବାକୁ ଚେଷ୍ଟା କଲା ।

 

ଯେତେବେଳେ ଘଣ୍ଟାରେ ୧୧ଟା ବାଜିଲା, ମୁଁ ବାଧ୍ୟ ହୋଇ କହିଲି, “କୁମାର ! ଆଜିର ଯୋଜନାଟା ଯୋଜନାରେ ହିଁ ଥାଉ । ତୁ ଘରକୁ ଚାଲ, ଟିକିଏ ବିଶ୍ରାମ ନେବୁ ।”

 

ହଠାତ୍ ବିରକ୍ତ ହେଲାପରି କୁମାର କହିଲା, “ସାରଦା ! ତୁ କ’ଣ ମତେ ଆଜି ନୂଆ ଦେଖିଲୁ । ଜୀବନରେ ଦୁର୍ଘଟଣା ତ ଆସିବ, କିନ୍ତୁ ଆମେ ଯଦି ସେଥିପାଇଁ ସବୁକାମ ବାକି ପକାଇ ଦେବା, ତା ହେଲେ ଜୀବନରେ କିଛି ହୋଇ ପାରିବନି । ତା’ଠୁ ବରଂ ମରିଯିବା ଭଲ ।”

 

ମୁଁ ଡରିକରି ଚୁପ୍ ହୋଇଗଲି । ସାହୁ ବାବୁ କିନ୍ତୁ କହିଲେ, “ନାଇଁ କୁମାର ବାବୁ, ଏତେଦିନ ତ ଗଲାଣି । ଆଉ ଦିନଟେ ଡେରି ହୋଇଗଲେ ବିଶେଷ କିଛି କ୍ଷତି ହେବନି । ଆପଣଙ୍କର ଅବସ୍ଥା ଯାହା, ଆଜି ରାତିକ ବିଶ୍ରାମ ନ ନେଲେ କାଲିକି ଆହୁରି ବେଶୀ ଦୁର୍ବଳ ହୋଇଯିବେ ।”

 

“ନାଇଁ ସାହୁବାବୁ, ଆଜି ଯେତେବେଳେ ଗୋଟାଏ କାମ କରିବାପାଇଁ ଆମ୍ଭେମାନେ ଠିକ୍ କରିଛେ, ସେତେବେଳେ କାମଟାକୁ କାଲିକି ରଖିବା ନିହାତି ବୋକାମୀ ହେବ ।” କୁମାର କହିଲା ।

 

“କିନ୍ତୁ ତୋ ହାତ ତ ଏମିତି । ଗୁଳି କେମିତି କରିବୁ ତୁ ?” ମୁଁ ପଚାରିଲି ।

 

ମତେ ଉତ୍ତର ଦେବାକୁ ଯାଇ ସେ କହିଲା, “ଅବଶ୍ୟ ମୋ ହାତ ଖରାପ, କିନ୍ତୁ ସାହୁବାବୁ ତ ଅଛନ୍ତି, ସେ କାମ ଚଳାଇନେବେ । ମୁଁ ଯେଉଁ ଅନୁସାରେ କହିବି, ସେ ସେଅନୁସାରେ କାମ କଲେ ସବୁ ଠିକ୍ ହୋଇଯିବ ।”

 

କଥା ବନ୍ଦକରି ଟିକେ ଦମ୍ ନେଲା କୁମାର । ଧଇଁସଇଁ ହୋଇ ଯାଇଥିଲା ସେ । ପକେଟରୁ ପିସ୍ତଲଟି କାଢ଼ି ସାହୁବାବୁଙ୍କୁ ବଢ଼ାଇଲା ଏବଂ ବହିଲା, “ଦେଖନ୍ତୁ ଗୁଳି ଲୋଡ଼ ହୋଇ ସବୁ କିଛି କରାହୋଇଛି । କେବଳ ଟ୍ରିଗର ଟିପିଲେ ଗୁଳି ଫୁଟିବ । ସମୁଦାୟ ୨ଟି ଗୁଳି ଅଛି । ସେଥିରୁ ଅନ୍ତତଃ ଗୋଟାଏ ଯେମିତି ସ୍ଵପ୍ନା ଦେହରେ ବସେ, ଅଣ୍ଟାଠାରୁ ତଳକୁ ଗୁଳି କରିବେ ।”

 

ସାହୁବାବୁ ପିସ୍ତଲଟିକୁ ସାବଧାନତା ସହକାରେ ନେଇ ଦେଖିବାକୁ ଲାଗିଲେ । ସେଇଟା ଆର୍ମି ପିସ୍ତଲ, ତେଣୁ ତାର ରେଞ୍ଜ୍ ବେଶୀ ।

 

କୁମାର କହିଲା, “ଆପଣ ଚୌକିଟାକୁ ଟାଣିନେଇ ଝରକା ପାଖରେ ବସନ୍ତୁ । ସାରଦା, ତୁ ଯା ଲାଇଟ୍‍ଟା ଲିଭାଇ ଦେ ।”

 

ସାହୁବାବୁ ଚୌକି ଟାଣିଆଣି ଝରକାପାଖରେ ବସିଲେ । ପୁଷ୍ପା ଦେବୀ ମଧ୍ୟ ଗୋଟାଏ ଚୌକି ଆଣି ଠିକ୍ ତାଙ୍କରି ପାଖରେ ବସିଲେ । ଉତ୍ତେଜନାରେ ସେ ଥରିବାକୁ ଆରମ୍ଭ କରିଥିଲେ, ମୁଁ ଯାଇ ଲାଇଟ୍ ଲିଭାଇ ଦେଲି । ଅନ୍ଧକାର ଭିତରେ ଆମେ ଅପେକ୍ଷା କରିବାକୁ ଲାଗିଲୁ । ମୁଁ ଖାଲି ଭାବୁଥାଏ, ଆଜି ଯଦି ସ୍ଵପ୍ନା ନ ଆସେ । ତେବେ…

 

କାନ୍ଥ ଘଣ୍ଟାରେ ଢଂ ଢଂ ହୋଇ ୧୨ଟା ବାଜିଲା ଏବଂ ତା’ ସଙ୍ଗେ ସଙ୍ଗେ ଆମେ ସମସ୍ତେ ଚମକିଉଠିଲୁ । କାରଣ ଠିକ୍ ସେତିକିବେଳେ ଆମେ ଦେଖିଲୁ ବଗିଚାରେ ସ୍ଵପ୍ନା ବୁଲୁଛି ।

 

ସ୍ଵପ୍ନା ତେବେ ଆଜି ଆସିଲା, ଉତ୍ତେଜନାରେ ମୁଁ ଉଠିଗଲି ସାହୁବାବୁଙ୍କ ପାଖକୁ । ଅନ୍ଧକାର ଭିତରେ ବି ମତେ ଜଣାଗଲା, ଉତ୍ତେଜନାରେ ତାଙ୍କ ହାତରେ ପିସ୍ତଲଟା ଥରିଉଠିଛି ।

 

ଠିକ୍ ଏତିକିବେଳେ କୁମାର ଚିତ୍କାରକରି ଉଠିଲା, ‘ସାହୁବାବୁ, ସାହୁବାବୁ, ଶୀଘ୍ର ଗୁଳି କରନ୍ତୁ । ସ୍ଵପ୍ନା ଯେ ଯଥେଷ୍ଟ ଚାଲିଆସିଛି । ଶୀଘ୍ର….ଶୀଘ୍ର…ମାରନ୍ତୁ….ମାରନ୍ତୁ….’ କୁମାରର ଚିତ୍କାର ଆସ୍ତେ ଆସ୍ତେ ବଢ଼ିଉଠିଲା ।

 

କିନ୍ତୁ ପରମୁହୂର୍ତ୍ତରେ ଘଟଣାଚକ୍ର ଏତେ ଶୀଘ୍ର ଗତିକଲା ଯେ, ମୁଁ କ’ଣ କରିବି, ଠିକ୍ କରିବା ପୂର୍ବରୁ ସବୁ ସରିଯାଇଥିଲା । ମୁଁ ଦେଖିଲି, କୁମାର ଚିତ୍କାର ସଙ୍ଗେ ସଙ୍ଗେ ସାହୁ ବାବୁ ଉତ୍ତେଜନାରେ ଠିଆହୋଇ ପଡ଼ିଲେ । ତା’ପରେ ଥରେ ଅନାଇଲେ ମୋ ଆଡ଼େ । ଥରେ କୁମାର ଦିଗରେ । ପରମୁହୂର୍ତ୍ତରେ ପିସ୍ତଲଟିକୁ ନିଜର ଛାତି ଆଡ଼କୁ ମୁହଁକରି ଢୋ…ଢୋ କରି ଦୁଇଟିଯାକ ଗୁଳି ଫୁଟାଇ ଦେଲେ । ମୁଁ ତାଙ୍କୁ ଧରିପକାଇବା ପୂର୍ବରୁ ସେ ତଳେ ପଡ଼ି ଯାଇଥିଲେ ।

 

କୁମାର ଚିତ୍କାର କରି ଉଠିଲା, “ସାରଦା ଆଲୁଅ ଜଳା । ଆଲୁଅ ଜଳା ।”

 

ମୁଁ ଦୌଡିଯାଇ ଆଲୁଅ ଜଳାଇଦେଲି । ଦେଖିଲି ପୁଷ୍ପା ଦେବୀ ଦୌଡ଼ିଯାଇ ଢୋ ଢୋ…ମୁଣ୍ତ ପିଟି କାନ୍ଦିବା ଆରମ୍ଭ କରି ଦେଇଛନ୍ତି ।

 

ମୁଁ ଦୌଡ଼ିଗଲି ତାଙ୍କ ପାଖକୁ, କିନ୍ତୁ ଠିକ୍ ତାଙ୍କରି ପାଖରେ ପହଞ୍ଚି ମୁଁ ପଥର ପରି ଠିଆହୋଇ ଗଲି, ପାଦ ମୋର ଚଳିଲା ନାହିଁ । କାରଣ ସାହୁବାବୁ ଯେତେ ପାଖରୁ ନିଜକୁ ଗୁଳିକଲେ ତାଙ୍କର ମୃତ୍ୟୁ ଯେ ସୁନିଶ୍ଚିତ, ଏଥିରେ ସନ୍ଦେହ ନ ଥିଲା, ତେଣୁ ମୁଁ ଆଶା କରୁଥିଲି ଯେ, ଦେଖିବି ଚଟାଣସାରା ରକ୍ତ ହୋଇଯାଇଥିବ । କିନ୍ତୁ ସାହୁ ବାବୁ ଯେଉଁଠି ପଡ଼ିଥିଲେ, ସେଠି ଟୋପାଏ ବି ରକ୍ତ ପଡ଼ି ନ ଥିଲା ।

 

କିଛି ବୁଝି ନ ପାରି ମୁଁ କୁମାର ଆଡ଼େ ଅନାଇଲି । ସେ ବେଶ୍ ଗମ୍ଭୀର ହୋଇ ବସିଥିଲା-। ମତେ ସେ ଆଖିରେ ଇଙ୍ଗିତ ଦେଇ କହିଲା, “ସାରଦା, ବାହାରେ ପୋଲିସ ଇନ୍‍ସପେକ୍ଟର ରଘୁନାଥ ଠିଆ ହୋଇଛନ୍ତି, ତାଙ୍କୁ ଡାକିଆଣ ।”

 

“କିନ୍ତୁ…କିନ୍ତୁ…ତାଙ୍କୁ କିଏ–କାହିଁକି ଖବର ଦେଲା ? ସେ ଏଠି କେମିତି ?” ମୁଁ କିଛି ବୁଝି ନ ପାରି ପଚାରିଲି ।

 

“ପରେ ସେ କଥା ବୁଝିବୁ ।” ସଂକ୍ଷେପରେ କୁମାର କହିଲା ।

 

ମୁଁ ବାହାରକୁ ଉଠିଗଲି । ରଘୁନାଥଙ୍କୁ ଆଣି ଯେତେବେଳେ ଘରେ ପଶିଲି, ସେତେବେଳକୁ କୁମାର ପୁଷ୍ପା ଦେବୀଙ୍କୁ ଉଠାଇନେଇ ଚୌକିରେ ବସାଇ ଦେଇଥିଲା । ଆଉ ବୁଝାଇବାକୁ ଚେଷ୍ଟାକରି କହୁଥିଲା, “ଦେଖନ୍ତୁ ପୁଷ୍ପା ଦେବୀ, ବ୍ୟସ୍ତ ହେବାରେ କିଛି ନାହିଁ । କାରଣ ସାହୁ ବାବୁଙ୍କର କିଛି ହୋଇନି ।”

 

“କିନ୍ତୁ”…କାନ୍ଦି କାନ୍ଦି ପୁଷ୍ପା ଦେବୀ କହୁଥିଲେ, “କିନ୍ତୁ…ସେ ଯେ ନିଜକୁ ଗୁଳି କଲେ ।”

 

“ଅବଶ୍ୟ, କିନ୍ତୁ ଉତ୍ତେଜନାରେ ତାଙ୍କର ଲକ୍ଷ୍ୟ ଭୁଲ୍ ହୋଇଛି । ଫଳରେ ଗୋଟାଏ ବି ଗୁଳି ତାଙ୍କ ଦେହରେ ବସିନି । ଦେଖୁନାହାନ୍ତି ତାଙ୍କ ଦେହରୁ ମୋଟେ ରକ୍ତ ବୋହୁନି । କେବଳ ଉତ୍ତେଜନାରେ ସେ ବେହୋସ ହୋଇଯାଇଛନ୍ତି ।”

 

ଏ କଥା ଶୁଣି ତାଙ୍କର କାନ୍ଦ ହଠାତ୍ ବନ୍ଦ ହୋଇଗଲା । ସେ କୁମାରର କଥା ବିଶ୍ଵାସ କରିପାରୁ ନ ଥିଲେ । ଆଖିରୁ ଲୁହ ପୋଛି ସେ ସାହୁ ବାବୁଙ୍କ ଆଡ଼କୁ ଅନାଇଲେ । ପ୍ରକୃତରେ ସାହୁ ବାବୁଙ୍କର ଦେହରୁ ରକ୍ତ ବାହାରୁ ନ ଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । କୁମାର ଫେରିଆସି ନିଜ ଚୌକିରେ ବସିପଡ଼ିଲା ।

 

ପୁଷ୍ପା ଦେବୀ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଉଥିଲେ । କୁମାରଠାରୁ ଇଙ୍ଗିତ ପାଇ ମୁଁ ଓ ରଘୁନାଥ ସାହୁବାବୁଙ୍କୁ ଟେକି ନେଇ ଆରାମ ଚୌକିରେ ଶୁଆଇ ଦେଲୁ । ତାଙ୍କ ପାଖରେ ରଘୁନାଥ ଠିଆ ହୋଇ ରହିଲେ, ପୁଷ୍ପା ଦେବୀ ଉଦ୍‍ବିଗ୍ନ ହୋଇ ଅନାଇ ରହିଥିଲେ, ପଙ୍ଖାଟାକୁ ଖୁବ୍ ଜୋରରେ ବୁଲାଇ ମୁହଁରେ ପାଣି ଛାଟିବା ଦ୍ଵାରା ସାହୁବାବୁଙ୍କର ଆସ୍ତେ ଆସ୍ତେ ଚେତା ଫେରିଆସିଲା ।

 

ପୁଷ୍ପା ଦେବୀ ବ୍ୟସ୍ତ ହୋଇ ତାଙ୍କ ପାଖକୁ ଉଠିଯାଇ ପଚାରିଲେ, “କେମିତି ଲାଗୁଛି ?”

 

ସାହୁବାବୁ ଏଡ଼େ ଏଡ଼େ ଆଖିକରି ଚାରି ଆଡ଼କୁ ଅନାଇଲେ । ତା’ପରେ ନିଜକୁ ନିଜେ ପ୍ରଶ୍ନ ପଚାରିଲେ, “ମୁଁ ମରିନି ?”

 

ପୁଷ୍ପା ଦେବୀ ଉତ୍ତର ଦେଲେ, “ଭଗବାନଙ୍କ କୃପାରୁ ଗୁଳି ତମ ଦେହରେ ନ ବସି ଖସି ଯାଇଛି ।”

 

“ଓଃ ଭଗବାନ !” କହି ସେ ନିଜର ହାତ ଭିତରେ ମୁହଁ ଢାଙ୍କି ବସିଲେ ।

 

ମୁଁ ଟାଣିକରି ଆଣି ପୁଷ୍ପାଦେବୀଙ୍କୁ ତାଙ୍କର ଚୌକୀରେ ବସାଇ ଦେଲି । ତା’ପରେ କୁମାର ଆଡ଼କୁ ମୁହଁ ବୁଲାଇଲି । କୁମାର ବସି ବେଶ୍ ଖୁସିରେ ହସୁଥିଲା । ମୁଁ ବିରକ୍ତିରେ ପଚାରିଲି, “କିରେ, ଏଟା ଗୋଟାଏ କ’ଣ ହସିବା ସମୟ ?”

 

ମୋ କଥାରେ ସେ ଗମ୍ଭୀର ହୋଇଗଲା ଓ ମୋତେ ପାଖରେ ଡାକି ବସାଇଲା, ରଘୁନାଥଙ୍କୁ ଉଦ୍ଦେଶ୍ୟ କରି କହିଲା, “ତମେ ତ ନିଜେ ଦେଖିଛ, ସାହୁବାବୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ତେଣୁ ସେଇ କାରଣରେ ତମେ ତାଙ୍କୁ ଆରେଷ୍ଟ କରି ପାରିବ । ବାକି ଅନ୍ୟାନ୍ୟ ଅପରାଧର ଇତିହାସ ତମେ ଆସ୍ତେ ଆସ୍ତେ ଜାଣି ପାରିବ ।”

 

ସାହୁବାବୁ…ଅପରାଧ…ମୁଁ କିଛି ବୁଝି ପାରୁ ନ ଥିଲି ।

 

ପୁଷ୍ପାଦେବୀ ମଧ୍ୟ ଆଶ୍ଚର୍ଯ୍ୟରେ ଅନାଇ ରହିଥିଲେ ।

 

ରଘୁନାଥ କହିଲେ, କିନ୍ତୁ ଆଜ୍ଞା ପୂର୍ବ ଘଟଣା ତ ମୁଁ କିଛି ଜାଣିନି । କେବଳ ଆପଣଙ୍କଠାରୁ ୧୦ ଟାରେ ଖବର ପାଇ ଆସୁଛି ।

 

ପୁଣି ବିସ୍ମୟ, ରଘୁନାଥକୁ କାହିଁକି କୁମାର ଡକାଇ ଆଣିଥିଲା ? ସେ କ’ଣ ଜାଣିଥିଲା ଯେ ସାହୁ ବାବୁ ଆତ୍ମହତ୍ୟା କରିବେ ? ବଡ଼ ବିଚିତ୍ର ।

 

ମୋ ଅଜାଣତରେ ପାଟିରୁ ବାହାରି ପଡ଼ିଲା, “ତୁ କ’ଣ ଜାଣିଥିଲୁ ସାହୁ ବାବୁ ଆତ୍ମହତ୍ୟା କରିବେ ?”

 

“ସେଟା ତ କଥାର ଶେଷ । ମୁଁ ମୂଳରୁ କହିବା ଆରମ୍ଭ କରୁଛି । ଟିକିଏ ବୁଝିବାକୁ ଚେଷ୍ଟା କର । ପୁଷ୍ପା ଦେବୀ, ଆପଣ ମଧ୍ୟ ମନ ଦେଇ ଶୁଣନ୍ତୁ ।” କହି କୁମାର ଚୁପ୍ ହେଲା ।

 

ହଠାତ୍ ମୁଁ ଲକ୍ଷ୍ୟ କଲି କୁମାର ଆଉ ଧଇଁସଇଁ ହେଉନି କି ଟିକିଏ ସମୟ ବିଶ୍ରାମ ନେଇ ଦମ୍ ନେଉନି । ହଠାତ୍ କୁମାରର ଏତେ ଶକ୍ତି କେଉଁଠୁ ଫେରିଆସିଲା ?

 

ମୋତେ ଚିନ୍ତା କରିବାକୁ ନ ଦେଇ କୁମାର ଆରମ୍ଭ କଲା ବୁଝିଲ ରଘୁନାଥ ! ତମେ ତ ଜାଣିଥିବ ଆଜିକି ଦୁଇ ମାସ ତଳେ ସାହୁ ବାବୁଙ୍କ ଶାଳୀ ସ୍ଵପ୍ନା ଇଲେକ୍ଟ୍ରିକ୍ କରେଣ୍ଟ ସାହାଯ୍ୟରେ ଆତ୍ମହତ୍ୟା କଲେ । ତମେ ଜାଣିଥିବ । କାରଣ ପୋଲିସ ସେ କେସ୍ ତଦନ୍ତ କରିଥିଲେ, ତା’ ପରେ ତିନିଦିନ ତଳେ ସାହୁ ବାବୁ ଓ ତାଙ୍କର ସ୍ତ୍ରୀ ସ୍ୱପ୍ନା ହାତଲେଖା ଖଣ୍ତିଏ ଚିଠି ପାଆନ୍ତି । ସେ ଚିଠିରେ ସ୍ଵପ୍ନା ପୁଷ୍ପା ଦେବୀଙ୍କୁ କହିଛି ତା ପାଖକୁ ଯିବା ପାଇଁ । ବର୍ତ୍ତମାନ ସେଇ ଚିଠି କଥା ପଡ଼ୁ । ଚିଠିଟା ମୋ ପାଖରେ ଅଛି । ତମେ ରଘୁନାଥ, ପରେ ନେଇ ଯାଇପାରିବ ।

 

ଚିଠିଟାରୁ ପ୍ରଥମ କଥା ଜଣାପଡ଼ିଲା ଯେ, ସେଇଟା ଗୋଟାଏ ଜାଲ୍ ଚିଠି । କାରଣ ଯିଏ ମରିଗଲା, ସେ ଆଉ ଚିଠି ଲେଖିପାରିବ ନାହିଁ । ତେବେ କଥା ହେଉଛି, ଅପରାଧ ବିଜ୍ଞାନରେ ଘରୋଇ ଚିଠିକୁ ଜାଲ୍ କରି ଲେଖିବାଠୁ ଆଉ ବଡ଼ ଭୁଲ୍ କିଛି ନାହିଁ । ଭୁଲଟା ମୁଁ ବିଶଦ ଭାବରେ ବୁଝାଇ ଦେଉଛି ।

 

ଏଇ ସାରଦା କଥା ଦେଖ । ମୁଁ ତାକୁ ଗଲା ୨୦ ବର୍ଷ ହେଲା ସାରଦା ଡାକିଆସିଛି । ବର୍ତ୍ତମାନ ମୋ ଅକ୍ଷର ଜାଲ୍ କରି ଯଦି କିଏ ସାରଦା ପାଖକୁ ଚିଠି ଦିଏ ଏବଂ ସେଥିରେ ପ୍ରଥମରୁ address କରିଥାଏ “ସାରଦା ବାବୁ !” ତେବେ ଅକ୍ଷର ଯେତେ ମିଶିଲେ ମଧ୍ୟ ସାରଦା ଜାଣିପାରିବ ଯେ ମୁଁ ସେ ଚିଠି ଲେଖିନି । “କ’ଣ ସାରଦା, ନୁହେଁ ?”

 

“ହଁ, ଏଟା ତ ବେଶ୍ ସରଳ ।” ମୁଁ କହିଲି, କିନ୍ତୁ ମୁଁ ଭାବୁଥିଲି କୁମାର ଯଦି ଏ କଥା ସବୁ ଆରମ୍ଭରୁ ଚିନ୍ତା କରିଥିଲା, ତେବେ ମତେ କହି ନ ଥିଲା କାହିଁକି ?

 

କୁମାର ପୁଣି ଆରମ୍ଭ କଲା, “ତେଣୁ ଅପରାଧୀ କେବଳ ସେଇ ନାମରେ ଚିଠିକୁ address କରିପାରିବ, ଯେଉଁ ନାଁରେ ମୁଁ ସାରଦାକୁ ଡାକେ । ଅର୍ଥାତ୍ ସେ ଜାଣିଥିବା ଦରକାର, ମୁଁ ସାରଦାକୁ କ’ଣ ଡାକେ । ଫଳରେ ଆମର ପରିଚିତ କୌଣସି ଲୋକ ସେ ହେବା ଦରକାର । ବର୍ତ୍ତମାନ ଏଇ ପରିପ୍ରେକ୍ଷୀରେ ପୁଷ୍ପା ଦେବୀ ପାଇଥିବା ଚିଠିକୁ ଅନୁଶୀଳନ କରାଯାଉ । ସେ ତିନୋଟି ଚିଠି ପାଇଛନ୍ତି ଏବଂ ପ୍ରତି ଚିଠିରେ ପ୍ରଥମରୁ ଲେଖାହୋଇଛି, “ଅପାଲୋ” । ୟାକୁ ପଢ଼ି ପୁଷ୍ପା ଦେବୀ କେବେ ସନ୍ଦେହ କରି ନାହାନ୍ତି ଯେ ଏଗୁଡ଼ାକ ସ୍ଵପ୍ନାର ଚିଠି ନୁହେଁ । ତେଣୁ ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଲି ଯେ, ସ୍ଵପ୍ନା ପୁଷ୍ପା ଦେବୀଙ୍କୁ “ଅପାଲୋ” ବୋଲି ଡାକୁଥିଲା । କ’ଣ ପୁଷ୍ପା ଦେବୀ, ଏକଥା ସତ ?”

 

“ହଁ, ସେ ମତେ ସବୁବେଳେ ଅପାଲୋ ବୋଲି ଡାକୁଥିଲା ।” ଅତି କ୍ଷୀଣ ସ୍ଵରରେ ପୁଷ୍ପା ଦେବୀ କହିଲେ । ରାତିକ ଭିତରେ ତାଙ୍କର ବୟସ ଆହୁରି ଦଶ ବର୍ଷ ଆଗେଇ ଗଲା ପରି ଦିଶୁଥିଲା ।

 

ଖାଲି ଯେ ସ୍ଵପ୍ନା “ଅପାଲୋ” ବୋଲି ଡାକୁଥିଲା ଜାଣିଲିନି, ଆହୁରି ବି ଜାଣିଲି ଯେ, ପତ୍ରପ୍ରେରକ, ଏଣିକି ଅପରାଧୀ ବୋଲି କହିବି, ଜାଣିଥିଲା ଏ କଥା । ଏଠି ମୁଁ କହିରଖେ ଯେ ପୁଷ୍ପା ଦେବୀଙ୍କର ପିଲାଦିନୁ ବାପା, ମା ମରିସାରିଛନ୍ତି । କେବଳ ବନ୍ଧୁବାନ୍ଧବ ବୋଇଲେ ଦାଦା । ତାଙ୍କ ସାଙ୍ଗରେ ଏମାନଙ୍କର ବିଶେଷ ଭଲ ପଡ଼େନି । ସେ ବି ଗାଁରେ ରହନ୍ତି । ପରିଶେଷରେ ଏଠି ବି ସାହୁ ବାବୁଙ୍କର କେହି ବନ୍ଧୁବାନ୍ଧବ ନାହାନ୍ତି । ତେଣୁ ସ୍ଵପ୍ନା ଯେ “ଅପାଲୋ” ଡାକେ, ଏକଥା ଜାଣିଥିବା ଲୋକଙ୍କର ନାଁରେ ପ୍ରଥମେ ମୋ ଆଖି ଆଗରେ ଦେଖାଦିଅନ୍ତି ତିନି ଜଣ । ସାହୁ ବାବୁ, ପୁଷ୍ପା ଦେବୀ ଓ ସତିଆ । କିନ୍ତୁ ଏମାନେ ନିଜକୁ ନିଜେ ଚିଠି ଦେଇ ଡରେଇବାର ଉଦ୍ଦେଶ୍ୟ ବା motive କ’ଣ ଜାଣିପାରିଲିନି ମୁଁ ପ୍ରଥମେ । ସାରଦାର ମନେଥିବ, ପୂରା ଗୋଟାଏ ରାତି ଅନୁଶୀଳନ କରିସାରିଲା ପରେ ସକାଳେ ସାରଦାକୁ ମୁଁ ପଚାରିଥିଲି, “ୟା ପଛରେ motive କ’ଣ ଅଛି ମୁଁ ଜାଣିପାରୁନି ।” କହି କୁମାର ଚୁପ୍ ହେଲା ।

 

ରଘୁନାଥ ମତେ ଅନାଇ ରହିଥିଲେ । କୁମାର କଥାର ସତ୍ୟତା ଜଣାଇବାକୁ ମୁଁ ମୁଣ୍ତ ଟୁଙ୍ଗାରି ସମ୍ମତି ଜଣାଇଲି । ସାହୁ ବାବୁ ସେମିତି ହାତ ଭିତରେ ମୁହଁ ଲୁଚାଇ ଓଃ…ଆହା ହେଉଥିଲେ । ପୁଷ୍ପା ଦେବୀ ଥରେ ବିକଳ ଆଖିରେ ସାହୁ ବାବୁଙ୍କ ଆଡ଼କୁ ଓ ଆଉ ଥରେ ଉଦ୍‍ବିଗ୍ନ ଆଖିରେ କୁମାର ଆଡ଼କୁ ଅନାଇ ବସି ରହିଥିଲେ ।

କୁମାର ପୁଣି ଆରମ୍ଭ କଲା, “ଏ ତିନି ଜଣଙ୍କୁ ସନ୍ଦେହ କରିବାର ଆଉ ଗୋଟିଏ କାରଣ ଅଛି । ମୋର ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ପ୍ରଥମଦିନ ହିଁ ସାହୁ ବାବୁ କହିଥିଲେ ଯେ, ସ୍ଵପ୍ନା ଥରେ excursionରେ ସାତ ଦିନ ପାଇଁ ଯାଇଥିଲା । ସେତେବେଳେ ସେ ନିଶ୍ଚୟ ଅନ୍ତତଃ ଖଣ୍ତେ ଚିଠି ପୁଷ୍ପା ଦେବୀଙ୍କ ପାଖକୁ ଦେଇଥିବ ।… କ’ଣ କହୁଛନ୍ତି ପୁଷ୍ପା ବେବୀ !”

“ଖଣ୍ତେ କ’ଣ ସାତ ଦିନ ମଧ୍ୟରେ ସେ ଦୁଇ ଖଣ୍ତ ଚିଠି ଦେଇଥିଲା ।” ପୁଷ୍ପା ଦେବୀ କହିଲେ ।

କୁମାର କହିଚାଲିଲା, “ସେ ଚିଠିରେ ବି ସ୍ଵପ୍ନା ପ୍ରଥମେ “ଅପାଲୋ” ଲେଖିଥିବ ଏବଂ ତାକୁ ପଢ଼ିବାର ସବୁଠାରୁ ବେଶୀ ସମ୍ଭାବନା ଅଛି ସାହୁ ବାବୁ, ପୁଷ୍ପା ଦେବୀ ଓ ସତିଆର । ଦେଖ ରଘନାଥ, ପୁଣି ସେଇ ତିନି ଜଣ ମୋ ସନ୍ଦେହ ଭିତରକୁ ଆସିଲେ । ପ୍ରଥମ ଦିନ କେବଳ ଏତିକି ହିଁ ମୁଁ ଜାଣିପାରିଲି ।

ବାକି ତା’ପର ଦିନ ରାତିରେ ସାରଦା ଓ ପୁଷ୍ପା ଦେବୀ ଏଇ ଦାଣ୍ତଘରେ ଜଗି ରହିଲେ ଏବଂ ମୋ ନିର୍ଦ୍ଦେଶ ଅନୁସାରେ ପୁଷ୍ପା ଦେବୀ ସାହୁ ବାବୁଙ୍କୁ ଶୋଇବାକୁ ପଠାଇଦେଲେ । ଏଇଠି ଗୋଟାଏ କଥା ମନେରଖ ରଘୁନାଥ ! ଶେଷ ମୁହୂର୍ତ୍ତରେ ସାରଦା ଓ ପୁଷ୍ପା ଦେବୀ ଠିକ୍ କଲେ ଯେ, ଏଇ ଦାଣ୍ତଘରେ ଅପେକ୍ଷା କରିବେ । ତା’ ପୁଣି ସେ କଲେ ଏ ଘରର ଆଲୁଅ ଲିଭାଇଦେଇ । ତା’ ମାନେ ଏ କୋଠରୀରେ ଯେ ପୁଷ୍ପାଦେବୀ ରହୁଛନ୍ତି, ଏକଥା ସ୍ଵପ୍ନାର ପ୍ରେତାତ୍ମା ବୋଲାଉଥିବା ଝିଅର ଜାଣିବାର କୌଣସି ଉପାୟ ନ ଥିଲା । ପୂର୍ବ ଦିନ ରାତିରେ ସେ ଝିଅ ଆସି ଏମାନଙ୍କର ଶୋଇଲା ଘର ଝରକା ପାଖରେ ଠକ୍ ଠକ୍ କରିଥିଲା । ଏଇଟା ସ୍ଵାଭାବିକ; କାରଣ ସେମାନେ ମାନେ ସାହୁବାବୁ ଓ ପୁଷ୍ପା ଦେବୀ ସେ ଘରେ ରାତିରେ ଥିବେ । ଅଥଚ ଯେଉଁଦିନ ସାରଦା ଓ ପୁଷ୍ପା ଦେବୀ ଏଇ ଦାଣ୍ତଘରେ ଜଗିଲେ, ସେ ଦିନ ସେ ଝିଅ ଆସି ଏହି ଘର ଝରକା ପାଖରେ ଡାକିଲା ।

ବର୍ତ୍ତମାନ ମୋର ପ୍ରଶ୍ନ ସେ ଜାଣିଲା କେମିତି, ଏମାନେ ଏ ଘରେ ଅପେକ୍ଷା କରିଛନ୍ତି । କାରଣ ପୁଣି କହି ରଖେ, ସାରଦା ଶେଷ ମୁହୂର୍ତ୍ତରେ ଏ ଘରେ ବସିବ ବୋଲି ଠିକ୍ କଲା । ତେଣୁ ସାରଦା ଠିକ୍ କରିସାରିବା ପରେ କୌଣସି ଉପାୟରେ ସେ ଝିଅ ପାଖକୁ ଖବର ପଠାହୋଇଛି । କିଏ ଖବର ପଠାଇଲା ? କେମିତି ପଠାଇଲା ? ପୁଷ୍ପା ଦେବୀ କେଭେଁ ଖବର ପଠାଇ ନାହାନ୍ତି; କାରଣ ସାରଦା ତାଙ୍କର ପାଖେ ପାଖେ ଥିଲା । ତେଣୁ ଦ୍ଵିତୀୟ ଦିନ ଘଟଣା ପରେ ପୁଷ୍ପା ଦେବୀଙ୍କର ନାଁ ମୁଁ ସନ୍ଦେହ ତାଲିକାରୁ କାଟିଦେଲି । ବାକି ରହିଲେ ସାହୁ ବାବୁ ଓ ସତିଆ । ସେମାନେ କେମିତି ଖବର ପଠାଇଲେ ? ସେମାନେ ତ ବାହାରକୁ ଯାଇ ନାହାନ୍ତି । କାରଣ ସାରଦାକୁ ଏଠାକୁ ପଠାଇଦେଇ ମୁଁ ଆସି ବାହାରେ ବଗିଚାରେ ଜଗିଥିଲି ଏବଂ ମୋତେ ଦେଖି ହିଁ ପୁଷ୍ପା ଦେବୀ ଡରିଯାଇଥିଲେ । ତେଣୁ କେବଳ ଗୋଟିଏ ଉପାୟରେ ସେମାନେ ଖବର ପଠାଇଥିବେ । ସେଟା ହେଉଛି ଫୋନ୍‍ଦ୍ୱାରା ।

କିନ୍ତୁ ପରବର୍ତ୍ତୀ ଗୋଟାଏ ଘଟଣାରେ ମୁଁ ପରୀକ୍ଷା କରି ଦେଖିଲି ଯେ ସତିଆକୁ ଫୋନ୍ କରି ଆସେନା । ତେଣୁ ମୁଁ ସୁନିଶ୍ଚିତ ହେଲି ଯେ, ସାହୁ ବାବୁ ନିଜେ ହିଁ ଫୋନ୍ କରି ଏ ଖବର ଜଣାଇଛନ୍ତି । ତେଣୁ ମୁଁ ବେଶ୍ ଜାଣିପାରିଲି, “ସାହୁ ବାବୁ ହିଁ ଅପରାଧୀ ।” କୁମାର ଚୁପ୍ ହେଲା ।

କୁମାରର ଏ କଥାରେ ମୁଁ ଚମକି ପଡ଼ିଲି ।

ପୁଷ୍ପା ଦେବୀ ଚିତ୍କାର କରିଉଠିଲେ, “କ’ଣ କହିଲେ, ୟେ ନିଜେ ସେ ଚିଠି ପଠାଉଥିଲେ-?”

“ହଁ, ଆହୁରି ବି ପ୍ରମାଣ ମୋ ପାଖେ ଅଛି ।” କୁମାର କହିଲା ।

“କ’ଣ ହେଲା, ସେ ନିଜେ ସବୁ କରି ମତେ ପୁଣି ଡରାଇ ପାଗଳ କରିଦେବାକୁ ଚେଷ୍ଟା କରୁଥିଲେ ! ଓଃ ଭଗବାନ…ନା କୁମାର ବାବୁ, ମୋର ଆଉ ଡରିବାର କିଛି ନାହିଁ । ମୋର ଭୁଲ୍‍ର ଫଳ ମୁଁ ପାଉଛି । ବର୍ତ୍ତମାନ ମୁଁ ସବୁ ମାନିଯିବି । ରଘୁନାଥ ବାବୁ, ଆପଣ ଟିପି ନିଅନ୍ତୁ ମୁଁ ଯାହା କହୁଛି ।” ପୁଷ୍ପା ଦେବୀ ଚିତ୍କାର କରି ଉଠିଲେ ।

“ଆପଣ ସବୁ କହିବେ ପୁଷ୍ପା ଦେବୀ, ଟିକିଏ ଅପେକ୍ଷା କରନ୍ତୁ । ମୋ କଥା ମୁଁ ଶେଷ କରିସାରେ ।” କୁମାର କହିଲା ।

ମୁଁ କିନ୍ତୁ ଭାବୁଥିଲି, ପୁଷ୍ପା ଦେବୀ ପୁଣି କ’ଣ କହିବେ । ରହସ୍ୟ ପରେ ରହସ୍ୟ, କିଛି ବୁଝିପାରୁ ନ ଥିଲି ମୁଁ । ପୁଷ୍ପା ଦେବୀ ଚୁପ୍ ହୋଇଯାଇଥିଲେ ।

 

କୁମାର ପୁଣି ଆରମ୍ଭ କଲା, “ଏତିକି ମୁଁ ଜାଣିସାରିଲା ପରେ ଗୋଟାଏ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କଲି ମୁଁ । ତା’ ପରଦିନ ରାତିରେ ମୁଁ ସାରଦା ଓ ସାହୁ ବାବୁଙ୍କୁ ଏଇ ଘରେ ଛାଡ଼ିଦେଇ ଗଲି ଓ ଗୋଟାଏ କ୍ୟାମେରା ପଠାଇଦେଲି । ତାଙ୍କୁ କହିଗଲି ସେ ଝିଅ ଆସିଲେ ଫଟ ଉଠାଇବାକୁ । ସେ ଝିଅ ଆସିଲା ଓ ସାରଦା ଫଟ ଉଠାଇଲା । ଅବଶ୍ୟ ସାହୁ ବାବୁ ଚାହିଁଥିଲେ ଖବର ଦେଇ ସେ ଝିଅକୁ ନ ଆସିବାକୁ କହିଦେଇଥାନ୍ତେ; କିନ୍ତୁ ସେ ଚେଷ୍ଟା କରୁଥିଲେ ପ୍ରମାଣ କରିବାକୁ ଯେ ସେ ଗୋଟିଏ ଝିଅ ନୁହେଁ, ସେ ସ୍ଵପ୍ନାର ପ୍ରେତାତ୍ମା ଅଟେ । ତେଣୁ ଏ ଅବସ୍ଥାରେ ମୁଁ ଯାହା ଅନୁମାନ କଲି ସେ ଠିକ୍ ସେମିତି ଗୋଟାଏ ଯୋଜନା କଲେ ।

 

“ସେଟା ହେଲା ଫଟ ଉଠାଇସାରିବା ପରେ ସେ ସତିଆକୁ ଡାକି ଚାହା ପାଇଁ କହିଲେ । ବର୍ତ୍ତମାନ ସତିଆକୁ ଡାକି ପଚାରନ୍ତୁ । ସେ ଚାହାରେ କ’ଣ ପକାଇଥିଲା ?”

 

ପୁଷ୍ପା ଦେବୀ ଡାକ ପକାଇଲେ, “ସତିଆ ସତିଆ !”

 

ସେ ବୋଧହୁଏ କବାଟ ବାହାରେ ଠିଆହୋଇ ସବୁ ଶୁଣୁଥିଲା । ଡାକିବାମାତ୍ରେ ସେ ଡରି ଥରି ଥରି ଆସି ପହଞ୍ଚିଲା ।

 

ତାକୁ ଦେଖିବାକ୍ଷଣି ପୁଷ୍ପା ଦେବୀ ପାଟିକରି ଉଠିଲେ, “କିରେ, ସେଦିନ ରାତିରେ ଚାହାରେ କ’ଣ ମିଶାଇ ଦେଇଥିଲୁ ?”

 

“ମା…ମା…ମୁଁ କିଛି ଜାଣିନି । …ବାବୁ….ବାବୁ ମତେ….।”

 

“କିରେ ! ବାବୁ ତତେ କ’ଣ କହିଥିଲେ ?” ଚିତ୍କାର କରି ଉଠିଲେ ପୁଷ୍ପା ଦେବୀ ।

 

“ମା…ମା…ବାବୁ କହିଥିଲେ….ଭଲକରି ଆଣିବୁ । ଯଦି କହନ୍ତି, ତେବେ ତାଙ୍କ ପାଇଁ ସାଧା ଚାହା ଓ ବାକି ସମସ୍ତଙ୍କ ପାଇଁ କପ୍ ପିଛା ଗୋଟାଏ କରି ନିଦ ବଟିକା ପକାଇ ଆଣିବାପାଇଁ-। ମା…ମା…ମୁଁ କିଛି ଜାଣିନି । ମୋର କିଛି ଦୋଷ ନାହିଁ… ।”

 

ସତିଆକୁ କହିବାକୁ ନ ଦେଇ ପୁଷ୍ପା ଦେବୀ ସାହୁ ବାବୁଙ୍କୁ ଲକ୍ଷ୍ୟ କରି କହିଲେ, “ଓଃ…ଏଡ଼େ ନୀଚ ତୁମେ…!” କହି ଦୁଃଖରେ କାନ୍ଦିବାକୁ ଲାଗିଲେ ।

 

“ଓଃ…ଭଗବାନ” କହି ସାହୁ ବାବୁ ମୁହଁକୁ ସେମିତି ପୋତି ବସିଲେ ।

 

କୁମାର ପୁଣି ଆରମ୍ଭ କଲେ, “ତେଣୁ ଫଟ ଉଠାଇସାରିବା ପରେ ସାହୁ ବାବୁ ସାରଦାକୁ ନିଦ ବଟିକା ଖୁଆଇ ଶୁଆଇଦେଲେ । କାହିଁକି ? କାରଣ ସେ ଜାଣିଥିଲେ, କ୍ୟାମେରାରେ ଝିଅର ଫଟ ଉଠି ଯାଇଥିବ । ଫଳରେ ସବୁ ଧରାପଡ଼ିଯିବ । ତେଣୁ ଫଟ ରିଲ୍‍ଟାକୁ ବାହାର କରି ଫୋପାଡ଼ିଦେଲେ ଓ ନୂଆ ରିଲ୍‍ଟାଏ ପୁଣି ପୂରାଇ ଦେଲେ । ତା’ ପରେ ସେ ଝିଅର ଅନୁପସ୍ଥିତିରେ ଫଟ ଉଠାଇ ନେଲେ । ଫଳରେ ଯୋଡ଼ାଏ ଉଦ୍ଦେଶ୍ୟ ସାଧିତ ହେଲା । ଏକରେ ସେ ଝିଅର ଫଟ ନ ଥିଲା । ଦ୍ଵିତୀୟରେ ସେ ଯେ ଗୋଟାଏ ପ୍ରେତାତ୍ମା ଏହା ପ୍ରମାଣ ହେଲା । ସେ ଫଟ ତହିଁଆରଦିନ ସକାଳେ ମୁଁ, ସାରଦା ଓ ସାହୁବାବୁ ତିନିହେଁ ଦେଖିଛୁ । ସମୁଦାୟ ବଗିଚାର ଫଟ ଉଠିଛି; କିନ୍ତୁ ସେ ଝିଅର ଫଟ ନାହିଁ । …ଏ ତ ସିନା ଯାହା ହୋଇଛି ତା’ର ଇତି କଥା…କିନ୍ତୁ…ପ୍ରମାଣ…ପ୍ରମାଣ ମୁଁ ରଖିଥିଲି ରଘୁନାଥ !

 

“ଏଇଆ ହିଁ କାଳେ ହେବ ବୋଲି ଆଶଙ୍କା କରି ମୁଁ ଗୋଟାଏ ନୂଆ ରିଲ୍ କିଣି ତାକୁ ସିଧା ଆଲୁଅରେ expose କରି ସେଇ exposed ରିଲ୍‍କୁ କାମେରାରେ ଲୋଡ଼୍ କରି ମୁଁ ପଠାଇ ଦେଇଥିଲି ।”

 

“କ’ଣ କହିଲୁ, exposed ରିଲ୍ !” ଚିତ୍କାର କରିଉଠିଲି ମୁଁ ।

 

“କ’ଣ କହିଲେ, exposed ରିଲ୍” ଚିତ୍କାର କରି ଉଠିଲେ ସାହୁ ବାବୁ ।

 

“ହଁ ସାହୁ ବାବୁ, exposed ରିଲ୍ । ତେଣୁ ଫଟ ଦେଖିଲାକ୍ଷଣି ମୁଁ ବୁଝିପାରିଲି ଯେ ରିଲ୍ ବଦଳା ହୋଇଛି । ସାରଦା ନିଜେ ମତେ କହିଛି ଯେ, ଫଟ ଉଠାଇସାରିବା ପରେ ଭିତରୁ କବାଟ ଦେଇ ଆପଣମାନେ ଶୋଇଲେ; ତେଣୁ କେବଳ ସାହୁ ବାବୁ ହିଁ ରିଲ୍ ବଦଳାଇଥିବେ । ମୋର ପ୍ରମାଣ ମୁଁ ପାଇଗଲି ।

 

ବର୍ତ୍ତମାନ ମତେ ଶେଷ ଯୋଜନା କରିବାକୁ ପଡ଼ିଲା । ବଡ଼ ଅସୁବିଧାରେ ମୁଁ ପଡ଼ିଥିଲି । କାରଣ ମୁଁ ଯାହା କରିବାକୁ ଠିକ୍ କରୁଥିଲି, ସାହୁବାବୁ ସବୁ ଜାଣି ପାରୁଥିଲେ । ତେଣୁ ମତେ ଏମିତି ଗୋଟାଏ ଯୋଜନା କରିବାକୁ ପଡ଼ିବ, ଯାହାର ଦୁଇଟି ଦିଗ ଥିବ । ଗୋଟାଏ ପଟୁ ସାହୁ ବାବୁ ଖସିଗଲେ ଆରପଟେ ଧରା ପଡ଼ିଯିବେ ।

 

ତେଣୁ ତାଙ୍କରି ସଙ୍ଗରେ ମୁଁ ଆଜିର ଏ ଶେଷ ଯୋଜନା କଲି । ମୁଁ ତାଙ୍କୁ କହିଲି, ରାତିରେ ଆସି ମୁଁ ସେ ଝିଅକୁ ଗୁଳି କରିବି । କଥା ଛଳରେ ଜାଣିଲି ଯେ, ସାହୁ ବାବୁଙ୍କୁ ମଧ୍ୟ ଗୁଳି ଚଳାଇଆସେ । ମୁଁ ଯେତେବେଳେ ଗୁଳି କରିବାକୁ ଆସିବି ବୋଲି କହିଲି, ସାହୁ ବାବୁ କ’ଣ କରିଥିବେ ? ଧରାପଡ଼ିବାରୁ ଖସିଯିବା ପାଇଁ ସେ ଝିଅକୁ ମନା କରି ଦେଇଥିବେ ଆସିବା ପାଇଁ, ମନା କରି ଦେଇଥିଲେ ମଧ୍ୟ ।”

 

“କିନ୍ତୁ ସେ ଝିଅ ଯେ ପୁଣି ଆସିଥିଲା !” ମୁଁ ପଚାରିଲି ।

 

“ମୁଁ ସବୁ କହୁଛି, ତୁ ଶୁଣ । ସେ ତ ଝିଅକୁ ମନା କରିଦେଲେ । ମୁଁ ଏଣେ ଆକ୍‍ସିଡ଼େଣ୍ଟର ବାହାନା କରି ଏଠି ଆସି ଡେରିରେ ପହଞ୍ଚିଲି ।” କହି କୁମାର ହାତରୁ ଓ ମୁଣ୍ତରୁ ବାଣ୍ତେଜ୍ ଖୋଲିବାକୁ ଆରମ୍ଭ କଲା । ଡାହାଣ ଆଖିଟା ସିନା ଫୁଲିଲା ପରି ଦେଖାଯାଉଥିଲା; କିନ୍ତୁ କୁମାର ସେଠୁ ଖଣ୍ତେ ଏଡ଼େ ବଡ଼ ପୁଟିଂ ଛଡ଼େଇ ଆଣିଲା । ଫଳରେ ଡାହାଣ ଆଖିଟା ପଣି ସ୍ଵାଭାବିକ ଦେଖାଗଲା । ମୁଁ ଆଶ୍ଚର୍ଯ୍ୟରେ ତାକୁ ଅନାଇ ରହିଥିଲି । ପୁଷ୍ପା ଦେବୀ ତ ବିମୂଢ଼ ହୋଇ ଯାଇଥିଲେ ।

 

“ମୁଁ ଆସି ଏମିତି ଅବସ୍ଥାରେ ପହଞ୍ଚିବାଦ୍ଵାରା ସମସ୍ତଙ୍କର ସହାନୁଭୂତି ଜାଗିଉଠିଲା । ମୁଁ ବେଶ୍ ଆରାମ୍‍ରେ ବସିଲି । ଆଉ ସାହୁ ବାବୁଙ୍କୁ କହିଲି ଗୁଳି ଚଳାଇବା ପାଇଁ । ସାହୁ ବାବୁ ବି ରାଜି ହୋଇଗଲେ । କାରଣ ତାଙ୍କର ଆପତ୍ତି କରିବାର କିଛି ନ ଥିଲା । ସେ ଜାଣିଥିଲେ ସେ ଝିଅ ଆସିବନି । ତେଣୁ ତାଙ୍କୁ ବି ଗୁଳି କରିବାକୁ ପଡ଼ିବନି । ଅବଶ୍ୟ ମୁଁ ତାଙ୍କୁ କହିଦେଇଥିଲି ଯେ, ପିସ୍ତଲରେ ୨ଟି ଗୁଳି ଅଛି ।

 

ଯେତେବେଳେ ସାହୁ ବାବୁ ଦେଖିଲେ ପୁଣି ସେ ଝିଅ ଆସି ବୁଲୁଛି, ତାଙ୍କ ମୁଣ୍ତ ଖରାପ ହୋଇଗଲା । ସେ କିଛି ବୁଝି ପାରିଲେନି । କାରଣ ସେ ଜାଣି ନ ଥିଲେ ଯେ, ମୁଁ ଆଉ ଗୋଟାଏ ଝିଅକୁ ଆଣି ବଗିଚାରେ ଛାଡ଼ିଛି । ସେ ଭାବିଲେ ସେ ସେଇ ଝିଅ । ଫଳରେ ଯେତେବେଳେ ଗୁଳି କରିବାକୁ କହିଲି, ସେ ତାକୁ ଗୁଳି କରି ପାରିଲେନି । ପରନ୍ତୁ ସେ ଭାବିଲେ ଯେ, ମନା କରିବା ସତ୍ତ୍ଵେ ଯେହେତୁ ସେ ଝିଅ ଆସିଛି, ତେଣୁ ସେ ଝିଅକୁ ନିଶ୍ଚୟ ବାଧ୍ୟକରି ଅଣାହୋଇଛି, ଅର୍ଥାତ୍ ଆଉ ଜଣେ କେହି ତାଙ୍କର ଯୋଜନାସବୁ ଜାଣିସାରିଛି । ସେତେବେଳେ ସେ ବେଶ୍ ଅନୁମାନ କଲେ ଯେ ସେ ଅନ୍ୟ ଲୋକଟି ଆଉ କେହି ନୁହେଁ । ସେ ହେଉଛି ମୁଁ…କୁମାର ।

 

ସେ ଜାଣିଗଲେ ଯେ, ସେ ଧରା ପଡ଼ିଗଲେଣି । ତେଣୁ ମତେ ହତ୍ୟା କରିବେ କି ନିଜେ ଆତ୍ମହତ୍ୟା କରିବେ, ଏଇ ଦୁଇଟି ସମ୍ଭାବନାରୁ ସେ ଆତ୍ମହତ୍ୟା କରିବା ଶ୍ରେୟସ୍କର ମନେ କଲେ । ଫଳରେ ନିଜ ଉପରକୁ ଗୁଳି ଚଳାଇଲେ । କିନ୍ତୁ କିଛି ହେଲାନି । କାରଣ ମୁଁ ଏଇଆ ହିଁ ଆଶଙ୍କା କରି ପିସ୍ତଲରେ ବ୍ଳାଙ୍କ କାଟ୍ରିଜ୍ ଭର୍ତ୍ତି କରି ଦେଇଥିଲି ।”

 

“କ’ଣ କହିଲେ ?” ଚିତ୍କାର କରି ଉଠିଲେ ସାହୁ ବାବୁ ।

 

“ହଁ ସାହୁ ବାବୁ, ବ୍ଳାଙ୍କ କାଟ୍ରିଜ୍ । ବର୍ତ୍ତମାନ କହନ୍ତୁ, ଏସବୁ ଆପଣ କରିଛନ୍ତି କି ନାହିଁ ?” କୁମାର ପଚାରିଲା ।

 

“ମୁଁ ସବୁ କରିଛି” କହି ସାହୁ ବାବୁ ଚୁପ୍ ହେଲେ ।

 

କୁମାର ପୁଣି ଆରମ୍ଭ କଲା, “ବର୍ତ୍ତମାନ ପୁଷ୍ପା ଦେବୀ ! ଯେଉଁଦିନ ସ୍ଵପ୍ନା ମଲା ସେଦିନ ଆପଣ ଯଦୁ ବାବୁଙ୍କ ଘରକୁ ସିଲେଇ ଶିଖାଇବାକୁ ଯାଇଥିଲେ ବୋଲି କହିଲେ । କିନ୍ତୁ ସେଟା ସମ୍ପୂର୍ଣ୍ଣ ମିଛ । କାରଣ ଆପଣଙ୍କର ଘରେ କେଉଁଠି ହେଲେ ସିଲେଇ ମେସିନ୍ ନାହିଁ । ତେଣୁ ଆପଣ ସିଲେଇ ଶିଖିଲେ କେମିତି ? ଆଉ ଯଦି ବା ଶିଖିଲେ, ତେବେ ନିଜେ ମୋଟେ ଅଭ୍ୟାସ ନ କରି ଆପଣ କେମିତି ଏ ଅବସ୍ଥାକୁ ଆସିଲେ ଯେ, ଅନ୍ୟକୁ ଶିଖାଇବାକୁ ଗଲେ ? ନା…ନା…ପୁଷ୍ପା ଦେବୀ, ଆପଣ ସେଦିନ ସିଲେଇ ଶିଖାଇବାକୁ ଯାଇ ନ ଥିଲେ । ତେବେ ଏମିତି ମିଛ କଥା ପ୍ରମାଣ କରିବାକୁ କାହିଁକି ଚେଷ୍ଟା କଲେ ? କାରଣ ସ୍ଵପ୍ନାର ଆତ୍ମହତ୍ୟା ବେଳେ ଆପଣ ବୋଧହୁଏ ଏହି ଘରେ ଥିଲେ ଓ ତା ଆତ୍ମହତ୍ୟାରେ ସମ୍ପୂକ୍ତ ଥିଲେ”-କହି କୁମାର ଚୁପ୍ ହେଲା ।

 

“କହୁଛି–ସବୁ କହୁଛି କୁମାର ବାବୁ !” କାନ୍ଦି କାନ୍ଦି ପୁଷ୍ପା ଦେବୀ ଆରମ୍ଭ କଲେ–“ସେ ପାପ କଥା ସବୁ କହୁଛି । ସୋ ବାପାଙ୍କର ବହୁତ ସମ୍ପତ୍ତି ଅଛି, ସେ ସବୁ ଆମେ ଦି’ ଭଉଣୀ ପାଇବା କଥା । ବାହାଘର ପରେ ମତେ ୟେ ସବୁବେଳେ ଶିଖାଇବାକୁ ଲାଗିଲେ ଯେ, ଦେଖ, ସ୍ଵପ୍ନା କେମିତି ହେଲେ ମରିଗଲେ ସବୁ ସମ୍ପତ୍ତି ଆମେ ପାଇବା । ମୁଁ ତାଙ୍କୁ ଏ କଥାରେ ସବୁବେଳେ ଗାଳି ଦେଇଛି । ସେ ଦିନ ସେ ହଠାତ୍ ଅଫିସ୍‍ରୁ ଫେରି ମତେ ଆସି ଉଠାଇଲେ । ତା’ପରେ ମତେ ସ୍ଵପ୍ନାର ଶୋଇବାଘରକୁ ନେଇଗଲେ । କ’ଣ କହିବି ସେ କଥା କୁମାର ବାବୁ ! ଖଟ ଉପରେ ସ୍ଵପ୍ନା ମରି ଶୋଇଥିଲା । କେମିତି ମଲା ବୋଲି କାନ୍ଦି କାନ୍ଦି ପଚାରିବାରୁ ସେ କିଛି କହିଲେନି । ମୁଁ କିନ୍ତୁ ବେଶ୍ ଅନୁମାନ କରିପାରିଲି, ସେ ହିଁ ସ୍ଵପ୍ନାକୁ ହତ୍ୟା କରିଛନ୍ତି ।

 

ମୁଁ ତାଙ୍କୁ ଭୀଷଣ ଗାଳି ଦେବାରେ ଲାଗିଲି । ସତିଆକୁ ଡାକ ପକାଇଲି । ସେ କିନ୍ତୁ ବେଶ୍ ଅମାୟିକ ଭାବରେ କହିଲେ, “ସତିଆ ନାହିଁ, ମୁଁ ତାକୁ ବାହାରକୁ ପଠାଇ ଦେଇଛି ।” ତା’ପରେ ମୁଁ ପାଟିକରି ଉଠିଲି, “ତମେ ହିଁ ମୋ ସ୍ଵପ୍ନାକୁ ହତ୍ୟା କରିଛ । କେମିତି ତମ ହାତ ଗଲା, ସମ୍ପତ୍ତି ପାଇଁ ତମେ ସ୍ଵପ୍ନାକୁ ମାରିଲ ? କାଲି ମତେ ବି ମାରିଦେଇ ପାରିବ । କାରଣ ଉଇଲ ଅନୁସାରେ ତମେ ସବୁ ସମ୍ପତ୍ତି ପାଇବ ମୋର ମୃତ୍ୟୁ ପରେ । ତମେ ଏଡ଼େ ନୀଚ !” ସେ କିନ୍ତୁ ସେମିତି ଧୀର ସ୍ଥିର ଭାବରେ ଠିଆହୋଇ କହିଲେ, “ଦେଖ, ସ୍ଵପ୍ନା ଗଲାଣି, ଏବେ ପାଟି କଲେ ପୋଲିସ ଆସି ମତେ ନେଇଯିବ । ମତେ ତ ଫାଶୀ ହେବ, ତମେ ବିଧବା ହୋଇ ବୁଲିବ ।” ବିଧବା ଶଦ୍ଦ ଶୁଣି ମୁଁ ଚମକି ପଡ଼ିଲି । ପାଟି ମୋର ବନ୍ଦ ହୋଇଗଲା । ଏବେ ଭାବୁଛି, ସେଇଦିନ ପୋଲିସକୁ ସବୁ କଥା ଶୁଣାଇ ଦେଇଥିଲେ ହୋଇଥାନ୍ତା; କିନ୍ତୁ ପାରିଲିନି କୁମାର ବାବୁ ! ନିଜକୁ ନିଜେ ବିଧବା କରିପାରିଲିନି ।” କଇଁ କଇଁ ହୋଇ କାନ୍ଦି ଉଠିଲେ ପୁଷ୍ପା ଦେବୀ ।

 

ତାଙ୍କୁ ଯାଇ ବୁଝାଇବା ଠିକ୍ ହେବ ନାହିଁ ମୁଁ ଭାବି ନ ପାରି ଚୁପ୍ ହୋଇ ବସିରହିଲି ।

 

କିଛି ସମୟ ପରେ ଆଖିରୁ ଲୁହ ପୋଛି ପୁଷ୍ପା ଦେବୀ ପୁଣି ଆରମ୍ଭ କଲେ-“ତା’ପରେ ତାଙ୍କରି ନିର୍ଦ୍ଦେଶ ଅନୁସାରେ ସ୍ଵପ୍ନାକୁ ଇଲେକ୍‍ଟ୍ରିକ୍ ପ୍ଳଗ ପାଖକୁ ଆଣି ତା’ ଦେହରେ ଇଲେକ୍‍ଟ୍ରିକ୍ ସକ୍ ଦେଇ ଆତ୍ମହତ୍ୟାର ଦୃଶ୍ୟ ସୃଷ୍ଟି କଲି । ସେ ଫେରିଗଲେ ଅଫିସକୁ । ମୁଁ ଚାଲିଗଲି ଯଦୁ ବାବୁଙ୍କ ଘରକୁ । ସେଠି ତାଙ୍କୁ କହିଲି, “ସ୍ଵପ୍ନା ଆତ୍ମହତ୍ୟା କରିଛି; କିନ୍ତୁ ଯଦି ପୋଲିସ୍ ଜାଣେ ଯେ, ମୁଁ ସେତେବେଳେ ଘରେ ଥିଲି, ତେବେ ଗଣ୍ତଗୋଳ ହେବ । ତେଣୁ ସେମାନଙ୍କୁ ସାକ୍ଷୀ ଦେବାକୁ ହେବ ଯେ, ମୁଁ ରୀତାକୁ ସିଲାଇ ଶିଖାଇବାକୁ ଆସିଥିଲି ।” ଯଦୁ ବାବୁ ରାଜି ହେଲେ, ତେବେ ଗୋଟାଏ ସର୍ତ୍ତରେ । ସେ ଭୀଷଣ ଜୁଆ ଖେଳନ୍ତି । ଫଳରେ ତାଙ୍କର ଧାର ଉଧାର ଅନେକ; ତେଣୁ ସେ ଦୁଇ ହଜାର ଟଙ୍କା ଲାଞ୍ଚ ଚାହିଁଲେ । ଇଏ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୨୦୦୦ଟଙ୍କା ଡ୍ର କରି ତାଙ୍କୁ ଆଣି ଦେଲେ । ଆପଣମାନେ ମୋ କଥାର ସତ୍ୟତା ପାଇଁ ୟାଙ୍କର ବ୍ୟାଙ୍କ୍ ହିସାବ ଦେଖିପାରନ୍ତି । ଫଳରେ ଯଦୁ ବାବୁ ମିଛ ସାକ୍ଷୀ ଦେଲେ; ତେଣୁ ଏ ବଞ୍ଚିଗଲେ ।

 

କିନ୍ତୁ ମୋ ମନରେ ସବୁବେଳେ ପାପ ଛୁଇଁଲା କି ମୋ ସ୍ଵପ୍ନାର ମୃତ୍ୟୁ ପାଇଁ ମୁଁ ଦାୟୀ । ଯା’ହେଉ ଭାବିଥିଲି ୟାଙ୍କର ପରିବର୍ତ୍ତନ ହେବ । ବର୍ତ୍ତମାନ ମୁଁ ଦେଖୁଛି, ମୋର ମାନସିକ ଦୁର୍ବଳତାର ସୁଯୋଗ ନେଇ ମତେ ୟେ ପାଗଳ କରିବାକୁ ଚେଷ୍ଟା କରିଥିଲେ । ମୁଁ ପାଗଳ ହେଲା ପରେ ସବୁତକ ସମ୍ପତ୍ତି ହସ୍ତଗତ କରି ହୁଏତ ପୁନର୍ବାର ବାହା ହୋଇଥାନ୍ତେ-ଏଇ ରାତିରେ ଯେଉଁ ଝିଅଟି ଆସୁଛି ତାକୁ ।

 

ହେ ଭଗବାନ ! ଦୁନିଆରେ ପୁଣି ଏଡ଼େ ନୀଚ ଲୋକ ଥାଆନ୍ତି ? ୟେ ହିଁ ଯେଉଁଦିନ ପ୍ରଥମ ଚିଠି ଆସିଲା କହିଲେ, “ବୁଝିଲ, ଆମେ ସ୍ଵପ୍ନାକୁ ମାରିଦେଲେ ନା, ତା’ର ଆତ୍ମାଶାନ୍ତି ପାଇନି, ତେଣୁ ସେ ଚିଠି ଲେଖୁଛି-କି ଭଣ୍ତାମୀ ! …କି ବଦମାସୀ…. !”

 

ପୁଣି କଇଁ କଇଁ ହୋଇ କାନ୍ଦିବା ଆରମ୍ଭ କରିଦେଲେ ପୁଷ୍ପା ଦେବୀ ।

 

କୁମାର ପଚାରିଲା, “କ’ଣ ସାହୁ ବାବୁ, ଏସବୁ ସତ ?”

 

ସାହୁ ବାବୁ ସମ୍ମତିସୂଚକ ମୁଣ୍ତ ଟୁଙ୍ଗାରିଲେ ।

 

କୁମାର ପୁଣି କହିଲା, “ରଘୁନାଥ, ଏବେ ତୁମେ ଆସାମୀମାନଙ୍କ ଦାୟିତ୍ଵ ନିଅ । ଆଉ ସ୍ଵପ୍ନା କେସ୍‍ଟାକୁ ଆଉ ଥରେ ଆରମ୍ଭ କର, ଆମେ ଚାଲିଲୁ ।”

 

କହି ହଠାତ୍ ଉଠି ଠିଆହୋଇ ପଡ଼ିଲା କୁମାର । ମୁଁ ମଧ୍ୟ ଠିଆହେଲି । ରଘୁନାଥ ହୁଇସିଲ ବଜାଇବାରୁ ଦୁଇ ଜଣ କନେଷ୍ଟବଳ ହାତକଡ଼ି ଧରି ଆସି ପହଞ୍ଚିଲେ । ଆମେ ଦୁହେଁ ବାହାରକୁ ପଳାଇ ଆସିଲୁ ।

 

ବାହାରେ ଚନ୍ଦ୍ରକିରଣ ବେଶ୍ ପରିଷ୍କାର ପଡ଼ିଥିଲା । ରାସ୍ତାରେ ଗୋଟିଏ ଗୋଟିଏ ପାଦ ପକାଇ ଆମେ ଚାଲିଲୁ ।

 

କିଛି ବାଟ ପରେ ମୁଁ ପଚାରିଲି, “ଆଚ୍ଛା କୁମାର, ସେ ତ୍ରିଲୋଚନ ବାବୁଟି ପୁଣି କିଏ ? ଆଉ ସେ ଝିଅ ଯେ ରାତିରେ ଆସୁଥିଲା ସେ କିଏ ?”

 

“ଝିଅଟି ବୋଧହୁଏ ରୀତା, ଆଉ ତ୍ରିଲୋଚନ ବାବୁ କୌଣସି ଗୋଟିଏ ଭଡାଟିଆ ଅପରାଧୀ ।”

 

“ତେବେ ସେ ଘରେ ତାଙ୍କ ପାଦଚିହ୍ନ ପଡ଼ିଲାନି କେମିତି ?”

 

“ପାଦଚିହ୍ନ ନ ପଡ଼ିବାର କାରଣ ହେଲା, ତ୍ରିଲୋଚନ ବାବୁ କୋଠରୀ ଭିତରେ ପଶି ଗୋଟାଏ home vaccum cleanerକୁ ଓଲଟା ବାଗରେ ଚଳାଇ ଦେଇଥିଲେ । ଫଳରେ ସେଇଟା ଘରଯାକ ଓ ଚଟାଣର ଧୂଳିଟାକୁ ଉଡ଼ାଇ ଦେଇ ପାଦଚିହ୍ନ ପୋଛିଦେଲା । ସେଥିପାଇଁ ତୁ ଲକ୍ଷ୍ୟ କରିଥିବୁ ମୁଁ କୋଠରୀକୁ ପଶିବାକ୍ଷଣି ଛିଙ୍କି ଉଠିଲି । କାରଣ ଧୂଳିସବୁ ଉଡ଼ୁଥିଲା ।”

 

“କିନ୍ତୁ ଏସବୁ କ’ଣ ତୁ ସେଇଠି ଚିନ୍ତା କଲୁ, ନା ପରେ ଚିନ୍ତା କରିଲୁ ?”

 

“ପରେ ଚିନ୍ତା ପାଇଁ ସମୟ ଥିଲା କେତେବେଳେ ?” କହି ଚୁପ୍ ହେଲା କୁମାର । ସେ ବେଶ୍ ଚିନ୍ତିତ ଦେଖାଯାଉଥିଲା । ସାଧାରଣତଃ କେସ୍‍ର ସମାଧାନ ପରେ ସେ ବେଶ୍ ଖୁସି ଥାଏ । କିନ୍ତୁ ଆଜି…

 

ବାଧ୍ୟ ହୋଇ ପଚାରିଲି, “କିରେ, ପୁଣି କ’ଣ ଚିନ୍ତା କରୁଛୁ ?”

 

“ନାହିଁ ସାରଦା, ମୁଁ ଭାବୁଛି ଏ ସ୍ଵପ୍ନାର ପ୍ରେତାତ୍ମା କେସ୍‍ଟା ସମାଧାନ କରି ମୁଁ ଠିକ୍ କଲି ନା ଭୁଲ କଲି ? କାରଣ ମୁଁ ସମାଧାନ କରି ନ ଥିଲେ ପୁଷ୍ପା ଦେବୀ ହୁଏ ତ ପାଗଳ ହୋଇଯାଇଥାନ୍ତେ, ନ ହେଲେ ଆତ୍ମହତ୍ୟା କରିଥାନ୍ତେ । ଏବେ ସମାଧାନ କରିବାଦ୍ଵାରା ସେ ଜୀବନଯାକ ବିଧବା ହୋଇ ରହିବେ । କାରଣ ସାହୁ ବାବୁଙ୍କୁ ଫାଶୀଦଣ୍ତ ନିଶ୍ଚୟ ହୋଇଯିବ ।” କହି ଚୁପ୍ ହେଲା କୁମାର ।

ମୁଁ କିନ୍ତୁ କହିଲି, “ଛାଡ଼ ସେ କଥା, ଆମର ସମାଧାନ କରିବା କଥା, ସମାଧାନ କରିଦେଲୁ । ବର୍ତ୍ତମାନ ମୋର ଗୋଟାଏ ଅନୁରୋଧ ଅଛି…”

“କ’ଣ ?”

“ତୁ ୟାକୁ ଯେମିତି ବିଚକ୍ଷଣ ଭାବରେ ସମାଧାନ କଲୁ ନା, ସେ କଥା ସାଧାରଣ ଲୋକେ ଜାଣିବା ଉଚିତ; ତେଣୁ ତୁ ଯଦି ଅନୁମତି ଦେଉ, ମୁଁ ଭାବିଛି ୟାକୁ ଲେଖି ଛପାଇଦେବି । କ’ଣ କହୁଛୁ ?”

“ତୁ ସିନା ୟାକୁ ଛପାଇଦେବୁ ବୋଲି କହୁଛୁ, କିନ୍ତୁ…”

“କିନ୍ତୁ ପୁଣି କ’ଣ ?” ମୁଁ ପଚାରିଲି ।

“ଆରେ ତୁ ବୁଝନୁ, ମୁଁ ଯେଉଁ ପନ୍ଥା ଅବଲମ୍ଵନ କରି ଏ ସମସ୍ୟା ସମାଧାନ କଲି, ସେଇ ପନ୍ଥାକୁ ଅନୁସରଣ କରି ଯଦି କୌଣସି ଅପରାଧୀ ଅପରାଧ କରେ, ତାକୁ ଆଉ ଧରିବା ସମ୍ଭବ ହେବନି ।”

“ତା’ ଅବଶ୍ୟ ସତ; କିନ୍ତୁ ସେ ଅବସ୍ଥାରେ ସେମାନଙ୍କୁ ଧରିବା ପାଇଁ ତୁ ପୁଣି ନୂଆ ନୂଆ ସୂକ୍ଷ୍ମ ଉପାୟ ସବୁ କାଢ଼ିବୁ ।”

“ତୁ ବୁଝୁନୁ ସାରଦା, ଏ ବିରାଟ ପୃଥିବୀରେ କୁମାର ମାତ୍ର ଜଣେ । ସବୁ କେସ୍ ହୁଏତ ତା’ ପାଖକୁ ନ ଆସିପାରେ ।” କୁମାର କହିଲା ।

“ହଉ ନ ଲେଖିବି ନାହିଁ” କହି ମୁହଁ ଶୁଖାଇ ମୁଁ ଚାଲିଲି ।

“ନାହିଁ ବାବା, ତୁ ଲେଖିଲୁ । ଏମିତି ମୁହଁ ଶୁଖାଇବା ଦରକାର ନାହିଁ ।”

“କିରେ, ରାଗିଗଲୁ କିରେ ?” ମୁଁ ହସି କରି ପଚାରିଲି ।

“ତୋ ଉପରେ ପୁଣି ରାଗିବି ? ନାଇଁ, ଏଇ ସମାଜର ମଙ୍ଗଳପାଇଁ ମନା କରୁଥିଲି; କିନ୍ତୁ ତୋର ଯଦି ଏତେ ଇଚ୍ଛା ହୋଇଛି ତେବେ ଲେଖ; କିନ୍ତୁ ମୋର ଗୋଟାଏ ଅନୁରୋଧ ଅଛି… ।”

ମୁଁ ପଚାରିଲି, “କ’ଣ ?”

“ତୁ ଯଦି ନିହାତି ୟାକୁ ଛାପିବା ପାଇଁ ଦେଉ, ତେବେ ଲେଖାଟିର ନାଁ ସ୍ଵପ୍ନା ରଖିବୁ ।” କହି କୁମାର ଚୁପ୍ ହେଲା ଓ ତରବରରେ ପାଦ ପକାଇ ଆଗେଇ ଚାଲିଲା ।

ମୁଁ ପଛରେ ପଡ଼ିଗଲି ।

ଫଳରେ ପାଟିକରି ଉଠିଲି, “ଆଚ୍ଛା ! ଆଚ୍ଛା ! ବହିଟିର ନାଁ ସ୍ଵପ୍ନା ରଖିବି; କିନ୍ତୁ ତୁ ଏମିତି ତରବର ହୋଇ କେଉଁଆଡ଼େ ଧାଇଁଲୁ ?”

“ମନେ ନାହିଁ କି, ସେ defense file caseଟା ବାକି ପଡ଼ିଛି”, ପଛକୁ ମୁହଁ ନ ବୁଲାଇ କୁମାର କହିଲା ।

“ପୁଣି ସେଇ defense file case !” ମୁଁ ପାଟିକରି ଉଠିଲି । ମୋ ପାଟି ଶୁଣି ପଛକୁ ମୁହଁ ବୁଲାଇ କୁମାର ହସିଲା । ସେ ହସ-ଅମାୟିକ ହସ-ସାର୍ଥକତାର ହସ । କୁମାର ହସିବନି ତ ଆଉ କିଏ ହସିବ ?

Image